Unknown

 

 

 

 

 

 

 

 

 

 

 

ଆମ ଦେହ ଓ ରୋଗ ବୃତ୍ତାନ୍ତ

ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ

 

ଉତ୍ସର୍ଗ

 

ଯାହାଙ୍କର ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ମୋର ଲେଖକ ଜୀବନ ଆଜି ବିକଶିତ ହୋଇଛି, ଓଡ଼ିଶାର ସେହି ଯୋଗଜନ୍ମା ବୈଜ୍ଞାନିକ, କୁଶଳୀ ବିଜ୍ଞାନ ଲେଖକ, ନିର୍ଭୀକ ସମାଲୋଚକ, ଦକ୍ଷ ସଂପାଦକ, ପ୍ରଗଳ୍ଭ ବକ୍ତା, ଛାତ୍ରବତ୍ସଳ ଅଧ୍ୟାପକ ତଥା ଲୋକପ୍ରିୟ ଓଡ଼ିଆ ବିଜ୍ଞାନ ସାହିତ୍ୟର ଭୀଷ୍ମ ପୀତାମହ ପ୍ରଫେସର ଡକ୍ଟର କୁଳମଣି ସାମଲଙ୍କ ହାତରେ ଅର୍ପଣ

କରୁଛି ।

 

- ସଚ୍ଚି-

ଭୂମିକା

 

ଥରେ ଏକ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ରୋଗ ବିଷୟରେ ଶିକ୍ଷାଦାନ କରିବା ପାଇଁ ଜଣେ ନିମନ୍ତ୍ରିତ ବକ୍ତା ହିସାବରେ ଯୋଗ ଦେଇଥାଏ । ସେହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ପଚାଶ ଜଣ ହାଇସ୍କୁଲ ସ୍ତରୀୟ ବିଜ୍ଞାନ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥାନ୍ତି । ମୁଁ ମୋର ଶିକ୍ଷାଦାନ ଆରମ୍ଭ କରିବା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପୂର୍ବଜ୍ଞାନ ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ କ'ଣ, ରୋଗ କ'ଣ, ତାହା କାହିଁକି ହୁଏ, କିପରି ହୁଏ ପ୍ରଭୃତି କେତେକ ଅତି ସାଧାରଣ ପ୍ରଶ୍ନ ଯେତେବେଳେ ପଚାରିଲି, ଅଳ୍ପ କେତେ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ମୋ ପ୍ରଶ୍ନର ଠିକ୍ ଉତ୍ତର ଦେଇ ପାରିଲେ ନାହିଁ । କେତେକ ତ ସଂପୂର୍ଣ୍ଣ  ନୀରବ ରହିଲେ । ଆଉ ଯେଉଁ କେତେ ଜଣ କିଛି ଉତ୍ତର ଦେଲେ, ତାହା ଏଭଳି କିମ୍ଭୁତ କିମାକାର ହେଲା ଯେ, ତା'କୁ ବୁଝିବା ମୋ ପକ୍ଷରେ କଷ୍ଟକର ହୋଇ ପଡ଼ିଲା। ସେଇଠି ମୁଁ ଚିନ୍ତା କଲି, ମଣିଷର ଦେହ, ସ୍ୱାସ୍ଥ୍ୟ ଓ ରୋଗ ପ୍ରଭୃତି ବିଷୟରେ ଯଦି ଶିକ୍ଷକମାନଙ୍କର ଏକ ମୋଟାମୋଟି ଧାରଣା ନାହିଁ, ପିଲାମାନଙ୍କୁ ସେମାନେ ଶିକ୍ଷା ଦେବେ କ'ଣ ? ପିଲାମାନେ ସେମାନ ଦ୍ଵାରା ଉପକୃତ ହେବେ କିପରି ? ମନର ଚିନ୍ତାକୁ ମନରେ ରଖି ମୋର ଶିକ୍ଷାଦାନ ଦୁଇଟି ପିରିୟଡ଼ରେ ଶେଷ କଲି ଓ ସେଇଠି ସିଦ୍ଧାନ୍ତ ନେଲି, ଯାହା ସେମାନଙ୍କୁ ମୁଁ ସଂକ୍ଷେପରେ ଶିକ୍ଷା ଦେଲି, ତା'କୁ ଏକ ପୁସ୍ତକ ଆକାରରେ ପ୍ରକାଶ କରିବି, ଯାହା ଫଳରେ ପୁସ୍ତକଟି ଶିକ୍ଷକ ଓ ଛାତ୍ର ଉଭୟଙ୍କ ଦରକାରରେ ଆସି ପାରିବ । ସେହି ଚିନ୍ତାରୁ ହିଁ “ଆମ ଦେହ ଓ ରୋଗ ବୃତ୍ତାନ୍ତ” ପୁସ୍ତକଟିର ସୃଷ୍ଟି । ପୁସ୍ତକଟିରେ ଆମ ଦେହ, ସ୍ଵାସ୍ଥ୍ୟ ତଥା ରୋଗ ବିଷୟରେ ବିଭିନ୍ନ ତଥ୍ୟକୁ ସଂକ୍ଷେପରେ ହେଲେ ମଧ୍ୟ ସରଳ ଓ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଇଛି। ବୁଝିବାକୁ ସହଜ ହେବା ପାଇଁ ବିଭିନ୍ନ ଚିତ୍ର, ଉଦାହରଣ ଓ ସାରଣୀର ଅବତାରଣା କରାଯାଇଛି । ପୁସ୍ତକଟି ଦ୍ଵାରା ଛାତ୍ର ସମାଜ, ଶିକ୍ଷକ ଓ ସର୍ବସାଧାରଣ ଉପକୃତ ହେଲେ ଶ୍ରମ ସାର୍ଥକ ହେଲା ବୋଲି ମନେ

କରିବି ।

 

ପୁସ୍ତକଟିର ପାଣ୍ଡୁଲିପି ପ୍ରସ୍ତୁତି ତଥା ଚିତ୍ର ସଂଗ୍ରହ କାର୍ଯ୍ୟରେ ମୋର ପତ୍ନୀ ଅର୍ଚ୍ଚନା, ପୁତ୍ର ସୃଜନ ଓ କନ୍ୟା ସୁଜୟା ଯଥେଷ୍ଟ ସାହାଯ୍ୟ କରିଥିବାରୁ ସେମାନେ ସମସ୍ତେ ମୋର ଧନ୍ୟବାଦାର୍ହ । ପ୍ରକାଶନର ସମସ୍ତ ଦାୟିତ୍ଵ ବହନ କରି ପୁସ୍ତକଟି ଲୋକଲୋଚନକୁ ଆଣିଥିବାରୁ ପ୍ରକାଶିକା ଶ୍ରୀମତୀ ଦୀପ୍ତି ମିଶ୍ର, ଆର୍ଯ୍ୟ ପ୍ରକାଶନ ଓ ମୁଦ୍ରଣ ସଂସ୍ଥାର କର୍ମଚାରୀ ବୃନ୍ଦ ଏବଂ ପ୍ରଚ୍ଛଦ ଶିଳ୍ପୀଙ୍କୁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

ସଚ୍ଚିଦାନନ୍ଦ ଶତପଥୀ

ଏଇ ଲେଖକଙ୍କର ଅନ୍ୟାନ୍ୟ ପୁସ୍ତକ -

 

୧. ଆମରି ସ୍ୱାସ୍ଥ୍ୟ,

୨. ଆମ ସ୍ଵାସ୍ଥ୍ୟ ଆମ ସମ୍ପଦ (ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ପ୍ରାପ୍ତ)

୩. ସ୍ଵାସ୍ଥ୍ୟ କଥା

୪. ସ୍ତନ୍ୟପାନ- କେତୋଟି ପ୍ରଶ୍ନ

୫. ଶତାବ୍ଦୀର ସ୍ୱାସ୍ଥ୍ୟ

୬. ଏମିତି କାହିଁକି ହୁଏ (ପ୍ରଥମ ଭାଗ)

୭. ଏମିତି କାହିଁକି ହୁଏ (ଦ୍ଵିତୀୟ ଭାଗ)

୮. ଏଇ ଆମରି ଦେହ

୯. ବିନା ଔଷଧରେ ଆଶୁ ଚିକିତ୍ସା

୧୦. ଡଃ ସ୍ଵାମୀନାଥନ୍

୧୧. ନବ ଜାତକ

୧୨. ଆଜିର ସ୍ୱାସ୍ଥ୍ୟ

୧୩. ସ୍ଵାସ୍ଥ୍ୟ କାହାଣୀ

 

ସଂପାଦିତ ପୁସ୍ତକ

୧. ସାପ-୧

୨. ସାପ-୨

୩. ପରିବେଶ ସୁରକ୍ଷା

୪. ପରିବେଶ ସମ୍ଵାଦ

୫. ମଶା

୬. ଓଡ଼ିଶାର ବିଜ୍ଞାନ ଲେଖକ

 

-ସୂଚୀପତ୍ର-

 

୧.

ଆମେ ମଣିଷ

୨.

ଜୀବନ କ'ଣ

୩.

ଏଇ ଆମରି ଦେହ

୪.

ଦେହ ଗଠନର ବୈଶିଷ୍ଟ୍ୟ

୫.

ବିସ୍ମୟର ଗନ୍ତାଘର

୬.

ଦେହ ଆଉ ସ୍ଵାସ୍ଥ୍ୟ

୭.

ସ୍ଵାସ୍ଥ୍ୟ କ'ଣ

୮.

ସ୍ୱାସ୍ଥ୍ୟ କାହା ଉପରେ ନିର୍ଭର କରେ

୯.

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ'ଣ ଆବଶ୍ୟକ

୧୦.

ଅସୁସ୍ଥତା

୧୧.

ଅସୁସ୍ଥତା ଓ ରୋଗ

୧୨.

ଦେହ ଥିଲେ ରୋଗ ଅଛି

୧୩.

ରୋଗର ଇତିହାସ

୧୪.

ରୋଗ କହିଲେ କ'ଣ ବୁଝାଏ

୧୫.

ରୋଗ କେମିତି ହୁଏ ?

୧୬.

ରୋଗସୃଷ୍ଟିକାରୀ ଶକ୍ତି ବା :- (Agent):-

୧୬.

ରୋଗର ରୂପରେଖ ବା ବର୍ଣ୍ଣାଳୀ

୧୭.

ରୋଗର ଗତି ଓ ପ୍ରକୃତି

୧୮.

ରୋଗ କେମିତି ଜଣା ପଡ଼େ

୨୦

ରୋଗ କ'ଣ କ୍ଷତି କରେ ?

୨୧.

ରୋଗ କେତେ ପ୍ରକାରର

୨୨.

ସଂକ୍ରାମକ ରୋଗର ବିଭିନ୍ନ ରୂପ

୨୩.

ରୋଗ କେମିତି ବ୍ୟାପେ

୨୪.

ରୋଗ କ'ଣ କ୍ଷତି କରେ ?

୨୫.

ସଂକ୍ରାମକ ରୋଗ କେମିତି ନହେବ

୨୬.

ସ୍ୱାସ୍ଥ୍ୟଶିକ୍ଷା

୨୭.

ଶେଷକଥା

 

ଆମେ ମଣିଷ

 

କେତେ ଯୁଗର ପୁଣ୍ୟ ଫଳରେ ପ୍ରାଣୀ ମଣିଷ ଜନ୍ମ ପାଇଥାଏ ବୋଲି ଆମ ସମସ୍ତଙ୍କର ବିଶ୍ଵାସ । ଆମେ ମଣିଷ- ଏହି ଜୀବ ଜଗତର ସର୍ବଶ୍ରେଷ୍ଠ ପ୍ରାଣୀ । ଆମେ ବିଚାର ବୁଦ୍ଧି ସମ୍ପନ୍ନ । ଚିନ୍ତା କରିବାର ଶକ୍ତି ଆମର ଅଛି । କାରଣ ଆମର ମସ୍ତିଷ୍କ ଉନ୍ନତ । ଜୀବ ଜଗତର ଅନ୍ୟ ପ୍ରାଣୀମାନେ ଯାହା ନ କରି ପାରନ୍ତି, ଆମେ ତାହା କରିପାରୁ । ପୃଥିବୀରେ ଆମର ସ୍ଥାନ ସ୍ୱତନ୍ତ୍ର । କାରଣ ଆମେ କଥା କହି ପାରୁ, ପରସ୍ପର ମଧ୍ୟରେ ଭାବ ବିନିମୟ କରିପାରୁ । ନିଜର ଅନ୍ୟର ଚିନ୍ତାଧାରାକୁ ଅନ୍ୟର ଚିନ୍ତାଧାରା ସହିତ ସାମିଲ୍ କରିପାରୁ । ନିଜର ବୁଦ୍ଧି ବଳରେ ଅନେକ ସମସ୍ୟାର ସମାଧାନ କରିପାରୁ-। ନିଜର ସୃଜନୀ ଶକ୍ତି ବଳରେ କେତେ କେତେ ନୂଆ ଜିନିଷ ତିଆରି କରି ପାରୁ । ଖରାପ ହେଲେ ତାକୁ ନଷ୍ଟ କରିଦେଉ, ପୁଣି ଉନ୍ନତ ଚିନ୍ତାଧାରାରେ ଆହୁରି ବହୁ ନୂଆ ଜିନିଷ ତିଆରି କରୁ । ଏହି ବିଶାଳ ବିଶ୍ୱକୁ ଏକ କ୍ଷୁଦ୍ର ଭୂଖଣ୍ଡରେ ପରିଣତ କରି ସମଗ୍ର ବିଶ୍ୱବାସୀଙ୍କୁ ଗୋଟିଏ ପରିବାରଭୁକ୍ତ କରିଦେଇ ପାରୁ । ଏ ସବୁ ଆମେ କରି ପାରୁ କେବଳ ଆମର ଉନ୍ନ‌ତ ମସ୍ତିଷ୍କ ଯୋଗୁଁ । ମସ୍ତିଷ୍କ କଥା ମନକୁ ଆସିଲେ ଶରୀର କଥା ଆପେ ଆପେ ମନକୁ ଆସିଯାଏ । ଆମେ ମଣିଷ- ମଣିଷ କହିଲେ ଗୋଟିଏ ଦେହ ବା ପିଣ୍ଡ ବା ଶରୀରଧାରୀ ଏକ ଜୀବ । ଏହି ଶରୀରରେ ମୁଣ୍ଡ ଅଛି, ମୁଣ୍ଡ ଭିତରେ ମଗଜ ଅଛି । ମୁହଁ, ଆଖି, ନାକ, କାନ, ପାଟି, ଜିଭ, ଦାନ୍ତ, ପେଟ, ହାତ, ଗୋଡ଼, ପାଦ-  ଏମିତି କେତେ କ'ଣ ଅଛି । ଏହି ସବୁଗୁଡ଼ିକର ସମଷ୍ଟି ହେଉଛି ଆମ ଶରୀର ବା ଦେହ । ତେଣୁ କଥାରେ କହନ୍ତି, “ଦେହଧାରୀ ମଣିଷ” । ପୃଥ‌ବୀର ଅନ୍ୟ ସମସ୍ତ ଜୀବଙ୍କର ଦେହ ରହିଥିଲେ ମଧ୍ୟ ମଣିଷକୁ ଯେ କାହିଁକି ଦେହଧାରୀ କୁହାଯାଏ, ତାହା ବୁଝିବା କଷ୍ଟ । ମଣିଷ ଦେହଧାରୀ ସତ, କିନ୍ତୁ ଉପରେ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ କଥା କୁହାଗଲା, ସେହି ସବୁକୁ ଏକାଠି କରିଦେଲେ ଯେ ଗୋଟିଏ ମଣିଷ ହୋଇଯିବ, ତାହାନୁହେଁ । ଜୀବନ ସଞ୍ଚାର ନହେଲେ ଶରୀରର ବା ପିଣ୍ଡର କିଛି ମୂଲ୍ୟ ନାହିଁ । ଗୋଟିଏ ଜୀବିତ ଶରୀର ଓ ଗୋଟିଏ ମୃତ ଶରୀର ଭିତରେ କ'ଣ ପ୍ରଭେଦ ଥାଏ, ତାହା ସମସ୍ତେ ଜାଣନ୍ତି । ଶରୀର ବା ପିଣ୍ଡ ଯେତେ ସୁନ୍ଦର ହେଲେ ମଧ୍ୟ ଜୀବନ ବିନା ତାହା ନିରର୍ଥକ-। ପାର୍ବତୀ ନିଜ ଦେହର ମଳିରୁ ଗଣେଶଙ୍କ ପିଣ୍ଡ ତିଆରି କରିଥିଲେ । ପିଣ୍ଡଟିର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ସେ ତାହା ଦେହରେ ଜୀବନ ସଂଚାର କରିଥିଲେ । ତା'ପରେ ଆରମ୍ଭ ହେଲା ଗଣେଶଙ୍କ କାହାଣୀ । ତେଣୁ ଜୀବନ- ଧାରଣ ପାଇଁ ପିଣ୍ଡ ଏକ ଆଧାର ବା ମାଧ୍ୟମ ମାତ୍ର । କାରଣ ପ୍ରବହମାନ ଜୀବନର ପ୍ରତ୍ୟେକ କାର୍ଯ୍ୟ କେବଳ ପିଣ୍ଡ ଓ ଏହାର ବିଭିନ୍ନ ଅବୟବମାନଙ୍କ ଦ୍ଵାରା ହିଁ ସମାହିତ ହୋଇଥାଏ ।

 

ଜୀବନ କ'ଣ

 

ତାହେଲେ ଏହି ଜୀବନ କ'ଣ ? ଅବଶ୍ୟ ଏହା ଏକ ଜଟିଳ ପ୍ରଶ୍ନ । ଅନେକ ବିଜ୍ଞାନୀ ନାନା ଭାବରେ ଏହାକୁ ବୁଝାଇଥାନ୍ତି । କିନ୍ତୁ ସାଧାରଣ ଭାଷାରେ କହିଲେ ଦେହର ସମସ୍ତ ଜୈବ କ୍ରିୟା ହିଁ ଜୀବନ । ଏହା ଦେହର ଏକ ଅନ୍ତର୍ନିହିତ ଶକ୍ତି । ଏହି ଶକ୍ତି ବଳରେ ଆମେ ଚିନ୍ତା କରୁ, କଥା କହୁ, ଦେଖୁ, ଶୁଣୁ, ବୁଝୁ, ଖାଉ, ପିଉ, ଚାଲୁ, ଦୌଡ଼ୁ, ଲେଖାପଢ଼ା କରୁ ତଥା ଆଉ ଯେତେ ପ୍ରକାର କାର୍ଯ୍ୟ ଅଛି, ସବୁ ହିଁ ସମ୍ପାଦନ କରୁ । ଏହି ଶକ୍ତିର ଅଭାବରେ ଆମେ ଅପଙ୍ଗ ହୋଇଯାଉ। (ଚିତ୍ର-୩)(କାରଖାନା ପରି ଦେହ) ଶରୀରର ଯେଉଁ ଅଙ୍ଗରେ ଏଇ ଜୀବନୀ ଶକ୍ତିର ଅଭାବ ପରିଲକ୍ଷିତ ହୁଏ, ସେହି ଅଙ୍ଗ ଆମର ଅଚଳ ହୋଇଯାଏ । ଏହି ପରିପ୍ରେକ୍ଷୀରେ ଜଣେ ପାରାଲିସିସ୍ ବା ପକ୍ଷାଘାତ ରୋଗୀର ଉଦାହରଣ ଦିଆଯାଇ ପାରେ । ପାରାଲିସିସ୍ ହୋଇଥିବା ଅଙ୍ଗଟି ମୃତ ଅଙ୍ଗ ସହିତ ପ୍ରାୟ ସମାନ । ଏହାଦ୍ଵାରା କୌଣସି କାର୍ଯ୍ୟ ସମାହିତ ହୋଇ ପାରେ ନାହିଁ I

 

ଅପାର ଶକ୍ତିର ଭଣ୍ଡାର ଆମର ଏହି ମଣିଷ ଦେହ । କେତେ ଯେ କାର୍ଯ୍ୟ ଏହା ଭିତରେ ଚାଲିଥାଏ, ତାର ସଂଖ୍ୟା ହିସାବ କରିବା କଠିନ । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ୧୫୦ ରୁ ୨୦୦ ସେ:ମି: ଲମ୍ବର ଏହି ଦେହଟି ଭିତରେ ଏତେ କାର୍ଯ୍ୟ ହୁଏ କେମିତି ? ଏତେ ଶକ୍ତି ଆସେ କେଉଁଠୁ ? ବିଜ୍ଞାନୀମାନକୁ ଏହି ବିଷୟରେ ପଚାରିଲେ ସେମାନେ ଆମ ଆଗରେ ଗୋଟିଏ   କାରଖାନାର ଚିତ୍ର ଆଙ୍କିଦେବେ । ବିଭିନ୍ନ ଯନ୍ତ୍ରାଂଶର ସମାହାରରେ ଗୋଟିଏ କାରଖାନା ତିଆରି ହୋଇଥାଏ । ଏହାକୁ ଉପଯୁକ୍ତ ଜାଳେଣି ଆଉ କଞ୍ଚାମାଲ ଯୋଗାଇ ଉପଯୁକ୍ତ ଭାବରେ ପରିଚାଳନା କଲେ ଏଥିରୁ ଏକ ନିର୍ଦ୍ଦିଷ୍ଟ ଚିଜ ଉତ୍ପନ୍ନ ହୋଇଥାଏ । ଆମ ଦେହ ବି ଏକ କାରଖାନା ସଦୃଶ । ଗୋଟିଏ ବଡ଼ କାରଖାନାରେ ଯେତିକି ସଂଖ୍ୟକ ଯନ୍ତ୍ରାଂଶ ରହିଥାଏ, ଆମ ଦେହ ଭିତରେ ତା'ଠାରୁ ହଜାର ହଜାର ଗୁଣ ଅଧିକ ସଂଖ୍ୟାରେ ଯନ୍ତ୍ରାଂଶ ରହିଥାଏ । ଶରୀରର ଏହି ଯନ୍ତ୍ରାଂଶଗୁଡ଼ିକ କୋଷ, ତନ୍ତୁ, ଅଙ୍ଗ ବା କ୍ରତୁ ତଥା ବିଭିନ୍ନ ବିଭାଗ ବା ତନ୍ତ୍ର ନାମରେ ଅଭିହିତ । ଖାଦ୍ୟ, ପାନୀୟ ଓ ବାୟୁ ଆକାରରେ ଉପଯୁକ୍ତ ଶକ୍ତି ପାଇଲେ ଶରୀରର ଏହି ଯନ୍ତ୍ରାଂଶଗୁଡ଼ିକ ଆଶାତୀତ ଭାବରେ କାର୍ଯ୍ୟ କରିଥାନ୍ତି । କାରଖାନାର ମ୍ୟାନେଜର ପରି ଆମର ମସ୍ତିଷ୍କ ସମସ୍ତ ପରିଚାଳନାର ଦାୟିତ୍ଵ ବହନ କରିଥାଏ ।

 

ଏଇ ଆମରି ଦେହ

 

ଯେଉଁ ଦେହ ପାଇଁ ଆମର ଏତେ ଚିନ୍ତା, ଯେଉଁ ଦେହର ଖବର ବୁଝୁ ବୁଝୁ ଆମ ଜୀବନକାଳ ସରିଯାଏ; ଯେଉଁ ଦେହର ପରିଚର୍ଯ୍ୟା ପାଇଁ ଆମ ଜୀବନର ତିନି ଚତୁର୍ଥାଂଶ ସମୟ କଟିଯାଏ, ସେହି ଦେହ ବିଷୟରେ ଜାଣିବା ପାଇଁ କାହାର ବା ଇଚ୍ଛା ନହେବ ଯେଉଁଦିନ ପୁରୁଷର ଶୁକ୍ରାଣୁ (sperm) ସହିତ ସ୍ତ୍ରୀର ଡିମ୍ବାଣୁ (ovum) ର ମିଳନ ହୁଏ, ଅର୍ଥାତ୍ ଯେଉଁଦିନ ସ୍ତ୍ରୀର ଗର୍ଭ ସଞ୍ଚାର ହୁଏ, ସେହିଦିନ ଠାରୁ ହିଁ ଦେହର ସୃଷ୍ଟି ହୋଇ ଥାଏ ।(ଚିତ୍ର -୪) (ଶୁକ୍ରାଣୁ-ଡିମ୍ଵାଣୁ ମିଳନ ଓ ଭ୍ରୁଣର କ୍ରମବିକାଶ) ମାଆର ଗର୍ଭରେ ୨୮୦ ଦିନ ରହିବା ପରେ ଏହି ଦେହ ମାଆ ଶରୀରରୁ ଅଲଗା ହୋଇ ଶିଶୁ ରୂପରେ ବାହାରକୁ ଆସେ । ଶିଶୁ ଓ କିଶୋର ଅବସ୍ଥା ପରେ ଏହି ଦେହ ଯୁବାବସ୍ଥାରେ ପହଞ୍ଚେ ଏବଂ ତା'ପରେ ପୂର୍ଣ୍ଣ ବୟସ ପ୍ରାପ୍ତ ହୁଏ । ତା'ପରେ ପ୍ରୋଢ଼ାବସ୍ଥା ଓ ବୃଦ୍ଧାବସ୍ଥା ଅତିକ୍ରମ କରିବା ପରେ ଏହାର ଆବଶ୍ୟକତା ଶେଷ ହୋଇ ଯାଏ । ଏମିତି ବେଳ ଆସେ, ଯେତେବେଳେ ଏଇ ଦେହ ଆମ ପାଇଁ ଦୁର୍ବିସହ ହୋଇଯାଏ । ଶେଷରେ ଏହାର ମୃତ୍ୟୁ ଘଟେ । ମାଟିର ପିଣ୍ଡ ମାଟିରେ ମିଶିଯାଏ । ଜୀବନର ଏହି ସମୟତକ ହେଉଛି ଦୀର୍ଘ ଷାଠିଏ ସତୁରି ବର୍ଷର କାହାଣୀ । ଏହି ଷାଠିଏ ସତୁରି ବର୍ଷର ସମୟ ତକ ଦେହ ପାଇଁ ଆମେ କେତେ ଚିନ୍ତା ନ କରୁ । ଦେହର କେତେ ଯତ୍ନ ନ ନେଉ !!

 

ଦେହ ଗଠନର ବୈଶିଷ୍ଟ୍ୟ

 

ଯେ କୌଣସି ଜିନିଷ ଏକ ମୂଳ ଏକକରୁହିଁ ତିଆରି ହୋଇଥାଏ । ଆମ ଦେହ ବି ଏହି ନିୟମରୁ ବାଦ ପଡ଼େ ନାହିଁ । ଘରଟିଏ ତିଆରି କରିବାକୁ ହେଲେ ପ୍ରଥମେ ଇଟା ଖଣ୍ଡେ ଦରକାର ହୋଇଥାଏ । ଏହି ଇଟା ହିଁ ଘରର ଏକକ ।  ଖଣ୍ଡ ଖଣ୍ଡ ଇଟା ଯୋଡ଼ାହୋଇ ନବତଳ ପ୍ରାସାଦ ତିଆରି ହୋଇଥାଏ । ଠିକ୍‌ ସେମିତି ଆମରି ଏହି ଦେହ । ଆମର ୧୫୦ ରୁ ୨୦୦ ସେ.ମି. ଲମ୍ବର ଓ ଷାଠିଏ ସତୁରି କିଲୋ ଓଜନର ଦେହଟି ଯଦି ଗୋଟିଏ ନବତଳ ପ୍ରାସାଦ ହୁଏ, ତାହେଲେ ତା'ର ଇଟା ହେଉଛି ଆମ ଦେହର ଜୀବ କୋଷ (cell). (ଚିତ୍ର-୬)(ଜୀବକୋଷ)

 

ଗୋଟିଏ ଗୋଟିଏ ଜୀବକୋଷ ମିଶି ଆମର ଏ ବିଶାଳ ଦେହଟି ଗଠିତ ହୋଇଥାଏ । ଗୋଟିଏ ପ୍ରାସାଦରେ କେତେ ଖଣ୍ଡି ଇଟା ଲାଗିଥାଏ, କୌଣସି ରାଜମିସ୍ତ୍ରୀ ହୁଏତ ତା'ର ହିସାବ ରଖି ନଥାଏ । କିନ୍ତୁ ଆମ ଦେହରେ କେତେ ଜୀବ କୋଷ ଅଛିବିଜ୍ଞାନୀମାନେ ତା’ର ହିସାବ ଠିକ୍ ରଖିଛନ୍ତି । ଗୋଟିଏ ପୂର୍ଣ୍ଣବୟସ୍କ ମଣିଷ ଦେହରେ ସାଧାରଣତଃ ଷାଠିଏ ଶହ କୋଟି ଜୀବକୋଷ ରହିଥାଏ । ଏତିକି ସଂଖ୍ୟକ ଇଟାକୁ ନେଉ ଗୋଟିଏ ଅଟ୍ଟାଳିକା ଗଢ଼ିବା ପାଇଁ ହୁଏତ କୌଣସି ରାଜମିସ୍ତ୍ରୀ ଏ ସଂସାରରେ ଜନ୍ମ ହୋଇନାହିଁ ।

 

ଦେହକୁ ଗୋଟିଏ ଅଟ୍ଟାଳିକା ସହିତ ତୁଳନା କରିବାର ଯଥେଷ୍ଟ କାରଣ ରହିଛି  । ଖଣ୍ଡ ଖଣ୍ଡ କରି ଇଟା ଗଦା କରିଦେଲେ ଅଟ୍ଟାଳିକା ହୋଇ ଯାଏ ନାହିଁ । ଏଥିପାଇଁ ପ୍ରଥମେ ଏକ ଖସଡ଼ା (plan) ପ୍ରସ୍ତୁତ କରିବାକୁ ପଡ଼େ । ଗୋଟିଏ ଅଟ୍ଟାଳିକାର ବିଭିନ୍ନ ଅଂଶ ରହିଥାଏ । ପ୍ରଥମେ ନିଅଁ, ତାପରେ କାନ୍ଥ, ନିମତାଲ୍, ତାଜା, ଛାତ ଇତ୍ୟାଦି ଇତ୍ୟାଦି । ପ୍ରତ୍ୟେକ କିଛି କିଛି ଇଟାର ସମଷ୍ଟି ଓ ଏସବୁ ମିଶିବା ପରେ ହିଁ ଅଟ୍ଟାଳିକା ତାର ରୂପ ନେଇ ଥାଏ । ଠିକ୍ ସେମିତି ଆମର ଦେହ । ଜୀବକୋଷ (cell) ଦେହର ଏକକ ହେଲେ ମଧ୍ୟ ଏକଜାତୀୟ ଜୀବକୋଷ ଦ୍ୱାରା ସାରା ଦେହଟି ଗଠିତ ହୋଇ ନଥାଏ । ସେଥ‌ିପାଇଁ ବିଭିନ୍ନ ଜାତୀୟ ବା ବିଭିନ୍ନ ପ୍ରକାରର ଜୀବକୋଷ ଦରକାର ହୋଇଥାଏ । ଏକ ଜାତୀୟ ଜୀବକୋଷର ସମଷ୍ଟିରେ ଦେହର ଏକ ନିର୍ଦ୍ଦିଷ୍ଟ ଅଂଶ ତିଆରି ହୋଇଥାଏ । ଏହି ଅଂଶକୁ ତନ୍ତୁ (tissue) ବୋଲି କୁହାଯାଏ । ଅନେକ କିସମର ତନ୍ତୁର ସମ୍ମିଶ୍ରଣରେ ଆମର ଦେହ ଗଠିତ ହୋଇଥାଏ ।(ଚିତ୍ର-୭) (ବିଭିନ୍ନ ପ୍ରକାରର ତନ୍ତୁ)

 

ଆମର ରକ୍ତ, ହାଡ଼, ଚର୍ମ, ମାଂସପେଶୀ, ସ୍ନାୟୁ ଆଦି ପ୍ରତ୍ୟେକ ଗୋଟିଏ ଲେଖାଏଁ ତନ୍ତୁ । ଗୋଟିଏ ତନ୍ତୁ ଏକ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ ହିଁ ସଂପାଦନ କରିଥାଏ । ହାଡ଼ର ତନ୍ତୁ ଆମର ଛାଞ୍ଚ ତିଆରି କରି ଦେହକୁ ମଜବୁତ କରୁଥିବା ବେଳେ ରକ୍ତତନ୍ତୁ ଖାଦ୍ୟର ସାରାଂଶତକ ଶୋଷି ଦେହକୁ ଶକ୍ତି ଯୋଗାଇଥାଏ ।

 

ମାଂସପେଶୀୟ ତନ୍ତୁ ଦେହର ଯାବତୀୟ ସ୍ଥୂଳକାର୍ଯ୍ୟ କରିଥାଏ । ସେହିପରି ସ୍ନାୟୁତନ୍ତୁଆମର ସମସ୍ତ ସୂକ୍ଷ୍ମକାର୍ଯ୍ୟ ସଂପାଦନ କରିଥାଏ । (ଚିତ୍ର-୮ ଅସ୍ଥି କଙ୍କାଳ ଓ ଚିତ୍ର -୯ ପେଶୀ)

 

ଶରୀରର ଶ୍ରେଷ୍ଠ ଅଙ୍ଗ ମସ୍ତିଷ୍କର ମୁଖ୍ୟ ଅଂଶ କେବଳ ସ୍ନାୟୁତନ୍ତୁରେ ହିଁ ଗଠିତ ହୋଇଥାଏ । କେତେକ ଜୀବକୋଷ ମିଶି ତନ୍ତୁ ତନ୍ତୁ ତିଆରି କରିବା ପରି କେତେକ ତନ୍ତୁ ଏକାଠି ମିଶି ଗୋଟିଏ ଲେଖାଏଁ ଅଙ୍ଗ ବା କ୍ରତୁ (organ) ତିଆରି କରିଥାନ୍ତି । ପ୍ରତି ଜୀବକୋଷ ବା ପ୍ରତି ତନ୍ତୁର କାର୍ଯ୍ୟ ଭିନ୍ନ ହେବାପରି ପ୍ରତି ଅଙ୍ଗର କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଆମର ଯକୃତ, ପ୍ଲୀହା, ବୃକ୍‌କ, ଅଣ୍ଡକୋଷ, ଗର୍ଭାଶୟ, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍, ହୃତ୍‌ପିଣ୍ଡ, ପାକସ୍ଥଳୀ, ଅନ୍ତନାଳୀ, ଆଖି, କାନ, ନାକ, ଜିଭ ପ୍ରଭୃତି ଗୋଟିଏ ଲେଖାଏଁ ଅଙ୍ଗ ବା ଅର୍ଗାନ୍ । ଶରୀର ପାଇଁ ପ୍ରତ୍ୟେକ ଭିନ୍ନ ଭିନ୍ନ କାର୍ଯ୍ୟ ସଂପାଦନ କରିଥାନ୍ତି । ଗୋଟିଏ ପ୍ରକାର ତନ୍ତୁ ଏକ ଜାତୀୟ ଜୀବକୋଷମାନଙ୍କ ଦ୍ଵାରା ତିଆରି ହୋଇଥିବା ସ୍ଥଳେ ଗୋଟିଏ ଅର୍ଗାନ୍ ବିଭିନ୍ନ ଜାତୀୟ ତନ୍ତୁଦ୍ଵାରା ତିଆରି ହୋଇଥାଏ-। ପରୀକ୍ଷା କରି ଦେଖାଯାଇଛି ଯେ, ଗୋଟିଏ ଗୋଟିଏ ଅର୍ଗାନ୍‌ରେ ଆବରଣୀ ତନ୍ତୁ (Epithelial tissue), ମାଂସପେଶୀୟ ତନ୍ତୁ (Muscle tissue), ରକ୍ତ ତନ୍ତୁ (blood tissue), ସଂଯୋଜକ ତନ୍ତୁ (connective tissue), ସ୍ନାୟୁ ତନ୍ତୁ  (nerve tissue) ପରି ବହୁ ପ୍ରକାର ତନ୍ତୁ ରହିଥାଏ । ସବୁ ତନ୍ତୁର ମିଳିତ ଶକ୍ତିରେ ହିଁ ଅର୍ଗାନ୍‍ଟି କାର୍ଯ୍ୟକ୍ଷମ ହୁଏ I (ଚିତ୍ର-୧୦-ଶରୀରର ସ୍ନାୟୁ ତନ୍ତୁ)

ଏତିକିରେ ଯେ ଦେହର ଗଠନ ସରିଗଲା, ତା’ନୁହେଁ । କେତେକ ଅର୍ଗାନ୍ ଏକାଠି ହୋଇ ଗୋଟିଏ ଲେଖାଏଁ ବିଭାଗ ବା ତନ୍ତ୍ର (system) ତିଆରି କରିଥାନ୍ତି । ଗୋଟିଏ ତନ୍ତ୍ର ଏକ ନିର୍ଦ୍ଦିଷ୍ଟ ଦାୟିତ୍ଵ ବହନ କରିଥାଏ । ଉଦାହରଣ ସ୍ଵରୂପ ଆମର ପରିପାକ ବିଭାଗ କଥା ବିଚାର କରାଯାଉ ।

 

ଅନେକ ଅର୍ଗାନ୍ ଦ୍ଵାରା ଏହି ବିଭାଗଟି ଗଠିତ ହୋଇଥାଏ । ସେଗୁଡ଼ିକ ହେଲା ପାଟି, ଖାଦ୍ୟନଳୀ ବା ନିଗଳ (oesophagus), ପାକସ୍ଥଳୀ (stomach), ଗ୍ରହଣୀ (duodenum), କ୍ଷୁଦ୍ରାନ୍ତ୍ର (small intestine), ବୃହଦନ୍ତ୍ର (Large intestine),   ଯକୃତ (liver), ଅଗ୍ନ୍ୟାଶୟ (pancreas), ପିତ୍ତାଶୟ (gall bladder) ଇତ୍ୟାଦି ଇତ୍ୟାଦି। ପ୍ରତ୍ୟେକ ଅର୍ଗାନ୍‌ର କାର୍ଯ୍ୟ ସ୍ଵତନ୍ତ୍ର ହେଲେ ମଧ୍ୟ ସମୂହ ଭାବରେ ସେମାନେ ଖାଦ୍ୟ ପରିପାକ କାର୍ଯ୍ୟ ହିଁ ସଂପାଦନ କରିଥାନ୍ତି । ଠିକ୍ ସେମିତି ଆମର ସ୍ନାୟୁ ବିଭାଗ । ମସ୍ତିଷ୍କ (brain), ସୁଷୁମ୍ନା କାଣ୍ଡ (spinal cord) ଓ ବିଭିନ୍ନ ସ୍ନାୟୁ (nerves) ର ସମଷ୍ଟିରେ ସ୍ନାୟୁ ବିଭାଗ ତାର କାର୍ଯ୍ୟ ସଂପାଦନ କରିଥାଏ । ହୃତପିଣ୍ଡ (heart), ଶିରା (vein), ଧମନୀ (artery), ଜାଲକ (capillaries) ଆଦି ରକ୍ତ ସଞ୍ଚାଳନ ବିଭାଗର ଦାୟିତ୍ଵ ନେଇଥାନ୍ତି । ଫୁସ୍‌ଫୁସ୍ (lungs), ଶ୍ଵାସନଳୀ (trachca), ଶ୍ଵାସ ନଳିକା (bronchi), ନାକ (nose) ଆଦି ଶ୍ଵାସକ୍ରିୟା ପାଇଁ ଦାୟୀ ହୋଇଥାନ୍ତି । ଏହିପରି କେତେ ବିଭାଗ ଶରୀର ଭିତରେ ରହିଅଛି । ଆଧୁନିକ ବିଜ୍ଞାନୀମାନେ ଏଇ ଦେହକୁ ଏକ ସାର୍ବଭୌମ ରାଷ୍ଟ୍ରର ରାଜନୈତିକ ଶାସନ ବ୍ୟବସ୍ଥା ସହିତ ତୁଳନା କରିଥାନ୍ତି । ଦେହଟି ଏକ ରାଷ୍ଟ୍ର ହେଲେ ତା'ର ରାଜଧାନୀ ହେଲା ମସ୍ତକ ଓ ମସ୍ତିଷ୍କ ହେଉଛି ପ୍ରଧାନମନ୍ତ୍ରୀ I ସାଧାରଣ ପ୍ରଶାସନ ସହିତ ଆଭ୍ୟନ୍ତରୀଣ ପ୍ରତିରକ୍ଷା ଓ ଯୋଗାଯୋଗର ଦାୟିତ୍ଵ ମସ୍ତିଷ୍କ ଉପରେ ନ୍ୟସ୍ତ ଥାଏ  । ସେଇଠାରୁ ନିର୍ଦ୍ଦେଶ ପାଇଲେ ହିଁ ଅନ୍ୟ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସଂପାଦନ କରିଥାନ୍ତି I ଗୋଟିଏ ରାଷ୍ଟ୍ରରେ ସର୍ବୋଚ୍ଚ କର୍ତ୍ତାଙ୍କର ଆଦେଶ ପରିପାଳନ କ୍ଷେତ୍ରରେ ହୁଏତ କିଛି ତ୍ରୁଟି ରହିଥାଇ ପାରେ; କିନ୍ତୁ ଆମ ଦେହ କ୍ଷେତ୍ରରେ ଏଭଳି ତ୍ରୁଟି କେବେ ବି ପରିଲକ୍ଷିତ ହୁଏ ନାହିଁ । ଯେତେବେଳେ ଏଇ ଭଳି ତ୍ରୁଟି ଦେଖାଯାଏ, ସେତେବେଳେ ଆମେ କହୁ, ଆମଦେହ ଠିକ୍ ନାହିଁ ବା ଆମକୁ କିଛି ରୋଗ ହୋଇଛି । (ଚିତ୍ର-୧୧-ପରିପାକ ବିଭାଗ ଯନ୍ତ୍ର ଓ  ଚିତ୍ର-୧୨-ରକ୍ତ ସଞ୍ଚାଳନ ଶରୀର ଶିରା ଓ ଧମନୀ)

 

ବିସ୍ମୟର ଗନ୍ତାଘର

 

ପ୍ରାଚୀନ ଯୁଗର ସପ୍ତାଶ୍ଚର୍ଯ୍ୟ ଓ ଆଧୁନିକ ଯୁଗର ସପ୍ତାଶ୍ଚର୍ଯ୍ୟ ବିଷୟରେ ଆମେ ସମସ୍ତେ ଜାଣୁ । ଏଇ ଚଉଦଟି ଆଶ୍ଚର୍ଯ୍ୟ ବିଷୟରେ ଶୁଣିଲେ ଆମେ କେତେ ବିସ୍ମିତ ନହେଉ । କିନ୍ତୁ ଏଗୁଡ଼ିକଠାରୁ ଆହୁରି ବିସ୍ମୟକର ହେଉଛି ଆମର ଦେହ । ଏହାର ଗଠନ ଓ ପ୍ରତିଟି କାର୍ଯ୍ୟ ଆଶ୍ଚର୍ଯ୍ୟଜନକ । ଏହା ଯେପରି କାର୍ଯ୍ୟକରେ, ପୃଥ‌ିବୀର ସର୍ବୋତ୍କୃଷ୍ଟ କମ୍ପ୍ୟୁଟର ମଧ୍ୟ ସେପରି କାର୍ଯ୍ୟ କରିପାରେ ନାହିଁ I ଆଗରୁ କୁହାଯାଉଛି, ୧୫୦ ରୁ ୨୦୦ ସେ.ମି. ଲମ୍ବର ଓ ଷାଠିଏ ସତୁରି କିଲୋ ଓଜନର ଏହି ଦେହଟି ଷାଠିଏ ଶହ କୋଟି ଜୀବକୋଷ ଦ୍ଵାରା ଗଠିତ ହୋଇଥାଏ । ଦୁଇଶହ ଛଅ ଗୋଟି ହାଡ଼କୁ ଏହା ଧରି ରଖିଥାଏ । ଏଥିରେ ପୁଣି ଶହେରୁ ଅଧିକ ଗଣ୍ଠି ରହିଥାଏ-। ଷାଠିଏ, ସତୁରି ସତୁରି କିଲୋ ଓଜନ ଭିତରୁ କେବଳ ହାଡ଼ର ଓଜନ ହେବ ପ୍ରାୟ କୋଡ଼ିଏ କିଲୋ । ହାଡ଼ ଦେହର ଛାଞ୍ଚ ତିଆରି କରିଥାଏ ଓ ମାଂସପେଶୀଗୁଡ଼ିକୁ ଆଶ୍ରା ଦେଇଥାଏ-। ସାରା ଦେହରେ ଛଅଶହ ପଚାଶଟି ପର୍ଯ୍ୟନ୍ତ ମାଂସପେଶୀ ରହି ଆମକୁ କାର୍ଯ୍ୟକ୍ଷମ କରାଇଥାଏ-। ମାଂସପେଶୀର ଚାଳନା ହେତୁ ଏଥିରୁ ଯେତିକି ତାପ ଉତ୍ପନ୍ନ ହୁଏ, ସେଥିରେ ଗୋଟିଏ ଲିଟର ପାଣି ଘଣ୍ଟାଏ ପର୍ଯ୍ୟନ୍ତ ଗରମ ହୋଇ ପାରିବ ! ଆମର ଦୈନନ୍ଦିନ କାର୍ଯ୍ୟପାଇଁ ଗୋଟିଏ ଦିନ ଭିତରେ ଏହି ମାଂସପେଶୀଗୁଡ଼ିକ କେତେଥର ଯେ ସଂକୁଚିତ ପ୍ରସାରିତ ହୋଇଥାନ୍ତି, ତାହା ହିସାର କରି ହେବ ନାହିଁ ।

 

ଆମ ଦେହରେ ସଦା ସର୍ବଦା ପାଞ୍ଚ ଲିଟର ରକ୍ତ ପ୍ରବାହିତ ହେଉଥାଏ । ଗୋଟିଏ ହୃତ୍‌ପିଣ୍ଡ ଏବଂ ପ୍ରାୟ ଲକ୍ଷେ ଷାଠିଏ ହଜାର କି.ମି. ଲମ୍ବର ଶିରା, ଧମନୀ ଓ ଜାଲକମାନଙ୍କ ଦ୍ଵାରା ଏହା ଦେହ ଭିତରେ ଗତି କରିଥାଏ । ସବୁ ଶିରା ଧମନୀ ଆଦିକୁ ଲମ୍ବରେ ପାଖକୁ ପାଖ ରଖି ମିଶାଇ ଦେଲେ ଏହା ମିଶରର ନୀଳନଦୀ ଲମ୍ବର ପନ୍ଦର ଗୁଣ ପର୍ଯ୍ୟନ୍ତ ହେବ ଓ ପୃଥ‌ିବୀ ଚାରିପଟରେ ଅଢ଼େଇ ଥର ଗୁଡ଼େଇ ହୋଇ ଯାଇ ପାରିବ । ଗୋଟିଏ ସାଧାରଣ ପମ୍ପ୍ ୧୮,୦୦୦ ଲିଟରର ଏକ ପାତ୍ର ଭର୍ତ୍ତି କରିବାକୁ ଯେତିକି ଶକ୍ତି ଆବଶ୍ୟକ କରେ, ସାରା ଦେହକୁ ରକ୍ତ ଯୋଗାଇବା ପାଇଁ ହୃତ୍‌ପିଣ୍ଡକୁ ସେତିକି ପରିଶ୍ରମ କରିବାକୁ ପଡ଼ିଥାଏ । ସେଥିପାଇଁ ଦିନକ ଭିତରେ ଏହା ପ୍ରାୟ ୧,୦୩,୬୮୦ ଥର ସ୍ପନ୍ଦିତ ହୋଇଥାଏ । (ଚିତ୍ର-୧୩ –ହୃତପିଣ୍ଡ)

 

ଗୋଟିଏ ଦିନ ଭିତରେ ଆମେ ପ୍ରାୟ ୨୩,୦୪୦ଥର ପ୍ରଶ୍ଵାସ ନେଇଥାଉ । ଚବିଶ ଘଣ୍ଟା ଭିତରେ ଜଣେ ଲୋକ ପ୍ରାୟ ସାଢ଼େ ୧୨ ଘନମିଟର ପ୍ରଶ୍ଵାସ ବାୟୁ ଗ୍ରହଣ କରିଥାଏ । ଆମର ବୃକ୍‌କ ଦିନକ ଭିତରେ ହାରାହାରି ୨,୨୭୫ ଲିଟର ରକ୍ତକୁ ଛାଣିବା ପାଇଁ ସମର୍ଥ ହୋଇଥାଏ । (ଚିତ୍ର-୧୪-ବୃକକ)

 

ଆମ ଦେହର ସବୁଠାରୁ ବଡ଼ ଅଂଗ ହେଲା ଚର୍ମ । ଆମର ସମୁଦାୟ ଚର୍ମର କ୍ଷେତ୍ରଫଳ ପ୍ରାୟ ୧.୮୬ ବର୍ଗମିଟର ହେବ । ଏକ ବର୍ଗ ସେ.ମି. ଚର୍ମ ପ୍ରାୟ ୩ ନିୟୁତ ଜୀବକୋଷ ଦ୍ଵାରା ଗଠିତ ହୋଇଥାଏ । ଏହି ଚର୍ମ ଉପରେ ପ୍ରାୟ ୪ ନିୟୁତ ସ୍ପର୍ଶବିନ୍ଦୁ ରହିଥାଏ । ଏହା ଆମକୁ ଥଣ୍ଡା, ଗରମ, ଟାଣ, ନରମ ଆଦି ଗୁଣ ଚିହ୍ନାଇ ଦେଇଥାଏ । ପ୍ରତି ବର୍ଗ ସେ.ମି. ଚର୍ମରେ ପ୍ରାୟ ୧୦୦ଟି ଝାଳଗ୍ରନ୍ଥି, ୪୫୦ ସେ.ମି. ଲମ୍ବର ସ୍ନାୟୁ, ୧୦ଟିରୁ ୧୨ଟି ପର୍ଯ୍ୟନ୍ତ ଲୋମପୁଟିକା, ୧୪ଟି ତୈଳଗ୍ରନ୍ଥି ଓ ୯୦ ସେ.ମି. ଲମ୍ବର ରକ୍ତନଳୀ ରହିଥାଏ । ଏ ବିଷୟରେ ଆମେ କ'ଣ କିଛି ଜାଣି ପାରୁ  ?

ଆମର ଏହି ଦେହରେ ସମୁଦାୟ ହଜାରେ କୋଟି ଜୀବାଣୁ ରହିଥାନ୍ତି । ଏଇ ଦେହରେ ଯେତେ ଚର୍ବି ଅଛି, ସେଥିରେ ୭ଟି ସାବୁନ ତିଆରି ହୋଇ ଯାଇପାରିବ, ଯେତେ ଫସ୍‌ଫରସ୍ ଅଛି, ୨୨୦୦ ଟି ଦିଆସିଲ କାଠି ତିଆରି ହୋଇ ଯାଇପାରିବ, ଯେତେ ଗନ୍ଧକ ଅଛି, ୧୦ଟି ଫୋଟକା ତିଆରି ହୋଇ ପାରିବ, ଯେତେ ଲୁହା ଅଛି, ସାଢ଼େ ୭ ସେ.ମି. ଲମ୍ବର ଏକ କଣ୍ଟା ହୋଇପାରିବ, ଯେତେ କ୍ୟାଲ୍‌ସିଅମ ଅଛି, ସେଥିରେ ୧୫୦ ସେ.ମି.ରେ ୯୦ ସେ.ମି. ବିଶିଷ୍ଟ ଏକ କାନ୍ଥ ଲିପା ଯାଇପାରିବ, ଯେତେ ଲୁଣ ଅଛି, ସେଥିରେ ୫ ଜଣ ଲୋକ ୧୫ ଦିନ ଚଳି ଯାଇ ପାରିବେ; ପୁଣି ଯେତେ ଅଙ୍ଗାର ଅଛି, ତାହା ପ୍ରାୟ ୨୮ ବସ୍ତା କୋକ୍ କୋଇଲା ସଙ୍ଗେ ସମାନ ହେବ ।  (ଚିତ୍ର-୧୫-ଚର୍ମ)

 

ଆମର ଯକୃତ ଏକ ସମୟରେ ପ୍ରାୟ ୫୦୦ ପ୍ରକାର କାର୍ଯ୍ୟ କରିଥାଏ । ସେତିକି କାର୍ଯ୍ୟ କରିବା ପାଇଁ ଯଦି ଏକ ରାସାୟନିକ କାରଖାନା ବସାଯାଆନ୍ତା, ତାହେଲେ ହୁଏତ ଏକର ଏକର ଜମି ଦରକାର ହୁଅନ୍ତା । ଯଦି ଯକୃତ ତାର କାର୍ଯ୍ୟ ବନ୍ଦ କରି ଦିଅନ୍ତା ଜଣେ ଲୋକର ମୃତ୍ୟୁ ହେବା ପାଇଁ ମାତ୍ର ୮ ଘଣ୍ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗନ୍ତା ।

ଦେହ ଭିତରେ ଯେତେ ସବୁ କାର୍ଯ୍ୟ ସଂପାଦିତ ହୋଇଥାଏ, ସବୁରି ମୂଳରେ ଥାଏ ମସ୍ତିଷ୍କ । ମସ୍ତିଷ୍କର ବିନା ନିର୍ଦ୍ଦେଶରେ ବସ୍ତୁତଃ କୌଣସି କାର୍ଯ୍ୟ ହୋଇପାରେ ନାହିଁ । ଏହା ହେଉଛି ଆମ ଶରୀରର ସବୁଠାରୁ ଓଜନିଆ ଅଂଶ । ଏଥିରେ ପ୍ରାୟ ହଜାରେ ନିୟୁତ ସ୍ନାୟୁକୋଷ ରହିଥାଏ । ମସ୍ତିଷ୍କର ଏହି ସ୍ନାୟୁ ବ୍ୟବସ୍ଥା ପୃଥିବୀର ଆଜିର ଟେଲିଫୋନ୍ ବ୍ୟବସ୍ଥାଠାରୁ ପ୍ରାୟ ୧୪୦୦ ଗୁଣ ଅଧିକ ଜଟିଳ ହୋଇଥାଏ । ମସ୍ତିଷ୍କ ଭିତରେ ଗୋଟିଏ ସ୍ନାୟୁକୋଷରୁ ଆଉ ଗୋଟିଏ ସ୍ନାୟୁକୋଷକୁ ସ୍ନାୟବିକ ସମ୍ବାଦ ଘଣ୍ଟାକୁ ପ୍ରାୟ ୪୦୦ କି.ମି. ବେଗରେ ଗତି କରିଥାଏ । ସାରା ଦେହରେ ଥିବା ୧୩ହଜାର ନିୟୁତ ସଂଖ୍ୟକ ସ୍ନାୟୁ କୋଷମାନଙ୍କ ସାହାଯ୍ୟରେ ମସ୍ତିଷ୍କ ଦେହର ସବୁ ଖବର ପାଇଥାଏ ଓ ସେହି ଅନୁଯାୟୀ ବିଭିନ୍ନ କାର୍ଯ୍ୟ କରିବାକୁ ଭିନ୍ନ ଭିନ୍ନ ଅଙ୍ଗକୁ ନିର୍ଦ୍ଦେଶ ଦେଇଥାଏ । ଏଥିପାଇଁ ମସ୍ତିଷ୍କ ଭିତରେ ପ୍ରତି ସେକେଣ୍ଡରେ ବିଭିନ୍ନ ପ୍ରକାରର ପ୍ରାୟ ଏକ ଲକ୍ଷ ସଂଖ୍ୟକ ରାସାୟନିକ ପ୍ରକ୍ରିୟା ସଂଘଟିତ ହୋଇଥାଏ । ଏହିସବୁ ଦୃଷ୍ଟିରୁ ସତରେ କେଡ଼େ ବିସ୍ମୟକର ଆମରି ଏଇ ଦେହ । ଏଠାରେ ଯାହାସବୁ କୁହାଗଲା, ଦେହ ବିଷୟରେ ସେଗୁଡ଼ିକ ସାମାନ୍ୟ ସୂଚନା ମାତ୍ର-। ସବୁ ବଖାଣି ବସିଲେ ହୁଏତ ତାହା ବି ଗୋଟିଏ ବିରାଟ ପୁସ୍ତକ ହୋଇଯିବ । ଯେତେ ଜାଣିଲେ ବି ଆହୁରି ଜାଣିବାକୁ ଇଚ୍ଛା ହେବ । (ଚିତ୍ର -୧୬ ଯକୃତ  ଓ ଚିତ୍ର – ମସ୍ତିଷ୍କର ବିଭିନ୍ନ କେନ୍ଦ୍ର)

 

ଦେହ ଆଉ ସ୍ଵାସ୍ଥ୍ୟ (Body and Health)

 

ଦେହ କଥା କହିବା ବେଳେ ସ୍ଵାସ୍ଥ୍ୟ କଥା ଆପେ ଆପେ ମନକୁ ଆସିଯାଏ । ତା'ହେଲେ ଦେହ ଆଉ ସ୍ଵାସ୍ଥ୍ୟ କ'ଣ ଏକା କଥା ? ଅନ୍ୟ ଭାବରେ କହିଲେ ଦେହର ଅର୍ଥ ଯାହା, ସ୍ୱାସ୍ଥ୍ୟର ଅର୍ଥ କ'ଣ ସେଇଆ ? ଜଣେ କାରିଗର ମୂର୍ତ୍ତିଟିଏ ଗଢ଼ିବାର ଉଦାହରଣ ନିଆଯାଉ। ମୂର୍ତ୍ତିଟିଏ ଗଢ଼ିବାକୁ ହେଲେ କାରିଗର ପ୍ରଥମେ କୁଟା କାଠିର ଗୋଟିଏ ଛାଞ୍ଚ ତିଆରି କରେ । ତା' ଉପରେ ମାଟି ବୋଳି  ତାକୁ ପୁରୁଷ ବା ନାରୀର ଆକୃତି ଦିଏ । ଏଇଟା ହେଲା ମୂର୍ତ୍ତିର ଦେହ । ତା'ପରେ ସେ ତାକୁ ଚିକ୍କଣ କରେ । ତା' ଦେହରେ ଖଡ଼ି ବୋଳେ । ଶେଷକୁ ବିଭିନ୍ନ ରଙ୍ଗରେ ରଞ୍ଜାଇ ଓ ଆବଶ୍ୟକ ପୋଷାକ ପିନ୍ଧାଇ ମୂର୍ତ୍ତିଟିକୁ ଆକର୍ଷଣୀୟ କରେ । ଉତ୍ତମ ସାଜସଜାରେ ସଜ୍ଜିତ ହୋଇ ଜୀବନ୍ତ ପରି ପ୍ରତୀୟମାନ ହେଉଥ‌ିବା ଏହି ମୂର୍ତ୍ତିଟିକୁ ଉଦାହରଣ ହିସାବରେ ନିଆଯାଇପାରେ ।

 

ପ୍ରକୃତରେ ଦେହ ଓ ସ୍ୱାସ୍ଥ୍ୟ ଏକା କଥା ନୁହେଁ । ଆମ ସମସ୍ତଙ୍କର ଗୋଟିଏ ଲେଖାଏଁ ଶରୀର ବା ଦେହ ଅଛି । କିନ୍ତୁ ଆମେ ସମସ୍ତେ ସ୍ୱାସ୍ଥ୍ୟବାନ ନୋହୁଁ । ଗୋଟିଏ ଘରେ ଦୁଇ ଭାଇ ରହୁଛନ୍ତି । ବଡ଼ ଭାଇ ସବୁବେଳେ ରୋଗଗ୍ରସ୍ତ, ଦୁର୍ବଳ । ଦେହ ତାର ଅସ୍ଥି କଙ୍କାଳସାର । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ କରିବା ପାଇଁ ସେ ଅସମର୍ଥ । ଘରୁ ଉଠି ବାହାରକୁ ଯାଇ କାହା ସହିତ ମିଶିବା ତା' ପକ୍ଷରେ ଅସମ୍ଭବ । କିନ୍ତୁ ସାନ ଭାଇ ବେଶ୍ ହୃଷ୍ଟପୁଷ୍ଟ, ସ୍ୱାସ୍ଥ୍ୟବାନ, ସବୁବେଳେ ହସ୍‌ଖୁସ୍ । । ସବୁକାମକୁ ଧୁରନ୍ଧର । ସମସ୍ତଙ୍କ ସହିତ ମିଶି ଆପଣାର କରିନେବାର ସାମର୍ଥ ତା’ର ଅଛି । ଗୋଟିଏ ଘରେ ରହି, ଏକ ପ୍ରକାର ଖାଦ୍ୟ ଖାଇଗୋଟିଏ ପରିବେଶରେ ପ୍ରତିପାଳିତ ହୋଇଥିବା ଦୁଇ ଭାଇଙ୍କ ମଧ୍ୟରୁ ସାନଭାଇ ଉତ୍ତମ ସ୍ଵାସ୍ଥ୍ୟର ଅଧିକାରୀ । ଦେହର ଗଠନକୁ ତାର ସ୍ୱାସ୍ଥ୍ୟ ଠିକ୍ ଖାପ୍ ଖାଇ ଯାଇଛି । ଅପର ପକ୍ଷରେ ବଡ଼ ଭାଇ ଠାରେ ସ୍ଵାସ୍ଥ୍ୟର ଅଭାବ । ନିଜର ଦେହକୁ ଧରି ସେ ଖାଲି ବଞ୍ଚି ରହିଛି ମାତ୍ର । ଏହି ଦୃଷ୍ଟିରୁ ଦେହ ଓ ସ୍ଵାସ୍ଥ୍ୟ ଏ ଦୁଇଟିଯାକ  କଥା ଯେ ପରସ୍ପର ଠାରୁ ଅଲଗା, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଦୁନିଆଁରେ ବଞ୍ଚି ରହିବାପାଇଁ ଆମକୁ ବହୁତ କିଛି ହାସଲ କରିବାକୁ ପଡ଼ିଥାଏ । ସାଧାରଣ ଭାବରେ ଘର ଦ୍ଵାର, ଲୁଗାପଟା, ଜମିବାଡ଼ି, ଧନରତ୍ନ ଏମିତି ଅନେକ କିଛି ସମ୍ପଦ ଆମେ ଆବଶ୍ୟକ କରିଥାଉ । କିନ୍ତୁ ଏ ସବୁର ପ୍ରାଚୁର୍ଯ୍ୟ ଭିତରେ ରହି ମଧ୍ୟ ଆମେ ଯଦି ଉତ୍ତମ ସ୍ଵାସ୍ଥ୍ୟର ଅଧିକାରୀ ନ ହୋଇଥାଉ, ସବୁ ସମ୍ପଦ ଆମ ପାଇଁ ଅସାର ହୋଇ ପଡ଼େ । ଗୋଟିଏ ଛୋଟିଆ ଉଦାହରଣ ଦେଲେ କଥାଟି ବେଶ୍ ସ୍ପଷ୍ଟ ହୋଇଯିବ । ଭାରତର ମୋଗଲ  ରାଜୁତି ସମୟରେ ବାଦଶାହ ଥିଲେ । ଅନିଦ୍ରା ରୋଗରେ ସେ ଏମିତି ଛଟପଟ ହେଉଥିଲେ ଯେ ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ସେ ଶୋଇ ପାରୁନଥିଲେ । ଦୁର୍ବଳ ସ୍ଵାସ୍ଥ୍ୟ, ଅସ୍ଥିର ମନ ନେଇ ରାଜ୍ୟ ଶାସନ କରିବା ତ ଦୂରର କଥା, ସମୟ ଆସିଲା, ଯେତେବେଳେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ମଧ୍ୟ ସେ ସମର୍ଥ ହୋଇ ପାରିଲେ ନାହିଁ । ବୈଦ୍ୟ, କବିରାଜ ଓ ହାକିମମାନଙ୍କୁ ନିଜ ସର୍ବସ୍ଵ ଧନ ସଂପତ୍ତି ଅର୍ପଣ କରିଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ କେହି ତାଙ୍କର ଅନିଦ୍ରା ରୋଗ ଭଲ କରି ପାରୁନଥିଲେ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ସେ ପ୍ରାଣତ୍ୟାଗ କଲେ । ତାଙ୍କର ବିପୁଳ ଧନସଂପତ୍ତି ମଧ୍ୟ ତାଙ୍କ ଜୀବନ ରକ୍ଷା କରିପାରିଲା ନାହିଁ । ତେଣୁ ସ୍ଵାସ୍ଥ୍ୟ ଯେ ସମସ୍ତ ପ୍ରକାର ଧନ ସଂପତ୍ତିଠାରୁ ଯଥେଷ୍ଟ ଉଚ୍ଚରେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେଥ‌ିପାଇଁ କୁହାଯାଇଛି, ମଣିଷ ଅଧିକାର କରିଥିବା ସମସ୍ତ ଧନ ସଂପତ୍ତି ଠାରୁ ସ୍ୱାସ୍ଥ୍ୟ ଆହୁରି ମୂଲ୍ୟବାନ । ସମସ୍ତ ଧନରତ୍ନକୁ ସୁବର୍ଣ୍ଣ ସହିତ ତୁଳନା କଲେ ସ୍ୱାସ୍ଥ୍ୟ ହୀରା ପଦବାଚ୍ୟ ହୋଇଥାଏ ।

 

ଇଂରାଜୀରେ ଗୋଟିଏ କଥା ଅଛି, "Health is wealth." ଅର୍ଥାତ୍ ସ୍ଵାସ୍ଥ୍ୟ ହିଁ ସଂପଦ । ଆମର ସମସ୍ତ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ହିଁ ଆମକୁ ପ୍ରେରଣା ଦିଏ । କଥାରେ କହନ୍ତି, ଘରର ମୂଳଦୁଆ· ଯେତେ ମଜବୁତ୍ ହେବ, ଘର ସେତେ ଶକ୍ତିଶାଳୀ ହେବ । ସ୍ୱାସ୍ଥ୍ୟ ହେଉଛି ଆମର ମୂଳଦୁଆ । ଏହି ମୂଳଦୁଆ ଯେତେ ଶକ୍ତ ହେବ, ଆମ ଜୀବନର ପ୍ରବହମାନ ଧାରା ସେତେ ବେଗମାନ ହେବ । ସ୍ଵାସ୍ଥ୍ୟ ରୂପକ ମୂଳଦୁଆ ଉପରେ ଆମ ଜୀବନର ସବୁ ପ୍ରକାର କ୍ରିୟାକର୍ମ, ସୁଖଶାନ୍ତି ଏକାନ୍ତ ଭାବରେ ନିର୍ଭର କରିଥାଏ । ଯେଉଁଠି ସ୍ୱାସ୍ଥ୍ୟ ନାହିଁ, ସେଠି ସୁଖ ନାହିଁ I ସେଇଥିପାଇଁ ପ୍ରାଚୀନ ଗ୍ରୀସ୍ ଓ ଭାରତର ଲୋକମାନେ ଉତ୍ତମ ସ୍ଵାସ୍ଥ୍ୟରକ୍ଷା ପାଇଁ ଯାହା କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇ ଯାଉଥିଲେ । କିନ୍ତୁ ଆଜିର ମଣିଷ ଏହି ସତ୍ୟକୁ ଆସ୍ତେ ଆସ୍ତେ ଭୁଲି ଯାଉଛି । ଫଳରେ ମଣିଷ ବଞ୍ଚି ରହୁଛି ସତ, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟଠାରୁ ଦୂରେଇ ଯାଉଛି । ସ୍ୱାସ୍ଥ୍ୟ ବିଷୟ ବିଷୟରେ ଆଜିର ମଣିଷ କ୍ୱଚିତ୍‌ ସଚେତନ ହେଉଛି । ସେ ସ୍ଵାସ୍ଥ୍ୟ ବିଷୟରେ ସେତିକିବେଳେ ବେଳେ ଚିନ୍ତାକରୁଛି, ଯେତେବେଳେ ତା’ର ସ୍ଵାସ୍ଥ୍ୟ ନଷ୍ଟ ହେଉଛି । ନେଡ଼ିଗୁଡ଼ କହୁଣିକୁ ବହିଯିବା ଯିବା ପରେ ସେ ନିରାଶ ହେଉଛି । ତେଣୁ ଆମର ମନେ ରଖିବା ଉଚିତ ଯେ ସ୍ଵାସ୍ଥ୍ୟ ହିଁ ଆମର ସର୍ବସ୍ୱ । ଏହା କେବଳ ଆମର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରେ ନାହିଁ, ସାରା ସମାଜକୁ ପ୍ରଭାବିତ କରେ, ସାରା ରାଷ୍ଟ୍ରକୁ ପ୍ରଭାବିତ କରେ । ଉତ୍ତମ ସ୍ଵାସ୍ଥ୍ୟ ଆମକୁ ସୁଖ ଦିଏ, ସମାଜର ମଙ୍ଗଳ କରେ, ରାଷ୍ଟ୍ରକୁ ମଧ୍ୟ ସମୃଦ୍ଧ କରେ ।

 

ସ୍ଵାସ୍ଥ୍ୟ କ’ଣ (What is health)

 

ସ୍ଵାସ୍ଥ୍ୟ ବିଷୟରେ ଏତେ କଥା କହି ସାରିବା ପରେ ପ୍ରକୃତରେ ସ୍ୱାସ୍ଥ୍ୟ କଣ, ସେ ବିଷୟରେ ଜାଣିବା ପାଇଁ ମନରେ ସ୍ଵତଃ କୌତୂହଳ ଜାତ ହୁଏ । କିନ୍ତୁ ଏହା କହିବା ଏତେ ସହଜ ନୁହେଁ । ସ୍ଵାସ୍ଥ୍ୟ ବିଜ୍ଞାନୀମାନେ ବହୁ ଚିନ୍ତା କରି ମଧ୍ୟ ସ୍ଵାସ୍ଥ୍ୟ (Health) ର ଏକ ଯୁକ୍ତିଯୁକ୍ତ ସଂଜ୍ଞା ପାଇ ପାରି ନାହାନ୍ତି । ବିଭିନ୍ନ ସଂସ୍କୃତିରେ ଏଥିପାଇଁ ବିଭିନ୍ନ ପ୍ରକାର ସଂଜ୍ଞାର ଉପସ୍ଥାପନା କରାଯାଇ ଅଛି । ବହୁ ପ୍ରାଚୀନ କାଳର ସଂସ୍କୃତି ଅନୁସାରେ ଯାହା କୁହାଯାଉଥିଲା, ତାହାର ମର୍ମ ହେଲା, ଶରୀର ନୀରୋଗ ରହିବା ହିଁ ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ । ଆଉ କେତେକ ସଂସ୍କୃତିରେ ସମାଜ, ଭଗବାନ ଓ ବିଶ୍ଵମଣ୍ଡଳ ସହିତ ନିଜର ଏକ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଉତ୍ତମ ସ୍ଵାସ୍ଥ୍ୟର ସଂଜ୍ଞା ଦିଆଯାଉଥିଲା ।  କିନ୍ତୁ ଏହା ସର୍ବସମ୍ମତ କ୍ରମେ ଗୃହୀତ ହୋଇ ପାରିଲା ନାହିଁ । ଗୋଟିଏ ପୋଖରୀରେ କାଚ କେନ୍ଦୁ ପରି ସଫା ପାଣିଥିଲେ ତାକୁ ବିଶୁଦ୍ଧ ପାଣି ବୋଲି କହିବା ଯାହା, ନୀରୋଗ ଦେହକୁ ଉତ୍ତମ ସ୍ଵାସ୍ଥ୍ୟର ଶରୀର ନିଦର୍ଶନ ବୋଲି କହିବା ତାହା । ବିଶୁଦ୍ଧ ପାଣିରେ ବିଭିନ୍ନ ରୋଗ ଜୀବାଣୁ ରହି ପାଣିକୁ ଯେମିତି ଦୂଷିତ କରେ, ଦେହ ନୀରୋଗ ରହି ମନ ଯଦି ବିକାର ଗ୍ରସ୍ତ  ହୁଏ, ସ୍ଵାସ୍ଥ୍ୟ ସେହିପରି ନଷ୍ଟ ହୋଇଯାଏ । ତେଣୁ ନୀରୋଗ ଦେହକୁ ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ ବୋଲି ବିବେଚନା ନ କରି ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ କ'ଣ ବୁଝାଇବାକୁ ଯାଇ ବିଜ୍ଞାନୀମାନେ ଭିନ୍ନ ଭିନ୍ନ ମତର ଉପସ୍ଥାପନା କରିବାକୁ ଲାଗିଲେ ।

 

ସେଥି ମଧ୍ୟରୁ ଗୋଟିଏ ମତବାଦ ପୂର୍ବ ମତବାଦ ସହିତ ପୂରାପୂରି ମିଶି ଗଲା । ଅର୍ଥାତ୍ ନୀରୋଗ ଶରୀର ହିଁ ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ ବୋଲି ମତ ଦିଆଗଲା । ତେବେ ଏଥିରେ ଟିକିଏ ପ୍ରଭେଦ ରହିଲା । ଏଥିରେ କୁହାଗଲା ଯେ, ମଣିଷର ଦେହ ହେଉଛି ଏକ କାରଖାନା । କାରଖାନାର କୌଣସି ଅଂଶ ଭାଙ୍ଗିରୁଜି ଯିବା ହିଁ ହେଉଛି ରୋଗ ଓ ସେହି ଖରାପ ଯନ୍ତ୍ରାଂଶକୁ ସଜାଡ଼ିବା ହେଉଛି ଡାକ୍ତର ବା ଚିକିତ୍ସକଙ୍କ କାମ । ତେଣୁ ଶରୀରକୁ ନୀରୋଗ ରଖିବା ହିଁ ସ୍ଵାସ୍ଥ୍ୟରକ୍ଷା ପାଇଁ ଏକମାତ୍ର ପନ୍ଥା ବୋଲି ବିଚାର କରାଗଲା । ଏହି ମତବାଦକୁ ଜୈବ ଭୈଷଜୀୟ ମତବାଦ (Bio-medical concept) ବୋଲି ନାମ ଦିଆଗଲା । କିନ୍ତୁ ଏହି ମତବାଦକୁ ସମସ୍ତେ ଗ୍ରହଣ କରି ପାରିଲେ ନାହିଁ । କାରଣ ଏଥରେ ପରିବେଶ, ସମାଜ, ମାନସିକ ଅବସ୍ଥା ଓ ସଂସ୍କୃତିର କୌଣସି ଭୂମିକା ରହୁନଥିଲା । ଦେହରେ ରୋଗ ହେଲେ ତାହାକୁ ଭଲ କରିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କିନ୍ତୁ ଅପପୁଷ୍ଟି, ଦୁର୍ଘଟଣା, ନିଶାସେବନ, ମାନସିକ ବିକୃତି, ପରିବେଶ ପ୍ରଦୂଷଣ, ଜନ ବିସ୍ଫୋରଣ ଆଦି ଉପରେ କୌଣସି ଗୁରୁତ୍ଵ ଦିଆ ଯାଉନଥିଲା । ତେଣୁ ସ୍ଵାସ୍ଥ୍ୟ ପାଇଁ ଭୈଷଜୀୟ ସଂଜ୍ଞା ସହଜରେ ଗୃହୀତ ହୋଇ ପାରିଲା ନାହିଁ I

 

ତା'ପରେ ସ୍ଵାସ୍ଥ୍ୟର ସଂଜ୍ଞାଦେବା ପାଇଁ ଆଉ ଏକ ମତବାଦର ସୂତ୍ରପାତ ହେଲା । ତାହାକୁ କୁହାଗଲା ଜୈବ ପାରିବେଶିକ ମତବାଦ (Ecological concept) I ଏଥିରେ କୁହାଗଲା ଯେ, କେବଳ ଏକ ନୀରୋଗ ଦେହ ସ୍ୱାସ୍ଥ୍ୟ ପଦବାଚ୍ୟ ନୁହେଁ; ବରଂ ମଣିଷ ଓ ପରିବେଶର ଏକ ଗତିଶୀଳ ସନ୍ତୁଳନ ହିଁ ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ । କାରଣ ରୋଗ ହେଉଛି ପରିବେଶ ସହିତ ମଣିଷ ଦେହର ଏକ ଅସମ ସଂଯୋଜନ । ତେଣୁ ସ୍ଵାସ୍ଥ୍ୟର ସଂଜ୍ଞା ଦେବାକୁ ଯାଇ କୁହାଗଲା ଯେ, ସ୍ଵାସ୍ଥ୍ୟ ଦେହକୁ ନୀରୋଗ ରଖିବା ସହିତ ଯନ୍ତ୍ରଣା ଓ ପୀଡ଼ାରୁ ମୁକ୍ତ ରଖେ ଏବଂ ପରିବେଶ ସହିତ ଏକ ଉତ୍ତମ ଭାରସାମ୍ୟ ଅବସ୍ଥାରେ ରଖିଥାଏ । ଏହାଦ୍ଵାରା ଦୁଇଟି କଥା ଉପରେ ଗୁରୁତ୍ୱ ଦିଆଗଲା । ଗୋଟିଏ ହେଲା ଦୋଷମୁକ୍ତ ଦେହ ଓ ଅନ୍ୟଟି ହେଲା ଦୋଷମୁକ୍ତ ପରିବେଶ । ଏ ଦୁଇଟିଯାକ ଦୋଷମୁକ୍ତ ହେଲେ ହିଁ ଜଣେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥାଏ ।

 

ଏହି ମତବାଦ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସ୍ୱାସ୍ଥ୍ୟର ସଂଜ୍ଞାଦେବା ପାଇଁ ସଂପୂର୍ଣ୍ଣ  ବୋଲି ବିବେଚିତ ହେଲା ନାହିଁ । ଏଥିରେ ଆଉ କିଛି ସଂଯୋଗ କରି ଅନ୍ୟ ଏକ ନୂତନ ମତବାଦର ସୂତ୍ରପାତ ହେଲା । ଏହାକୁ ମନସ୍ତାତ୍ତ୍ଵିକ ସାମାଜିକ ମତବାଦ (Psycho-social concept) ବୋଲି କୁହାଗଲା । ଏଥିରେ କୁହାଗଲା ଯେ, କେବଳ ରୋଗ ବା ପରିବେଶକୁ ନେଇ ସ୍ଵାସ୍ଥ୍ୟର ସଂଜ୍ଞା ନିରୂପଣ କରିବା ଠିକ୍ ନୁହେଁ । କାରଣ ଏହା ଉପରେ ସାମାଜିକ, ମନସ୍ତାତ୍ତ୍ଵିକ- ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ମଧ୍ୟ ବିଶେଷ ଭାବରେ ପଡ଼ିଥାଏ । ତେଣୁ ସ୍ଵାସ୍ଥ୍ୟର ସଂଜ୍ଞା ନିରୂପଣ କରିବା ବେଳେ ଏହିସବୁ ଉପାଦାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ।

 

ଏହିପରି ଭାବରେ ଗୁଡ଼ିଏ ମତବାଦକୁ ନେଇ ବିତର୍କ ଚାଲିଥିବା ବେଳେ କୌଣସି ଗୋଟିଏ ବି ସଂପୂର୍ଣ୍ଣ ଭାବରେ ଗୃହୀତ ହୋଇ ପାରିଲା ନାହିଁ I ଶେଷରେ ଉପର ଲିଖିତ ସମସ୍ତ ମତବାଦର ଏକ ସାଂଶ୍ଳେଷିକ ସମଷ୍ଟିରୁ ଆଉ ଏକ ନୂତନ ମତବାଦ ସୃଷ୍ଟି ହେଲା । ଏହାକୁ କୁହାଗଲା ସାମୂହିକ ମତବାଦ (Holistic concept) ଏହି ମତବାଦ ଅନୁଯାୟୀ ସ୍ଵାସ୍ଥ୍ୟର ସଂଜ୍ଞା ଦେବାକୁ ଯାଇ କୁହାଗଲା ଯେ, ଦେହକୁ ସୁସ୍ଥ ରଖିବା ସହିତ ମନ, ସମାଜ, ଅର୍ଥନୀତି, ରାଜନୀତି ଓ ପରିବେଶକୁ ସୁସ୍ଥ ରଖିବା ହିଁ ହେଉଛି ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ।

 

ଏହିସବୁ ଦୃଷ୍ଟିରୁ ସ୍ୱାସ୍ଥ୍ୟର ପ୍ରକୃତ ସଂଜ୍ଞା ଦେବା ଯେ କେତେ କଠିନ, ତାହା ସହଜରେ ଅନୁମାନ କରାଯାଇ ପାରେ । ତେଣୁ ସବୁ କଥା ବିଚାରକୁ ନେଇ ଆମର ବିଶ୍ୱ ସ୍ଵାସ୍ଥ୍ୟ ସଂସ୍ଥା (W.H.O) ୧୯୪୮ ମସିହାରେ ସ୍ଵାସ୍ଥ୍ୟର ଏକ ସୁଚିନ୍ତିତ ସଂଜ୍ଞା ନିରୂପଣ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂଜ୍ଞା ସର୍ବସମ୍ମତ କ୍ରମେ ଗୃହୀତ ହେଉଛି ଓ ଏହାକୁ ଭିତ୍ତି କରି ଉତ୍ତମ ସ୍ଵାସ୍ଥ୍ୟ ରକ୍ଷା ପାଇଁ ବିଭିନ୍ନ ମାର୍ଗ ପ୍ରଦର୍ଶିତ ହେଉଛି ।

 

ବିଶ୍ୱ ସ୍ଵାସ୍ଥ୍ୟ ସଂସ୍ଥାର ଏହି ମତ ଅନୁଯାୟୀ ସ୍ଵାସ୍ଥ୍ୟର ସଂଜ୍ଞା ହେଉଛି, "Health a state of complete physical, mental and social wellbeing not merely an absence of disease or infirmity." ଅର୍ଥାତ୍ ଏକ ଶୁଦ୍ଧ ବାତାବରଣ ଓ ଶାନ୍ତ ସମାଜ ଭିତରେ ଦେହ ମନ ଉଭୟ ସଂପୂର୍ଣ୍ଣ ଭଲ ରହିଲେ ହିଁ ତାହା ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ ହୋଇଥାଏ । ଏହାକୁ ଆଉ ଟିକେ ସରଳ କଲେ ଏମିତି ହେବ ଯେ, “କେବଳ ନୀରୋଗ ଅବସ୍ଥାକୁ ଉତ୍ତମ ସ୍ୱାସ୍ଥ୍ୟ ଅବସ୍ଥା ବୋଲି କୁହାଯାଇ ପାରିବ ନାହିଁ । ବ୍ୟକ୍ତିର ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ହିଁ ସ୍ଵାସ୍ଥ୍ୟ’” ।

 

ଟିକିଏ ସୂକ୍ଷ୍ମ ଭାବରେ ବିଚାର କଲେ ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ଉତ୍ତମ ସ୍ଵାସ୍ଥ୍ୟର ସଂଜ୍ଞା ଦେବାକୁ ଯାଇ ଅନେକ ବିଷୟ ଉପରେ ଆଲୋକପାତ କରିଛନ୍ତି । ଏହି ସଂଜ୍ଞାଦ୍ଵାରା ସ୍ଵାସ୍ଥ୍ୟର ତିନିଟି ଦିଗ ଉପରେ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରାଯାଇଛି । ପ୍ରଥମଟି ହେଲା ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଶରୀର ସୁସ୍ଥ ଓ ନିରୋଗ ରହିବା ଆବଶ୍ୟକ । ସ୍ଵାସ୍ଥ୍ୟର ଏହି ଦିଗଟିକୁ ସେମାନେ ଶାରୀରିକ ସ୍ଵାସ୍ଥ୍ୟ (Physical dimension) ନାମରେ ଅଭିହିତ କରିଛନ୍ତି । ଦ୍ଵିତୀୟରେ ସ୍ଵାସ୍ଥ୍ୟ ଭଲ ରହିବାକୁ ହେଲେ ମନ ମଧ୍ୟ ଭଲ ରହିବା ଆବଶ୍ୟକ । ଏହି ଦିଗଟିକୁ ସେମାନେ ମାନସିକ ସ୍ଵାସ୍ଥ୍ୟ (Mental dimension) ବୋଲି ନାମ ଦେଇଛନ୍ତି । ତୃତୀୟ ଦିଗଟି ହେଲା ଶୁଦ୍ଧ ବାତାବରଣ ଓ ଶାନ୍ତ ସମାଜ, ଯାହାକି ଦେହ ମନକୁ ଭଲ ରଖିବା ପାଇଁ ଅପରିହାର୍ଯ୍ୟ । ଏହାକୁ ସେମାନେ ସାମାଜିକ ଓ ପାରିପାର୍ଶିକ ସ୍ୱାସ୍ଥ୍ୟ (Social and environmental dimension) ବୋଲି କହିଛନ୍ତି । ଏ ସବୁ ଛଡ଼ା ଉତ୍ତମ ସ୍ଵାସ୍ଥ୍ୟ ପାଇଁ ସେମାନେ ଏବେ ଆଉ କେତେକ ନୂତନ ଦିଗ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା- ଆଧ୍ୟାତ୍ମିକ ସ୍ଵାସ୍ଥ୍ୟ (Spiritual dimension), ଆବେଗିକ ସ୍ଵାସ୍ଥ୍ୟ (Emotional dimension), ବ୍ୟବସାୟିକ ସ୍ଵାସ୍ଥ୍ୟ (Vacational dimension) । ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଏହି ଦିଗଗୁଡ଼ିକ ବିଷୟରେ ଯାହାସବୁ କୁହାଯାଇଛି, ତାହା ପରସ୍ପର ସହିତ ଖୁବ୍ ନିବିଡ଼ ଭାବରେ ସମ୍ବନ୍ଧିତ । ଗୋଟିକ ବ୍ୟତିରେକେ ଅନ୍ୟଗୁଡ଼ିକ ଅର୍ଥହୀନ । ଅନ୍ୟ ପ୍ରକାର କହିଲେ ଦେହ, ମନ, ସମାଜ, ପରିପାର୍ଶ୍ୱ, ଆଧ୍ୟାତ୍ମିକ ଚେତନା, ଆବେଗ- ଏ ସବୁର ସୁସ୍ଥତାହିଁ ଉତ୍ତମ ସ୍ଵାସ୍ଥ୍ୟର ନିଦର୍ଶନ । ପ୍ରତ୍ୟେକ ଦିଗ ଉପରେ ସାମାନ୍ୟ ଆଲୋକପାତ ନ କଲେ ଏହା ବୁଝିବା ପାଇଁ ସହଜ ହେବ ନାହିଁ ।

 

(୧) ଶାରୀରିକ ସ୍ଵାସ୍ଥ୍ୟ  (Physical dimension of Health):-

 

ଶାରୀରିକ ସ୍ଵାସ୍ଥ୍ୟ ବିଷୟରେ କିଛି କହିବା ହୁଏତ ନିରର୍ଥକ । କାରଣ ସୁସ୍ଥ ଶରୀର କହିଲେ ଯେଉଁ ଚିତ୍ରଟି ଆମ ଆଖି ଆଗରେ ନାଚି ଉଠେ, ତାହା ଖୁବ୍ ସହଜରେ ବୁଝି ହୋଇଯାଏ । ଆଗରୁ ଏ ବିଷୟରେ କାରିଗର ମୂର୍ତ୍ତିଟିଏ ଗଢ଼ିବାର ଉଦାହରଣ ଦିଆଯାଇଛି । ମୂର୍ତ୍ତିଟିର ଛାଞ୍ଚ ଓ ଆକୃତି ତିଆରି ହେବା ପରେ କାରିଗର ତାକୁ ଚିକ୍‌କଣ କରେ । ସେଥିରେ ରଙ୍ଗ ମାଖି ଉପଯୁକ୍ତ ପୋଷାକ ପିନ୍ଧାଇ ମୂର୍ତ୍ତିଟିକୁ ରୁଚିର କରେ । ତେବେ ଯାଇ ମୂର୍ତ୍ତିଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ । ଠିକ୍ ସେମିତି ଏକ ସୁସ୍ଥ ଶରୀର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । କାରଣ ନିଜ ଶରୀର ସୁସ୍ଥ ରହିଲେ ନିଜ ପାଇଁ ଯେତିକି ମଙ୍ଗଳ, ଅନ୍ୟମାନଙ୍କ ପାଇଁ ତା’ଠାରୁ ଅଧିକ ମଙ୍ଗଳ । ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥାଙ୍କ ମତରେ ଗୋଟିଏ ସୁସ୍ଥ ଶରୀର ପାଇଁ ଅନେକ ଆବଶ୍ୟକତା ରହିଛି । ଅନ୍ୟ ପ୍ରକାର କହିଲେ ଶାରୀରିକ ସ୍ଵାସ୍ଥ୍ୟ ଅନେକ ମାପକାଠି ଉପରେ ନିର୍ଭର କରିଥାଏ । ଏହି ମାପକାଠିଗୁଡ଼ିକ ଠିକ୍ ମାନର ହୋଇଥିଲେ ଜଣେ  ସଂପୂର୍ଣ୍ଣ ଶାରୀରିକ ସ୍ଵାସ୍ଥ୍ୟର ଅଧିକାରୀ ହୋଇଥାଏ।

 

ଏଥିପାଇଁ ପ୍ରଥମ ଆବଶ୍ୟକତା ହେଉଛି ଏକ ସୁଗଠିତ ଦେହ । ଦେହର ଗଠନ ଅତି ମୋଟା କିମ୍ବା ଅତି ପତଳା ହୋଇ ନ ଥିବ କିମ୍ବା ଶରୀର ବିକଳାଙ୍ଗ  ହୋଇ ନଥିବ । ମାଂସପେଶୀଗୁଡ଼ିକ ସୁଗଠିତ ହୋଇଥିବ । ଚର୍ମ ଚିକ୍କଣ, ପରିଷ୍କାର ଓ ଉତ୍ତମ ବର୍ଣ୍ଣର ହୋଇଥିବ । ଚକ୍ଷୁ ଉଜ୍ଜ୍ଵଳ ଓ ଦୃଷ୍ଟିଶକ୍ତି ପ୍ରଖର ହୋଇଥିବ । ମୁଣ୍ଡରେ ଉଜ୍ଜ୍ଵଳ ସୁଶୋଭିତ ଲମ୍ବା କଳା କେଶ ଥ‌ିବ । ଭଲ ଭୋକ ହେଉଥ‌ିବ ଓ ରାତିରେ ଭଲ ନିଦ ହେଉଥ‌ିବ । କୌଣସି ପେଟ ଗୋଳମାଳ ନଥାଇ ଝାଡ଼ା ପରିସ୍ରା ସ୍ଵାଭାବିକ ହେଉଥିବ । ଶରୀରର ପ୍ରତ୍ୟେକ ଅଂଶ ସହିତ ପ୍ରତ୍ୟେକର ଉତ୍ତମ ଯୋଗାଯୋଗ ରହୁଥିବ । ଦେହର ସମସ୍ତ ଅଙ୍ଗ ଠିକ୍ ଭାବରେ କାମ କରୁଥିବେ । କୌଣସି ବାହ୍ୟ ଶତ୍ରୁ ବା ରୋଗ ସୃଷ୍ଟିକାରୀ କାରକ ଦେହରେ ପ୍ରବେଶ କରି ନଥିବ । ଦେହରେ ହୃତ୍‌ସ୍ପନ୍ଦନ, ଶ୍ଵାସକ୍ରିୟା, ନାଡ଼ି, ରକ୍ତଚାପ ଆଦି ବୟସ ଅନୁପାତରେ ସ୍ଵାଭାବିକ ରହୁଥ‌ିବ ଏବଂ ଶରୀରର ବୟସାନୁପାତିକ ଅଭିବୃଦ୍ଧି ହେଉଥ‌ିବ । ତା’ହେଲେ ଯାଇ ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା ମୁତାବକ ଜଣେ ସଂପୂର୍ଣ୍ଣ ଶାରୀରିକ ସ୍ଵାସ୍ଥ୍ୟ ହାସଲ କରିପାରିବ ।

 

(୨) ମାନସିକ ସ୍ଵାସ୍ଥ୍ୟ  (Mental dimension of Health) :-

 

ସୁସ୍ଥତା ପାଇଁ ଶରୀର ସହିତ ମନର ଯେ ଏକ ନିବିଡ଼ ସଂପର୍କ ରହିଛି । ଏକଥା କେହି ଅସ୍ୱୀକାର କରିବେ ନାହିଁ । କଥାରେ କହନ୍ତି, ମନ ଭଲ ଥିଲେ ଦୁନିଆଁ ଭଲ । ଭଲ ମନରେ ପର୍ବତ ଟାଳି ହେବ, ସମୁଦ୍ର ବି ଖୋଳି ହୋଇଯିବ । ମନ ଭଲ ନଥିଲେ ଦେହ କେମିତି ଆପେ ଆପେ ଖରାପ ହୋଇଯାଏ, ତାହା ସମସ୍ତେ ଅନୁଭ କରିଥିବେ । ତେଣୁ ଦେହ ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବା ନିହାତି ଆବଶ୍ୟକ ।

 

ଅନେକଙ୍କ ଧାରଣା, କେବଳ ମାନସିକ ରୋଗ ହିଁ ମନକୁ ଅସୁସ୍ଥ କରେ । କିନ୍ତୁ ଏହି ଧାରଣା ସବୁବେଳେ ଠିକ୍‌ ନୁହେଁ । ଅବଶ୍ୟ ମାନସିକ ରୋଗ ମନର ଅସୁସ୍ଥତା ପାଇଁ ନିଶ୍ଚିତ ଭାବରେ ଏକ କାରଣ । ତଥାପି କୌଣସି ମାନସିକ ରୋଗ ନଥାଇ ମଧ୍ୟ ଅନେକ ସମୟରେ ମନ ସୁସ୍ଥ ରହେ ନାହିଁ । ଗୋଟିଏ ଉଦାହରଣ ଦେଲେ କଥାଟି ଅଧିକ ସ୍ପଷ୍ଟ ହୋଇଯିବ । ଜଣେ ଲୋକର କୌଣସି ପ୍ରକାର ମାନସିକ ରୋଗ ନାହିଁ । କିନ୍ତୁ ନିଜର ସାଧାରଣ କାର୍ଯ୍ୟକଳାପ ପାଇଁ ସେ ଏକ ବ୍ୟତିକ୍ରମ । ସବୁ କାମରେ ଅନ୍ୟମନସ୍କ । ସମସ୍ତଙ୍କ ଉପରେ ରାଗ ଆଉ କ୍ରୋଧ । କୌଣସି କାମରେ ସ୍ପୃହା ରହେ ନାହିଁ । ସମସ୍ତଙ୍କ ପ୍ରତି ମନରେ ଅବିଶ୍ଵାସ ଭାବ ରହିଥାଏ । ସବୁବେଳେ ଚିଡ଼ିଚିଡ଼ା ସ୍ଵଭାବ । ଘରେ ହେଉ, ଅଫିସରେ ହେଉ କିମ୍ବା ବାହାରେ ହେଉ, କେଉଁଠି ହେଲେ ସ୍ଥିର ହୋଇ ବସି ପାରନ୍ତି ନାହିଁ । କେହି କିଛି କଥା ପଚାରିଲେ ଦଶ ପଦରେ ପଦେ ଉତ୍ତର ଦିଅନ୍ତି । କୌଣସି କଥାକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ଦିନକର କାର୍ଯ୍ୟକୁ ସାରିବା ପାଇଁ ଆଠ ଦିନ ସମୟ ଲଗାନ୍ତି । ଆତ୍ମବିଶ୍ଵାସ ବୋଲି କିଛି ନଥାଏ । ସ୍ନେହ ଆଉ ଭଲ ପାଇବା ତାଙ୍କୁ ଯେମିତି ସ୍ପର୍ଶ କରି ନାହିଁ ।

 

ଠିକ୍ ସେମିତି ଆଉ ଜଣେ ବ୍ୟକ୍ତି । କୌଣସି ପ୍ରକାର ମାନସିକ ରୋଗ ତାଙ୍କୁ ଛୁଇଁ ନାହିଁ । ନିଜର ବ୍ୟକ୍ତିଗତ କାର୍ଯ୍ୟ ସେ ଠିକ୍ ଭାବରେ କରନ୍ତି I କିନ୍ତୁ ସେ ଏତେ ବ୍ୟକ୍ତିକୈନ୍ଦ୍ରିକ ଯେ, ତାଙ୍କ ଆଖ ପାଖରେ ଯେ ଆଉ କେହି ଅଛନ୍ତି, ଏ କଥା ସେ କେବେ ଚିନ୍ତା ବି କରନ୍ତି ନାହିଁ । ନିଜର ପରିବାର ତଥା ସମାଜ ପ୍ରତି ସେ ଯେମିତି ବୀତସ୍ପୃହ । ଘରେ ନିଜର ସ୍ତ୍ରୀ ଓ ପିଲାପିଲି ଯେ ରହିଛନ୍ତି, ତାହା ମଧ୍ୟ ସେ ବେଳେ ବେଳେ ଭୁଲିଯାନ୍ତି । ନିଜ ଖାଦ୍ୟପେୟର କିଛି ଠିକ୍ ଠିକଣା ନାହିଁ-। ନିଜର ପାଖ ପଡ଼ୋଶୀଙ୍କୁ ବି ବେଳେ ବେଳେ ଚିହ୍ନି ପାରନ୍ତି ନାହିଁ । ଏହି ଦୁଇଜଣ ବ୍ୟକ୍ତି ମାନସିକ ରୋଗରୁ ମୁକ୍ତ ହେଲେ ମଧ୍ୟ ସୁସ୍ଥ ମନର ଅଧିକାର ବୋଲି କୁହାଯାଇ ପାରିବ ନାହିଁ । କାରଣ ଏମାନଙ୍କଠାରେ କିଛି ଗୋଟାଏ ଅଭାବ ରହି ଯାଉଛି, ଯାହା ଫଳରେ ଏମାନଙ୍କ ଜୀବନ ଯାତ୍ରାରେ ଏଭଳି ବ୍ୟତିକ୍ରମ  ଦେଖାଯାଉଛି । ଏହି ଦୃଷ୍ଟିରୁ ମାନସିକ ରୋଗ ଓ ମାନସିକ ସୁସ୍ଥତା- ଦୁଇଟି ଯେ ସଂପୂର୍ଣ୍ଣ ଭିନ୍ନ, ଏହା ନିଃସନ୍ଦେହ। ମସ୍ତିଷ୍କର କୌଣସି ଅଂଶରେ କିଛି ଆଙ୍ଗିକ ବିଶୃଙ୍ଖଳା ଦେଖାଦେଲେ କିମ୍ବା ଶରୀରର ବିଭିନ୍ନ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା ଭିନ୍ନ ଭିନ୍ନ କେନ୍ଦ୍ର ଆଘାତ ପ୍ରାପ୍ତ ହେଲେ ସାଧାରଣତଃ ମଣିଷ ମାନସିକ ରୋଗଗ୍ରସ୍ତ ହୋଇଥାଏ । ମନର ଅସୁସ୍ଥତା ସହିତ ଏହାର କୌଣସି ସଂପର୍କ ରହି ନଥାଏ ।

 

ଏହି ପରିପ୍ରେକ୍ଷୀରେ ମାନସିକ ସୁସ୍ଥତା ପାଇଁ ବିଶେଷଜ୍ଞମାନେ ଯେଉଁ କେତେଗୁଡ଼ିଏ ଉପାଦାନର ଅବତାରଣା କରିଛନ୍ତି, ତାହା ଜାଣିବା ଏକାନ୍ତ ପ୍ରୟୋଜନ । ପ୍ରଥମତଃ ଜଣେ ମାନସିକ ସୁସ୍ଥ ବ୍ୟକ୍ତିର ଚିନ୍ତାଧାରା ସାବଲୀଳ ହୋଇଥିବ। ପୃଥ‌ିବୀର ପ୍ରତ୍ୟେକ ଭଲମନ୍ଦ କଥାକୁ ସେ ହୃଦୟଙ୍ଗମ କରି ପାରୁଥିବ । ପ୍ରତ୍ୟେକ ବିଷୟ ସେ ଅନୁଭବ କରି ପାରୁଥିବ । ନିଜର କାର୍ଯ୍ୟ ଦକ୍ଷତା ପାଇଁ ନିଜକୁ ନିଜେ ପ୍ରଶଂସା କରୁ ନଥିବ କିମ୍ବା ହୀନଭାବାପନ୍ନ ହେଉ ନଥିବ । ନିଜର କର୍ମଫଳକୁ ସହଜରେ ଗ୍ରହଣ କରି ନେଉଥିବ ଏବଂ ନିଜ ଭିତରେ ତା’ର କିଛି ଅନ୍ତର୍ଦ୍ୱନ୍ଦ୍ଵ ରହୁନଥିବ। ଦ୍ଵିତୀୟ  କଥା ହେଲା ବ୍ୟକ୍ତିଗତ ଜୀବନରେ ହିଂସା, ଦ୍ଵେଷ, ରାଗ, କ୍ରୋଧ, ଭୟ, ଅଭିମାନ, ଗୁଣ, ଦୋଷ, ପ୍ରେମ, ଘୃଣା ଆଦି ଭାବକୁ ନିଜ ଅକ୍ତିଆର ଭିତରେ ରଖି ପାରୁଥିବ । କେଉଁ ଦୋଷକୁ ସ୍ଵୀକାର କରାଯିବା ଉଚିତ ଏବଂ କାହାକୁ ଭଲ ପାଇ ପାଇବା ବା ଘୃଣା କରିବା ଉଚିତ, ତାହା ବିଚାର କରି ଠିକ୍ ଭାବରେ ନିରୂପଣ କରି ପାରୁଥିବ । ଏସବୁ ଗଲା ବ୍ୟକ୍ତି ବିଶେଷର କଥା । ମାନସିକ ସୁସ୍ଥତାର ତୃତୀୟ ବିଶେଷତ୍ଵ ହେଲା, ସେ ନିଜ ବ୍ୟତୀତ ନିଜର ପରିବାର ତଥା ପାଖ ପଡ଼ୋଶୀମାନଙ୍କ ସହିତ ଉତ୍ତମ ବୁଝାମଣା ରଖି ପାରୁଥିବ । ସେମାନଙ୍କ ସୁଖ ଦୁଃଖକୁ ହୃଦୟଙ୍ଗମ କରି ସେଥିରେ କିଛି ପରିମାଣରେ ଭାଗୀଦାର ହୋଇ ପାରୁଥିବ । ଆବଶ୍ୟକ ବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମନରେ କୌଣସି ଦ୍ଵିଧା ରହୁ ନଥିବ । ତା'ହେଲେ ଯାଇ ଜଣେ ଲୋକ ସଂପୂର୍ଣ୍ଣ ମାନସିକ ସ୍ଵାସ୍ଥ୍ୟ ହାସଲ କରିଛି ବୋଲି କୁହାଯିବ ।

 

(୩) ସାମାଜିକ ସ୍ଵାସ୍ଥ୍ୟ  (Social dimension of Health) :-

 

ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ବିନା ଆମେ ବଞ୍ଚି ପାରିବା ନାହିଁ । ସ୍ଵାଚ୍ଛନ୍ଦ୍ୟ ଜୀବନ ଧାରଣ ପାଇଁ ଆମର ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତା ଯେପରି ଆବଶ୍ୟକ, ସାମାଜିକ ସୁସ୍ଥତା ମଧ୍ୟ ସେହିପରି ଆବଶ୍ୟକ । ସାମାଜିକ ସୁସ୍ଥତାର ଅର୍ଥ ବ୍ୟାପକ । ଯେଉଁ ସମାଜରେ ଆମେ ରହୁ, ସେହି ସମାଜ ସହିତ ଆମକୁ ସବୁ ମତେ ସାମିଲ ହେବାକୁ ପଡ଼ିଥାଏ । ପରସ୍ପର ସହିତ ବନ୍ଧୁଭାବ, ଭାବର ଆଦାନ-ପ୍ରଦାନ, ଆବଶ୍ୟକ ବେଳେ ସାହାଯ୍ୟ କରିବାର ମନୋବୃତ୍ତି, କାହାରି ଦୁଃଖ ଶୋକ ବେଳେ ସହାନୁଭୂତି ପ୍ରକାଶ କରିବାର ବ୍ୟଗ୍ରତା, ସାମାଜିକ ଉତ୍ସବ, ଯାନିଯାତ୍ରା ଆଦିରେ ବିନା ସର୍ତ୍ତରେ ଯୋଗଦାନ ଏବଂ ସର୍ବୋପରି ଅନ୍ୟର ହିତ ପାଇଁ ପାଇଁ କରାଯାଉଥିବା କାର୍ଯ୍ୟରେ ଅକୁଣ୍ଠିତ ସମର୍ଥନ ଜ୍ଞାପନ ଆଦି ସାମାଜିକ ସୁସ୍ଥତାର ବିଭିନ୍ନ ଦିଗ । ଜଣେ ଲୋକ ସଂପୂର୍ଣ୍ଣ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରିଛି । ଅଥଚ ସେ ଯେଉଁଠି ରହିଛି, ସେଠାରେ ସମସ୍ତଙ୍କ ସହିତ ତା'ର ଶତ୍ରୁତାଭାବ । କାହାରି ପ୍ରତି ତା’ର କୌଣସି ଆନ୍ତରିକତା ନାହିଁ । କାହାରିକୁ  ସାହାଯ୍ୟ କରିବା ତ ଦୂରର କଥା, ନିଜର କିଛି କାର୍ଯ୍ୟ ପଡ଼ିଲେ ଅନ୍ୟସ୍ଥାନରୁ ଜ୍ଞାତି କୁଟୁମ୍ବକୁ ଡାକି ଆଣି ତାହା କରାଏ ପଛକେ, ପାଖ ପଡ଼ୋଶୀଙ୍କୁ କିଛି ପଚାରେ ନାହିଁ । ନିଜର ବ୍ୟକ୍ତିତ୍ୱ ଏବଂ ପଦମର୍ଯ୍ୟାଦା ଯୋଗୁଁ ନିଜକୁ ସେ କେମିତି ସ୍ଵତନ୍ତ୍ର ଭାବେ । ପ୍ରକୃତ ପକ୍ଷରେ ସେ ଏକ ସାମାଜିକ ବାସନ୍ଦ ଜୀବନ ଯାପନ କରୁଥାଏ । ଏପରି ସ୍ଥଳେ ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ଅନୁଯାୟୀ ଲୋକଟିକୁ ସଂପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଇ ପାରିବ ନାହିଁ । କାରଣ ସେ ଶାରୀରିକ ଓ ମାନସିକ ସୁସ୍ଥ ହେଲେ ମଧ୍ୟ ସାମାଜିକ ସୁସ୍ଥ ନୁହେଁ ।

 

(୪) ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ (Spiritual dimension of Health) :-

 

ସଂପୂର୍ଣ୍ଣ ସୁସ୍ଥତା ପାଇଁ ଆଧ୍ୟାତ୍ମିକ ଚେତନା କିଭଳି ଆବଶ୍ୟକ, ତାହା ଅବଶ୍ୟ ଏକ ବିବାଦମାନ ପ୍ରଶ୍ନ । କେହି ଏ ବିଷୟରେ ସ୍ପଷ୍ଟ ମତ ପୋଷଣ କରି ନାହାନ୍ତି । ତେଣୁ ଏହାର ସବିଶେଷ ଆଲୋଚନା କରିବା ଅସମ୍ଭବ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଆଧ୍ୟାତ୍ମିକ ଚେତନାରେ ମନରେ ଯେଉଁ ଭାବଧାରା ଉତ୍ପନ୍ନ ହୁଏ, ତାହା ଶାରୀରିକ, ମାନସିକ ଓ ସାମାଜିକ-ପ୍ରତ୍ୟେକ ପ୍ରକାର ସୁସ୍ଥତାକୁ ବେଶ୍ ପ୍ରଭାବିତ କରିଥାଏ । ପୁଣି କେତେକଙ୍କ ମତରେ ଆଧ୍ୟାତ୍ମିକ ଜୀବନରେ ଭଗବାନଙ୍କ ପ୍ରତି ମନରେ ସୃଷ୍ଟି ହେଉଥିବା ସଂପୂର୍ଣ୍ଣ ସମର୍ପଣ ଭାବ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ସେଇଥିପାଇଁ ପ୍ରାଚୀନ କାଳର କୌଣସି ମୁନିଋଷି କେବେହେଲେ ରୋଗରେ ପଡ଼ିବାର ବା ତାଙ୍କର ସ୍ଵାସ୍ଥ୍ୟହାନି ହେବାର କୌଣସି ଦୃଷ୍ଟାନ୍ତ ନାହିଁ । ଏବେ ଏ ବିଷୟରେ ବହୁ ଗବେଷଣା ଆଗେଇ ଚାଲିଛି । ପରୀକ୍ଷାରୁ ଜଣାପଡ଼ିଛି ଯେ, ନିୟମିତ ପ୍ରାର୍ଥନା, ଯୋଗ, ପୂଜା ଦେବ ଦର୍ଶନ ଶରୀରକୁ ନିରୋଗ ରଖିବାରେ ବିଶେଷ ଭାବରେ ସାହାଯ୍ୟ କରୁଛି ।

 

ତା'ଛଡ଼ା ମନରେ ରହିଥ‌ିବା ଆତ୍ମବିଶ୍ଵାସ ହିଁ ଆଧ୍ୟାତ୍ମିକ ସ୍ଵାସ୍ଥ୍ୟର ଆଉ ଏକ ଦିଗ । ଯେଉଁ ଡାକ୍ତର ବା ଚିକିତ୍ସକଙ୍କ ଉପରେ ଯାହାର ବିଶ୍ଵାସ ଥାଏ, ତାଙ୍କରି ଠାରୁ ଯେ କୌଣସି ଔଷଧ ଖାଇଲେ ମଧ୍ୟ ତାଙ୍କର ରୋଗ ଭଲ ହୋଇଯାଏ । କିନ୍ତୁ ଯଦି ବିଶ୍ଵାସ ନଥାଏ, ଡାକ୍ତର ଯେତେ ଉଚ୍ଚ ପଦବୀର ହୋଇ ଯେତେ ଦାମୀ ଔଷଧ ଦେଲେ ମଧ୍ୟ ରୋଗ ଭଲ ହୁଏ ନାହିଁ । ନିଜର ବିଶ୍ଵାସ ବଳରେ ରୋଗ କିଭଳି ଭଲ ହୁଏ ଓ ବିଭିନ୍ନ ସମସ୍ୟାର କିଭଳି ସମାଧାନ ହୋଇଯାଏ, ସେ ବିଷୟରେ ଏହି ଭଳି ବହୁ ଉଦାହରଣ ଦିଆଯାଇପାରେ ।

 

(୫) ଆବେଗିକ ସ୍ଵାସ୍ଥ୍ୟ  (Emotional dimension of Health) :-

 

ଉତ୍ତମ ସ୍ଵାସ୍ଥ୍ୟରକ୍ଷା ପାଇଁ ଏହା ଏକ ନୂତନ ଦୃଷ୍ଟିକୋଣ କହିଲେ କିଛି ଅତ୍ୟୁକ୍ତି ହେବନାହିଁ-। କେତେକ ଏହାକୁ ମାନସିକ ସ୍ଵାସ୍ଥ୍ୟ ସହିତ ତୁଳନା କରିଥାନ୍ତି। ଆଉ କେତେକ ଏହାକୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଅନ୍ତର୍ଭୁକ୍ତ ମଧ୍ୟ କରିଥାନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତରେ ଏଥିରେ କିଛି ସ୍ୱତନ୍ତ୍ରତା ରହିଛି । ସେମାନଙ୍କ ମତରେ ମାନସିକ ହେଉଛି ମନ ବା ମାନସିକ ଅବସ୍ଥା ଉପରେ ନିଜର ଜ୍ଞାନ; କିନ୍ତୁ ଆବେଗିକ ସ୍ୱାସ୍ଥ୍ୟ ହେଉଛି, କୌଣସି ବିଷୟରେ ନିଜର ଅନୁଭୂତି ଓ ମନୋଭାବ । ଏହି ଅନୁଭୂତି ବା ମନୋଭାବକୁ ପରିପ୍ରକାଶ କରିବା ପାଇଁ ଯେ ସଫଳକାମ ହୋଇଥାଏ  ସେ ହିଁ ଉତ୍ତମ ସ୍ଵାସ୍ଥ୍ୟର ଅଧିକାରୀ ହୋଇଥାଏ । ଗୋଟିଏ ଉଦାହରଣ ଦେଲେ କଥାଟା ସ୍ପଷ୍ଟ ହୋଇଯିବ । ଧରାଯାଉ ଏପରି ଏକ ଘଟଣା ଘଟିଲା, ଯେଉଁଥିରେ କି ଜଣେ ବଡ଼ ପାଟିରେ କାନ୍ଦିବା ଆବଶ୍ୟକ ଓ ସେପରି କାନ୍ଦିଲେ ହୁଏତ ସେ ମାନସିକ ଶାନ୍ତି ପାଇବ । ସେ ସେପରି ସ୍ଥଳେ ତା'ର କାନ୍ଦିଦେବା ହିଁ ଉଚିତ ଓ ଏହା ହିଁ ହେଉଛି ଉତ୍ତମ ଆବେଗିକ ସ୍ଵାସ୍ଥ୍ୟ । କିନ୍ତୁ କୌଣସି ବାଧା ବା ବିରୋଧ ଯୋଗୁଁ ଯଦି ସେ କାନ୍ଦି ନ ପାରେ ଓ କାନ୍ଦକୁ ଚାପି ଅନ୍ୟ କୌଣସି ବାଟରେ ତାହା ପରିପ୍ରକାଶ କରେ, ତେବେ ତାହା ତା’ର ସ୍ଵାସ୍ଥ୍ୟ ପାଇଁ ଅନୁକୂଳ ହେବ ନାହିଁ । ଏହି ଅବସ୍ଥାରେ ତା'ର ଆବେଗିକ ସ୍ଵାସ୍ଥ୍ୟ ମଧ୍ୟ ବାଧାପ୍ରାପ୍ତ ହେବ ।

 

(୬) ବ୍ୟବସାୟିକ ସ୍ଵାସ୍ଥ୍ୟ  (Vocational dimension of Health) :-

 

ଆଜିକାଲି ଯୁଗରେ ଆମେ ଏତେ କର୍ମତତ୍ପର ହୋଇ ଯାଇଛୁ ଯେ, କୌଣସି କାର୍ଯ୍ୟ ବିନା ବଞ୍ଚିବା କଷ୍ଟକର ହୋଇ ପଡ଼ିଛି । ନିଜର ଉତ୍ତମ ଜୀବନ ଧାରଣ ପାଇଁ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ବୃତ୍ତିକୁ ବାଛି ନେଇ ଆପଣା କର୍ମକ୍ଷେତ୍ରରେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଠିକ୍‌ ଭାବରେ କାମ କରି ଅର୍ଥ ଉପାର୍ଜନ ସହିତ ମାନସିକ ଶାନ୍ତି ପାଇବା ପାଇଁ ମଣିଷକୁ ଏକ ଉତ୍ତମ କର୍ମ କ୍ଷେତ୍ରରେ ସାଥୀମାନଙ୍କ ସହିତ ନିଜର ମନମୁତାବକ କାର୍ଯ୍ୟ କରିବା ଆବଶ୍ୟକ । ପୁଣି ସେହି କାର୍ଯ୍ୟ ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ, ସେମାନେ ଏଥିରେ ସନ୍ତୁଷ୍ଟ ହେବା ଆବଶ୍ୟକ । ଏଥିପାଇଁ ଉତ୍ତମ ପାରିଶ୍ରମିକ ଆବଶ୍ୟକ ଓ ମଝିରେ ମଝିରେ କ୍ଲାନ୍ତି ମେଣ୍ଟାଇବାକୁ କିଛି ସମୟ ବାହାର କରି ଚିତ୍ତ ବିନୋଦନ କରିବା ମଧ୍ୟ ଆବଶ୍ୟକ । ଏହିସବୁ ହେଉଛି ଉତ୍ତମ ବ୍ୟବସାୟିକ ସ୍ଵାସ୍ଥ୍ୟର ନିଦର୍ଶନ । ତାଛଡ଼ା ଏହାର ଆଉ ଏକ ମୁଖ୍ୟ ପ୍ରଭାବ ମଧ୍ୟ ରହିଥାଏ। ତାହାହେଲା କୌଣସି କାରଣରୁ କାର୍ଯ୍ୟରୁ ବହିଷ୍କୃତ ହେବାର ମାନସିକ ଧକ୍‌କା ଏବଂ ଅବସର ନେବା ସମୟର କ୍ଲାନ୍ତି ଓ ନିସ୍ତବ୍‌ଧ ନିସ୍ତବ୍‌ଧତା । ଏହି ସମୟଗୁଡ଼ିକ ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ, ସେତେବେଳେ ସାମାନ୍ୟ ସତର୍କ ନ ରହିଲେ ମଣିଷର ମନ ଭାଙ୍ଗିଯାଏ, ସ୍ଵାସ୍ଥ୍ୟ ବି ଭାଙ୍ଗିଯାଏ । କିନ୍ତୁ ଏହି ଅବସ୍ଥାର ଯେ ସୂଚାରୁରୂପେ ମୁକାବିଲା କରି ପାରିଥାଏ, ସେହିଁ କେବଳ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥାଏ ।

 

ଏସବୁ ବ୍ୟତୀତ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଆହୁରି ଅନେକ ଉପାଦାନକୁ ମଧ୍ୟ ପରିସରଭୁକ୍ତ କରାଯାଇଅଛି । ସେଗୁଡ଼ିକ ଭିତରେ ରାଜନୈତିକ ସ୍ଵାସ୍ଥ୍ୟ, ଦାର୍ଶନିକ ସ୍ଵାସ୍ଥ୍ୟ, ସାଂସ୍କୃତିକ ସ୍ଵାସ୍ଥ୍ୟ, ଅର୍ଥନୈତିକ ସ୍ଵାସ୍ଥ୍ୟ, ଶିକ୍ଷାଗତ ସ୍ଵାସ୍ଥ୍ୟ ଇତ୍ୟାଦି ପ୍ରଧାନ । ଅବଶ୍ୟ ସେଗୁଡ଼ିକର ଆଲୋଚନା ବର୍ତ୍ତମାନର ପରିସରଭୁକ୍ତ ନୁହେଁ ।

 

ଏହିସବୁ ଦୃଷ୍ଟିରୁ ସ୍ଵାସ୍ଥ୍ୟର ସଂଜ୍ଞା ବା ପ୍ରକୃତ ଅର୍ଥ ଖୁବ୍ ଜଟିଳ ବୋଲି କହିବାରେ ହୁଏତ କୌଣସି ଅପ୍ରାସଙ୍ଗିକତା ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ମାପକାଠି ଅନୁଯାୟୀ ସ୍ୱାସ୍ଥ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବା ଜଣେ ସାଧାରଣ ଲୋକ ପକ୍ଷରେ ହୁଏତ ଅସମ୍ଭବ । ତେଣୁ ସ୍ଵାସ୍ଥ୍ୟର ଆକ୍ଷରିକ ସଂଜ୍ଞା ଉପରେ ନିର୍ଭର ନ କରି ଆମର ସ୍ୱାସ୍ଥ୍ୟ ପାଇଁ କେଉଁସବୁ ଉପାଦାନ ଉପରେ ନିର୍ଭର କରେ, ଉତ୍ତମ ସ୍ଵାସ୍ଥ୍ୟ ପାଇଁ କ'ଣ ସବୁ ଆବଶ୍ୟକ ଏବଂ ସ୍ଵାସ୍ଥ୍ୟହାନିର କାରଣ ଆଦି ବିଷୟରେ ବିଚାର ଆଲୋଚନା କରିବା ଉଚିତ । ତା'ହେଲେ ଆମେ ସ୍ଵାସ୍ଥ୍ୟ ବିଷୟରେ ସଚେତନ ହୋଇ ପାରିବା ଓ ତାହାକୁ ଅତୁଟ ରଖିବା ପାଇଁ ସମର୍ଥ ହୋଇ ପାରିବା ।

 

ସ୍ଵାସ୍ଥ୍ୟ କାହା ଉପରେ ନିର୍ଭର କରେ - (Dependants of Health)

 

ଉତ୍ତମ ସ୍ଵାସ୍ଥ୍ୟ ଯେ ଜଣଙ୍କର ବ୍ୟକ୍ତିଗତ ସଂପତ୍ତି, ଏଥିରେ ସନ୍ଦେହ ନାହିଁ । ତଥାପି ଅନେକ ଉପାଦାନ ଉପରେ ଏହା ନିର୍ଭର କରିଥାଏ । ଗୋଟିଏ ଭଲ ବହି ଜଣେ ଲେଖକର ନିଜସ୍ୱ ହେଲେ ମଧ୍ୟ ଏହାର ଉତ୍କୃଷ୍ଟତା ବହିର ଭାଷା, ଶୈଳୀ, ବିଷୟ ବସ୍ତୁ, ସଂଳାପ ଓ ବିଭିନ୍ନ ଚରିତ୍ର ଉପରେ ନିର୍ଭର କରୁଥିବା ପରି ଉତ୍ତମ ସ୍ଵାସ୍ଥ୍ୟ ଏହିପରି ଅନେକ ଉପାଦାନ (factors)ଉପରେ ନିର୍ଭର କରିଥାଏ ବା ସେଗୁଡ଼ିକ ଦ୍ଵାରା ପ୍ରଭାବିତ ହୋଇଥାଏ ।

 

(୧) ବଂଶ ପ୍ରଭାବ (Genetics):-

 

ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଉପରେ ବଂଶର ପ୍ରଭାବ ପଡ଼ିଥାଏ । ଆମ ସ୍ଵାସ୍ଥ୍ୟ ସାଧାରଣତଃ ଆମ ବାପା, ମା', ଜେଜେ ବାପା, ଜେଜେ ମା', ଅଜା, ଆଈ, ଅଣଅଜା, ପଣଅଜା ଇତ୍ୟାଦିଙ୍କ ସ୍ଵାସ୍ଥ୍ୟ ଦ୍ଵାରା ପ୍ରଭାବିତ ହୋଇଥାଏ । ରୂପର ସାମଞ୍ଜସ୍ୟ ସହିତ ଜଣେ ଡେଙ୍ଗା ହେବ କି ଗେଡ଼ା ହେବ, ମୋଟା ହେବ କି ପତଳା ହେବ, ଗୋରା ହେବ କି କଳା ହେବ, ତାହା ତା’ର ପୂର୍ବଜମାନଙ୍କ ଉପରେ ନିର୍ଭର କରିଥାଏ । କେବଳ ଯେ ଶାରୀରିକ ଗଠନ କ୍ଷେତ୍ରରେ ଏହା ପ୍ରଯୁଜ୍ୟ, ତାହା ନୁହେଁ, ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ପୂର୍ବଜମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । ଜଣେ ବୁଦ୍ଧିମାନ ହେବ କି ନିର୍ବୋଧ ହେବ, ଚାଲାକ୍ ହେବ କି ବୋକା ହେବ, ବିଦ୍ୱାନ ହେବ କି ମୂର୍ଖ ହେବ, ସାଧୁ ହେବ କି ଚୋର ହେବ, ତାହା ମଧ୍ୟ ଅନେକ ସମୟରେ ବଂଶଗତ ହୋଇଥାଏ । କଥାରେ କହନ୍ତି, "ଚାଟ ଘର ପିଲା ଚାଟ, ପଣ୍ଡିତ ପୁଅ ପଣ୍ଡିତ” । ବଂଶ ପ୍ରଭାବ ଦୃଷ୍ଟିରୁ ଏହି କଥା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଯଦି ପ୍ରତ୍ୟେକଙ୍କର ଜୀବନ ଚରିତ୍ର ବିଶ୍ଲେଷଣ କରାଯିବ, ତା’ହେଲେ ଦେଖାଯିବ, ଜଣେ ଯେଉଁଥରେ ନିପୁଣ ହୋଇଥାଏ, ତା'ର ପୂର୍ବଜମାନଙ୍କ ମଧ୍ୟରୁ ନିଶ୍ଚିତ ଭାବରେ କେହି ଜଣେ ସେହି ନିର୍ଦ୍ଦିଷ୍ଟ ବିଷୟରେ ନିପୁଣ ହୋଇଥିବ । କ୍ରୀଡ଼ାବିତ୍, ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ, ସଂଗୀତଜ୍ଞ, ବୈଜ୍ଞାନିକ, ଶିକ୍ଷାବିତ୍, ଡାକ୍ତର, ଇଂଜିନିୟର, ଗବେଷକ, ଲେଖକ, କବି, ଚିତ୍ରଶିଳ୍ପୀ ବା ରାଜନୀତିଜ୍ଞମାନଙ୍କ କ୍ଷେତ୍ରରେ ଏହା ଅନେକ ସ୍ଥଳରେ ପ୍ରମାଣିତ ହୋଇଅଛି । ପୂର୍ବଜମାନଙ୍କ ଠାରୁ କେବଳ ଭଲଗୁଣ ସବୁ ଯେ ଆନୀତ ହୋଇଥାଏ, ତାହା ନୁହେଁ । ଖରାପ ବା ନୀଚଗୁଣ ମଧ୍ୟ ଅନେକ ସମୟରେ ଅର୍ଜିତ ହୋଇଥାଏ । ପଣ୍ଡିତ ପୁଅ ପଣ୍ଡିତ ହେବାପରି ଚୋରର ପୁଅ ଚୋର, ଡକାୟତର ପୁଅ ଡକାୟତ, ଖୁନୀର ପୁଅ ଖୁନୀ, ଗୁଣ୍ଡାର ପୁଅ ଗୁଣ୍ଡା ହୋଇଥିବାର ମଧ୍ୟ ଅନେକ ଦୃଷ୍ଟାନ୍ତ ରହିଛି ।

 

ଏହା ବ୍ୟତୀତ କେତେକ ସାଧାରଣ କାର୍ଯ୍ୟରେ ମଧ୍ୟ ପୂର୍ବଜମାନଙ୍କର ପ୍ରଭାବ ପଡ଼ିଥାଏ । ବସିବା, ଠିଆହେବା, ଚାଲିବା, ଶୋଇବା, କଥା କହିବା, ହସିବା, ହାତ ହଲାଇବା ଆଦି ବିଭିନ୍ନ ଭଙ୍ଗୀ ବା ଶୈଳୀ ମଧ୍ୟ ଅନେକ ସମୟରେ ପୂର୍ବଜମାନଙ୍କ ଠାରୁ ଅର୍ଜିତ ହୋଇଥାଏ । ତେଣୁ ଆମର ସ୍ଵାସ୍ଥ୍ୟ ଉପରେ ବଂଶଗତ ପ୍ରଭାବ ଯେ ରହିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏପରି କାହିଁକି ହୁଏ, ତାହା ଉପରେ ବହୁ ପରୀକ୍ଷା ନିରୀକ୍ଷା ଓ ଗବେଷଣା ଚଳାଇ ଡାକ୍ତରମାନେ ମଣିଷ ଦେହ ଭିତରେ ଯେଉଁ ଜିନିଷଟିକୁ ଚିହ୍ନଟ କରିଛନ୍ତି, ତାହା ହେଲା ବଂଶାଣୁ ବା ଜିନ୍ (gene) । ସେମାନଙ୍କ ମତରେ ଏହି ଜିନ୍ ଯୋଗୁଁ ହିଁ ବିଭିନ୍ନ ବଂଶଗତ ଗୁଣ ହାସଲ ହୋଇଥାଏ । ବାପା ଓ ମା’ ଉଭୟଙ୍କ ଠାରୁ ଜିନ୍ ଆଣି ନୂତନ ଶିଶୁ ସୃଷ୍ଟି ହୋଇଥାଏ । ତେଣୁ ଶିଶୁ ଉଭୟ ପିତା ଓ ପିତୃକୁଳ ଏବଂ ମାତା ଓ ମାତୃକୁଳର କେତେକ ନିର୍ଦ୍ଦିଷ୍ଟ ଗୁଣ ବହନ କରି ଜନ୍ମ ହୋଇଥାଏ । ଯେଉଁ କୁଳରେ ଜିନ୍ ଅଧ‌ିକ ପ୍ରଭାବଶାଳୀ ହୋଇଥାଏ, ଶିଶୁ ସେହି କୁଳର ଗୁଣମାନ ହାସଲ କରିଥାଏ । ଉଦାହରଣ ସ୍ୱରୂପ ଯଦି ପିତୃକୁଳର ଅଧୁକାଂଶ ବଂଶଜ ସଂଗୀତଜ୍ଞ ହୋଇଥିବେ, ତାହେଲେ ପିତୃକୂଳର ପ୍ରଭାବଶୀଳ ଜିନ୍ ଯୋଗୁଁ ଶିଶୁ ସଂଗୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ସମ୍ଭାବନା ଅଧିକ ରହିଥାଏ । (ଚିତ୍ର-୧୮ ଓ ଚିତ୍ର -୧୯) କେବଳ ଯେ ବଂଶଗତ ଶାରୀରିକ ବା ମାନସିକ ଗୁଣ ହାସଲ କରାଇବାରେ ଜିନ୍ ସାହାଯ୍ୟ କରିଥାଏ, ତାହା ନୁହେଁ  । ଯେଉଁ କାରଣ ପାଇଁ ଡାକ୍ତର ଓ ଗବେଷକମାନଙ୍କର ମୁଣ୍ଡ ବ୍ୟଥା ହୋଇଥାଏ, ତାହାହେଲା କେତେକ ଆନୁବଂଶିକ ରୋଗ ବା ଜିନୀୟ ରୋଗ (Genetic diseases) । ସେମାନଙ୍କ ମତରେ ଜିନ୍ କେବଳ ଶାରୀରିକ ଆକୃତି ବା ମାନସିକ ଗୁଣ ବହନ କରି ନଥାଏ, ଏହା କେତେକ ବଂଶଗତ ରୋଗ ମଧ୍ୟ ବହନ କରି ଆଣିଥାଏ । ଡାକ୍ତରମାନେ ଏହି ଜାତୀୟ ଅନେକ ରୋଗକୁ ଚିହ୍ନଟ କରି ସାରିଲେଣି । ପିତା, ମାତା ବା ଅନ୍ୟ ପୂର୍ବଜମାନେ ଯଦି ଏହି ଜାତୀୟ ରୋଗ ଭୋଗୁଥ‌ିବେ, ସେମାନଙ୍କ ପିଲାକବିଲାମାନଙ୍କଠାରେ ସେହି ସବୁ ରୋଗ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । କେତେକ ମାନସିକ ରୋଗ, ମଧୁମେହ, ରକ୍ତରୋଗ, ଏପିଲେପ୍‍ସି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଯଦି ଏହି ଜାତୀୟ କୌଣସି ରୋଗୀର ପାରିବାରିକ ଇତିହାସ ନିଆଯାଏ, ତାହେଲେ ତାଙ୍କ ପୂର୍ବଜମାନଙ୍କ ମଧ୍ୟରୁ ନିଶ୍ଚିତ ଭାବରେ କେହି ଜଣେ ସେହି ରୋଗ ଭୋଗୁଥିବାର ପ୍ରମାଣ

ମିଳିଯିବ ।

 

ଏସବୁ ବ୍ୟତୀତ ମଣିଷର ଆଉ କେତେକ ବିଶେଷ ଦୋଷ ମଧ୍ୟ ବଂଶ ପ୍ରଭାବରୁ ହୋଇଥାଏ । ଖନାଦୋଷ, ଟେରାଦୋଷ, ବଧିରାଦୋଷ ଦୋଷ ଏବଂ ବାଉଁଆଦୋଷ ଆଦି ଅନେକ ସମୟରେ ପୂର୍ବଜମାନଙ୍କ ଠାରୁ ଅର୍ଜିତ ହୋଇଥାଏ । ନିର୍ଦ୍ଦିଷ୍ଟ ପୂର୍ବରୁ ଯଦି ଜଣେ ଲୋକର ବାଳ ପାଚିଗଲା, ଚାଳିଶା ହେଲା ବା ହାତ ଥରିଲା, ତା'ହେଲେ ତା'ର ପୁଅ ନାତିମାନଙ୍କର ମଧ୍ୟ ସେହିପରି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେହିପରି ମା'ର ଯେଉଁ ବୟସରେ ପ୍ରଥମ ଋତୁସ୍ରାବ ଆରମ୍ଭ ହୋଇଥାଏ, ତା'ର ଝିଅର ମଧ୍ୟ ପାଖାପାଖି ସେହି ବୟସରେ ହିଁ ହୋଇଥାଏ । ଜଣେ ସ୍ତ୍ରୀର ବୈବାହିକ ଜୀବନ, ଗର୍ଭଧାରଣ, ସନ୍ତାନପ୍ରସବ ଓ ସ୍ତନ୍ୟପାନ ସମୟର ଦୈହିକ କ୍ରିୟାକଳାପର ମଧ୍ୟ ତା'ର ମା'ର ସେହି ସମୟର କ୍ରିୟାକଳାପ ସହିତ ସାମଞ୍ଜସ୍ୟ ରହିଥାଏ । ଏହି ସବୁ ଦୃଷ୍ଟିରୁ ଆମର ସାଧାରଣ ସ୍ୱାସ୍ଥ୍ୟ ଉପରେ ବଂଶର ପ୍ରଭାବ କେତେ ମହତ୍ତ୍ଵପୂର୍ଣ, ତାହା ସହଜେ ଅନୁମେୟ ।

 

(୨) ପରିବେଶ  (Environment) :-

 

ବଂଶ ପ୍ରଭାବ ବ୍ୟତୀତ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଆଉ ଯେଉଁ ଜିନିଷଟି ବେଶ୍‍ ପ୍ରଭାବ ପକାଇଥାଏ, ତାହା ହେଲା ପରିବେଶ । ପରିବେଶ କହିଲେ ସମସ୍ତେ ସାଧାରଣତଃ ଜଳ, ସ୍ଥଳ ଓ ବାୟୁକୁ ହିଁ ବୁଝିଥାନ୍ତି । କିନ୍ତୁ ଚିକିତ୍ସା ବିଜ୍ଞାନୀମାନଙ୍କ ମତରେ କେବଳ ଏତିକି ଆମର ସଂପୂର୍ଣ୍ଣ ପରିବେଶ ନୁହେଁ । ମଣିଷର ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମାନେ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି । ଗୋଟିଏ ହେଲା ଅନ୍ତଃ ପରିବେଶ (Internal environment) ଓ ଅନ୍ୟଟି ହେଲା ବାହ୍ୟ ପରିବେଶ (External environment) ଏହି ଦୁଇଟି ଯାକ ପରିବେଶ ଉପରେ ହିଁ ମଣିଷର ସ୍ଵାସ୍ଥ୍ୟ ନିର୍ଭର କରିଥାଏ ।

 

(କ) ଅନ୍ତଃ ପରିବେଶ (Internal environment) :-

 

ଅନ୍ତଃ ପରିବେଶ ହେଲା ମଣିଷର ଦେହ ଭିତରର ପରିବେଶ । କ‌ଥାଟା ବୁଝିବାକୁ ଟିକିଏ ଅଡ଼ୁଆ ଲାଗୁଛି ନିଶ୍ଚୟ । ମଣିଷ ଦେହ ଭିତରର ପରିବେଶ ପୁଣି କଣ ? ଦେହ ବିଷୟରେ ଆଗରୁ ଯାହା ସବୁ କୁହାଯାଇଛି, ତାହା ହେଲା—ବହୁ ଜୀବକୋଷ, ତନ୍ତୁ, ଅଙ୍ଗ ଓ ତନ୍ତ୍ର ଦ୍ଵାରା ଗଠିତ ଏହି ଦେହ । ସେହି ଗୁଡ଼ିକର ସମ୍ମିଳିତ ସ୍ୱାଭାବିକ କାର୍ଯ୍ୟ କଳାପ ଉପରେ ଆମର ସ୍ଵାସ୍ଥ୍ୟ ନିର୍ଭର କରିଥାଏ । ତେଣୁ ଏହିଗୁଡ଼ିକ ହିଁ ଆମ ଦେହ ଭିତରର ପରିବେଶ । ଯେଉଁ ପର୍ଯ୍ୟନ୍ତ ଏଗୁଡ଼ିକ ସ୍ଵାଭାବିକ ଭାବରେ ଏମାନଙ୍କ କାର୍ଯ୍ୟ ସଂପାଦନ କରି ଚାଲିଥିବେ, ସେ ପର୍ଯ୍ୟନ୍ତ ଆମର ସ୍ଵାସ୍ଥ୍ୟ ଭଲ ଥିବ ।  ଦେହର କୌଣସି ଜୀବକୋଷ, ତନ୍ତୁ, ଅଙ୍ଗ ବା ତନ୍ତ୍ର ଯଦି ନିଜର ନିତି ଦିନର ସାଧାରଣ କାର୍ଯ୍ୟରୁ ଓହରି ଯାଇ ଅସ୍ଵାଭାବିକ ଭାବରେ କାର୍ଯ୍ୟ କରନ୍ତି, ତା'ହେଲେ ଆମର ସ୍ଵାସ୍ଥ୍ୟହାନି ହୋଇଥାଏ । ଉଦାହରଣ ସ୍ଵରୂପ ଦେହ ଯେତିକି ରକ୍ତ ଆବଶ୍ୟକ କରୁଥାଏ, ଯଦି ତାହାର ଅଭାବ ଦେଖାଯାଏ ବା ଏଥିରେ ଥିବା ରକ୍ତକଣିକାଗୁଡ଼ିକର ସଂଖ୍ୟା କମିଯାଏ, ଆମର ଦେହ ରୋଗଗ୍ରସ୍ତ ହୁଏ । ସେହିପରି ପରିପାକ ତନ୍ତ୍ରର କାର୍ଯ୍ୟ ଖାଦ୍ୟ ହଜମ କରିବା । ଯଦି ତାହା ଖାଦ୍ୟକୁ ଠିକ୍ ଭାବରେ ହଜମ କରି ନ ପାରେ, ତାହେଲେ ଆମେ ବିଭିନ୍ନ ପେଟ ରୋଗ ଦ୍ଵାରା ପୀଡ଼ିତ ହେଉ । ମସ୍ତିଷ୍କର ସ୍ନାୟୁତନ୍ତ୍ର ଅସ୍ଵାଭାବିକ ହେଲେ ଆମ ଦେହରେ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗ ଦେଖାଯାଏ । ତେଣୁ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଦେହ ଭିତରର ଏହି ସବୁ ପରିବେଶ ସର୍ବଦା ସ୍ଵାଭାବିକ ରହିବା ଆବଶ୍ୟକ ।

 

ଏଇଠି ମନରେ ପ୍ରଶ୍ନ ଉଠେ, ଯଦି ଦେହର ଆଭ୍ୟନ୍ତରୀଣ ପରିବେଶରେ ଅସ୍ଵାଭାବିକତା ସୃଷ୍ଟି ହେଲେ ଆମର ସ୍ଵାସ୍ଥ୍ୟହାନି ହୁଏ, ତା'ହେଲେ ଯେ କୌଣସି ମୁହୂର୍ତ୍ତରେ ତ ଆମେ ଅସୁସ୍ଥ ହୋଇ ପଡ଼ନ୍ତୁ; କାରଣ ଏହା ଉପରେ ଆମର କିଛି ହାତ ନାହିଁ । ଦେହ ଭିତରର କେଉଁ କୋଷ ବା କେଉଁ ଅଙ୍ଗ ସ୍ଵାଭାବିକ ଭାବରେ କାର୍ଯ୍ୟ କରୁଛି କି ନା ତାହା ଜାଣିବାର ଆମର କିଛି ଉପାୟ ନାହିଁ । ଅନ୍ୟ ଭାବରେ କହିଲେ ଦେହର ଆଭ୍ୟନ୍ତରୀଣ ପରିବେଶ ଉପରେ ଆମର କିଛି ନିୟନ୍ତ୍ରଣ ନାହିଁ । କିନ୍ତୁ ପ୍ରକୃତରେ ଏହି କଥାଟି ଠିକ୍ ନୁହେଁ । ଆମ ଦେହଟି ଏଭଳି ଭାବରେ ଗଠିତ ଓ ଏହା ଭିତରର ପ୍ରତ୍ୟେକ ଅଙ୍ଗ ପରସ୍ପର ସହିତ ଏଭଳି ଭାବର ଜଡ଼ିତ ଯେ  ଏହା ସ୍ଵାଭାବିକ ଭାବରେ କାମ କରିବା ପାଇଁ ଆମକୁ ଜାଣିଶୁଣି କିଛି କରିବାକୁ ପଡ଼େ ନାହିଁ । ଏହି ପରିବେଶଟି ଆପେ ଆପେ ସୁରକ୍ଷିତ ହୋଇ ରହଇଥାଏ । ଗୋଟିଏ ଅଙ୍ଗରେ ଅସୁବିଧା ଦେଖାଗଲେ ଆଉ ଗୋଟିଏ ଅଙ୍ଗ ତାକୁ ତୁରନ୍ତ ସଜାଡ଼ି ଦିଏ । ଏ ବିଷୟରେ ଆମେ ବିନ୍ଦୁ ବିସର୍ଗ ସୁଦ୍ଧା ଜାଣି ପାରୁ ନାହିଁ I ଯଦି ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଅଭାବରୁ ଏକାଧିକ ଅଙ୍ଗ ଏକାବେଳକେ ଅଚଳ ବା ଅସ୍ଵାଭାବିକ ହୋଇପଡ଼ନ୍ତି, ତା'ହେଲେ ଆମେ କିଛି ଅନୁଭବ କରୁ, ଯାହାକୁ ଅସୁସ୍ଥତାର ଲକ୍ଷଣ ବା ଚିହ୍ନ ବୋଲି କୁହାଯାଇଥାଏ । ଅସୁସ୍ଥତାର ଏହି ସବୁ ଲକ୍ଷଣ ଓ ଚିହ୍ନ ବିଷୟରେ ପରେ ଆଲୋଚିତ ହୋଇଅଛି ।

 

(ଖ) ବାହ୍ୟ ପରିବେଶ  (External environment):-

 

ଦେହର ଆଭ୍ୟନ୍ତରୀଣ ପରିବେଶକୁ ବାଦ ଦେଲେ ସ୍ୱାସ୍ଥ୍ୟ ଉପରେ ବାହ୍ୟ ପରିବେଶର ପ୍ରଭାବ ବିଷୟରେ ବିଚାର କରିବାର କଥା । ପରିବେଶ ଶବ୍ଦଟି ଏଭଳି ଏକ ଶବ୍ଦ, ଯାହାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଅର୍ଥ କରିଥାନ୍ତି । କିନ୍ତୁ ମୋଟ ଉପରେ ଆମ ଆଖି ସାମ୍ନାରେ ଆମେ ଯାହ ଦେଖୁ, ତାହାହିଁ ଆମର ବାହ୍ୟ ପରିବେଶ । ଆମେ ଯେଉଁଠି ରହୁ, ଠିଆ ହେଉ, ବସୁ, ଶୋଉ ବା ନିଜର ଦୈନନ୍ଦିନ କାର୍ଯ୍ୟ ସଂପାଦନ କରୁ, ତା'ରି ପାଖର ବିଭିନ୍ନ ଅବସ୍ଥା ଓ ବ୍ୟବସ୍ଥା ହିଁ ଆମର ପରିବେଶ । ଏହି ପରିବେଶ ଆମର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ଉପରେ ପ୍ରଭାବ ପକାଇଥାଏ ଏହାରି ଉପରେ ଆମ ଜୀବନର ଧାରା ନିର୍ଭର କରିଥାଏ। ଏହାରି ଉପରେ ଆମ ସ୍ୱାସ୍ଥ୍ୟର ସୁରକ୍ଷାର ଭାର ନ୍ୟସ୍ତ ଥାଏ । ଅନ୍ୟ ଭାବରେ କହିଲେ ବାହ୍ୟ ପରିବେଶ ଆମ ଦେହର ସୁସ୍ଥତା ଓ ଅସୁସ୍ଥତାକୁ ନିୟନ୍ତ୍ରଣ କରିଥାଏ । ଯଦି ପରିବେଶଟି ଅନୁକୂଳ ତଥା ସ୍ୱାସ୍ଥ୍ୟକର ହୋଇଥାଏ, ତା'ହେଲେ ଆମେ ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ପୂର୍ଣ୍ଣ ବିନିଯୋଗ କରି ପାରିଥାଉ । ଅର୍ଥାତ୍ ସୁସ୍ଥ ପରିବେଶ ଆମର ଶାରୀରିକ ଓ ମାନସିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଯେଉଁଠି ପରିବେଶ ଅନୁକୂଳ ନ ହୋଇ ପ୍ରତିକୂଳ ହୋଇଥାଏ, ସେଠାରେ ଲୋକମାନେ ସାଧାରଣତଃ ଶାରୀରିକ ଓ ମାନସିକ ଅସୁସ୍ଥତା ଭୋଗ କରନ୍ତି । ଆମ ଭାରତରେ ବିଶେଷ କରି ଆମ ରାଜ୍ୟ ଓଡ଼ିଶାରେ ଯଦି ଏକ ସର୍ଭେ କରାଯାଏ, ତାହେଲେ ଦେଖାଯିବ ଯେ, ଅଧିକାଂଶ ଲୋକ କେବଳ ପ୍ରତିକୂଳ ପରିବେଶ ପାଇଁ ହିଁ ଅସୁସ୍ଥ ହୋଇ ପଡ଼ିଥାନ୍ତି । ତେଣୁ ପରିବେଶର ସୁରକ୍ଷା ଯେ ପ୍ରତ୍ୟେକ ନାଗରିକର ଏକାନ୍ତ କର୍ତ୍ତବ୍ୟ ଏଥିରେ ସନ୍ଦେହର ଅବକାଶ ନାହିଁ 

ସ୍ୱାସ୍ଥ୍ୟ ସହିତ ପରିବେଶର ସଂପର୍କ ଦୃଷ୍ଟିରୁ ପରିବେଶ ବିଜ୍ଞାନୀମାନେ ଏହାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରିଥାନ୍ତି । ସେମାନଙ୍କ ମତରେ ଭୌତିକ ପରିବେଶ, ଜୈବ ପରିବେଶ ଓ ସାମାଜିକ ପରିବେଶ– ଏ ଏହି ତିନି ପ୍ରକାର ପରିବେଶ ହିଁ ଆମ ସ୍ୱାସ୍ଥ୍ୟ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ ।

 

(i) ଭୌତିକ ପରିବେଶ (physical environment):-  ଆମ ଚାରି ପଟରେ ଘେରି ରହିଥ‌ିବା ପ୍ରତ୍ୟେକ ଭୌତିକ ପଦାର୍ଥକୁ ଭୌତିକ ପରିବେଶର ଅନ୍ତର୍ଭୁକ୍ତ କରାଯାଇଥାଏ । ଏହି ପଦାର୍ଥଗୁଡ଼ିକ ସହିତ ଆମେ ଓତଃପ୍ରୋତ ଭାବରେ ଜଡ଼ିତ ଓ ଏଗୁଡ଼ିକ ଉପରେ ଆମର ସାଧାରଣ ସ୍ଵାସ୍ଥ୍ୟ ପୂର୍ଣ୍ଣତଃ ନିର୍ଭର କରିଥାଏ । ଏହାର ଶୁଦ୍ଧତା ଉପରେ ଆଞ୍ଚ ଆସିଲେ କିମ୍ବା ଏହାର ପରିମାଣ ଆବଶ୍ୟକତା ଠାରୁ କମ୍ ବେଶି ହେଲେ ଆମର ସ୍ଵାସ୍ଥ୍ୟହାନି ହୋଇଥାଏ । ଜଳ, ବାୟୁ, ମୃତ୍ତିକା, ବାସଗୃହ, ସୂର୍ଯ୍ୟାଲୋକ, ଋତୁ, ପାଗ, ମଳମୂତ୍ର ତଥା ଅନ୍ୟାନ୍ୟ ଆବର୍ଜନା ପ୍ରଭୃତି ଏହି ପରିବେଶର ଅନ୍ତର୍ଭୁକ୍ତ । ଏହା କିପରି ଆମର ସ୍ଵାସ୍ଥ୍ୟ ହାନି କରେ ଓ ଦେହରେ ରୋଗ ସୃଷ୍ଟି କରେ, ତା'ର ଆଲୋଚନା ପରେ କରାଯାଇଛି ।

 

(ii) ଜୈବ ପରିବେଶ (Biological environment) :- ଭୌତିକ ପରିବେଶ ପରି ଜୈବ ପରିବେଶ ମଧ୍ୟ ଆମ ସ୍ଵାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ଆମ ଚାରିପାଖରେ ଥିବା ସମସ୍ତ ଜୀବିତ ପଦାର୍ଥକୁ ଏହି ପରିବେଶର ପରିସରଭୁକ୍ତ କରାଯାଇଥାଏ । ଏ ପୃଥ‌ିବୀରେ ମଣିଷ ଏକମାତ୍ର ଜୀବିତ ପ୍ରାଣୀ ନୁହେଁ । ଆମରି ପରି ଆହୁରି ଅନେକ ଜୀବିତ ପ୍ରାଣୀ ଆମକୁ ଘେରି ରହିଛନ୍ତି । କେବଳ ପଶୁପକ୍ଷୀ ନୁହନ୍ତି, ସରୀସୃପ, କୀଟ, ପତଙ୍ଗ, ଜୀବାଣୁ, ଭୂତାଣୁମାନଙ୍କ ଦ୍ଵାର ଆମର ଜୈବ ପରିବେଶ ଗଠିତ । ପ୍ରାଣୀମାନଙ୍କ କଥା କହିବାବେଳେ ମନରେ ପ୍ରଶ୍ନ ଉଠେ, ଏମାନେ ମଣିଷର ସ୍ୱାସ୍ଥ୍ୟ ଉପରେ କି ଭଳି ପ୍ରଭାବ ପକାଇଥାନ୍ତି ? ଏହାର ଉତ୍ତର ଖୁବ୍ ସହଜ । ଅନେକ ଜୀବକୁ ଆମେ ଖାଦ୍ୟରୂପେ ବ୍ୟବ‌ହାର କରିଥାଉ ଏବଂ ଏମାନେ ଅଧିକାଂଶ ରୋଗର ବାହକ । ତା'ଛଡ଼ା ଜୀବାଣୁ, ଭୂତାଣୁ ପ୍ରଭୃତି ଅନେକ ରୋଗ ସୃଷ୍ଟି କରିଥାନ୍ତି । ତେଣୁ ଆମ ସ୍ଵାସ୍ଥ୍ୟ ଉପରେ ଏଗୁଡ଼ିକର ପ୍ରଭାବ କେତେ, ତାହା ସହଜେ ଅନୁମେୟ ।

ପ୍ରାଣୀମାନଙ୍କ ଛଡ଼ା ଉଦ୍ଭିଦ  ଜଗତ ମଧ୍ୟ ଜୈବ ପରିବେଶର ଅନ୍ତର୍ଭୁକ୍ତ । ଉଦ୍ଭିଦ  ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରକାର ପ୍ରଭାବ ପକାଇଥାଏ । ଏକେ ତ ଉଦ୍ଭିଦ  ଆମକୁ ଅମ୍ଳଜାନ ଦିଏ, ଦ୍ଵିତୀୟରେ ଏହା ଆମକୁ ଖାଦ୍ୟ ମଧ୍ୟ ଯୋଗାଇଥାଏ । ଏହି ଦୃଷ୍ଟିରୁ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉଦ୍ଭିଦର ଭୂମିକା କେତେ, ତାହା ସହଜରେ ହୃଦୟଙ୍ଗମ କରାଯାଇ ପାରେ । ଏ ସବୁ ବ୍ୟତୀତ ଆମର ବାସଗୃହ ଓ ପୋଷାକ ତିଆରି ପାଇଁ ମଧ୍ୟ କେତେକ ଉଦ୍ଭିଦ ଆବଶ୍ୟକ ହୋଇଥାଏ । ଉଦ୍ଭିଦ ଦ୍ଵାରା ବର୍ଷା ହୁଏ, ପାଗ ପରିବର୍ତ୍ତନ ହୁଏ ଓ ମୃତ୍ତିକା ସଂରକ୍ଷିତ ହୁଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏଗୁଡ଼ିକର ଭୂମିକା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ।

 

(ⅲ)ସାମାଜିକ ପରିବେଶ (Social environment) :- ଏଇ ଦୁଇ ପ୍ରକାର ପରିବେଶ  ବ୍ୟତୀତ ଯେଉଁ ତୃତୀୟ ପରିବେଶ ଦ୍ଵାରା ଆମର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ, ତାହା ହେଲା ସାମାଜିକ ପରିବେଶ । ଅନେକ ବିଷୟ ଏହି ପରିବେଶର ପରିସରଭୁକ୍ତ ହୋଇଥାଏ । ପରିବେଶ ବିଜ୍ଞାନୀମାନେ ପରିବେଶକୁ ବିଭିନ୍ନ ପ୍ରକାରେ ବୁଝାଇଥାନ୍ତି । ସମାଜରେ ମଣିଷର ଚଳଣିକୁ ଆଖି ଆଗରେ ରଖି ଏହି ବିଷୟରେ ଅନେକ କଥା କହିଥାନ୍ତି ।

 

ମଣିଷ ଏକ ସାମାଜିକ ପ୍ରାଣୀ । ସମାଜରେ ହିଁ ମଣିଷ ବଞ୍ଚି ରହେ । ତେଣୁ ଯେଉଁ ସମାଜରେ ବା ଯେଉଁ ଲୋକମାନଙ୍କ ଗହଣରେ ମଣିଷ ଚଳିଥାଏ, ତାହାରି ପ୍ରଭାବ ଜୀବନ ଓ ସ୍ୱାସ୍ଥ୍ୟ ଉପରେ ପଡ଼ିବାଟା ଏକ  ସ୍ଵାଭାବିକ କଥା । ସମାଜର ରୁଚି, ପରମ୍ପରା, ରାଜନୈତିକ ଓ ସାଂସ୍କୃତିକ ନୀତି ନିୟମଗୁଡ଼ିକ ସହିତ ପ୍ରତ୍ୟେକ ବ୍ୟକ୍ତି ଓତପ୍ରୋତ ଭାବରେ ଜଡ଼ିତ ହୋଇଯାଏ । ସମାଜରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରତି ଅନ୍ୟର କିଛି ଦାୟିତ୍ଵ ଥାଏ, କିଛି କର୍ତ୍ତବ୍ୟ ମଧ୍ୟ ଥାଏ । ଜଣକର ସୁଖ ଦୁଃଖରେ ଆଉ ଜଣେ ଭାଗୀ ହୋଇଥାଏ । ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଏ ସବୁର ଆବଶ୍ୟକ‌ତା ବିଷୟରେ ସାମାଜିକ ସ୍ଵାସ୍ଥ୍ୟ କଥା କହିବା ବେଳେ ଆଲୋଚିତ ହୋଇଛି ।

 

ଗୋଟିଏ ସମାଜରେ ବିଭନ୍ନ ଗୋଷ୍ଠୀର ଲୋକ ରହିଥାନ୍ତି । ଯେଉଁଠି ଯେଉଁ ଗୋଷ୍ଠୀର ଲୋକ ଅଧିକ ରହି ରହିଥାନ୍ତି, ସେହି ଗୋଷ୍ଠୀ ହିଁ ଅନ୍ୟମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାନ୍ତି । ଯେଉଁଠି ସାଧୁ ସନ୍ଥମାନେ ରହନ୍ତି, ସେଠାରେ ଲୋକମାନେ ଅଧିକ ଧର୍ମଭାବାପନ୍ନ ହୋଇ ପଡ଼ନ୍ତି । ଯେଉଁଠି ଗୁଣ୍ଡା, ବଦମାସ, ଚୋର, ଡକାଏତମାନେ ରହନ୍ତି, ସେମାନେ ଲୋକମାନଙ୍କ ଉପରେ ସେହି ପ୍ରକାର ପ୍ରଭାବ ପକାନ୍ତି । ଯେଉଁଠି ଅଧିକ ସଂଖ୍ୟାରେ ଶିକ୍ଷିତ ରହନ୍ତି, ସେଠାରେ ଲୋକମାନେ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତି । ଏହିପରି ମନୋଭାବ ହିଁ ସ୍ୱାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ ।

 

କିନ୍ତୁ ଗୋଟିଏ ମଜା କଥା ହେଉଛି, ସାମାଜିକ ଚଳଣି ପରିବର୍ତ୍ତନଶୀଳ । ଆଜି ଯିଏ ସାଧୁମେଳରେ ରହିଛି, ତାହା ମନରେ ଧର୍ମଭାବ ସୃଷ୍ଟି ହୋଇଛି ତ କାଲି କଳାବଜାରୀ ବ୍ୟବସାୟୀଙ୍କ ଗହଣରେ ରହିଲେ ତା' ମନରେ ପୁଣି ସେହି ମନୋଭାବ ଉଦ୍ରେକ ହେଉଛି । ଗୋଟିଏ ଉଦାହରଣ ଦେଲେ କଥାଟା ବୁଝିବାକୁ ସହଜ ହୋଇଯିବ । ମାଟ୍ରିକ୍ୟୁଲେସନ (ଦଶମ ଶ୍ରେଣୀ) ପରୀକ୍ଷା ପର୍ଯ୍ୟନ୍ତ ଗୋଟିଏ ପିଲା ତାର ପିତାମାତାଙ୍କ ପାଖରେ ରହିଥିଲା । ତା’ର ପିତା ମାତା ଦୁଇଜଣଯାକ ଡାକ୍ତର । ତେଣୁ ବଡ଼ ହେଲେ ଡାକ୍ତର ହେବ ବୋଲି ସେ ପିଲାଟି ଦିନରୁ ମନେ ମନେ ସ୍ଥିର କରି ଦେଇଥିଲା । ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ କଲେଜରେ ପଢ଼ିବା ବେଳକୁ ସେ ସହରକୁ ଯାଇ ତା’ ମାମୁଁଙ୍କ ଘରେ ରହିଲା । ତା’ ମାମୁଁ ସହରର ସବୁଠାରୁ ବଡ଼ ଓକିଲ । ଓକିଲାତିରେ ସେ ଖୁବ୍ ନାଁ କରିଥାନ୍ତି । ମାମୁଁଙ୍କ ଗୁଣ ଜ୍ଞାନ ଓ କାମରେ ସେ ଏତେ ପ୍ରଭାବିତ ହୋଇଗଲା ଯେ, ବଡ଼ ହେଲେ ଡାକ୍ତର ନ ହୋଇ ଓକିଲ ହେବା ପାଇଁ ସେ ତା'ର ମତ ପରିବର୍ତ୍ତନ କରିଦେଲା । ତା' ପରେ ଉଚ୍ଚ ଶିକ୍ଷା ପାଇଁ ସେ ଯାଇ ଆଉ ଏକ ସହରରେ କେତେକ ବନ୍ଧୁଙ୍କ ସହିତ ରହିଲା । ତା'ର ବନ୍ଧୁମାନଙ୍କ ବାପାମାନେ ସମସ୍ତେ ଉଚ୍ଚପଦସ୍ଥ ପ୍ରଶାସକ । କିଏ ଆଇ.ଏ.ଏସ୍ ଅଫିସର୍ ତ କିଏ ଆଲାଏଡ଼୍ ଅଫିସର୍ । ପୁଣି କିଏ ସିନିୟର ଓ.ଏ.ଏସ୍ ଅଫିସର । ସେମାନଙ୍କ ଚାଲି, ଚଳନ, ହାବଭାବ ସବୁ ସେହି କାଇଦାର। ତା'ର ପ୍ରଭାବରେ ପିଲାଟି ବଡ଼ ହେଲେ ଆଇ.ଏ.ଏସ୍ ହୋଇ ପ୍ରଶାସନରେ ନିଜକୁ ସାମିଲ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଗଲା । ତେଣୁ ଆମର ପାରିପାର୍ଶ୍ୱିକ ସମାଜ ଦୈହିକ ଓ ମାନସିକ ସ୍ଵାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ, ତାହା ଏହି ଉଦାହରଣରୁ ସ୍ପଷ୍ଟ ବୁଝି ହୋଇଯାଏ I

 

୩. ଜାବନର ଧାରା (Lifestyle or ways of life):-

 

ପରିବେଶ ପରି ନିଜ ଜୀବନର ଧାରା ମଧ୍ୟ ବ୍ୟକ୍ତିଗତ ସ୍ଵାସ୍ଥ୍ୟକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । କଥାରେ କହନ୍ତି, ଉତ୍ତମ ସ୍ଵାସ୍ଥ୍ୟ ଜନ୍ମରୁ ମିଳି ନଥାଏ, ଏହାକୁ ହାସଲ କରାଯାଇଥାଏ । ନିଜର ବୁଦ୍ଧି ବଳରେ ଆମେ ଆମର ସ୍ଵାସ୍ଥ୍ୟକୁ ଅତୁଟ ରଖୁଥାଉ । ନିଜର ବ୍ୟକ୍ତିଗତ ଚଳଣି, ପରିଷ୍କାର ପରିଚ୍ଛନ୍ନ‌ତା, ବୃତ୍ତି ଓ ଅଭ୍ୟାସ, ସ୍ଵାସ୍ଥ୍ୟ ବିଷୟରେ ସାଧାରଣ ଜ୍ଞାନ ଏବଂ ସମାଜରେ ମିଳୁଥିବା ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟସେବାର ଉପ‌ଯୁକ୍ତ ବିନିଯୋଗ ହିଁ ସୁସ୍ଥତା ପାଇଁ ସହାୟକ ହୋଇଥାଏ । ସୁଷମ ଖାଦ୍ୟ, ପରିଷ୍କାର ସ୍ୱାସ୍ଥ୍ୟ-ଉପଯୋଗୀ ପୋଷାକ, ଉପଯୁକ୍ତ ବ୍ୟାୟାମ, ଆବଶ୍ୟକ ପରିମାଣର ବିଶ୍ରାମ ଓ ନିଦ୍ରା ପ୍ରଭୃତି ଏହି ସବୁର ମାପକାଠି । ଏଗୁଡ଼ିକର ସମତାରେ ହିଁ ସ୍ଵାସ୍ଥ୍ୟ ଅତୁଟ ବା ଅଖଣ୍ଡ ରହିଥାଏ । ଏହା ଭିତରୁ କୌଣସିଥିରେ ବ୍ୟତିକ୍ରମ ହେଲେ ସ୍ୱାସ୍ଥ୍ୟହାନି ହୋଇଥାଏ । ତେଣୁ ଏଥିପ୍ରତି ଦୃଷ୍ଟି ରଖି ନିଜର ବ୍ୟକ୍ତିଗତ ଜୀବନର ଧାରା ଓ ନିତି ଦିନର ଅଭ୍ୟାସଗୁଡ଼ିକ ପ୍ରତି ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ । ଜଣେ ନିଜର ବ୍ୟକ୍ତିଗତ ଅଭ୍ୟାସ ପ୍ରତି କିପରି ଯତ୍ନବାନ ହେବ, ତାହା କହିବା ହୁଏତ ଅନାବଶ୍ୟକ । କାରଣ ସମସ୍ତେ ଊଣା ଅଧିକେ ଏହା ଜାଣନ୍ତି । ତଥାପି ଏହି ଅଭ୍ୟାସଗୁଡ଼ିକ ଭିତରେ ନିୟମିତ ସ୍ନାନ ଓ ଶାରୀରିକ ପରିଛନ୍ନତା, କେଶର ଯତ୍ନ, ନଖର ଯତ୍ନ, ଦାନ୍ତର ଯତ୍ନ, ପୋଷାକର ଯତ୍ନ, ହାତ ପାଦର ଯତ୍ନ ପ୍ରଭୃତି ପ୍ରଧାନ । ତା'ଛଡ଼ା ଠିଆ ହେବା, ବସିବା କିମ୍ବା ଶୋଇବାର ଭଙ୍ଗୀ, ନିଦର ପରିମାଣ, ଖାଦ୍ୟ ପାନୀୟର ଅଭ୍ୟାସ ଉପରେ ସ୍ଵାସ୍ଥ୍ୟ ଅନେକ ପରିମାଣରେ ନିର୍ଭର କରିଥାଏ । ଏହା ଭିତରୁ କୌଣସିଟିର ଅଯତ୍ନରେ ସ୍ଵାସ୍ଥ୍ୟ ଖରାପ ହୋଇଥାଏ। ଉଦାହରଣ ସ୍ଵରୂପ ପାଟି ଓ ଦାନ୍ତକୁ ଭଲ ଭାବରେ ପରିଷ୍କାର ନ କଲେ କିମ୍ବା ତା' ପ୍ରତି ଯତ୍ନଶୀଳ ନ ହେଲେ ପୋକଡ଼ା ଦାନ୍ତ ଓ ପାଇରିଆ ଭଳି ରୋଗ ହୋଇଥାଏ । ଚର୍ମର ଉପଯୁକ୍ତ ଯତ୍ନ ନ ନେଲେ ଯାଦୁ, କାଛୁ, କୁଣ୍ଡିଆ, ବିଇଞ୍ଚ୍ ଭଳି ବିବିଧ ଚର୍ମରୋଗ ହୋଇଥାଏ । ନିଦ ଭଲ ନ ହେଲେ ଏକାଗ୍ରତାରେ ବାଧା ସୃଷ୍ଟି ହୁଏ ଓ ମନ ଅବସନ୍ନ ହୋଇଯାଏ । କେଶର ଯତ୍ନ ନ ନେଲେ ରୁପି, ଉକୁଣି ପ୍ରଭୃତି ରୋଗ ହୁଏ । ଅତ୍ୟଧିକ ଧୂମପାନ ଶ୍ଵାସ, କଫ ଓ ଫୁସ୍‌ଫୁସ୍ କ୍ୟାନସର ରୋଗର କାରଣ ହୋଇଥାଏ । ଏହି ସବୁ ଉଦାହରଣରୁ ସ୍ପଷ୍ଟ ଜଣା ପଡ଼େ ଯେ ନିଜର ବ୍ୟକ୍ତିଗତ ଅଭ୍ୟାସ ବା ଜୀବନର ଧାରା ଉପରେ ସ୍ଵାସ୍ଥ୍ୟ ବହୁ ପରିମାଣରେ ନିର୍ଭର କରିଥାଏ । ତେଣୁ ପିଲାଟି ଦିନରୁ ନିଜର ବୁଦ୍ଧି ଓ ପ୍ରତ୍ୟୁତ୍ପନ୍ନମତି ବଳରେ ଏହିସବୁ ଅଭ୍ୟାସ ପ୍ରତି ସତର୍କ ନ ରହିଲେ ସ୍ଵାସ୍ଥ୍ୟ ସଂକଟମୟ ହୋଇପଡ଼ିଥାଏ ।

 

୪. ଆର୍ଥିକ ଅବସ୍ଥା (Economical Condition) :-

 

ଏ କଥା କହିବା ବାହୁଲ୍ୟ ଯେ, ଜଣକର ଆର୍ଥିକ ପରିସ୍ଥିତି ତା’ର ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଉପରେ ବହୁ ପରିମାଣରେ ପ୍ରଭାବ ପକାଇଥାଏ । ସୁଷମ ଖାଦ୍ୟ, ଉତ୍ତମ ପୋଷାକ, ସ୍ଵାସ୍ଥ୍ୟକର ବାସଗୃହ, ଉଚ୍ଚ ଶିକ୍ଷା, ଚିକିତ୍ସାପଦ୍ଧତି ଅବଲମ୍ବନ କରିବାର କ୍ଷମତା ପ୍ରଭୃତି ମଣିଷର ଆର୍ଥିକ ଅବସ୍ଥା ଉପରେ ହିଁ ନିର୍ଭର କରିଥାଏ ଓ ଏ ସବୁ ହିଁ ଉତ୍ତମ ସ୍ଵାସ୍ଥ୍ୟର ମାନଦଣ୍ଡ । ତେଣୁ ଯେ ଯେତେ ଆର୍ଥିକ ସ୍ଵଚ୍ଛଳ ହୋଇଥାଏ, ତା'ର ସ୍ଵାସ୍ଥ୍ୟହାନି ହେବାର ସମ୍ଭାବନା ସେତେ କମ ଥାଏ ବୋଲି ଧରି ନିଆଯାଏ । କେବଳ ବ୍ୟକ୍ତି ବିଶେଷ ପ୍ରତି ଯେ ଏହା ପ୍ରଯୁଜ୍ୟ, ତାହା ନୁହେଁ । ସମାଜ ଓ ରାଷ୍ଟ୍ର ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ । ପରୀକ୍ଷା କରି ଦେଖା ଯାଇଛି ଯେ, ଯେଉଁ ଦେଶ ବା ଯେଉଁ ରାଷ୍ଟ୍ରର ଆର୍ଥିକ ଅବସ୍ଥା ଯେତେ ଉନ୍ନତ, ସେ ଦେଶର ଲୋକମାନଙ୍କର ହାରାହାରି ଆୟୁଷ ସେତେ ଅଧିକ । ଏହି କାରଣରୁ ଭାରତୀୟମାନଙ୍କର ଜୀବଦ୍ଦଶା ଇଂଲଣ୍ଡ, ଆମେରିକା ଓ ଜାପାନ ଦେଶର ଅଧିବାସୀମାନଙ୍କ ଜୀବଦ୍ଦଶା ଅପେକ୍ଷା ଅପେକ୍ଷାକୃତ କମ ହୋଇଥାଏ ।

 

ତେବେ ଏଇଠି ଗୋଟିଏ ବ୍ୟତିକ୍ରମ ଦେଖା ଦେଇଥାଏ । ଯାହାର ଆର୍ଥିକ ବ୍ୟବସ୍ଥା ସ୍ଵଚ୍ଛଳ ହୋଇଥାଏ, ସେ କେତେକ ସାଧାରଣ ବା ସଂକ୍ରାମକ ରୋଗଠାରୁ ଦୂରରେ ରହିପାରେ, କିନ୍ତୁ ଆର୍ଥିକ ସ୍ୱଚ୍ଛଳତା ଯୋଗୁଁ ସେ ଯେଉଁ ଆଭିଜାତ୍ୟପୂର୍ଣ୍ଣ ଜୀବନଯାପନ କରେ ଏବଂ ନିଜର ଖାଦ୍ୟାଭ୍ୟାସକୁ ନିୟନ୍ତ୍ରଣ ଭିତରେ ରଖି ପାରେ ନାହିଁ, ସେ ଅପର ପକ୍ଷରେ କେତେକ ବିଶେଷ ରୋଗର କବଳରେ ପଡ଼ିଯାଇ ପାରେ । ଏହି ରୋଗଗୁଡ଼ିକୁ ସଭ୍ୟତାର ରୋଗ ବା ଆଭିଜାତ୍ୟର ରୋଗ ବୋଲି କୁହାଯାଇଥାଏ । ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ଆଦି ଏହାର ଅନ୍ତର୍ଭୁକ୍ତ ।

 

ଅର୍ଥ ଓ ପ୍ରାଚୁର୍ଯ୍ୟରେ ବୁଡ଼ି ରହି ଏଥିପ୍ରତି ସଜାଗ ନ ରହିଲେ ଏହି ସବୁ ରୋଗ ଦ୍ଵାରା ସହଜରେ ସ୍ଵାସ୍ଥ୍ୟହାନି ହୋଇଥାଏ । ସେଥ‌ିପାଇଁ ସେମାନଙ୍କ ପକ୍ଷରେ ଖାଦ୍ୟ ଗ୍ରହଣରେ ସଂଯମତା ଅବଲମ୍ବନ କରିବା ଓ ଉପଯୁକ୍ତ ପରିମାଣର ଶାରୀରିକ ପରିଶ୍ରମ କରିବା ଏକାନ୍ତ ଆବଶ୍ୟକ ।

 

ଉତ୍ତମ ସ୍ଵାସ୍ଥ୍ୟ ପାଇଁ କ'ଣ ଆବଶ୍ୟକ

(Factors responsible for good Health)

 

ଉତ୍ତମ ସ୍ଵାସ୍ଥ୍ୟ ଅନେକ ଉପାଦାନ ଉପରେ ନିର୍ଭର କରୁଥିବା ପରି ଏହାର ସୁରକ୍ଷା ପାଇଁ ମଧ୍ୟ ବହୁ ଜିନିଷ ଆବଶ୍ୟକ ହୋଇଥାଏ । ସେହି ସବୁର ଅଭାବ ହେଲେ ବା ତା'ର ପରିମାଣ କମ୍‍ ବେଶି ହେଲେ ତାହା ଆମର ସ୍ୱାସ୍ଥ୍ୟ ପାଇଁ ସମସ୍ୟା ହୋଇପଡ଼େ । ତେଣୁ ସେହି ସବୁ ଜିନିଷ ଉପରେ ସାମାନ୍ୟ ଆଲୋକପାତ ନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଆଲୋଚନା ସଂପୂର୍ଣ୍ଣ ହେବ ନାହିଁ । ସେହି ଜିନିଷଗୁଡ଼ିକ ଭିତରେ ଖାଦ୍ୟ, ଜଳ, ବାୟୁ, ବ୍ୟାୟାମ, ନିଦ୍ରା ଓ ସ୍ୱାସ୍ଥ୍ୟ ସେବାର ବିନିଯୋଗ ଇତ୍ୟାଦି ପ୍ରଧାନ ।

 

୧. ଖାଦ୍ୟ  (Food) :-

 

ଉତ୍ତମ ଖାଦ୍ୟ ଯେ ଆମ ସ୍ଵାସ୍ଥ୍ୟ ପାଇଁ ଏକ ମୌଳିକ ଆବଶ୍ୟକତା, ଏଥିରେ କେହି ଦ୍ଵିମତ ହେବେ ନାହିଁ । ଶରୀରର ବୃଦ୍ଧି, ବିକାଶ ତଥା ମାନସିକ ପରିପକ୍ଵତା ପାଇଁ ଖାଦ୍ୟ ଏକାନ୍ତ ଆବଶ୍ୟକ । ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସାରା ଜୀବନ ଏହା ଦରକାର ହୋଇଥାଏ । ମଣିଷ ଖାଇବା ପାଇଁ ବଞ୍ଚେ କି ବଞ୍ଚିବା ପାଇଁ ଖାଏ, ଏହା ଏକ ଅସମାହିତ ପ୍ରଶ୍ନ ହୋଇଥିଲେ ମଧ୍ୟ ବିଜ୍ଞାନୀମାନଙ୍କ ମତରେ ମଣିଷ ବଞ୍ଚିବା ପାଇଁ ହିଁ ଖାଦ୍ୟ ଗ୍ରହଣ କରିଥାଏ । ମୋଟର ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ୍‌ ନ ପଡ଼ିଲେ ତାହା ଚାଲିବ ନାହିଁ  । ଠିକ୍ ସେମିତି ଖାଦ୍ୟ ନହେଲେ ଆମ ଶରୀରର କୌଣସି ଅଂଗ କାମ କରି ପାରିବ ନାହିଁ । ଖାଦ୍ୟ ଆମକୁ ଶକ୍ତି ଦିଏ, ଶରୀରର ଅଭିବୃଦ୍ଧି ଘଟାଏ । ଶରୀରକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରେ ତଥା ସର୍ବୋପରି ଖାଦ୍ୟ ଦ୍ଵାରା ଆମର ବୁଦ୍ଧି ବିକଶିତ ହୋଇଥାଏ । ଖାଦ୍ୟ ବିନା ଶରୀରର ସବୁ କିଛି ଗୋଳମାଳ ହୋଇଯାଏ ।

 

ସୁଷମ ଖାଦ୍ୟର ଅଭାବରେ ଆମର କି ଅସୁବିଧା ହୁଏ, ବିଜ୍ଞାନୀମାନେ ସେ ବିଷୟରେ ସ୍ପଷ୍ଟ କରି ଦେଇଛନ୍ତି । ସେମାନଙ୍କ ମତରେ ଖାଦ୍ୟାଭାବ ସାଧାରଣତଃ ଶରୀର ଉପରେ ଦୁଇ ପ୍ରକାରର ପ୍ରଭାବ ପକାଇଥାଏ। ତାହା ହେଲା ପ୍ରତ୍ୟକ୍ଷ ପ୍ରଭାବ ଓ ପରୋକ୍ଷ ପ୍ରଭାବ । ପ୍ରତ୍ୟକ୍ଷ ପ୍ରଭାବ କହିଲେ ଅପପୁଷ୍ଟି, ରକ୍ତହୀନତା ଏବଂ ଖାଦ୍ୟର ନିର୍ଦ୍ଦିଷ୍ଟ ଉପାଦାନର ଅଭାବ ଜନିତ ରୋଗ ପ୍ରଭୃତିକୁ ହିଁ ବୁଝାଏ । ପରୋକ୍ଷ ପ୍ରଭାବ ବିବିଧ ପ୍ରକାରର । ଏହା ଦ୍ଵାରା ମଣିଷର ହାରାହାରି ଆୟୁ କମିଯାଏ, ଶରୀରର ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ, ଶିଶୁ ମୃତ୍ୟୁହାର ଅଧିକ ହୋଇଯାଏ, ମାନସିକ ବା ବୌଦ୍ଧିକ ବିକାଶ ହୁଏ ନାହିଁ I ମଣିଷ ବୋକା ହୋଇଯାଏ । ଏହାଛଡ଼ା ଖାଦ୍ୟାଭାବ ଯୋଗୁଁ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଫଳରେ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ଦ୍ଵାରା ଶରୀର  ଆକ୍ରାନ୍ତ ହୁଏ I

 

ଖାଦ୍ୟାଭାବ ପରି ଭୋଜନ ଓ ଖାଦ୍ୟା ଖାଦ୍ୟାଧିକ ମଧ୍ୟ ଶରୀର ଉପରେ ବହୁ ପ୍ରଭାବ ପକାଇଥାଏ । ଏହାଦ୍ଵାରା ଦେହ ପୃଥୁଳ ହୋଇଯାଏ । ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ମଧୁମେହ ପରି ରୋଗର ଶିକାର ହେବାକୁ ପଡ଼େ । ତା'ଛଡ଼ା ବୃକ୍‌କ, ଯକୃତ୍ ଓ ପିତ୍ତାଶୟ ଉପରେ ଅଧିକ ଚାପ ପଡ଼ି ତାହା ରୋଗାକ୍ରାନ୍ତ ହୋଇପଡ଼େ । ଏହିସବୁ ଦୃଷ୍ଟିରୁ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟର କେତେ ଯେ ଆବଶ୍ୟକତା ରହିଛି, ତାହା ସହଜେ ଅନୁମେୟ । ସେଥ‌ିପାଇଁ ଖାଦ୍ୟ ସମସ୍ୟା ଆଜି ପୃଥିବୀର ସବୁଠାରୁ ବଡ଼ ସମସ୍ୟା ରୂପରେ ପରିଗଣିତ ହେଉଛି ।

 

ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଏକ ମୌଳିକ ଆବଶ୍ୟକତା ହୋଇଥିବା ଦୃଷ୍ଟିରୁ ଖାଦ୍ୟ ବିଜ୍ଞାନୀମାନେ ଏହାକୁ ଶ୍ଵେତସାର carbohydrates), ପୁଷ୍ଟିସାର (proteins), ସ୍ନେହସାର (fats), ଧାତୁସାର (minerals) ଓ ଜୀବସାର (vitamins) ପ୍ରଭୃତି ବିଭିନ୍ନ ବିଭାଗରେ ବିଭକ୍ତ କରିଛନ୍ତି । ପ୍ରତ୍ୟେକ ବିଭାଗ ଶରୀରର ଏକ ନିର୍ଦ୍ଦିଷ୍ଟ ପ୍ରକାରର କାର୍ଯ୍ୟ ସଂପାଦନ କରିଥାଏ ଓ ନିର୍ଦ୍ଦିଷ୍ଟ କେତେକ ଖାଦ୍ୟ ପଦାର୍ଥରୁ ତାହା ମିଳିଥାଏ । ଆମେ ଯାହା ଖାଉ, ତାହା ଜୀର୍ଣ୍ଣ ହୋଇ ତା'ର ସାରାଂଶତକ ରକ୍ତରେ ମିଶି ଆମକୁ ଶକ୍ତି ଓ ପୁଷ୍ଟି ଯୋଗାଏ । ଅସାର ଅଂଶତକ ମଳ ରୂପରେ ନିଷ୍କାସିତ ହୋଇଯାଏ । ତେଣୁ ଖାଦ୍ୟ ବିନା ଜୀବନ ଧାରଣ ଓ ସ୍ଵାସ୍ଥ୍ୟର ସୁରକ୍ଷା ଯେ ସଂପୂର୍ଣ୍ଣ ଅସମ୍ଭବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅନିବାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ଏହା ମାଧ୍ୟମରେ ଭୂତାଣୁ, ଜୀବାଣୁ ତଥା ଆହୁରି ବହୁ ରୋଗ ସୃଷ୍ଟିକାରୀ ଉପାଦାନ ଆମ ଦେହ ଭିତରକୁ ପ୍ରବେଶ କରିଥାନ୍ତି । ତେଣୁ ରନ୍ଧା ଖାଦ୍ୟ ଦ୍ରବ୍ୟକୁ ଗୋଡ଼ାଇ ରଖିବା, ଖାଦ୍ୟ ଉଷୁମ ଥାଉ ଥାଉ ଖାଇବା, ସଫା ବାସନ କୁସନ ବ୍ୟବହାର କରିବା, ଖାଦ୍ୟ ଦ୍ରବ୍ୟରେ ମାଛି ବସେଇ ନ ଦେବା ଏବଂ ଖାଇବା ପୂର୍ବରୁ ଓ ପରେ ମୁହଁ ହାତ ଭଲ ଭାବରେ ଧୋଇବା ଦ୍ଵାରା ସ୍ୱାସ୍ଥ୍ୟ ସୁରକ୍ଷିତ ରହିଥାଏ । କଞ୍ଚା ଖିଆ ଯାଉଥିବା ଫଳ ଓ ପନିପରିବାକୁ ଭଲ ଭାବରେ ଧୋଇ କରି ଖାଇଲେ ରୋଗ ହେବାର ଭୟ ନଥାଏ । ସେହିପରି ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ବା ନିୟମିତ ସମୟରେ ଖାଦ୍ୟ ଗ୍ରହଣ କରିବା ସୁସ୍ୱାସ୍ଥ୍ୟ ପାଇଁ ସହାୟକ ହୋଇଥାଏ ।

 

୨. ଜଳ (Water):-

 

ଖାଦ୍ୟ ପରି ଜଳ ମଧ୍ୟ ସ୍ଵାସ୍ଥ୍ୟ ପାଇଁ ଅନ୍ୟତମ ମୌଳିକ ଆବଶ୍ୟକତା ।  ସେଥ‌ିପାଇଁ ଆବହମାନ କାଳରୁ ଜଳ ହିଁ ଜୀବନ ବୋଲି କଥିତ ହୋଇ ଆସୁଛି । ପରୀକ୍ଷା କରି ଦେଖାଯାଇଛି ଯେ, ଖାଦ୍ୟ ବିନା ମଣିଷ ଯେତେଦିନ ବଞ୍ଚି ପାରିବଜଳ ବିନା ତା'ଠାରୁ କମ ଦିନ ବଞ୍ଚି ପାରିବ । ଖାଦ୍ୟ ସହିତ ଜଳର ନିବିଡ଼ ସଂପର୍କ ରହିଥ‌ିବାରୁ ଓ ଆମର ଅଧିକାଂଶ ଖାଦ୍ୟରେ  ଯଥେଷ୍ଟ ପରିମାଣରେ ଜଳୀୟ ଅଂଶ ରହିଥ‌ିବାରୁ ଖାଦ୍ୟ ବିଜ୍ଞାନୀମାନେ ଜଳକୁ ମଧ୍ୟ ଖାଦ୍ୟର ଏକ ଅଂଶ ରୂପେ କରିଛନ୍ତି ଏବଂ ଖାଦ୍ୟକୁ ଯେଉଁ ଛଅ ଭାଗରେ ବିଭକ୍ତ କରିଛନ୍ତି, ଜଳ ତାର ଏକ ଅଂଶୀଦାର ରୂପେ ସ୍ଥାନ ପାଇଛି ।

 

ଆମ ଦେହର ଦେହର ଶତକଡ଼ା ପ୍ରାୟ ୬୦ ଭାଗ ହେଉଛି ଜଳ । ଏହି ଦୃଷ୍ଟିରୁ ଆମ ଦେହ ସହିତ ଜଳ କିଭଳି ଭାବରେ ଜଡ଼ିତ, ତାହା ବେଶ୍ ବୁଝି ହୋଇଯାଏ । ଆମ ଦେହର ରକ୍ତ, ଲସିକା, ବିଭିନ୍ନ ପାଚକ ରସ ଏବଂ ହର୍‌ମୋନ୍ ପ୍ରଭୃତିର ମୁଖ୍ୟ ଉପାଦାନ ହେଉଛି ଜଳ । ଦେହର ପ୍ରତିଟି ଜୀବକୋଷ ବଞ୍ଚି ରହିବା ପାଇଁ ଜଳ ଆବଶ୍ୟକ କରେ । ସେଇଥିପାଇଁ ଗୋଟିଏ ଦିନ ଭିତରେ ଆମେ ହାରାହାରି ଅଢ଼େଇ ଲିଟର ଜଳ ପିଇବା ପାଇଁ ବ୍ୟବହାର କରିଥାଉ । ଗ୍ରୀଷ୍ମ ଋତୁରେ ଏହି ପରିମାଣ ଆହୁରି ବଢ଼ିଯାଇଥାଏ । ହିସାବ କରି ଦେଖାଯାଇଛି ଯେ, ଜଣେ ଲୋକ ତା'ର ସଂପୂର୍ଣ ଜୀବନ କାଳ ଭିତରେ ପାଣି, ଚା, କଫି, କ୍ଷୀର, ମୃଦୁ ପାନୀୟ, ସରବତ ପ୍ରଭୃତି ଆକାରରେ ପ୍ରାୟ ୨୦, ୦୦୦ ଗ୍ୟାଲନ୍ ବା ୯୧ ଲକ୍ଷ ଲିଟର ଜଳୀୟ ପଦାର୍ଥ ଗ୍ରହଣ କରିଥାଏ ।

 

ଆମଦେହରୁ ଜଳୀୟ ଅଂଶ କମିଗଲେ ଆମକୁ ଭାରି ଶୋଷ ଲାଗେ । ତଣ୍ଟି, ଜିଭ, ଓଠ ପ୍ରଭୃତି ଶୁଖିଯାଏ, ଚମ ଲୋଚାକୋଚା ହୋଇଯାଏ ଓ ପରିସ୍ରା ବନ୍ଦ ହୋଇଯାଏ । ବିଭିନ୍ନ ମାଂସପେସୀରେ ଯନ୍ତ୍ରଣା ହୁଏ । ଏହି ଅବସ୍ଥାକୁ ଜଳ ଶୁଷ୍କତା (Dehydration) ବୋଲି କୁହାଯାଏ ।

 

ଅତ୍ୟଧିକ ତରଳ ଝାଡ଼ା, ବାନ୍ତି ଆଦି ହେଲେ, ଦେହର କୌଣସ ଅଂଶ ପୋଡ଼ିଗଲେ ଏବଂ ଉଷ୍ମାଘାତ (Sun Stroke) ହେଲେ ସାଧାରଣତଃ ଏହିପରି ହୋଇଥାଏ । ଏପରି ଅବସ୍ଥାରେ ଶରୀରକୁ ଆବଶ୍ୟକ ପରିମାଣର ଜଳ ଯୋଗାଇ ନ ଦେଲେ ଜୀବନ ପ୍ରତି ବିପଦ ଦେଖାଦେଇଥାଏ ।

 

କେବଳ ଯେ ଖାଦ୍ୟ ଓ ପାନୀୟ ଆକାରରେ ଦେହ ଜଳ ଆବଶ୍ୟକ କରିଥାଏ, ତାହା ନୁହେଁ । ରୋଷେଇ କରି ଖାଦ୍ୟ ପ୍ରସ୍ତୁତି କରିବା, ସ୍ନାନ କରିବା ଦେହକୁ ଧୁଆ ଧୋଇ କରି ପରିଷ୍କାର ରଖିବା, ଲୁଗାପଟା ସଫା କରିବା, ବାସନ ମାଜିବା, ଘର ସଫା କରିବା – ଏମିତି ଆମର ପ୍ରତ୍ୟେକ କାର୍ଯ୍ୟ ପାଇଁ ଜଳ ଏକାନ୍ତ ଭାବରେ ଆବଶ୍ୟକ ହୋଇ ହୋଇଥାଏ । ଏହା ବ୍ୟତୀତ କୃଷି ଓ ଶିଳ୍ପ ପାଇଁ ଜଳର ଭୂମିକା କେତେ, ତାହା ସମସ୍ତେ ଜାଣନ୍ତି ।

 

ସ୍ୱାସ୍ଥ୍ୟକୁ ଅତୁଟ ରଖିବାକୁ ଜଳ ଯେମିତି ଆବଶ୍ୟକ, ଅପରିଷ୍କାର ବା ଦୂଷିତ ଜଳ ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ସଂକ୍ରମଣ ହେବା ମଧ୍ୟ ସେମିତି ସମ୍ଭବ । ସେଥ‌ିପାଇଁ ସର୍ବଦା ଜଳକୁ ବିଶୋଧନ କରି ପାନ କରିବା ଏକାନ୍ତ ଆବଶ୍ୟକ । ପାନୀୟ ଜଳକୁ ବିଭିନ୍ନ ଉପାୟରେ ବିଶୋଧନ କରା ହୋଇଥାଏ । ସେହି ଉପାୟଗୁଡ଼ିକ ଭିତରେ ଜଳକୁ ଫୁଟାଇ ଥଣ୍ଡା କରି ଛାଣିବା, ଫିଲ୍‌ଟର୍ କରିବା, ଜଳରେ ବ୍ଲିଂଚି ପାଉଡ଼ର ବା କ୍ଲୋରିନ୍ ପକାଇବା ଇତ୍ୟାଦି ପ୍ରଧାନ । ଏହି ଉପାୟଗୁଡ଼ିକ ବିଷୟରେ ଭଲ ଭାବରେ ବୁଝି, ଯେଉଁଠି ଯେପରି ଆବଶ୍ୟକ, ସେହିପରି ଭାବରେ ବିଶୋଧନ କରି ଜଳ ବ୍ୟବହାର କରିବା ଉଚିତ ।

 

୩. ବାୟୁ  (Air):-

 

ଜଣେ ଲୋକକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଜଳ, ପୋଷାକ ଆଦି ଯୋଗାଇ ଦେଇ ଗୋଟିଏ ବାୟୁଶୂନ୍ୟ କୋଠରିରେ ଆବଦ୍ଧ କରି ରଖୁଲେ ମାତ୍ର କେତେ ସେକେଣ୍ଡ ଭିତରେ ଯେ ତା'ର ମୃତ୍ୟୁ ହୋଇଯିବ, ଏ କଥା ନିଶ୍ଚିତ । ଏହି ଦୃଷ୍ଟିରୁ ବାୟୁ ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଦରକାରୀ । ବାୟୁକୁ ଆମେ ପ୍ରଶ୍ଵାସ ଆକାରରେ ଗ୍ରହଣ କରୁ । ଏଥିରେ ଥିବା ଅମ୍ଳଜାନ ଫୁସ୍‌ଫୁସ୍ ଭିତରେ ଛାଣି ହୋଇଯାଇ ରକ୍ତରେ ମିଶେ ଏବଂ ରକ୍ତରେ ଥ‌ିବା ଅନ୍ୟ ଉପାଦାନ ସହିତ ସଂଯୁକ୍ତ ହୋଇ ଦେହର ପ୍ରତି ଜୀବକୋଷ ପାଖରେ ପହଞ୍ଚିଯାଏ । ଏହି ଅମ୍ଳଜାନ ଓ ଖାଦ୍ୟରୁ ମିଳିଥିବା ସାରାଂଶ ହିଁ ଜୀବକୋଷଗୁଡ଼ିକୁ କାର୍ଯ୍ୟକ୍ଷମ କରାଏ, ଯାହା ଫଳରେ ଶରୀରର ବିଭିନ୍ନ କାର୍ଯ୍ୟ ସଂପାଦିତ ହୋଇଥାଏ । ଏହି ଅମ୍ଳଜାନ ହିଁ ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକୁ ସର୍ବଦା ସକ୍ରିୟ ରଖିଥାଏ । ଏହିସବୁ ପାଇଁ ଆମେ ଦିନକ ଭିତରେ ପ୍ରାୟ ୨୩,୦୪୦ ଥର ଶ୍ଵାସକ୍ରିୟା ସଂପାଦନ କରି ସାଢ଼େ ବାର ଘନ ମିଟର ପ୍ରଶ୍ଵାସ ବାୟୁ ଗ୍ରହଣ କରିଥାଉ । ଏହି କ୍ରିୟା ଆମର ଅନବରତ ଚାଲିଥାଏ । ଏହି କ୍ରିୟାରେ କୌଣସି ବାଧା ସୃଷ୍ଟି ହେଲେ କିମ୍ବା ଶରୀର ଆବଶ୍ୟକ କରୁଥିବା ଅମ୍ଳଜାନର ପରିମାଣ ଉଣା ହୋଇଗଲେ ଆମେ ଅଣନିଃଶ୍ଵାସୀ ହୋଇ ପଡ଼ୁ । ଆମକୁ ଖୁବ୍‌ ବ୍ୟତିବ୍ୟସ୍ତ ଲାଗେ । ନାକ ରୁନ୍ଧି ହୋଇଗଲେ, ଗୋଟିଏ ନିବୁଜ ଘର ଭିତରେ ଅନେକ ସମୟ ରହିଲେ, ଧୂଆଁ ଭିତରେ ରହିଗଲେ କିମ୍ବା ବହୁ ଜନ ସମାବେଶ ଭିତରେ ପଶିଗଲେ କିପରି ଅସ୍ଵସ୍ତି ଅନୁଭୂତ ହୁଏ, ତାହା ସମସ୍ତେ ଜାଣନ୍ତି । ଅମ୍ଳଜାନର ଅଭାବରେ ମସ୍ତିଷ୍କ ସମେତ ଶରୀରର ସବୁ ଜୀବକୋଷ ସ୍ଥାଣୁ ହୋଇଯାନ୍ତି, ଦେହ ଅବଶ ଲାଗେ, ମନରେ କ୍ଳାନ୍ତି ଆସେ, ଚିନ୍ତା ବା ବିଚାର କରିବାର କ୍ଷମତା କମିଯାଏ ଏବଂ ଆଖୁ ବୁଜି ହୋଇ ନିଦ ଆସିଯାଏ । ଆହୁରି ସହଜ ଭାବରେ କହିଲେ ଅମ୍ଳଜାନ ଅଭାବରୁ ଆମର ଦେହ ହାତ ଚଳେ ନାହିଁ I

 

ଏ ସବୁ ବ୍ୟତୀତ ବାୟୁ ଆମ ଦେହକୁ ଶୀତଳ ରଖେ । ଏଥିରେ ତରଙ୍ଗ ସୃଷ୍ଟି ହେଉଥିବା ଯୋଗୁଁ ଏହା ନାକକୁ ଶୁଙ୍ଘିବାରେ ଓ କାନକୁ ଶୁଣିବାରେ ସାହାଯ୍ୟ କରିଥାଏ । ଗୋଟିଏ ବାୟୁଶୂନ୍ୟ କୋଠରିରେ ଆମେ କୌଣସି ଗନ୍ଧ ବାରି ପାରୁ ନାହିଁ କିମ୍ବା କୌଣସି ଶବ୍ଦ ଶୁଣିପାରୁ ନାହିଁ । ପୁଣି ବାୟୁ ଦୂଷିତ ହେଲେ ଆମର କେତେ ଯେ ଅନିଷ୍ଟ କରେ, ତାହା କହିଲେ ସରିବ ନାହିଁ । କାରଣ ବିଭିନ୍ନ ପ୍ରକାର ରୋଗ ଜୀବାଣୁ, ଭୂତାଣୁ ତଥା ଯାବତୀୟ ଅଳିଆ ଆବର୍ଜନା ବାୟୁ ମାଧ୍ୟମରେ ହିଁ ଗତି କରିଥାନ୍ତି । ଏହିପରି ବାୟୁକୁ ପ୍ରଶ୍ଵାସରେ ଗ୍ରହଣ କଲେ ଆମେ ଅନେକ ରୋଗର ଶିକାର ହୋଇଥାଉ । ଏହି ଦୃଷ୍ଟିରୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ବାୟୁ ଯେ ଏକାନ୍ତ ଆବଶ୍ୟକ, ଏଥିରେ କେହି ଦ୍ଵିମତ ହେବେ ନାହିଁ ।

 

୪. ବିଶ୍ରାମ ଓ ନିଦ୍ରା  (Rest and Sleep):-

 

ନିଦ୍ରା ହେଉଛି ଶରୀରର ଏକ ସଂପୂର୍ଣ୍ଣ ବା ଆଶିଂକ ଅଚେତନ ଅବସ୍ଥା । ଶରୀରର ସମସ୍ତ ଜୀବକୋଷ ଏହି ସମୟରେ ବିଶ୍ରାମ ନେଇଥାନ୍ତି । ଗୋଟିଏ ମେସିନ୍ ଦୀର୍ଘ ସମୟ ଚାଲୁ ରହିବା ପରେ ତାକୁ କିଛି ସମୟ ପାଇଁ ବନ୍ଦ କରି ନ ଦେଲେ ତାହା ଖରାପ ହୋଇଯିବାର ସମ୍ଭାବନା ରହିଥାଏ । ଆମ ଶରୀର ମଧ୍ୟ ଠିକ୍ ସେହିପରି । ସାରା ଦିନର କାର୍ଯ୍ୟ କଳାପ ଭିତରେ ଜୀବକୋଷ ଓ ତନ୍ତୁଗୁଡ଼ିକ ହାଲିଆ ହୋଇ ପଡ଼ନ୍ତି । ରକ୍ତରୁ ସେମାନେ ଆବଶ୍ୟକ କରୁଥିବା ଅମ୍ଳଜାନ ଓ ଶର୍କରାର ପରିମାଣ କମିଯାଏ । ଫଳରେ କାମ କରିବା ପାଇଁ ସେମାନେ ଆଉ ଶକ୍ତି ପାଆନ୍ତି ନାହିଁ । ପୁଣି ମାଂସପେଶୀଗୁଡ଼ିକରେ ଘନ ଘନ ସଂକୋଚନ ପ୍ରସାରଣ ହେଉଥିବା ଯୋଗୁଁ ସେଥିରେ ଅନେକ ରାସାୟନିକ ପ୍ରକ୍ରିୟା ସଂଘଟିତ ହୁଏ । ଏହି କ୍ରିୟା ଫଳରେ ଗୁଡ଼ିଏ କୋଷ ନଷ୍ଟ ହୋଇଯାଏ ଓ ଲାକ୍‌ଟିକ୍ ଏସିଡ଼୍ ପରି ଅନେକ ବିଷାକ୍ତ ରାସାୟନିକ ଉପାଦାନ ସୃଷ୍ଟି ହୋଇଯାଏ । ରକ୍ତରେ ଏଗୁଡ଼ିକର ପରିମାଣ ଅଧିକ ହୋଇଗଲେ ଶରୀର ଆଉ କୌଣସି କାର୍ଯ୍ୟ କରିବାକୁ ସମର୍ଥ ହୋଇପାରେ ନାହିଁ । ଦେହକୁ କ୍ଳାନ୍ତି ଅନୁଭୂତ ହୁଏ । ସେତିକିବେଳେ ଶରୀର ବିଶ୍ରାମ ବା ନିଦ୍ରା ଆବଶ୍ୟକ କରେ ।

 

ବିଶ୍ରାମ ଓ ନିଦ୍ରା ଏକା କଥା ନୁହେଁ । ଜଣେ ନିଦ୍ରା ନ ଯାଇ ମଧ୍ୟ ବିଶ୍ରାମ ନେଇ ପାରେ । କରୁଥିବା କାର୍ଯ୍ୟକୁ ବନ୍ଦ କରିଦେଇ କିଛି ସମୟ ବସିଗଲେ ମଧ୍ୟ ବିଶ୍ରାମ ନେଇ ହୁଏ । ବିଶ୍ରାମ ନେବାର ପ୍ରଣାଳୀ ସମସ୍ତଙ୍କ ପାଇଁ ସମାନ ନ ହୋଇ ପାରେ । କେହି କେହି ଥକ୍କା ମେଣ୍ଟାଇବା ପାଇଁ ଟିକିଏ ପବନରେ ବା ପଙ୍ଖାତଳେ ବସିଯାନ୍ତି ତ ଆଉ କେହି କେହି ଖଟ ଉପରେ ଚାହିଁ ରହି ଟିକିଏ ଗଡ଼ି ପଡ଼ନ୍ତି । ପୁଣି କେହି କେହି ବାହାରେ ଖୋଲା ପବନରେ ଟିକିଏ ବୁଲି ନିଜର କ୍ଲାନ୍ତି ମେଣ୍ଟାଇଥାନ୍ତି ତ ଆଉ କେହି କେହି କିଛି  ସମୟ ଖେଳାଖେଳି କରି ଆରାମ ପାଇଥାନ୍ତି । କିନ୍ତୁ ନିଦ୍ରା ଅବସ୍ଥାରେ ମଣିଷର ବାହ୍ୟ ଚେତନା ଲୋପ ପାଇ ଯାଇଥାଏ । ବାହାର ଦୁନିଆ ବିଷୟରେ ସେ କିଛି ଜାଣିପାରେ ନାହିଁ ।

 

ବିଶ୍ରାମ ଓ ନିଦ୍ରା - ଉଭୟ ଶରୀର ପାଇଁ ଉପକାରୀ ହୋଇଥାଏ । ଏହି ସମୟ ଭିତରେ ଶରୀର ଭିତରେ ସୃଷ୍ଟି ହୋଇଥିବା ବିଷାକ୍ତ ଉପାଦାନଗୁଡ଼ିକ ଶରୀରରୁ ନିଷ୍କାସିତ ହୋଇଯାଏ । ଜୀବକୋଷଗୁଡ଼ିକ ଆବଶ୍ୟକ କରୁଥିବା ଶର୍କରା, ଅମ୍ଳଜାନ ଓ ଅନ୍ୟ ସବୁ ପଦାର୍ଥ ରକ୍ତରୁ ସଂଗ୍ରହ କରି ନିଅନ୍ତି । ପୁଣି ଏହି ସମୟ ଭିତରେ କ୍ଷୟ ହୋଇଥିବା ତନ୍ତୁଗୁଡ଼ିକର ମରାମତି କାର୍ଯ୍ୟ ହୁଏ । ଆବଶ୍ୟକ ସ୍ଥଳେ ନୂତନ ତନ୍ତୁ ମଧ୍ୟ ତିଆରି ହୋଇଯାଏ । ଏହି ଦୃଷ୍ଟିରୁ ସ୍ୱାସ୍ଥ୍ୟ ପାଇଁ ବିଶ୍ରାମ ଓ ନିଦ୍ରାର ଆକଶ୍ୟକତା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଏଇଥିପାଇଁ ପ୍ରକୃତି ଏପରି ବ୍ୟବସ୍ଥା କରିଛି ଯେ, ଜଣେ ଲୋକକୁ ଦିନକ ଭିତର ଅତି କମ୍‌ରେ ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ନିଦ୍ରା ଆବଶ୍ୟକ ହୋଇଥାଏ । ଏହି ହିସାବରେ ଜଣେ ଲୋକ ତାର ସମୁଦାୟ ଜୀବନ କାଳର ଏକ ତୃତୀୟାଂଶ ସମୟ କେବଳ ଶୋଇବାରେ ହିଁ କଟାଇଥାଏ । ତା' ନହେଲେ ସ୍ଵାସ୍ଥ୍ୟକୁ ଅତୁଟ ରଖିବା ଅସମ୍ଭବ ହୋଇପଡ଼େ ।

 

ନିଦ୍ରା ନ ହେଲେ ଅନିଦ୍ରା ରୋଗ ହୁଏ । ଏହା ସ୍ଵାସ୍ଥ୍ୟହାନି କରାଇ ମଣିଷକୁ ପଙ୍ଗୁ କରିଦିଏ, ପାଗଳ ବି କରିଦିଏ । ପରୀକ୍ଷା କରି ଦେଖାଯାଇଛି ଯେ, ଏକାଦିକ୍ରମେ ଦଶଦିନ ଦଶରାତି ଅନିଦ୍ରା ରହିଲେ ହୁଏତ ଜଣେ ଲୋକର ମୃତ୍ୟୁ ହୋଇଯାଇପାରେ । ଏହି ଦୃଷ୍ଟିରୁ ଖାଦ୍ୟ, ଜଳ ଓ ବାୟୁ ପରି ନିଦ୍ରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏକ ମୌଳିକ ଆବଶ୍ୟକ‌ତା ରୂପେ ପରିଗଣିତ ହୋଇଥାଏ ।

 

ତେବେ ସୁନିଦ୍ରା ହେବାପାଇଁ ଉତ୍ତମ ପରିବେଶ ଏକାନ୍ତ ଭାବରେ ଆବଶ୍ୟକ । ଏଥିପାଇଁ ଶୋଇବା ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ । ଶୋଇବା ଘରେ ଆଜେ ବାଳେ ଜିନିଷ ରଖି ସ୍ଥାନକୁ ସଂକୁଚିତ କରିଦେବା ଆଦୌ ଉଚିତ୍ ନୁହେଁ । ବିଛଣା ପତ୍ର ମଧ୍ୟ ପରିଷ୍କାର ହୋଇଥିବା ଆବଶ୍ୟକ । ଶୋଇବା ଘରର କବାଟ ଝରକା ଖୋଲା ରଖି ଉତ୍ତମ ବାୟୁ ଚଳାଚଳର ବ୍ୟବସ୍ଥା କରିଦେଲେ ନିଦ୍ରା ଆରାମଦାୟକ ହୋଇଥାଏ ।

 

କେତେକ ଲୋକ ଭଲ ନିଦ ହେବା ପାଇଁ ନିଦ ବଟିକା ଖାଇଥାନ୍ତି । ଆଉ କେହି କେହି ଏଥିପାଇଁ ମଦ୍ୟପାନ ଓ ଧୂମପାନ ପରି ଅଭ୍ୟାସ କରିଥାନ୍ତି । କିନ୍ତୁ ଏ ସବୁ ସ୍ଵାସ୍ଥ୍ୟର ବିପୁଳ କ୍ଷତି କରିଥାଏ । ତେଣୁ ଏ ସବୁରୁ ଦୂରେଇ ରହିବା ଏକାନ୍ତ ଆବଶ୍ୟକ ।

 

୫.ବ୍ୟାୟାମ (Exercise) :-

 

ଏକ ନିର୍ଦ୍ଦିଷ୍ଟ ନିୟମରେ ଶରୀରର ବିଭିନ୍ନ ପ୍ରକାର ଅଙ୍ଗଚାଳନାକୁ ବ୍ୟାୟାମ ବୋଲି କୁହାଯାଏ । ଚାଲିବା, ଦୌଡ଼ିବା, ଡେଇଁବା, କୁଦିବା, ସାଇକେଲ ଚଲାଇବା, ପହଁରିବା, ଦଣ୍ଡ ବୈଠକ ମାରିବା, ଯୋଗ ସାଧନ କରିବା ଇତ୍ୟାଦିକୁ ବ୍ୟାୟାମର ଅନ୍ତର୍ଭୁକ୍ତ କରାଯାଇଥାଏ ।

 

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏଗୁଡ଼ିକର ଆବଶ୍ୟକତା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ବ୍ୟାୟାମ ଦ୍ଵାରା ଶରୀରର ମାଂସପେଶୀ ଶକ୍ତ ହୁଏ । ରକ୍ତ ସଞ୍ଚାଳନ ଦ୍ରୁତ ହୁଏ । ଶରୀର ଅଧିକ ଅମ୍ଳଜାନ ଗ୍ରହଣ କରେ । ଜୀବକୋଷଗୁଡ଼ିକ ଅଧିକ ରକ୍ତ ଓ ଅମ୍ଳଜାନ ପାଉଥିବାରୁ ସେଗୁଡ଼ିକର କାର୍ଯ୍ୟକାରୀ ଶକ୍ତି ବୃଦ୍ଧିପାଏ । ମନ ପ୍ରଫୁଲ୍ଲ ରହେ, ଖାଦ୍ୟ ଭଲ ଭାବରେ ହୁଏ, କୋଷ୍ଠକାଠିନ୍ୟ ଦୂର ହୁଏ, ରାତିରେ ଭଲ ନିଦ ହୋଇଯାଏ । ବ୍ୟାୟାମ ଦ୍ଵାରା ଅଧିକ ଝାଳ ବାହାରୁ ଥିବାରୁ ଶରୀରରେ ଜମିଥ‌ିବା ଆବର୍ଜନା ଶୀଘ୍ର ନିଷ୍କାସିତ ହୋଇଯାଏ । ଚର୍ମ ଚିକ୍କଣ ଓ ଉଜ୍ଜ୍ଵଳ ରହେ । ଦେହ ପୃଥୁଳ ହୁଏ ଏ ନାହିଁ । ମୋଟ ଉପରେ ଅଭ୍ୟାସ କରି ନିୟମିତ ବ୍ୟାୟାମ କଲେ ମଣିଷ ସୁସ୍ଥ ଶରୀରର ଅଧିକାରୀ ହୁଏ । ରୋଗ ତାକୁ ସ୍ପର୍ଶ କରେ ନାହିଁ । ପରୀକ୍ଷା କରି ଦେଖାଯାଇଛି ଯେ, ନିୟମିତ ଶାରୀରିକ ପରିଶ୍ରମ  କରୁଥିବା ଜଣେ ବ୍ୟକ୍ତି ସେହି ପରିମାଣର ମାନସିକ ପରିଶ୍ରମ କରୁଥିବା ଜଣେ ବ୍ୟକ୍ତିଠାରୁ ଅଧିକ ସୁସ୍ଥ ଓ  ଅଧିକ ନୀରୋଗ ରହିଥାଏ ।  ତେଣୁ ବ୍ୟାୟାମ ଉପରେ ସ୍ଵାସ୍ଥ୍ୟ ଯଥେଷ୍ଟ  ପରିମାଣରେ ନିର୍ଭର କରିଥାଏ ।

 

ତେବେ ଉତ୍ତମ ବ୍ୟାୟାମ ପାଇଁ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଥାଏ । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ହିଁ ନିର୍ଦ୍ଦିଷ୍ଟ ପରିମାଣର ବ୍ୟାୟାମ କରିବା ଆବଶ୍ୟକ । ଦିନେ ଅଧିକ ସମୟ ବ୍ୟାୟାମ କରି ଆଉ ଦିନେ ଆଦୌ ନ କରିବାର କିଛି ମାନେ ରହେ ନାହିଁ । ଘର ଭିତରେ ବ୍ୟାୟାମ ନ କରି ପବନ ଚଳାଚଳ କରୁଥିବା ଏକ ଖୋଲା ସ୍ଥାନରେ ବ୍ୟାୟାମ କରିବା  ଉଚିତ । ବ୍ୟାୟାମ କରିବା ସମୟରେ ଦେହରେ ଯେତେ କମ୍ ପରିମାଣର ପୋଷାକ ରହିବ, ସେତେ ଭଲ । ପେଟରେ ଖାଦ୍ୟ ଥିବାବେଳେ ବ୍ୟାୟାମ କରିବା ଉଚିତ ନୁହେଁ । ସେହିପରି ଅସୁସ୍ଥତା ସମୟରେ ମଧ୍ୟ ବ୍ୟାୟାମ କରିବା ଅନୁଚିତ । ଯେଉଁମାନେ ଆଦୌ ବ୍ୟାୟାମ କରିନାହାନ୍ତି ତାହା ଆରମ୍ଭ କରିବା ପାଇଁ ହଠାତ୍ କଠିନ ବ୍ୟାୟାମକୁ ନ ଯାଇ ପ୍ରଥମେ ସହଜସାଧ୍ୟ ବ୍ୟାୟାମ ଆରମ୍ଭ କରିବା ଉଚିତ ଓ ଏହାର ସମୟ ସୀମା ପ୍ରଥମରୁ ବଢ଼ାଇ ନ ଦେଇ ଆସ୍ତେ ଆସ୍ତେ ବଢ଼ାଇବା ଆବଶ୍ୟକ । ଏହି ସାମାନ୍ୟ କେତେକ ନିୟମ ପ୍ରତି ଧ୍ୟାନ ଦେଇ ବ୍ୟାୟାମ କଲେ ତାହା ଶରୀର ପାଇଁ ଖୁବ୍‌ ଉପଯୋଗୀ ହୋଇଥାଏ ।

 

୬. ବାସଗୃହ  (Housing):-

 

ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ବାସଗୃହର ଆବଶ୍ୟକତାକୁ କେହି ଅସ୍ଵୀକାର କରି ପାରିବେ ନାହିଁ । ମଣିଷ ନିଜ ପରିବାର ସହ ଯେଉଁଠି ବାସକରେ, ତାହାହିଁ ତା’ର ବାସଗୃହ । ନିଜର ସୁବିଧା ପାଇଁ ମଣିଷ ବିଭିନ୍ନ ପ୍ରକାରର ବାସଗୃହ ନିର୍ମାଣ କରିଥାଏ । କିଏ ଚାଳଘର କରି ରହିଥାଏ ତ କେହି କୋଠାଘର ତିଆରି କରି ରହିଥାଏ । ତେବେ ବାସଗୃହ ଯେଉଁ ପ୍ରକାରର ହେଉ ନା କାହିଁକି, ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଏକ ସ୍ଵାସ୍ଥ୍ୟୋପଯୋଗୀ ବାସଗୃହ ଏକାନ୍ତ ଆବଶ୍ୟକ । ଏଥିପାଇଁ ବାସଗୃହ ନିର୍ମାଣ କରିବା ବେଳେ ତାହା ଯେପରି ଉଚ୍ଚ ତଥା ଶୁଷ୍କ ସ୍ଥାନରେ ହୋଇଥିବ, ବାସଗୃହ ଭିତରକୁ ଯେପରି ଭଲ ଭାବରେ ଆଲୋକ ପଡ଼ୁଥିବ ଓ ବାୟୁ ଚଳାଚଳ କରୁଥିବ, ସେଥିପ୍ରତି ଦୃଷ୍ଟିଦେବା ଦରକାର । ତା' ଛଡ଼ା ବାସଗୃହ ଭିତର ଓ ବାହାର ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ । ସେହିପରି ବାସଗୃହ ବାହାରେ ଯେପରି ଯେ ନାଳ, ନର୍ଦ୍ଦମା, ଜମି ରହୁଥିବା ପାଣି, ଅରମା, ଆବର୍ଜନା ଆଦି ନ ରହେ, ସେଥ‌ିପ୍ରତି ମଧ୍ୟ ଦୃଷ୍ଟିଦେବା ଆବଶ୍ୟକ । ଘରୁ ଆବର୍ଜନା ଜଳ ନିଷ୍କାସନ କରିବା ପାଇଁ ଉପଯୁକ୍ତ ଡ୍ରେନ୍‌ର ବ୍ୟବସ୍ଥା ହୋଇଥିବା ଆବଶ୍ୟକ । ଘର ଭିତରେ ଯେତେ କମ୍ ଆସବାବ ପତ୍ର ରହିବ ସେତେ ଭଲ । ମାଟି ଘର ହୋଇଥିଲେ ମଝିରେ ମଝିରେ ତାକୁ ମାଟି ଗୋବର ପାଣିରେ ଲିପିବା ଓ କୋଠାଘର ହୋଇଥିଲେ ଚୂନ ଧଉଳା କରିବା ଏକାନ୍ତ ଆବଶ୍ୟକ । ଏହି ପ୍ରକାର ବାସଗୃହ ହିଁ ଅନ୍ତେବାସୀଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ ।

 

୭. ପୋଷାକ  (Dress):-

 

କଥାରେ କହନ୍ତି, "ଭେକ ଥିଲେ ଭିକ ମିଳେ । ଭେକ ହେଲା ପୋଷାକ ଏବଂ ପୋଷାକ ହେଲା ଶରୀରର ଆଭୂଷଣ । ଏହା ଲଜ୍ଜା ନିବାରଣ କରିବା ସହିତ ଶରୀରକୁ ସଜାଇ ଶୋଭା ବଢ଼ାଇବାରେ ସାହାଯ୍ୟ କରିଥାଏ । ସେହି ଦୃଷ୍ଟିରୁ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ପୋଷାକର ମଧ୍ୟ କିଛିଟା ଉଲ୍ଲେଖନୀୟ ଭୂମିକା ରହିଛି । ଢିଲା ଓ ପରିଷ୍କାର ପୋଷାକ ଶରୀର ପାଇଁ ଉପକାରୀ । ମଇଳା ପୋଷାକ ପତ୍ର ପରିଧାନ କଲେ ଶରୀରରେ ବିଭିନ୍ନ ପ୍ରକାର ଚର୍ମରୋଗ ଦେଖା ଦେଇଥାଏ । ସାବୁନରେ ସଫା କରି ଇସ୍ତ୍ରୀ କରିଦେଲେ ପୋଷାକ ସବୁ ସଫା ହୋଇଯାଏ ଓ ସେଥିରେ ଲାଗିଥିବା ରୋଗଜୀବାଣୁ ସବୁ ମରିଯାନ୍ତି । ଖରାଦିନେ ଧଳା ରଂଗର ଢିଲା ପୋଷାକ ଶରୀର ପାଇଁ ଆରାମଦାୟକ ହୋଇଥାଏ । ଚିପା ପୋଷାକ ଶରୀରର କ୍ଷତି କରିଥାଏ । ପୋଷାକ ପରି ଜୋତା, ମୋଜା ଆଦି ମଧ୍ୟ ପାଦକୁ ଖାପ ଖାଉଥିବା ପରି ମାପର ହୋଇଥିବା ଆବଶ୍ୟକ । ନ ହେଲେ ଏହା ପାଦରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ ।

 

୮. ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା (Personal Hygiene):-

 

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ । ଏଥିପାଇଁ ନିୟମିତ ସ୍ନାନ କରି ଦେହକୁ ସଫା ରଖିବା ଆବଶ୍ୟକ । ବାହାରୁ ଘରକୁ ଆସିବା ପରେ ଗୋଡ଼ ହାତ ଧୋଇ ପରିଷ୍କାର ହୋଇଯିବା ଉଚିତ । ନହେଲେ ବାହାରର ଧୂଳି, ମଳି , ଜୀବାଣୁ ଆଦି ଘର ଭିତରକୁ ଆସି ରୋଗ ସଂକ୍ରମଣରେ ସାହାଯ୍ୟ କରିଥାନ୍ତି । ସ୍ନାନ ବ୍ୟତୀତ ଶରୀରର ବିଭିନ୍ନ ଅଂଶର ମଧ୍ୟ ନିୟମିତ ଯତ୍ନ ନେବା ଆବଶ୍ୟକ ।

 

(କ) ଦାନ୍ତ ଓ ଜିଭର ଯତ୍ନ (Care of teeth and tongue):-

 

ଖାଦ୍ୟ ଚୋବାଇ ଖାଇବାବେଳେ ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲାଖିଯାଏ । ଖାଇ ସାରିବା ପରେ ଦାନ୍ତ ପରିଷ୍କାର ନ କଲେ ଖାଦ୍ୟ କଣିକା ସେଠାରେ ଲାଗି ରହି ପଚିଯାଏ । ସେଠାରେ ଜୀବାଣୁମାନେ‌ ରହି ବଂଶବୃଦ୍ଧି କରନ୍ତି ।

ଏହାଦ୍ଵାରା ଦନ୍ତ କ୍ଷୟ ହୁଏ ଓ ବିଭିନ୍ନ ପ୍ରକାରର ଦନ୍ତରୋଗ ମଧ୍ୟ ହୋଇଥାଏ । ତେଣୁ ପ୍ରତିଦିନ ସକାଳୁ ବିଛଣାରୁ ଉଠି ଓ ପ୍ରତିଥର ଖାଇ ସାରିବା ପରେ ଦାନ୍ତକାଠି କିମ୍ବା ବ୍ରସ୍‌ରେ ଦାନ୍ତକୁ ଭଲ ଭାବରେ ଘଷି ଜିଭ ଛେଲି ଦେବା ଆବଶ୍ୟକ । ସେହିପରି କୌଣସି  ମିଠା ଜିନିଷ ଖାଇବା ପରେ ଭଲ ଭାବେ କୁଳି କରି ପାଟିକୁ ସଫା କରିଦେଲେ ଦନ୍ତକ୍ଷୟ ହେବାର କିମ୍ବା କୌଣସି ଦନ୍ତରୋଗ ହେବାର ସମ୍ଭାବନା ରହେ ନାହିଁ । ନିୟମିତ ବ୍ୟବଧାନରେ ବ୍ରସ୍ ପରିବର୍ତ୍ତନ

କରିଦେବା ଆବଶ୍ୟକ ।

 

(ଖ) କେଶର ଯତ୍ନ (Carc of hair):-

 

ସ୍ନାନ କରିବାବେଳେ ସବୁଦିନେ ମୁଣ୍ଡରେ ତେଲ ମାରି ଭଲ ଭାବରେ ଧୋଇ ଦେଲେ କେଶ ସଫା ହୋଇଯାଏ ଓ ରୂପି, ଉକୁଣି ଆଦି ହେବାର ସମ୍ଭାବ ରହେ ନାହିଁ । ପ୍ରତିଦିନ ମୁଣ୍ଡ ଧୋଇବା ପାଇଁ ଯେଉଁମାନଙ୍କର ଅସୁବିଧା ଥାଏ, ସେମାନେ ସପ୍ତାହକୁ ଥରେ, ଦୁଇଥର ସାବୁନ୍, ସାମ୍ପୋ ପ୍ରଭୃତି ଲଗାଇ ମୁଣ୍ଡ ଧୋଇ ଦେବା ଆବଶ୍ୟକ । ମୁଣ୍ଡ ଧୋଇଦେବା ପରେ କେଶକୁ ଶୁଖାଇ କୁଣ୍ଡାଇ ଦେଲେ କେଶ ସୁସ୍ଥ ରହେ ଓ ମୁଣ୍ଡର ଶୋଭା ବର୍ଦ୍ଧନ କରେ । ଦେହକୁ ବି ଆରାମ ଲାଗେ । ତେବେ ମୁଣ୍ଡ କୁଣ୍ଡାଉଥିବା ପାନିଆଁ ବା ବ୍ରସ୍‌କୁ ନିୟମିତ ବ୍ୟବଧାନରେ ମଝିରେ ମଝିରେ ସଫା କରିଦେବା ଦରକାର । ଜଣକର ପାନିଆଁ ବା ବ୍ରସ୍‌କୁ ଆଉ ଜଣେ ବ୍ୟବହାର କରିବା ଉଚିତ ନୁହେଁ । ପାନିଆଁରୁ ମଇଳା ନ ଛାଡ଼ିଲେ ତାହା ପରିବର୍ତ୍ତନ କରିଦେବା ଉଚିତ ।

 

(ଗ) ଚର୍ମର ଯତ୍ନ  (Care of Skin):-

 

ଦେହରୁ ଝାଳ ବହୁଥୁବା ଯୋଗୁଁ ଚର୍ମ ସବୁ ସବୁବେଳେ ଓଦାଳିଆ ରହେ । ତା' ଛଡ଼ା ଚର୍ମରୁ ସିବମ୍ ନାମକ ପ୍ରକାର ତେଲିଆ ପଦାର୍ଥ ବାହାରି ଥାଏ । ଏଥିରେ ବାହାରର ଧୂଳି, ମଳି, ଜୀବାଣୁ ଆଦି ସହଜରେ ଲାଗିଯିବା ଫଳରେ ବିଭିନ୍ନ ପ୍ରକାରର ଚର୍ମ ରୋଗ ହୋଇଥାଏ । ତେଣୁ ସବୁଦିନେ ଭଲ ଭାବରେ ଘଷି ହୋଇ ଗାଧୋଇବା ଉଚିତ । ବିଶେଷ କରି ନିଜର ଦୈନନ୍ଦିନ କାମଧନ୍ଦାରୁ ଫେରି ଭଲଭାବେ ଘଷି ହୋଇ ଗାଧୋଇ ପଡ଼ିବା ଏକାନ୍ତ ଆବଶ୍ୟକ। ଗାଧୋଇବା ପୂର୍ବରୁ ଚର୍ମରେ ଭଲ ଭାବରେ ତେଲ ମାଲିସ୍ କରିଦେଲେ ଚର୍ମ ସୁସ୍ଥ ରହିଥାଏ । ସପ୍ତାହକୁ ଥରେ ଦୁଇଥର ସାବୁନ ଲଗାଇ ଗାଧୋଇବା ଭଲ । ତେବେ ଅତ୍ୟଧିକ ସାବୁନ ଲାଭ ପରିବର୍ତ୍ତେ କ୍ଷତି କରିଥାଏ । ସାବୁନ ଲଗାଇଥିଲେ ଚର୍ମରୁ ସାବୁନ୍‌ର ସବୁ ଅଂଶ ଛାଡ଼ିଯିବା ପର୍ଯ୍ୟନ୍ତ ଘଷି ହେବା ଦରକାର । କେତେକ ସାବୁନ ଚର୍ମରେ ଆଲର୍ଜି ପରି ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏପରି ହେଲେ ସେହି ସାବୁନ ବ୍ୟବହାର କରିବା ଅନୁଚିତ ।

 

(ଘ) ନଖର ଯତ୍ନ (Care of nail):-

 

ହାତର ନଖ ବଢ଼ିଗଲେ ତା' ସନ୍ଧିରେ ଧୂଳି, ମଳି, ଜୀବାଣୁ ଆଦି ଜମିଯାଏ । ଖାଇବାବେଳେ ସେ ସବୁ ପାଟିବାଟେ ପେଟକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତା'ଛଡ଼ା ଜଣକ ନଖରୁ ଜୀବାଣୁ ଯାଇ ପରିବାରର ଅନ୍ୟମାନଙ୍କ ଖାଦ୍ୟକୁ ମଧ୍ୟ ସଂକ୍ରମଣ କରିବାର ସମ୍ଭାବନା ରହିଥାଏ । ପୁଣି ନଖରେ କୁଣ୍ଡାଇବା ଦ୍ଵାରା ନିଜ ଦେହର ଚର୍ମରୋଗ ନିଜ ଦେହକୁ ସଂକ୍ରମିତ ହୋଇଥାଏ । ତେଣୁ ନଖକୁ ନିୟମିତ ବ୍ୟବଧାନରେ କାଟି ଦେବା ଆବଶ୍ୟକ । କୋଣସି ବ୍ଲେଡ଼ କିମ୍ଵା ନହୁରୁଣୀରେ ନ କାଟି ନଖକୁ ନଖକଟା ଯନ୍ତ୍ର (Nail cutter) ରେ କାଟିବା ନିରାପଦ ହୋଇଥାଏ ।

 

(ଡ) ଆଖିର ଯତ୍ନ (Care of eye):-

 

ଆଖି ହେଉଛି ମସ୍ତିଷ୍କର ଏକମାତ୍ର ଅଙ୍ଗ, ଯେକି ବାହାରକୁ ଉନ୍ମକ୍ତୁ ରହିଥାଏ । ତେଣୁ ସେଥିରେ ଧୂଳି, ମଳି, ଜୀବାଣୁ ଆଦି ଲାଗିଯିବା ସ୍ଵାଭାବିକ । ଅବଶ୍ୟ ଲୁହ ଦ୍ଵାରା ତାହା ସବୁବେଳେ ଧୋଇ ହୋଇ ଯାଉଥାଏ । ତେବେ ସବୁବେଳେ ସକାଳୁ ଉଠି ଆଖକୁ ପାଣିରେ ଧୋଇ ନେଞ୍ଜରା ସଫା କରିଦେଲେ ଆଖି ଭଲ ରହିଥାଏ । ସେହିପରି ଦିନ ଭିତରେ ମଧ୍ୟ ଆଖିକୁ ଥରେ ଦୁଇଥର ଧୋଇଦେବା ଆବଶ୍ୟକ । ଅତି ଉଜ୍ଜ୍ଵଳ ଆଲୋକ ଓ ଅତି ମିଞ୍ଜି ମିଞ୍ଜି ଆଲୋକ ଆଖି ପାଇଁ ଅପକାରୀ । ତେଣୁ ଏପରି ଆଲୋକରେ ଲେଖାପଢ଼ା କରିବା ଅନୁଚିତ । ବହିପତ୍ରକୁ ଆଖିର ଅତି ନିକଟରେ କିମ୍ବା ଅତି ଦୂରରେ ରଖି ମଧ୍ୟ ପଢ଼ିବା ନିରାପଦ ନୁହେଁ ।

 

(ଚ) କାନର ଯତ୍ନ (Care of ear):-

 

ଅତି ଉତ୍କଟ ଓ ଶ୍ରୁତିକଟୁ ଶବ୍ଦଠାରୁ କାନ ଦୂରରେ ରହିବା ଆବଶ୍ୟକ । ନଚେତ କାନର ଶ୍ରବଣ ଶକ୍ତି ନଷ୍ଟ ହୋଇଯାଏ । କାନ ଭିତରେ କୌଣସି କାଠି ପିନ୍ ପୂରାଇବା ଉଚିତ ନୁହେଁ । ଗାଧୋଇବାବେଳେ କାନ ନାନରେ ଯେମିତି ପାଣି ପଶି ନଯାଏ, ସେଥ‌ିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

 

(ଛ) ନିୟମିତ ମଳତ୍ୟାଗ  (Regular bowel habit):-

 

ଉତ୍ତମ ସ୍ଵାସ୍ଥ୍ୟ ପାଇଁ ନିୟମିତ ମଳମୂତ୍ର ତ୍ୟାଗ କରିବା ଉଚିତ । ଅଯଥାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଳମୂତ୍ରକୁ ଜାକି ଧରିବା ସ୍ୱାସ୍ଥ୍ୟପାଇଁ ନିରାପଦ ନୁହେଁ । ଖୋଲା ପଡ଼ିଆରେ ମଳମୂତ୍ର ତ୍ୟାଗ ନ କରି ସେଥିପାଇଁ ଉପଯୁକ୍ତ ପାଇଖାନା ପରିସ୍ରାଗାର ବ୍ୟବହାର କରିବା ଆବଶ୍ୟକ ।

 

(୯) ସ୍ଵାସ୍ଥ୍ୟ ସେବାର ବିନିଯୋଗ  (Availing of Health Services):-

 

ଦେହକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା (Health Services)ର ଉପ‌ଯୁକ୍ତ ବିନିଯୋଗ କରିବା ଏକାନ୍ତ ବାଞ୍ଛନୀୟ । ସ୍ୱାସ୍ଥ୍ୟ ସେବା କହିଲେ ସମାଜରେ ବିଭିନ୍ନ ସରକାରୀ ବା ବେସରକାରୀ ସଂସ୍ଥାମାନଙ୍କ ଠାରୁ ମିଳୁଥିବା ନାନା ପ୍ରକାରର ଉପଦେଶ, ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥାକୁ ହିଁ ବୁଝାଏ । ନିଜର ସମସ୍ତ ଚେଷ୍ଟା ପରେ ଜଣକର ସ୍ୱାସ୍ଥ୍ୟ ଖରାପ ହେଲେ ବା ଜଣେ ଅସୁସ୍ଥ ହେଲେ ସେ ଡାକ୍ତରଖାନାକୁ ଯାଏ । ସେଠାରେ ଡାକ୍ତର ତାର ଦେହ ପରୀକ୍ଷା କରନ୍ତି । କେଉଁ କାରଣରୁ ସେ ଅସୁସ୍ଥ ହୋଇଛି, ତାହା ନିର୍ଣ୍ଣୟ କରନ୍ତି । ତାକୁ ସୁସ୍ଥ କରିବା ପାଇଁ ଯାହା ସବୁ ଦରକାର, ସେ ବିଷୟରେ ଏକ ପରାମର୍ଶ କରନ୍ତି । ଔଷଧ ଦେଇ ତାକୁ ଚିକିତ୍ସା ଦିଅନ୍ତି । ସେହି କାରଣର ନିରାକରଣ ପାଇଁ ବିଭିନ୍ନ ପ୍ରକାରର ଉପଦେଶ ଦିଅନ୍ତି । ଏହାହିଁ ହେଉଛି ସ୍ଵାସ୍ଥ୍ୟ ସେବା ।  ବ୍ୟକ୍ତିଗତ ତଥା ସାମାଜିକ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ଯେଉଁ ସଂସ୍ଥା ସଂପୂର୍ଣ୍ଣ ଦାୟିତ୍ଵ ନେଇଥାଏ, ତାହା ସ୍ଵାସ୍ଥ୍ୟ ସେବା ସଂସ୍ଥା (Health Service Centre) ନାମରେ ପରିଚିତ । ଏହା ସରକାରୀ ହୋଇପାରେ କିମ୍ବା ବେସରକାରୀ ମଧ୍ୟ ହୋଇପାରେ ।  ପ୍ରାଥମିକ ସ୍ଵାସ୍ଥ୍ୟ ସେବା (Primary Health Centre), ଚିକିତ୍ସାଳୟ (Hospital), ରେଡ଼କ୍ରସ୍, ସାମାଜିକ ସେବା ସଂସ୍ଥା ଆଦି ଏହିପରି ଗୋଟିଏ ଲେଖାଏଁ ସଂସ୍ଥା । ଏହି ସଂସ୍ଥାଗୁଡ଼ିକ ଉପରେ ସମାଜରେ ରହୁଥିବା ଲୋକମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସ୍ଵାସ୍ଥ୍ୟ ନିର୍ଭର କରିଥାଏ । ଯେଉଁ ସମାଜରେ ବା ଯେଉଁ ସ୍ଥାନରେ ଏହିଭଳି ସଂସ୍ଥାମାନ ଯେତେ ସକ୍ରିୟ ହୋଇଥାଏ, ସେଠାକାର ଲୋକମାନେ ସେତେ ନୀରୋଗ ରହିଥାନ୍ତି । କାରଣ ଅସୁସ୍ଥତାର ପ୍ରାଥମିକ କାରଣକୁ ମୂଳପୋଛ କରିବା ହିଁ ଏମାନଙ୍କର ଦାୟିତ୍ଵ । ଏମାନେ ରୋଗର ଚିକିତ୍ସା କରନ୍ତି, ପ୍ରତିକାରର ବ୍ୟବସ୍ଥା କରନ୍ତି I ଏଇଥିରୁ ଉତ୍ତମ ପାଇଁ ସ୍ଵାସ୍ଥ୍ୟ ସେବା ସଂସ୍ଥାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ , ତାହା ସହଜରେ ଅନୁମାନ

କରାଯାଇପାରେ ।

 

ବିଭିନ୍ନ ଶ୍ରେଣୀର ସ୍ଵାସ୍ଥ୍ୟସେବା – (Levels of Health Care):-

 

ସମାଜରେ ଯେଉଁ ସବୁ ସ୍ଵାସ୍ଥ୍ୟ ସେବା ମିଳେ, ତାହା ସାଧାରଣତଃ ତିନିଟି ସୋପାନ ବା ସ୍ତର ବିଶିଷ୍ଟ ହୋଇଥାଏ । ସେଗୁଡ଼ିକ ହେଲା ପ୍ରାଥମିକ ସ୍ଵାସ୍ଥ୍ୟସେବା, ଦ୍ଵିତୀୟକ ବା ମଧ୍ୟବର୍ତ୍ତୀ ସ୍ଵାସ୍ଥ୍ୟସେବା ଓ ତୃତୀୟକ ସ୍ୱାସ୍ଥ୍ୟସେବା ।

 

(କ) ପ୍ରାଥମିକ ସ୍ଵାସ୍ଥ୍ୟ ସେବା – (Primary Health Care) :-

 

ସାମାନ୍ୟତମ ଅସୁସ୍ଥତା ଅନୁଭବ କରିବା ମାତ୍ରେ ଜଣେ ପ୍ରଥମେ ଯେଉଁଠିକି ଯାଇ ପରାମର୍ଶ ଗ୍ରହଣ କରେ, ତାହାହିଁ ପ୍ରାଥମିକ ସ୍ୱାସ୍ଥ୍ୟସେବା ନାମରେ ପରିଚିତ । ସେଠାରେ ରୋଗକୁ ଆରୋଗ୍ୟ କରିବା ସହିତ ବିଭିନ୍ନ ପ୍ରତିଷେଧକ ବିଷୟରେ ପରାମର୍ଶ ଦିଆଯାଏ । ଅଧିକାଂଶ ଅସୁସ୍ଥତା ଏହି ସ୍ତରରୁ ହିଁ ଆରୋଗ୍ୟ ହୋଇଯାଏ । ଗାଁ ଗହଳିରେ ରହିଥ‌ିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର (Health Sub-centre) ଓ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର (Primary Health Centre ବା P.H.C) ଗୁଡ଼ିକ ସାଧାରଣତଃ ଲୋକମାନଙ୍କୁ ଏହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି ।

 

(ଖ) ଦ୍ଵିତୀୟକ ବା ମଧ୍ୟବର୍ତ୍ତୀ ସ୍ଵାସ୍ଥ୍ୟସେବା-(Secondary or Intermediate Health Care):-

 

ପ୍ରାଥମିକ ସ୍ତରରେ ଯେଉଁଠି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବ ନାହିଁ କିମ୍ବା ବିଶେଷଜ୍ଞ (Specialist) ଚିକିତ୍ସା ଆବଶ୍ୟକ ହୁଏ, ସେଠାରେ ରୋଗୀକୁ ଦ୍ଵିତୀୟକ ବା ମଧ୍ୟବର୍ତ୍ତୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ପଠାଇ ଦିଆଯାଏ । ସେଠାରେ ରୋଗୀକୁ ଆହୁରି ଉନ୍ନ‌ତତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର (Community Health Centre ବା C.H.C.), ଉନ୍ନୀତ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର (Up-graded Primary Health Centre or U.G.P.H.C). ସବୁ ଡିଭିଜନ ସ୍ତରୀୟ ଚିକିତ୍ସାଳୟ (Sub-divisional Hospital) ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (District Head Quarters Hospital) ଆଦି ସାଧାରଣତଃ ଏହି ସେବା ଯୋଗାଇ ଦେଇଥାନ୍ତି ।

 

(ଗ) ତୃତୀୟକ ସ୍ଵାସ୍ଥ୍ୟ ସେବା- (Tertiary Health Care) :-

 

ଯେଉଁଠି ରୋଗୀ ପାଇଁ ଆହୁରି ଉନ୍ନତତର ବିଶେଷଜ୍ଞ (Super-Specialist) ଚିକିତ୍ସା ଆବଶ୍ୟକ ହୁଏ, ସେଠାରେ ରୋଗୀକୁ ତୃତୀୟକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ପଠାଇ ଦିଆଯାଏ-। ବିଭିନ୍ନ ମେଡ଼ିକାଲ କଲେଜ ଚିକିତ୍ସାଳୟ ଓ ଆଞ୍ଚଳିକ ଉନ୍ନୀତ ଚିକିତ୍ସାଳୟମାନଙ୍କରେ ଏହି ସେବା ଯୋଗାଇ ଦିଆଯାଏ ।

 

ମୋଟ ଉପରେ ସମାଜରେ ରହିଥ‌ିବା ବିଭିନ୍ନ ସ୍ୱାସ୍ଥ୍ୟ ସେବା ସଂଗଠନଗୁଡ଼ିକ ହିଁ ଲୋକମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେଇଥାନ୍ତି । ଯେଉଁ ସମାଜର ବା ଯେଉଁ ରାଷ୍ଟ୍ରର ସ୍ଵାସ୍ଥ୍ୟସେବା ସଂଗଠନଗୁଡ଼ିକ ଯେତେ ଉନ୍ନ‌ତ ଓ ଆଧୁନିକ ବିଜ୍ଞାନ ସମ୍ମତ, ସେଠାକାର ଲୋକମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ସେତେ ସୁରକ୍ଷିତ । ସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷିତ ହେଲେ ରାଷ୍ଟ୍ର ଯେ ସୁରକ୍ଷିତ ହୁଏ, ଏଥିରେ କୌଣସି ସନ୍ଦେହ ନାହିଁ I’

 

ଅସୁସ୍ଥତା (III Health)

 

ଏ ପର୍ଯ୍ୟନ୍ତ ଯାହା ସବୁ କୁହାଗଲା, ତାହା କେବଳ ଉତ୍ତମ ସ୍ଵାସ୍ଥ୍ୟ ତଥା ସ୍ଵାସ୍ଥ୍ୟର ସୁରକ୍ଷା ବିଷୟରେ ହିଁ କୁହାଗଲା । ନିଜ ନିଜ ସ୍ଵାସ୍ଥ୍ୟର ସୁରକ୍ଷା କରିବା ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ । ଆମର ସ୍ଵାସ୍ଥ୍ୟ ଉତ୍ତମ ରୂପେ ସୁରକ୍ଷିତ ନ ହୋଇ ପାରିଲେ ଆମେ ଏପରି ଅସୁବିଧାରେ ପଡ଼ୁ, ଯାହାକୁ ସୁଧାରିବା ପାଇଁ ଆମକୁ ବହୁ କଷ୍ଟ କରିବାକୁ ପଡ଼େ ଓ ସେଥପାଇଁ ବହୁ ମୂଲ୍ୟ ଦେବାକୁ ମଧ୍ୟ ପଡ଼ିଥାଏ । ଏହି ଅସୁବିଧାର ନାମ ହେଉଛି ଅସୁସ୍ଥତା । ଅସୁସ୍ଥତାର ପ୍ରକୃତ ସଂଜ୍ଞା ଦେବା କଠିନ । ଚିକିତ୍ସା ବିଜ୍ଞାନୀମାନଙ୍କ ମତରେ ଆମର ସାଧାରଣ ସ୍ୱାସ୍ଥ୍ୟରେ କିଛି ଅସ୍ଵାଭାବିକତା ଦେଖା ଦେଲେ ତାକୁ ଅସୁସ୍ଥତା ବୋଲି କୁହାଯାଏ । ଏହି ଅସୁସ୍ଥତା ଶାରୀରିକ ହୋଇପାରେ, ମାନସିକ ହୋଇପାରେ, ସାମାଜିକ ମଧ୍ୟ ହୋଇ ହୋଇପାରେ । ଏ ବିଷୟରେ ଆଗରୁ ଆଲୋଚିତ ହୋଇ ସାରିଛି । ଜଣେ ଦେହରେ କିଛି ପୀଡ଼ା ଅନୁଭବ କଲେ, ତାକୁ ଯେପରି ଅସୁସ୍ଥ ବୋଲି କୁହାଯିବ, ସାଧାରଣ କାର୍ଯ୍ୟ କରିବାବେଳେ ଜଣେ ଯଦି ଅନ୍ୟମନସ୍କ ହୁଏ ବା ତା'ର ମାନସିକ ଅସ୍ଥିରତା ଦେଖାଯାଏ, ତା'ହେଲେ ତାକୁ ମଧ୍ୟ ସେହିପରି ଅସୁସ୍ଥ ବୋଲି କୁହାଯିବ । ପ୍ରଥମ ଜଣକ ଶାରୀରିକ ଅସୁସ୍ଥ ହୋଇଥିବା ବେଳେ ଦ୍ଵିତୀୟ ଜଣକ ମାନସିକ ଅସୁସ୍ଥ ହୋଇଥାଏ । ଠିକ୍ ସେମିତି ନିଜ ଗ୍ରାମ ବା ସହରରେ ରହିବା ଅବସ୍ଥାରେ ଯଦି ଜଣକ ସହିତ କାହାରି ସଂପର୍କ ନ ଥାଏ, ତା'ହେଲେ ସେ ସାମାଜିକ ଅସୁସ୍ଥତା ଭୋଗିଥାଏ । ଏହି ଦୃଷ୍ଟିରୁ ଅସୁସ୍ଥତାର ପରିସର ଖୁବ୍ ବ୍ୟାପକ । ତେଣୁ ଅସୁସ୍ଥତାର ଏକ ସୁଚିନ୍ତିତ ସଂଜ୍ଞା କେହି ନିର୍ଣ୍ଣୟ କରି ପାରି ନାହାନ୍ତି । ସବୁ ଦୃଷ୍ଟିରୁ ସୁସ୍ଥ ଥିବା ଜଣେ ମଣିଷ କେତେବେଳେ ଯେ କେଉଁ ଭଳି ଭାବରେ ଅସୁସ୍ଥ ହୋଇ ପଡ଼ିବ, ତାହା ସହଜରେ କହି   ହେବନାହିଁ ।

 

ଅସୁସ୍ଥତା ଓ ରୋଗ (III Health and Disease)

 

ଅନେକ କହନ୍ତି, ଅସୁସ୍ଥତା ଓ ରୋଗ ଏକା କଥା । ଅର୍ଥାତ୍ ଜଣେ ଅସୁସ୍ଥ ହୋଇଛି ବୋଲି କହିଲେ ସେ ନିଶ୍ଚୟ କୌଣସି ରୋଗ ଦ୍ଵାରା ପୀଡ଼ିତ ହୋଇଛି ବୋଲି ବୁଝିବାକୁ ହେବ । କିନ୍ତୁ ଏ କଥା ସବୁବେଳେ ଠିକ୍ ନୁହେଁ । କୌଣସି ରୋଗରେ ପୀଡ଼ିତ ନ ହୋଇ ମଧ୍ୟ ଜଣେ ଯେ ଅସୁସ୍ଥ ନ ହେବ, ସେମିତି କହି ହେବ ନାହିଁ  । କ‌ଥାଟା ବୁଝିବାକୁ ହୁଏତ ଟିକିଏ କଷ୍ଟ ହେଉଥ‌ିବ । ଜଣେ ଶାରୀରିକ ବିକଳାଙ୍ଗ କଥା ବିଚାର କରାଯାଉ ।  ଦେହରେ କୌଣସି ରୋଗ ନଥାଇ ମଧ୍ୟ ଜଣେ ଆଜନ୍ମ ଅନ୍ଧ କିମ୍ବା ବଧିରକୁ ଶାରୀରିକ ସୁସ୍ଥ ବୋଲି କେବେହେଲେ କୁହାଯାଇ ପାରିବ ନାହିଁ । ସେହିପରି ଜଣଙ୍କର ହୁଏତ କୌଣସି ରୋଗ ନଥାଇ ପାରେ, କିନ୍ତୁ ସେ ଯଦି ତା'ର ସାଧାରଣ କାର୍ଯ୍ୟ କରିବା ପାଇଁ ସବୁବେଳେ ଅନ୍ୟମନସ୍କ, ବୀତସ୍ପୃହ ବା ଅନିୟମିତ ରହୁଥାଏ, ତା'ହେଲେ ତାକୁ କେବେହେଲେ ସୁସ୍ଥ ବୋଲି କୁହାଯାଇ ପାରିବ ନାହିଁ । ସେ ନିଶ୍ଚୟ କିଛି ମାନସିକ ଅସୁସ୍ଥତା ଭୋଗ କରୁଛି ବୋଲି ବୁଝିବାକୁ ହେବ । ଏହି ଦୃଷ୍ଟିରୁ ରୋଗ ଓ ଅସୁସ୍ଥତା ସବୁବେଳେ ସମାନ ଅର୍ଥକୁ ବୁଝାଏ ନାହିଁ । ଅବଶ୍ୟ ଅନେକ ସମୟରେ ଏମାନଙ୍କ ସମ୍ବନ୍ଧ କ୍ଷୀର ସହିତ ନୀରର ସମ୍ବନ୍ଧ ପରି ହୋଇଥାଏ । ଅର୍ଥାତ୍ ରୋଗ ହେଲେ ମଣିଷ ଅସୁସ୍ଥ ହୋଇପଡ଼େ ଓ ଅସୁସ୍ଥତା ଥିଲେ ରୋଗ ସହଜରେ ଆକ୍ରମଣ କରିଥାଏ ।

 

ଏହି ପରିପ୍ରେକ୍ଷୀରେ ଇଂରାଜୀର ତିନିଟି ଶବ୍ଦକୁ ବିଚାରକୁ ନିଆଯାଇ ପାରେ । ଏହି ତିନିଟି ଶବ୍ଦ ହେଲା Disease, Illness ଏବଂ Sickness. ତିନୋଟିଯାକ ଶବ୍ଦର ଅର୍ଥ ଏକାପରି ମନେ ହେଉଥିଲେ ମଧ୍ୟ ଆକ୍ଷରିକ ଅର୍ଥରେ ତିନିଟିଯାକ ଅବସ୍ଥା ସମାନ ନୁହେଁ । ଅର୍ଥାତ୍ ତିନିଟିଯାକ ଏକା କଥା ନୁହେଁ । ଅର୍ଥ ଭେଦରେ ପ୍ରତ୍ୟେକର ଅର୍ଥ ଅଲଗା । Diseaseର ଅର୍ଥ ହେଉଛି ରୋଗ । ଏହା ଏପରି ଏକ ଅବସ୍ଥା, ଯେଉଁଠି ଦେହର ଶାରୀରିକ ତଥା ମାନସିକ କ୍ରିୟାରେ ସ୍ଵାଭାବିକତା ରହି ନଥାଏ । ଏଥିରେ ଶରୀରର ନିର୍ଦ୍ଦିଷ୍ଟ ନିୟମରେ କିଛିଟା ଅନିୟମିତତା ଦେଖା ଦେଇଥାଏ । କିନ୍ତୁ Illnessର ଅର୍ଥ ହେଉଛି ରୋଗଜନିତ ବିକାର ବା ବିକୃତି ଏଥିରେ ରୋଗୀ ନିଜେ ଅନୁଭବ କରେ ଯେ ସେ ରୋଗ ଦ୍ଵାରା ପୀଡ଼ିତ ଓ କୌଣସି କାର୍ଯ୍ୟ କରିବାକୁ ଅସମର୍ଥ ବା ଅନୁପ‌ଯୁକ୍ତ । ଏହା ମୁଖ୍ୟତଃ ଏକ ବ୍ୟକ୍ତିଗତ ଅନୁଭୂତି । ଏହାକୁ ହୁଏତ ଅନ୍ୟମାନେ ଅନୁଭବ କରି ନ ପାରନ୍ତି, କିନ୍ତୁ ରୋଗୀ ପାଇଁ ଏହା ଖୁବ୍ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । Sickness କହିଲେ କ‌ଥାଟା ଆଉ ଏକ ପ୍ରକାର ବୁଝାଇଥାଏ । ଏହାକୁ ସାଧାରଣ ଅର୍ଥରେ ଅସୁସ୍ଥତା ବୋଲି କୁହାଯାଇଥାଏ । ଏହାକୁ ରୋଗୀର ଏକ ପ୍ରକାର ସାମାଜିକ ନିଷ୍କ୍ରିୟତା ବୋଲି ଧରି ନିଆଯାଏ । ଅର୍ଥାତ୍ ଏଥିରେ ସମାଜର ଅନ୍ୟମାନେ ଅନୁଭବ କରନ୍ତି ଯେ, ସେ ରୋଗୀ ଓ ତା'ପ୍ରତି ଅନ୍ୟମାନଙ୍କର କିଛି କର୍ତ୍ତବ୍ୟ ରହିଛି । ତେଣୁ ସମସ୍ତେ ତା’ପ୍ରତି ସମ୍ବେଦନଶୀଳ ହୋଇପଡ଼ନ୍ତି ।

 

ଯାହା ହେଲେ ବି ଏହି ତିନିଟିଯାକ ଶବ୍ଦ ଏମିତି ଗୋଳମାଳିଆ ଯେ, ନିର୍ଦ୍ଦିଷ୍ଟ ଭାବରେ ପ୍ରତ୍ୟେକର ସଂଜ୍ଞା ଦେବାକୁ ଅସୁବିଧା ହୋଇଥାଏ । କାରଣ ଜଣକ ଦେହରେ ରୋଗ ଥାଇ ମଧ୍ୟ ସେ ହୁଏତ କୌଣସି ବିକାର ଅନୁଭବ କରି ନ ପାରେ । ସେହିପରି କୌଣସି ରୋଗ ନ ଥାଇ ମଧ୍ୟ ସେ ବିଭିନ୍ନ ବିକାରର ଅନୁଭୂତି ଲାଭ କରି ପାରେ । ପୁଣି ରୋଗ କିମ୍ବା ବିକାର କିଛି ନ ଥାଇ ମଧ୍ୟ ଜଣେ ହୁଏତ ସମାଜ ପାଇଁ ଅସୁସ୍ଥ ହୋଇପାରେ । ତେଣୁ ଏହି ଗୋଳିଆମିଶା ଭିତରେ ସବୁଗୁଡ଼ିକୁ ରୋଗ ହିସାବରେ ଧରିନେବା ହୁଏତ ବିଜ୍ଞତାର ପରିଚୟ ହେବ ।

 

Unknown

ଦେହ ଥିଲେ ରୋଗ ଅଛି

 

ଆଗରୁ କୁହାଯାଇଛି, ମଣିଷ ଏକ ଦେହଧାରୀ ପ୍ରାଣୀ । ଏହି ଦେହ ସର୍ବଦା ଏକ କାରଖାନା ପରି କାର୍ଯ୍ୟ କରୁଥାଏ । କାରଖାନାର କୌଣସି ଯନ୍ତ୍ର ଠିକ୍ ଭାବରେ କାମ ନ କଲେ କାରଖାନାଟି ବନ୍ଦ ହେଇଯାଏ ଓ ଆମେ କହୁ, ଏହା ଖରାପ ହୋଇଯାଇଛି । ଆମ ଦେହର ଅବସ୍ଥା ମଧ୍ୟ ଠିକ୍ ସେହିପରି । ଅନେକ ଅଙ୍ଗ ଓ ତନ୍ତ୍ର ଦ୍ଵାରା ଏହା ଗଠିତ । ଏକ ନିର୍ଦ୍ଦିଷ୍ଟ ନିୟମରେ ଏଗୁଡ଼ିକ କାମ କରୁଥାଏ । ଯଦି ଏଥିରେ କୌଣସି ଅନିୟମିତତା ଦେଖାଯାଇ ଏହା ଠିକ୍ ଭାବରେ କାମ ନ କରେ, ସେତିକିବେଳେ ଆମ ଦେହ ଖରାପ ହୁଏ ଓ କୁହାଯାଏ ଯେ, ଆମକୁ କିଛି ରୋଗ ହୋଇଛି । ରୋଗ ହୋଇଛି ଅର୍ଥ ଶରୀର ଯେଉଁ ସବୁ ତନ୍ତୁ, ଅଂଗ ବା ତନ୍ତ୍ର ଦ୍ୱାରା ଗଠିତ, ସେଥି ଭିତରୁ କୌଣସି ଗୋଟିକରେ କିମ୍ବା କେତେକରେ ଯେଉଁ ସ୍ଵାଭାବିକ କାର୍ଯ୍ୟ ହେବା କଥା, ସେଥିରେ କିଛି ବାଧା ସୃଷ୍ଟି ହୋଇଛି । ଉଦାହରଣ ସ୍ଵରୂପ ଦିନ ଭିତରେ ଆମେ ଯେତିକି ଖାଇବା ପିଇବା କଥା, ଯଦି ତା' ଠାରୁ ଅଧିକ ବା କମ୍‍ ଖାଇବା ଓ ପିଇବା, ଯେତିକି ପରିସ୍ରା କରିବା କଥା, ତା'ଠାରୁ ଅଧିକ ବା କମ୍ କରିବା, ଦେହର ଯେତିକି ତାପମାତ୍ରା ରହିବା କଥା, ଯଦି ତା'ଠାରୁ ଅଧିକ ବା କମ୍ ରହିବ, ତା'ହେଲେ ଆମେ ଜାଣିବା ଯେ, ସେହିସବୁ ନିର୍ଦ୍ଦିଷ୍ଟ ବିଭାଗରେ କିଛି ତ୍ରୁଟି ଘଟିଛି, ଯାହା ଫଳରେ ଏହିପରି ସବୁ ବିଭ୍ରାଟ ହେଉଛି । ସେତିକିବେଳେ ଆମେ ବୁଝୁ ଯେ, ଆମେ କିଛି ରୋଗରେ ପଡ଼ିଛୁ ଓ ତା'ର ପ୍ରତିକାର ପାଇଁ କିଛି କରିବାକୁ ହେବ । ଯେ ହେତୁ ଦେହ ଭିତରେ ସର୍ବଦା ବିଭିନ୍ନ ଜଟିଳ ଜୈବିକ କାର୍ଯ୍ୟ ସମାହିତ ହେଉଛି, କେତେବେଳେ କେମିତି କିଛି ନା କିଛି ବିଭ୍ରାଟ ବା ଅସ୍ଵାଭାବିକତା ପରିଲକ୍ଷିତ ହେବ ହିଁ ହେବ । ତେଣୁ ପ୍ରାଚୀନ ମୁନିଋଷି ଓ ଆୟୁର୍ବେଦାଚାର୍ଯ୍ୟମାନେ ''ଦେହ ଥିଲେ ରୋଗ ଅଛି” ବୋଲି ଯେଉଁ କଥାଟି କହି ଯାଇଛନ୍ତି, ତାହା ଆଦୌ ମିଛ ନୁହେଁ ।

 

ରୋଗର ଇତିହାସ

 

ମଣିଷର ଦେହ ସହିତ ରୋଗର ସଂପର୍କ ଏବେ ନିବିଡ଼ ଯେ, ରୋଗର ଇତିହାସ ଖୋଜିବାକୁ ହେଲେ ମଣିଷର ଇତିହାସ ଖୋଜିବାକୁ ପଡ଼ିଥାଏ । ଅର୍ଥାତ୍ ଯେବେଠାରୁ ଏହି ପୃଥ‌ିବୀରେ ମଣିଷର ସୃଷ୍ଟି ହେଲା, ସେହିଦିନଠାରୁ ପୃଥିବୀ ପୃଷ୍ଠରେ ରୋଗର ମଧ୍ୟ ସୃଷ୍ଟି ହେଲା। ଯେଉଁ ମହାପୁରୁଷମାନେ ଆଦାମ୍‌ଙ୍କୁ ପୃଥ‌ିବୀର ପ୍ରଥମ ମଣିଷ ବୋଲି ମତ ଦେଇଛନ୍ତି, ସେହିମାନେ କହିଛନ୍ତି ଯେ, ସେହି ପ୍ରଥମ ପୁରୁଷ ଜଣକ ହେଉଛି ପୃଥ‌ିବୀର ପ୍ରଥମ ରୋଗୀ ଓ ପ୍ରଥମ ଡାକ୍ତର । ପୁଣି ଯେଉଁ ବୈଜ୍ଞାନିକମାନେ ଡାରଉଇନ୍‌ଙ୍କ ବିବର୍ତ୍ତନବାଦକୁ ବିଶ୍ଵାସ କରି ମାଙ୍କଡ଼ ପରେ ମଣିଷର ସୃଷ୍ଟି ବୋଲି ମତ ଦେଇଛନ୍ତି, ସେମାନେ ମଧ୍ୟ କହିଛନ୍ତି ଯେ, ଯେଉଁଦିନ ପ୍ରଥମ ମଣିଷ ପୃଥିବୀରେ ପାଦ ଦେଲା, ତା'ର ଶରୀର ରକ୍ଷା ପାଇଁ ସେ ଉପାୟ ଅର୍ଜନ କରି ଆଣି ଆସିଥିଲା । ଗୋଟିଏ ଛୋଟିଆ ଉଦାହରଣ ଦେଲେ କଥାଟା ବୁଝିବାକୁ ସହଜ ହୋଇଯିବ । ପ୍ରଥମ ମଣିଷଟି ପୃଥିବୀରେ ପାଦ ଦେବା ପରେ ଚାଲୁଥିବା ଅବସ୍ଥାରେ କିମ୍ବା ଦୌଡ଼ିବା ଅବସ୍ଥାରେ ହୁଏତ କେଉଁଠି ଝୁଣ୍ଟି ପଡ଼ି ତା'ର ଗୋଡ଼ହାତ ଖଣ୍ଡିଆ ହୋଇ ଯାଇଥିବ ଏବଂ ସେହି ଖଣ୍ଡିଆକୁ ଭଲ କରିବା ପାଇଁ ହୁଏତ ସେ କିଛି ବାଲି ବା ମାଟିକୁ ଖଣ୍ଡିଆ ଜାଗାରେ ବୋଳି ଦେଇଥିବ କିମ୍ବା କୌଣସି ଗଛର ପତ୍ରକୁ ମକଚି ତା'ର ରସ ସେଠାରେ ଲଗାଇ ଦେଇଥିବ । ଏହାଦ୍ଵାରା ସେ ନିଶ୍ଚୟ କିଛି ଉପକାର ପାଇଥିବ ଏବଂ ପରେ ଯେତେବେଳେ ତା'ର ପୁଣି ସେମିତି ହୋଇଥବ, ପୂର୍ବ ଅଭିଜ୍ଞତାରୁ ସେ ସେହି ପନ୍ଥା ଅନୁସରଣ କରିଥିବ । ଠିକ୍ ସେମିତି ଦିନସାରା ବୁଲି ବୁଲି କ୍ଳାନ୍ତ ହୋଇ ମୁଣ୍ଡ ବ୍ୟଥା କଲେ, କିଛି ଦିନ ଖାଦ୍ୟ ନପାଇ ଦୁର୍ବଳ ହୋଇ ପଡ଼ିଲେ କିମ୍ବା ଖାଦ୍ୟ ନାମରେ ଅଖାଦ୍ୟ ଖାଇ ଝାଡ଼ା, ବାନ୍ତି, ପେଟ ଖରାପ ଆଦି ହେଲେ ତାକୁ ଭଲ କରିବା ପାଇଁ ସେ ଉପାୟ ଖୋଜିଥିବ । ସେହି  ଉପାୟ ଖୋଜି ଖୋଜି କୌଣସି ଗଛର ଫଳ, ଫୁଲ କିମ୍ବା ପତ୍ରକୁ ଖାଇ ସେ ଆରୋଗ୍ୟ ହୋଇଥିବ ଏବଂ ପରବର୍ତ୍ତୀ କାଳରେ ସେହି ନିର୍ଦ୍ଦିଷ୍ଟ କାରଣ ପାଇଁ ତାହା ବ୍ୟବହାର କରିଥିବ । ଏହିପରି ଭାବରେ ଦେହ ହାତ ଖଣ୍ଡିଆ ହୋଇଯିବା, ମକଚି ହୋଇଯିବା, ପେଟ ଖରାପ ହୋଇ ଝାଡ଼ାବାନ୍ତି ହେବା, ଖାଦ୍ୟାଭାବରୁ ଦେହ ଦୁର୍ବଳ ଲାଗିବା, ମୁଣ୍ଡ ବ୍ୟଥା ହେବା, ଦେହର ତାପମାତ୍ରା ବଢ଼ିଯିବା ପ୍ରଭୃତି ଗୋଟିଏ ଗୋଟିଏ ରୋଗ ବା ତା'ର ଲକ୍ଷଣ । ତେଣୁ ପୃଥ‌ିବୀରେ ମଣିଷ ସୃଷ୍ଟି ହେବା ଦିନଠାରୁ ତାକୁ ରୋଗ ଲାଗି ରହିଛି ବୋଲି କହିବାଟା କିଛି ଅତ୍ୟୁକ୍ତି ନୁହେଁ । ଏହି ଦୃଷ୍ଟିରୁ ରୋଗର ଇତିହାସ ଖୋଜିବା ଏ ବୃଥା ପ୍ରୟାସ ମାତ୍ର । କେତେକ ବିଜ୍ଞାନୀ କହନ୍ତି, ଜଣେ ନାରୀର ଫେସନ୍ ଯାହା, ଗୋଟିଏ ରୋଗର ଗତି ଓ ପ୍ରକୃତି ସେଇଆ । କାରଣ ନାରୀର ଫେସନ ଦିନକୁ ଦିନ ବଦଳିବା ପରି ଗୋଟିଏ ରୋଗର ଗତି ଓ ପ୍ରକୃତି ମଧ୍ୟ ବଦଳିବାରେ ଲାଗିଥାଏ ।  ଆଜିକୁ ପଚାଶ ବର୍ଷ ତଳେ ଗୋଟିଏ ରୋଗର ଗତି, ପ୍ରକୃତି ଓ କରାଳତା ଯେପରି ଥିଲା, ଆଜି ହୁଏତ ସେପରି ନାହିଁ କିମ୍ବା ଆଜିକୁ ପଚାଶ ବର୍ଷ ପରେ ତାହା ଏପରି ନ ଥିବ । ତେଣୁ ରୋଗର ଇତିହାସ ଅତି ପ୍ରାଚୀନ ହୋଇଥିଲେ ମଧ୍ୟ ତା'ର ପ୍ରକୃତି ପରିବର୍ତ୍ତନଶୀଳ । ପୁରାତନ କାଳରେ ଚିକିତ୍ସକମାନେ ମନେ କରୁଥିଲେ, ଜର, କାଶ ଆଦି ଗୋଟିଏ ଗୋଟିଏ ମାରାତ୍ମକ ରୋଗ, ତେଣୁ ଲୋକେ ଏଥିପାଇଁ ବିବ୍ରତ ହୋଇ ପଡ଼ୁଥିଲେ । କିନ୍ତୁ ଆଜିକାଲିକାର ଚିକିତ୍ସା ବିଜ୍ଞାନୀମାନେ ଜର, କାଶ ପ୍ରଭୃତିକୁ ରୋଗ ହିସାବରେ ଗଣୁ ନାହାନ୍ତି । ସେମାନଙ୍କ ମତରେ ଏଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ କୌଣସି ରୋଗ ନୁହେଁ, ବରଂ ବିଭିନ୍ନ ରୋଗର ଏହା ଗୋଟିଏ ଲେଖାଏଁ ଲକ୍ଷଣ । ଅଧିକାଂଶ ରୋଗରେ ଜର ହୁଏ, କାଶ ବି ହୁଏ । ତେଣୁ ଜର ବା କାଶକୁ ରୋଗ  ରୋଗ କହିବାର କୌଣସି ଯଥାର୍ଥତା ନାହିଁ । ଏହିପରି ଆହୁରି ଅନେକ ଉଦାହରଣ ମଧ୍ୟ ଦିଆଯାଇ ପାରେ । ତେଣୁ ରୋଗର ଇତିହାସ ସହିତ ଏହାର ପ୍ରକୃତି ଯେ ପରିବର୍ତ୍ତନଶୀଳ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ରୋଗ କହିଲେ କ’ଣ ବୁଝାଏ ?

(What does disease mean)

 

ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (W.H.O) ସ୍ୱାସ୍ଥ୍ୟର ଏକ ନିର୍ଭରଯୋଗ୍ୟ ସଂଜ୍ଞା ଦେଇଥିଲେ ମଧ୍ୟ ରୋଗ କହିଲେ ପ୍ରକୃତରେ କ'ଣ ବୁଝାଏ, ସେ ବିଷୟରେ କିଛି କହି ନାହାନ୍ତି । ତେବେ ଚିକିତ୍ସକମାନେ ରୋଗ ହେଲେ ଦେହ ଭିତରେ କ'ଣ ସବୁ ଘଟିଯାଏ, ତାହା ଲକ୍ଷ୍ୟ କରି ରୋଗ ବିଷୟରେ ଅନେକ କଥା କହିଛନ୍ତି । ସେମାନଙ୍କ ମତରେ, ଯେଉଁ ଅବସ୍ଥାରେ ସାଧାରଣ ସ୍ୱାସ୍ଥ୍ୟ ଉପରେ କିଛି ଆଞ୍ଚ ଆସେ ବା ଦେହର ସ୍ଵାଭାବିକ କାର୍ଯ୍ୟ କଳାପରେ ବ୍ୟାଘାତ ଘଟେ, ସେହି ଅବସ୍ଥାକୁ ହିଁ ରୋଗ ବୋଲି କୁହାଯାଏ । ସାଧାରଣ ମୁଣ୍ଡ ବ୍ୟଥା ଠାରୁ ଆରମ୍ଭ କରି କ୍ୟାନସର ଓ ଏଡ଼ସ୍ ରୋଗ ପର୍ଯ୍ୟନ୍ତ ସବୁ ଜାତୀୟ ରୋଗ ଏଥିରେ ଅନ୍ତର୍ଭୁକ୍ତ । ‘ଅକ୍‌ସ୍‌ଫୋର୍ଡ଼ ଇଂରାଜୀ ଅଭିଧାନ'ର ଅର୍ଥ ଅନୁଯାୟୀ ଦେହର ବା ଏହାର କୌଣସି ଅଂଶର ଯେ କୌଣସି ପ୍ରକାରର ଅସ୍ଵାଭାବିକତାକୁ ହିଁ ରୋଗ ବୋଲି କୁହାଯାଏ । ଓଡ଼ିଆ ‘ତରୁଣ ଶବ୍ଦକୋଷ’ ଅନୁସାରେ ଦେହର ଯେ କୌଣସି ପୀଡ଼ା ହିଁ ରୋଗ ନାମରେ ପରିଚିତ । ପୁଣି କେତେକଙ୍କ ମତରେ ପରିବେଶ ସହିତ ନିଜକୁ ଖାପ ଖୁଆଇ ନ ପାରିଲେ ଯେଉଁ ଅବସ୍ଥା ହୁଏ, ତାହା ହିଁ ହେଉଛି ରୋଗ । ଏମିତି ରୋଗର ସଂଜ୍ଞା ଦେବାକୁ ଯାଇ ଅନେକ ବ୍ୟକ୍ତି ନାନା ପ୍ରକାର କଥା କହିଛନ୍ତି, କିନ୍ତୁ କୌଣସି ଗୋଟିଏ ସଂଜ୍ଞା ଯେ ସଂପୂର୍ଣ୍ଣ ନୁହେଁ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । କାରଣ ରୋଗ ଦେହର ଏକ ସ୍ଥିର ଅବସ୍ଥା ନୁହେଁ । ଏହା ଦେହର ଏକ ଗତିଶୀଳ ଅବସ୍ଥା । ପ୍ରକୃତରେ ଦେହକୁ କେତେବେଳେ ରୋଗ ଆକ୍ରମଣ କରେ, ତାହା ଆମେ ଜାଣି ପାରୁ ନାହିଁ ।  ଦେହର କିଛି ପୀଡ଼ା ହେଲେ କିମ୍ବା ଆଉ କୌଣସି ଲକ୍ଷଣ ପ୍ରକାଶ ପାଇଲେ ଆମେ ରୋଗ ହୋଇଛି ବୋଲି ଭାବୁ ଓ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସାର ବ୍ୟବସ୍ଥା କରୁ । କିନ୍ତୁ ପ୍ରକୃତରେ ରୋଗ ଯେ ତା'ର ବହୁ ପୂର୍ବରୁ ଆକ୍ରମଣ କରିଥାଏ, ସେ କଥା ଆମେ ଜାଣି ପାରୁ ନାହିଁ । ଦେହରେ ରୋଗ ଥାଇ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ନ ପାଇଲେ ଆମେ ତାକୁ ରୋଗ ବୋଲି ଭାବୁ ନାହିଁ । ଠିକ୍ ସେମିତି ଗୋଟିଏ ଦୁଇଟି ଔଷଧ ଖାଇ ଦେଇ ପୀଡ଼ା ବା ଲକ୍ଷଣରୁ ମୁକ୍ତି ପାଇଗଲେ ଶରୀରରୁ ଯେ ରୋଗ ଚାଲିଯାଏ, ତାହା ମଧ୍ୟ ଠିକ୍‌ ନୁହେଁ । କାରଣ ଗୋଟିଏ ରୋଗ ଦେହରେ ଯେଉଁ ସବୁ ଅବସ୍ଥା ଦେଇ ଗତି କରିବା କଥା, ସେହିପରି ଭାବରେ ହିଁ ଗତି କରିଥାଏ । ଏହାର ପରିଣତି ଆରୋଗ୍ୟରେ ହୋଇପାରେ, ମୃତ୍ୟୁରେ ହୋଇପାରେ କିମ୍ବା କୌଣସି ଆଙ୍ଗିକ ବା ମାନସିକ ବିକୃତିରେ ବି ହୋଇପାରେ । ଏ ବିଷୟରେ ପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଏହି ଦୃଷ୍ଟିରୁ ରୋଗର ପ୍ରକୃତ ବା ଆକ୍ଷରିକ ସଂଜ୍ଞା ଦେବା ଏତେ ସହଜ ନୁହେଁ।

 

ରୋଗ କେମିତି ହୁଏ ?

(How Disease Occurs)

 

ରୋଗର ସଂଜ୍ଞା ଯାହା ହୋଇଥାଉ ନା କାହିଁକି, ରୋଗ କେମିତି ହୁଏ, ସେ ବିଷୟରେ ଖୁବ୍ ସ୍ପଷ୍ଟ ଭାବରେ କୁହାଯାଇଅଛି । ଅବଶ୍ୟ ଏଥିପାଇଁ ବହୁ ମତବାଦ ବା ତତ୍ତ୍ଵକୁ ବିଚାରକୁ ନିଆଯାଇଛି । ପ୍ରତ୍ୟେକକୁ ତନ୍ନ ତନ୍ନ କରି ପରୀକ୍ଷା କରି କେତେକକୁ ବାଦ ଦିଆଯାଇଛି ଓ ଆଉ କେତେକକୁ ଗ୍ରହଣ କରି ନିଆଯାଇଛି । ସେହି ମତବାଦଗୁଡ଼ିକ ହେଲା:- (୧) ପ୍ରାଚୀନ ମତବାଦ, (୨) ଜୀବାଣୁ ତତ୍ତ୍ଵ, (୩) ତ୍ରୟ ମତବାଦ ଓ ତ୍ରିଶକ୍ତି ମତବାଦ ଏବଂ (୪) ବହୁ ଉପାଦାନ ବିଶିଷ୍ଟ ମତବାଦ ଇତ୍ୟାଦି ।

 

(୧) ପ୍ରାଚୀନ ମତବାଦ – (Old Conception):-

 

ରୋଗ କେମିତି ହୁଏ– ସେ ବିଷୟରେ ପ୍ରାଚୀନ ଯୁଗର ଲୋକମାନଙ୍କର ବିଚିତ୍ର ଧାରଣା ସବୁ ରହିଥିଲା । ଅବଶ୍ୟ ପ୍ରାଗ୍ ଐତିହାସିକ ଯୁଗର ମଣିଷ ରୋଗ ବିଷୟରେ କିଛି ହେଲେ ହେଲେ ଧାରଣା କରି ପାରୁ ନ ଥିଲା । କିନ୍ତୁ ଆସ୍ତେ ଆସ୍ତେ ଲୋକଙ୍କ ମନରେ କେମିତି ଗୋଟାଏ ଏ ବିଶ୍ଵାସ ଜନ୍ମିଲା ଯେ, କୌଣସି ଦୁଷ୍ଟ ଶକ୍ତିର ପ୍ରଭାବରେ ହିଁ ଦେହରେ ରୋଗ ହୋଇ  ଥାଏ । ଏହି ଶକ୍ତିକୁ ସେମାନେ କୌଣସି ଅସୁର କିମ୍ବା ପ୍ରେତାତ୍ମାର କୋପ ବୋଲି ମନେ କରୁଥିଲେ । ପୁଣି କେତେକ କହୁଥିଲେ, କେବଳ ଭୂତ, ପ୍ରେତ ବା ଅସୁରଙ୍କ କୋପରୁ ରୋଗ ହୁଏ ନାହିଁ । ଦେବତାଙ୍କ କୋପ ଓ ଅଭିଶାପରୁ ମଧ୍ୟ ରୋଗ ହୋଇଥାଏ । ଅବଶ୍ୟ ପ୍ରାଚୀନ ପୁରାଣ ଶାସ୍ତ୍ରମାନଙ୍କରେ ଏହି ବିଷୟରେ ବହୁ ପ୍ରମାଣ ରହିଛି । ଆମର ସ୍କନ୍ଦ ପୁରାଣରେ ଅଛି, ସୂର୍ଯ୍ୟଙ୍କ ପୁଅ ଯମ ତାଙ୍କ ବିମାତା ଛାୟାଙ୍କ ଦ୍ଵାରା ଲାଞ୍ଚିତ ହୋଇ ଯେତେବେଳେ ସୂର୍ଯ୍ୟଙ୍କ ଆଗରେ ବିମାତାଙ୍କ ବିରୋଧରେ ଅଭିଯୋଗ କଲେ, ଛାୟା ସେ କଥା ଜାଣିପାରି ଯମଙ୍କୁ ଚିରରୋଗୀ ହେବାପାଇଁ ଅଭିଶାପ ଦେଲେ-। ଫଳରେ ଯମଙ୍କର ଗୋଟିଏ ଗୋଡ଼ ଗୋଦର ହୋଇଗଲା ଓ ସେଥିରେ ପୂଯ ରକ୍ତ ସୃଷ୍ଟି ହୋଇ ସବୁବେଳ ପାଇଁ ଭଣ ଭଣ ସଣ ସଣ ହେଲା । ଠିକ୍ ସେମିତି କୃଷ୍ଣଙ୍କ ପୁଅ ଶାମ୍ବ ମଧ୍ୟ ଶାପଗ୍ରସ୍ତ ହୋଇ କୁଷ୍ଠରୋଗ ଭୋଗୁଥିଲେ ବୋଲି ପୁରାଣରେ ପ୍ରମାଣ ରହିଛି । ତେଣୁ ଏହିସବୁ ପୁରାଣକୁ ଯେଉଁମାନେ ବିଶ୍ଵାସ କରନ୍ତି, ସେମାନେ ଦେବତାଙ୍କ ଅଭିଶାପରୁ ରୋଗ ହୁଏ ବୋଲି କହିବାରେ କୌଣସି ବିଚିତ୍ରତା ନାହିଁ I

 

ଏହାଛଡ଼ା ରୋଗ ବିଷୟରେ କେତେକ ଅନ୍ଧ ବିଶ୍ଵାସ ମଧ୍ୟ ଲୋକମାନଙ୍କ ମନରେ ରହି ଆସିଛି । କେତେକ ରୋଗକୁ ସେମାନେ ରୋଗ ବୋଲି ନଭାବି ଦେବ ଦେବୀ ପ୍ରକଟ ହୋଇଛନ୍ତି ବୋଲି ଭାବିଥାନ୍ତି । ହଇଜା, ବସନ୍ତ, ହାଡ଼ଫୁଟି, ମିଳିମିଳା ପ୍ରଭୃତି ରୋଗକୁ ଠାକୁରାଣୀ ବୋଲି ଭାବି ତା'ର ଉପଯୁକ୍ତ ଚିକିତ୍ସା ନ କରି ଧୂପ, ଦୀପ, ପଣା, ପାଣି ଆଦିର ବ୍ୟବସ୍ଥା କରନ୍ତି । ଆଜି ପର୍ଯ୍ୟନ୍ତ ବି କେତେକ ଅଞ୍ଚଳରେ ଏହିପରି ପ୍ରଥା ପ୍ରଚଳିତ ହେବାର ଦେଖାଯାଇଥାଏ । ସେଥିପାଇଁ  ହଇଜା ରୋଗକୁ ବାଡ଼ି, ବୁଢ଼ୀ, ଯୋଗିନୀ ଏବଂ ବସନ୍ତ, ହାଡ଼ଫୁଟି, ମିଳିମିଳା ଆଦିକୁ ଶୀତଳା ଠାକୁରାଣୀ ବୋଲି ନାଁ ଦିଆଯାଇଥାଏ । ପୁଣି କିଛି ପାପ କାର୍ଯ୍ୟ କଲେ କୁଷ୍ଠରୋଗ ହୁଏ ବୋଲି ଏବେ ମଧ୍ୟ ଲୋକେ ବିଶ୍ଵାସ କରୁଛନ୍ତି । ରୋଗର କାରଣ ସଂପର୍କରେ ପୃଥ‌ିବୀର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ଭିନ୍ନ ଭିନ୍ନ ମତବାଦ ରହିଛି । ପ୍ରାଚୀନ ମିଶରବାସୀ ବିଶ୍ଵାସ କରୁଥିଲେ ଯେ, ପେଟ ଭିତରୁ କେତେକ ବିଷାକ୍ତ ପଦାର୍ଥ ଶରୀରକୁ ଭେଦିଯିବା ଦ୍ଵାରା ରୋଗ ସୃଷ୍ଟି ହୋଇଥାଏ । ସେମାନଙ୍କ ମତରେ ଏହି ବିଷାକ୍ତ ପଦାର୍ଥ ରକ୍ତକୁ ଦୂଷିତ କରି ଦେଇ ରୋଗ ଜନ୍ମାଇଥାଏ । ତେଣୁ ସେମାନେ ଏହି ବିଷାକ୍ତ ଦ୍ରବ୍ୟକୁ ଶରୀରରୁ ବାହାର କରିଦେବା ପାଇଁ ରୋଗୀକୁ କିଛି ନା କିଛି ଔଷଧ ଖୁଆଇ ଗୁଡ଼ାଏ ଝାଡ଼ା ବା ପରିସ୍ରା କରାଇ ପକାଉଥିଲେ କିମ୍ବା ଦେହର କୌଣସି ଅଂଶକୁ କାଟି ଗୁଡ଼ାଏ ରକ୍ତସ୍ରାବ କରାଇ ଦେଉଥିଲେ । ପ୍ରାଚୀନ ଭାରତର ଲୋକମାନଙ୍କର ଧାରଣା ଥିଲା ଯେ, ସାଧାରଣତଃ ତିନିଟି ଦୋଷ ଯୋଗୁଁ ଦେହରେ ରୋଗ ସୃଷ୍ଟି ହୋଇଥାଏ । ସେମାନେ ଏହାକୁ ‘ତ୍ରିଦୋଷ’ ବୋଲି ନାମ ଦେଇଥିଲେ । ଏହି ଦୋଷଗୁଡ଼ିକ ହେଲା ବାତ, ପିତ୍ତ ଓ କଫ । ସେମାନଙ୍କ ମତରେ ଯେତେବେଳେ ଏହି ତିନୋଟିଯାକ ଜିନିଷ ଶରୀର ଭିତରେ ସମ ପରିମାଣରେ ରହିଥାଏ ଓ ସ୍ଵାଭାବିକ ଭାବରେ କାର୍ଯ୍ୟ କରୁଥାଏ, ସେତେବେଳେ ଶରୀର ସୁସ୍ଥ ଥାଏ । ଯେତେବେଳେ ଏହାର ପରିମାଣରେ ଅସମତା ଦେଖାଦିଏ ଓ କୌଣସିଟି ତା'ର ସ୍ଵାଭାବିକ କାର୍ଯ୍ୟ କରିବାପାଇଁ ଅକ୍ଷମ ହୁଏ, ସେତେବେଳେ ଦେହକୁ ରୋଗ ଆକ୍ରମଣ କରେ । ସେହି ଦୋଷଗୁଡ଼ିକର ନାମ ଅନୁସାରେ ସେମାନେ ରୋଗକୁ ବାତରୋଗ, ପିତ୍ତରୋଗ ବା କଫ ରୋଗ ବୋଲି ନାମ ଦେଉଥିଲେ । ଏହା କେବଳ ପ୍ରାଚୀନ ମତବାଦ ନୁହେଁ, ଆଜିକାଲି ମଧ୍ୟ ସବୁ ବଇଦ କବିରାଜ ଏହି ମତବାଦ ଉପରେ ବିଶ୍ଵାସ କରି ରୋଗ ଚିକିତ୍ସା କରୁଥିବାର ଦେଖାଯାଏ ।

 

ଭାରତ ପରି ଗ୍ରୀସ୍‌ରେ ମଧ୍ୟ ଲୋକମାନେ ତ୍ରିଦୋଷ ଉପରେ ଗୁରୁତ୍ୱ ଦେଉଥିଲେ । ସେମାନେ ଏହି ତ୍ରିଦୋଷକୁ ଅଲଗା ପ୍ରକାର ନାମ କରଣ କରିଥିଲେ । ସେମାନଙ୍କ ମତରେ ରୋଗ ସୃଷ୍ଟି ପାଇଁ ରକ୍ତ, ବୀର୍ଯ୍ୟ  ଓ ପିତ୍ତ– ଏହି ତିନୋଟି ହିଁ ମୁଖ୍ୟତଃ ଦାୟୀ ହୋଇଥାଏ । ଏହି ତିନିଟି ଭିତର ସମତା ରହୁଥିଲେ ଶରୀରକୁ ରୋଗ ଛୁଇଁ ପାରେ ନାହିଁ । କିନ୍ତୁ ପରବର୍ତ୍ତୀ କାଳରେ ଗ୍ରୀସ୍‌ରେ ରୋଗ ଉପରେ ଆହୁରି ଅଧିକ ଚର୍ଚ୍ଚା ଚାଲିଲା । ବହୁ ତର୍ଜମା ପରେ ସେମାନେ ପୁଣି ମତ ଦେଲେ ଯେ, ମଣିଷର ଦେହ ବିଶେଷ କରି ଖାଦ୍ୟ, ଜଳ ଓ ବାୟୁ ଉପରେ ନିର୍ଭର କରୁଥିବାରୁ ଏହା ଯଦି ଅଭାବ ହୁଏ ବା ଦୂଷିତ ହୁଏ, ତାହେଲେ ମଣିଷକୁ ରୋଗ ହୁଏ । ଅବଶ୍ୟ ଆଜିର ଚିକିତ୍ସାବିଜ୍ଞାନୀ ମଧ୍ୟ ଏହି କଥାରେ ଏକମତ ହୋଇଛନ୍ତି । ଏଠାରେ କହିବା ବାହୁଲ୍ୟ ଯେ, ଆଧୁନିକ ଚିକିତ୍ସା ବିଜ୍ଞାନ ଗ୍ରୀସ୍‌ରୁ ହିଁ ଜନ୍ମଲାଭ କରିଛି ସେହି ଦେଶର ବିଶିଷ୍ଟ ଚିକିତ୍ସକ ହିପୋକ୍ରେଟସ୍‌ଙ୍କୁ (୪୬୦-୩୭୦ ଖ୍ରୀ.ପୂ.) ଆଧୁନିକ ଚିକିତ୍ସା ବିଜ୍ଞାନର ଜନ୍ମଦାତା ବୋଲି ଆଖ୍ୟା ଦିଆଯାଇଛି ।

ସେ ଯାହା ହେଉ ଚିକିତ୍ସା ବିଜ୍ଞାନର ଦ୍ରୁତ ଉନ୍ନତି ଫଳରେ ରୋଗ ସମ୍ବନ୍ଧୀୟ ବହୁ ପ୍ରାଚୀନ ମତବାଦକୁ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇ ଗ୍ରହଣ କରାଯାଇ ନାହିଁ । ତା ସ୍ଥାନରେ ଆହୁରି ବହୁ ନୂତନ ମତବାଦ ସବୁକୁ ସ୍ଥାନିତ କରାଯାଇଛି ଓ ତାହାକୁ ଭିତ୍ତି କରି ରୋଗ ସମ୍ବନ୍ଧୀୟ ଚର୍ଚ୍ଚା ଚାଲିଛି ।

 

(୨) ଜୀବାଣୁ ତତ୍ତ୍ଵ- (Germ Theory):-

 

୧୮୬୦ ମସିହା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ରୋଗସୃଷ୍ଟିର କାରଣ ହିସାବରେ ପ୍ରାଚୀନ ମତବାଦଗୁଡ଼ିକ ଉପରେ ହିଁ ଗୁରୁତ୍ୱ ଦେଇଥିଲେ । କିନ୍ତୁ ୧୮୬୦ ମସିହାରେ ଲୁଇ ପାଶ୍ଚର (୧୮୨୨-୧୮୯୫) ନାମକ ଜଣେ ଫରାସୀ ଭେଷଜବିତ୍ ନିଜର ଗବେଷଣା ବଳରେ ବାୟୁ ମଣ୍ଡଳରେ କେତେକ ଅଣୁଜୀବମାନଙ୍କର ସଂଧାନ ପାଇଲେ । ତା'ରି ଉପରେ ଆହୁରି ଗବେଷଣା କରି ସେ ଦେଖିଲେ ଯେ, ଏହି ଅଣୁଜୀବଗୁଡ଼ିକ ହିଁ ମଣିଷ ଦେହରେ ରୋଗ ସୃଷ୍ଟି କରିବା ପାଇଁ ଦାୟୀ । ଏହାକୁ ଭିରି କରି ଓ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରି ସେ ଏହାର ସତ୍ୟତା ପ୍ରତିପାଦନ କଲେ ଏବଂ ରୋଗ ସୃଷ୍ଟି ସମ୍ବନ୍ଧୀୟ ସମସ୍ତ ପ୍ରାଚୀନ ମତବାଦକୁ ଅଗ୍ରାହ୍ୟ କରି ୧୮୭୩ ମସିହାରେ ପୃଥିବୀବାସୀଙ୍କ ଆଗରେ ଜୀବାଣୁ ତତ୍ତ୍ଵ ବା ଜୀବାଣୁ ମତବାଦର ଉତ୍‌ଥାପନ କଲେ ।

 

ଏହି ମତବାଦ ଅନୁଯାୟୀ କୌଣସି ଏକ ଜୀବାଣୁ ବା ଅଣୁଜୀବ ଦ୍ଵାରା ହିଁ ଦେହରେ ରୋଗ ସୃଷ୍ଟି ହୋଇଥାଏ । ଯେଉଁ ଜୀବାଣୁ ଦ୍ଵାରା ରୋଗ ସୃଷ୍ଟି ହୁଏ, ତାହାକୁ ରୋଗ ଜୀବାଣୁ ବୋଲି କୁହାଯାଏ । ଏହି ରୋଗ ଜୀବାଣୁ ଯେତେବେଳେ ସୁସ୍ଥ ଲୋକ ଦେହରେ ପ୍ରବେଶ କରେ ଓ ବଂଶବୃଦ୍ଧି କରି ନିଜର ପ୍ରଭାବ ବିସ୍ତାର କରେ, ସେତେବେଳେ ତାକୁ ରୋଗ ହୋଇଥାଏ ।

 

ଅବଶ୍ୟ ବହୁଦିନ ପର୍ଯ୍ୟନ୍ତ ଏହି ମତବାଦକୁ ରୋଗ ସୃଷ୍ଟିର ଏକମାତ୍ର କାରଣ ରୂପେ ପରିଗଣନା କରାଯାଉଥିଲା । କିନ୍ତୁ ଏହି ମତବାଦ ବେଶିଦିନ ତିଷ୍ଠି ରହି ପାରିଲା ନାହିଁ । ଏହା ଉପରେ ବିତର୍କ ସୃଷ୍ଟି ହେଲା ଓ କେତେକ ଲୋକ ଏହାର ବିରୋଧ କଲେ । ସେମାନେ କହିଲେ ଯେ, ଆମ ଚାରି ଦିଗରେ ତ ସଦାସର୍ବଦା ନିୟୁତ ନିୟୁତ ସଂଖ୍ୟାର ରୋଗ ଜୀବାଣୁ ଘେରି ରହିଛନ୍ତି ଓ ପ୍ରତି ମୁହୂର୍ତ୍ତରେ ଆମ ଦେହରେ ପ୍ରବେଶ କରୁଛନ୍ତି । ତା'ହେଲେ ଆମ ସମସ୍ତଙ୍କୁ ରୋଗ ନ ହୋଇ କେବଳ କେତେକ ଲୋକଙ୍କୁ ହେଉଛି କାହିଁକି ? ଏହାର ଉତ୍ତରରେ ସେମାନେ କହିଲେ ସେ, ଆମ ଦେହ ଭିତରେ ପ୍ରତିରକ୍ଷା ଶକ୍ତି (immune system) ବୋଲି ଏକ ଶକ୍ତି ରହିଛି । ଯଦି କୌଣସି ରୋଗ ଜୀବାଣୁ ଆମ ଦେହରେ ପ୍ରବେଶ କରେ, ତା'ହେଲେ ଏହି ପ୍ରତିରକ୍ଷା ଶକ୍ତି ତାହା ସହିତ ସଂଘର୍ଷ କରି ତାହାକୁ ପରାଜିତ କରିବାକୁ କିମ୍ବା ମାରିଦେବାକୁ ଚେଷ୍ଟା କରେ । ଏହି ସଂଘର୍ଷରେ ରୋଗଜୀବାଣୁ ପରାଜିତ ବା ମୃତ ହେଲେ ଆମ ଦେହର କିଛି ଅସୁବିଧା ହୁଏ ନାହିଁ । କିନ୍ତୁ ରୋଗ ଜୀବାଣୁ ଅଧିକ ଶକ୍ତିଶାଳୀ ହୋଇ ପ୍ରତିରକ୍ଷା ଶକ୍ତିକୁ ପରାସ୍ତ କରିଦେଲେ ଆମେ ରୋଗ ଜୀବାଣୁ କବଳରେ ପଡ଼ିଯାଉ । ସେତେବେଳେ ଆମକୁ ଯାଇ ରୋଗହୁଏ । ଏହି ଦୃଷ୍ଟିରୁ ସବୁ ରୋଗର ସୃଷ୍ଟି ପାଇଁ ଜୀବାଣୁ ତତ୍ତ୍ୱକୁ କାରଣ ରୂପେ ନିଆଯିବା ଯୁକ୍ତିଯୁକ୍ତ ହେଲା ନାହିଁ । କାରଣ ଦେହକୁ ରୋଗଜୀବାଣୁ ପ୍ରବେଶ କଲେ ମଧ୍ୟ ସମସ୍ତଙ୍କୁ ରୋଗ ହେଲା ନାହିଁ ।

 

(୩) ତ୍ରୟ ମତବାଦ ବା ତ୍ରିଶକ୍ତି ମତବାଦ - Epidemiological triad):-

 

ତା'ପରେ ରୋଗସୃଷ୍ଟି ପାଇଁ ଯାହାକୁ କାରଣ ରୂପେ ଦାୟୀ କରାଗଲା, ତାହା ଗୋଟିଏ ଜିନିଷକୁ ନୁହେଁ, ବରଂ ତିନୋଟି ଜିନିଷକୁ ନେଇ ବିଚାର କରାଗଲା । ସେଥୁରୁ ଗୋଟିଏ ହେଲା ରୋଗ ସୃଷ୍ଟିକାରୀ ଶକ୍ତି ବା କାରକ (Agent), ଦ୍ଵିତୀୟଟି ହେଲା ଦେହ ବା  ଚର୍ଚ୍ଚକ (Host) ଓ ତୃତୀୟଟି ହେଲା ପରିବେଶ (Environment) ଏହି ମତବାଦକୁ ‘ତ୍ରୟ ମତବାଦ’ବା ‘ତ୍ରିଶକ୍ତି ମତବାଦ' (Epidemiological triad) ବୋଲି କୁହାଗଲା । ଏହି ତିନୋଟିଯାକ ଜିନିଷର ଆପୋଷ ମିଳାମିଶା ଭିତରେ ହିଁ ରୋଗ ସୃଷ୍ଟି ହୋଇଥାଏ । ଗୋଟିଏ ଛୋଟିଆ ଉଦାହରଣ ଦେଲେ କ‌ଥାଟା ସହଜରେ ବୁଝି ହୋଇଯିବ ।

ଧରାଯାଉ ଆମ ଘରକୁ ଏକ ନିର୍ଦ୍ଦିଷ୍ଟ ଦିନ ଜଣେ ବନ୍ଧୁ ଆସିବାର ଅଛି । ସେହି ଦିନଟିକୁ ଆଖି ଆଗରେ ରଖି ଆମେ ସବୁ ପ୍ରସ୍ତୁତ ହୋଇଗଲୁ । ଘର ଦ୍ଵାର ସଫା ସୁତୁରା କଲୁ । ବଂଧୁଙ୍କ ପାଇଁ ଭଲ ଖାଦ୍ୟପେୟର ବ୍ୟବସ୍ଥା କଲୁ । ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ସମୟରେ ବଂଧୁ ଆସି ପହଞ୍ଚିଲେ । ଆମେ ଦ୍ଵାର ମୁହଁରୁ ତାଙ୍କୁ ସ୍ଵାଗତ କରି ପାଛୋଟି ନେଲୁ । ଭଲ ଭାବରେ ତାଙ୍କର ସତ୍କାର କଲୁ । ତାଙ୍କ ସହିତ ମଧୁର ଆଳାପ କଲୁ । ଭଲ ଖାଦ୍ୟ ଖାଇବାକୁ ଦେଇ ତାଙ୍କୁ ଆପ୍ୟାୟିତ କଲୁ ।

ଆମ ଘରର ରୀତିନୀତି ଓ ବ୍ୟବହାରରେ ମୁଗ୍ଧ ହୋଇ ବଂଧୁ ଦୁଇ ଦିନ ପାଇଁ ଆସିଥିଲେ ମଧ୍ୟ ମାସେ ପର୍ଯ୍ୟନ୍ତ ରହିଗଲେ । ଏତେ ଦିନ ଧରି ବନ୍ଧୁ ସତ୍କାର କରି କରି ଆମେ ହାଲିଆ ହୋଇ ପଡ଼ିଲୁ । ଆମ ଘରର ଆର୍ଥିକ ଅବସ୍ଥା ମଧ୍ୟ ପ୍ରତିକୂଳ ହେଲା । ଶେଷକୁ ଏଭଳି ଅବସ୍ଥା ହେଲା, ମୁହଁରେ କିଛି କହି ହେଲା ନାହିଁ, ଅଥଚ ବଂଧୁ କେମିତି ଯିବେ, ସେ ବିଷୟରେ ନିରୋଳାରେ ଚିନ୍ତା କରିବାକୁ ଲାଗିଲୁ । ଶୁଭେଚ୍ଛୁମାନଙ୍କ ପରାମର୍ଶରେ ଏଭଳି ବ୍ୟବସ୍ଥା ଗ୍ରହଣ କଲୁ, ଶେଷରେ ବଂଧୁ ପଳେଇ ଯିବା ପାଇଁ ବାଧ୍ୟ ହେଲେ । ଆମେ ଆଶ୍ୱସ୍ତ ହେଲୁ ।

 

ଦେହରେ ରୋଗର ଅବସ୍ଥା ମଧ୍ୟ ଠିକ୍ ସେହିପରି । ରୋଗ କାରକ ହେଲା ଆମର ବଂଧୁ, ଆମ ଦେହ ହେଲା ଚର୍ଚ୍ଚକ ବା ଘର । ଘରର ରୀତିନୀତି ପରି ଆମର ପାରିପାର୍ଶ୍ୱିକୀ ହେଲା ପରିବେଶ । ଆମେ ଅତିଥିକୁ ସ୍ୱାଗତ କରିବା ପରି ଦେହରେ ସାମାନ୍ୟ ଟିକେ ସୁବିଧା ପାଇଲେ ରୋଗ-କାରକ ଦେହ ଭିତରକୁ ପ୍ରବେଶ କରିଥାଏ । ଏହି ସୁବିଧା ହେଲା ଖାଦ୍ୟ, ଜଳ, ବାୟୁ, ମୃତ୍ତିକା ଭଳି ମାଧ୍ୟମ । ଦେହରେ ପ୍ରବେଶ କରିବା ପରେ ଦେହ କେତେକ କ୍ଷେତ୍ରରେ ତାକୁ ସ୍ଵାଗତ କରେ, କେତେକ କ୍ଷେତ୍ରରେ ବିରୋଧ ମଧ୍ୟ କରେ । କିନ୍ତୁ ଥରେ ପଶିବା ପରେ ଏହି ଶକ୍ତି ସହଜରେ ବାହାରିବା ପାଇଁ ମନ କରେ ନାହିଁ । ଦେହ ଭିତରର ଅନୁକୂଳ ପରିବେଶରେ ଏହା ବିଭିନ୍ନ କୋଷ, ତନ୍ତୁ ଓ ଅଙ୍ଗକୁ ଆକ୍ରମଣ କରେ ଓ ସେମାନଙ୍କ ସ୍ଵାଭାବିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରେ । ଏହି ବ୍ୟାଘାତ ଯେତେ ବଢ଼ି ବଢ଼ି ଚାଲେ, ରୋଗ ସେତେ କରାଳ ଆକାର ଧାରଣ କରେ-। ସେତେବେଳେ ଯାଇ ଆମେ ଡାକ୍ତରଙ୍କ ପରାମର୍ଶ କରୁ । ଶୁଭେଛୁ, ଭଳି ଡାକ୍ତର ରୋଗକୁ ଚିହ୍ନି ଆମକୁ ଔଷଧ ଦିଅନ୍ତି । ଔଷଧ ବ୍ୟବହାର କରିବା ଦ୍ଵାରା ସେହି ଶକ୍ତି ନଷ୍ଟ ହୋଇଯାଏ ଓ ଆମେ ରୋଗମୁକ୍ତ ହେଉ ।

 

ତେଣୁ ଏଥିରୁ ଜଣାଗଲା ଯେ, ଗୋଟିଏ ବାହ୍ୟ ଶକ୍ତି ବା କାରକ, ଦେହ ବା ଚର୍ଚ୍ଚକ ଓ ଅନୁକୂଳ ପରିବେଶ ହିଁ ରୋଗସୃଷ୍ଟି ପାଇଁ ଦାୟୀ ହୋଇଥାଏ । ଦେହ ରୋଗ ସୃଷ୍ଟିକାରୀ ଶକ୍ତିକୁ ଭିତରେ ପ୍ରବେଶ କରିବାପାଇଁ ସୁବିଧା ଦେଇଥାଏ ଓ ତାହା ଦେହକୁ ଆକ୍ରମଣ କରିବା ପାଇଁ ଅନୁକୂଳ ବାତାବରଣ ଦାୟୀ ହୋଇଥାଏ ।

 

ରୋଗସୃଷ୍ଟିକାରୀ ଶକ୍ତି ବା :- (Agent):-

 

ଆମ ଦେହରେ ରୋଗ ସୃଷ୍ଟି କରିବାର ପ୍ରଥମ ପାହାଚ ହେଲା ରୋଗ ସୃଷ୍ଟିକାରୀ ଶକ୍ତି ବା କାରକ । ଏହି କାରକର ସଂଜ୍ଞା ନିରୂପଣ କରି କଠିନ । ଶରୀର ଭିତରେ ପ୍ରବେଶ କରି ଯେ ଶରୀରର ବିଭିନ୍ନ ସ୍ଵାଭାବିକ କ୍ରିୟାରେ ବାଧା ସୃଷ୍ଟି କରିଥାଏ, ତାହା ହିଁ କାରକ  ନାମରେ ଅଭିହିତ । ଏହା କୌଣସି ଜୀବିତ ବା ଜଡ଼ ବସ୍ତୁ ହୋଇପାରେ କିମ୍ବା କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ବଳ ମଧ୍ୟ ହୋଇପାରେ । ସେହିପରି କୌଣସି ଜିନିଷ ଅଧିକ ହୋଇଗଲେ କିମ୍ବା ଅପେକ୍ଷାକୃତ କମ ହୋଇଗଲେ ଯଦି ଦେହରେ ରୋଗର ଧାରା ବା ଗତି ଆରମ୍ଭ ହୋଇଯାଏ ତାହାକୁ ମଧ୍ୟ କାରକ ବୋଲି କୁହାଯାଇଥାଏ । ଦେହରେ କୌଣସ ରୋଗ ସୃଷ୍ଟି କରିବା ପାଇଁ କାରକର ସଂଖ୍ୟା ଗୋଟିଏ ହୋଇପାରେ, ଦୁଇଟି ହୋଇପାରେ କିମ୍ବା ଅନେକ ମଧ୍ୟ ହୋଇପାରେ । ତେବେ ଏଥିପାଇଁ ଯେତେଗୁଡ଼ିଏ କାରକକୁ ଚିହ୍ନଟ କରାଯାଇଛି, ସେଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇ ଥାଏ । ତାହା ହେଲା– ଅନ୍ତଃକାରକ (Intrinsic factors) ଓ ବାହ୍ୟକାରକ (Extrinsic factors).

 

୧. ଅନ୍ତଃକାରକ (Intrinsic factors):-

 

ଯେଉଁ କାରକଗୁଡ଼ିକ ଦ୍ଵାରା ସାଧାରଣତଃ ଶରୀରର ବିଭିନ୍ନ ଅଙ୍ଗର କାର୍ଯ୍ୟକଳାପରେ ବ୍ୟାଘାତ ସୃଷ୍ଟି ହୋଇଥାଏ, ତାହାକୁ ଅନ୍ତଃକାରକ ବୋଲି କୁହାଯାଏ । ଏଗୁଡ଼ିକର ପ୍ରଭାବରେ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands), ରୋଗ ପ୍ରତିରୋଧକ ପ୍ରଣାଳୀ (Immune system) ଇତ୍ୟାଦିରେ ତ୍ରୁଟି ପରିଲକ୍ଷିତ ହୋଇଥାଏ । ଅନ୍ତଃକାରକ ଦ୍ଵାରା ଯେଉଁସବୁ ରୋଗ ହୁଏ, ତାହାକୁ ଅଙ୍ଗୀୟ ଓ ବିପାକୀୟ ରୋଗ (Organic and metabolic diseases) ବୋଲି ମଧ୍ୟ   କୁହାଯାଏ ।

 

(ଜ) ବିଭିନ୍ନ ଅଙ୍ଗର କାର୍ଯ୍ୟରେ ତ୍ରୁଟି:- (Malfunctioning of organs):-

 

ଆମ ଦେହ ଭିତରେ ମସ୍ତିଷ୍କ, ହୃତ୍‌ପିଣ୍ଡ, ଫୁସ୍‌ଫୁସ୍, ଯକୃତ୍‌, ବୃକ୍‌କ, ଅଣ୍ଡକୋଷ, ପ୍ଳୀହା ଇତ୍ୟାଦି ଅଙ୍ଗମାନ ରହିଛି । ପ୍ରତ୍ୟେକ ଅଙ୍ଗର କାର୍ଯ୍ୟ ଅଲଗା ଅଲଗା ହେଲେ ମଧ୍ୟ ନିଜ ନିଜ ଭିତରେ ସମନ୍ଵୟ ରକ୍ଷା କରି ସେମାନେ ଦେହକୁ ସୁସ୍ଥ ସବଳ ରଖିଥାନ୍ତି । କୌଣସି ଗୋଟିଏ ଅଙ୍ଗରେ କିଛି ଅସୁବିଧା ହେଲେ ତାହାର କାର୍ଯ୍ୟରେ ବ୍ୟାଘାତ ପରିଲକ୍ଷିତ ହେବା ସହିତ ଅନ୍ୟ ଅଙ୍ଗର ସାଧାରଣ କାର୍ଯ୍ୟରେ ମଧ୍ୟ ତ୍ରୁଟି ଦେଖାଦେଇଥାଏ । ଉଦାହରଣ ସ୍ଵରୂପ କାହାକୁ ହୃଦ୍‌ରୋଗ ହେଲେ, ଏଥିରେ ତା'ର ହୃତ୍‌ପିଣ୍ଡ ଆକ୍ରାନ୍ତ ହେବା ସହିତ ଫୁସ୍‌ଫୁସ୍, ଯକୃତ୍, ବୃକ୍‌କ ଓ ମସ୍ତିଷ୍କ ମଧ୍ୟ ଅକ୍ରାନ୍ତ ହୋଇପାରେ । ଏହିଭଳି ବହୁ ରୋଗର ନିର୍ଦ୍ଦିଷ୍ଟ କାରଣ ମଧ୍ୟ ଆମେ ଜାଣି ନାହୁଁ । ହୁଏତ ବହୁବିଧ କାରଣ ଏହିସବୁ ରୋଗ ପାଇଁ ଦାୟୀ ହୋଇ ପାରିଥାଏ । ଏପରି କହିବାର କାରଣ ହେଲା, କୌଣସି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ହୃଦ୍‌ରୋଗ ହୁଏ ବୋଲି କୁହାଯାଇ ପାରିବ ନାହିଁ । ଅଧ‌ିକ ଚର୍ବିଜାତୀୟ ଖାଦ୍ୟ, ଧୂମପାନ, ଆଳସ୍ୟ ଜୀବନ, ମେଦବହୁଳତା, ଅତ୍ୟଧିକ ମାନସିକ ଚିନ୍ତା ପରି କାରକ ଯୋଗୁଁ ହୃଦ୍‌ରୋଗ ହୁଏ ବୋଲି ସାଧାରଣ ଭାବରେ କୁହାଯାଇଥାଏ । ତେଣୁ ଆମର ଜୀବନଯାପନର ଧାରା, ଆମର ବ୍ୟବହାର, ଚଳଣି, ମାନସିକ ସ୍ଥିତି ପ୍ରଭୃତି ବିଭିନ୍ନ ଅଙ୍ଗର  ତୃଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାନ୍ତି ।

 

(ଖ) ଅନୁବଂଶୀୟ ରୋଗ:-(Genetic diseases):-

 

ଶରୀରର ପ୍ରତି ଜୀବକୋଷର ମଝିରେ ଏକ ନ୍ୟଷ୍ଟି (Nucleus) ରହିଥାଏ । ଏହି ନ୍ୟଷ୍ଟି ଭିତରେ ଗୁଣସୂତ୍ର (Chromosome) ନାମକ ଏକ ବିଶେଷ ଉପାଦାନ ରହିଥାଏ । ଏହି ଗୁଣସୂତ୍ର ଭିତରେ ପୁଣି ରହିଥାଏ ଆହୁରି ଏକ ବିଶେଷ ଧରଣର ଉପାଦାନ । ଏହାକୁ ବଂଶାଣୁ (Gene) ବୋଲି କୁହାଯାଏ । ଜୀବର ସମସ୍ତ ଟିକି ନିଖି ବିବରଣୀ ଏହି ବଂଶାଣୁ ବା ଜିନ୍‌ରେ ଲିପିବଦ୍ଧ ହୋଇ ରହିଥାଏ । କିଏ ପୁଅ ହେବ, କିଏ ଝିଅ ହେବ, କିଏ ଗୋରା ହେବ, କିଏ କଳା ହେବ, କାହା ନାକ ଚେପ୍‌ଟା ଦେବ, କାହା ନାକ ଖଣ୍ଡାପରି ହେବ, କାହା ବାଳ ସିଧା ପରି ହେବ, କାହା ବାଳ କୁଞ୍ଚୁକୁଞ୍ଚିଆ ହେବ– ଏହିପରି ସବୁ କଥା ଜିନ୍ ଦ୍ଵାରା ସ୍ଥିରୀକୃତ ହୋଇଥାଏ । ଶିଶୁଟିଏ ଜନ୍ମ ହେବା ବେଳେ ଉଭୟ ବାପା ଓ ମା'ଙ୍କଠାରୁ ଏହି ଜିନ୍ ଶିଶୁ ଦେହକୁ ଚାଲି ଆସିଥାଏ  ଏବଂ ଶିଶୁ ପାଖକୁ ଉଭୟଙ୍କର କିଛି କିଛି ଗୁଣ ବହନ କରି ଆଣିଥାଏ ।

 

ବାପର କିମ୍ବା ମା'ର ଜିନ୍‌ରେ ଯଦି କିଛି ତ୍ରୁଟି ରହିଥାଏ, ତା'ହେଲେ ପିଲାର ଜିନ୍ ମଧ୍ୟ ସେହିପରି ତ୍ରୁଟିପୂର୍ଣ୍ଣ ହୋଇଥାଏ । ଏହିପରି ତ୍ରୁଟିଯୁକ୍ତ ଜିନ୍ ଯୋଗୁଁ ଆମକୁ ଯେଉଁ ରୋଗ ହୋଇଥାଏ, ତାହାକୁ ଅନୁବଂଶୀୟ ରୋଗ ବା ଜିନୀୟ ରୋଗ ବୋଲି କୁହାଯାଏ । ହିମୋଫିଲିଆ ଏହିଭଳି ଏକ ଜିନୀୟ ରୋଗ । ଏଥିରେ ରୋଗୀର ରକ୍ତ ସହଜରେ ଜମାଟ ବାନ୍ଧେ ନାହିଁ । ତେଣୁ ସାମାନ୍ୟ ଖଣ୍ଡିଆ ଖାବରା ହେଲେ କ୍ଷତସ୍ଥାନରୁ ଲଗାତର ଭାବରେ ରକ୍ତ ବହି ଚାଲିଥାଏ । ସିକ୍‌ଲ ସେଲ୍ ରୋଗ ମଧ୍ୟ ଏହି ଭଳି ଆଉ ଏକ ଜାତୀୟ ରୋଗ । ଏହି ରୋଗରେ ଅମ୍ଳଜାନ ଅଭାବରେ ରକ୍ତର ଲୋହିତ ରକ୍ତକୋଷଗୁଡ଼ିକ ଦାଆ ଭଳି ବଙ୍କା ହୋଇଯାଏ । ଏହି ଭଳି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ପାରି ନାହିଁ ।

 

(ଗ) ଅନ୍ତଃସ୍ରାବୀ ରୋଗ:-(Hormonal disease):-

 

ଆମ ଦେହରେ କେତେଗୁଡ଼ିଏ ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands) ରହିଥାଏ-। ସେଗୁଡ଼ିକ ହେଲା ପୀୟୁଷ ଗ୍ରନ୍ଥି (Pituitary gland), ଗଳ ଗ୍ରନ୍ଥି (Thyroid gland), ଅଗ୍ନାଶୟ (Pancreas), ଅଧିବୃକକ୍ ଗ୍ରନ୍ଥି (Adrenal gland), ଅଣ୍ଡକୋଷ (Testes) ଓ ଡିମ୍ବକୋଷ (Ovary) । ଏହି ସବୁ ଗ୍ରନ୍ଥିରୁ ବିଭିନ୍ନ ପ୍ରକାର ହର୍ମୋନ୍ କ୍ଷରିତ ହୋଇ ଶରୀରର ବୃଦ୍ଧି, ବିକାଶ ଓ ଅନ୍ୟାନ୍ୟ ବହୁ ଜୈବ ରାସାୟନିକ କ୍ରିୟାକୁ ନିୟନ୍ତ୍ରଣ କରିଥାଏ । ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ପରିମାଣର ହର୍ମୋନ୍ ହିଁ ଆବଶ୍ୟକ ହୋଇଥାଏ । ଏହାର ପରିମାଣ ଏପଟ ସେପଟ ହୋଇଗଲେ ଶରୀରରେ ବିଭିନ୍ନ ରୋଗ ଦେଖାଦେଇଥାଏ । ଉଦାହରଣ ସ୍ୱରୂପ ପିଟୁଇଟାରୀ ଗ୍ରନ୍ଥିରୁ ଗ୍ରୋଥ୍ ହର୍ମୋନ୍' ନାମକ ହର୍ମୋନ୍‌ଟି ଆବଶ୍ୟକ ପରିମାଣର କ୍ଷରିତ ନ ହେଲେ ମଣିଷର ଅଭିବୃଦ୍ଧି ଠିକ୍ ହୋଇ ପାରେ ନାହିଁ । ମଣିଷ ବାଙ୍ଗରା ହୋଇଯାଏ । ଗଳଗ୍ରନ୍ଥିରେ ଥାଇରକ୍‌ସିନ୍‌ ନାମକ ହର୍ମୋନ୍ ତିଆରି ହୋଇ ନ ପାରିଲେ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ବାଧା ଉପୁଜିଥାଏ। ଏହି ଅବସ୍ଥାକୁ 'କ୍ରିଟିନିଜ୍‌ମ୍’ ବୋଲି କୁହାଯାଏ । ଠିକ୍ ସେମିତି ଅଗ୍ନ୍ୟାଶୟରୁ ଠିକ୍ ପରିମାଣର ଇନ୍‌ସୁଲିନ୍ ନାମକ ହର୍ମୋନ୍ କ୍ଷରିତ ନ ହେଲେ ମଣିଷକୁ ମଧୁମେହ (Diabetes) ରୋଗ ହୋଇଥାଏ ।

 

(ଘ) ଆଲର୍ଜି:-(Allergy):-

 

ବେଳେବେଳେ କୌଣସି ବାହାର ଜିନିଷର ସଂସ୍ପର୍ଶରେ ଆସିଲେ ଆମ ଦେହ ତାହାକୁ ସହଜରେ ସହ୍ୟ କରିପାରେ ନାହିଁ । ଦେହରେ କିଛି ନା କିଛି ଅସୁବିଧା ଦେଖା ଦେଇଥାଏ । କେତେବେଳେ କେମିତି ଅଣ୍ଡା, ଚିଙ୍ଗୁଡ଼ିମାଛ, ଲୁଣିମାଛ, ସାରୁ, ବାଇଗଣ, ଛତୁ ପ୍ରଭୃତି ଖାଇଦେଲେ ଆମ ଦେହ ହାତ କୁଣ୍ଡାଇ ହୋଇ ଦେହରେ ଗୋଲ ଗୋଲ ହୋଇ ଫଳିଯାଏ । ଏହାକୁ ଅଗିଆବାତ ବୋଲି କୁହାଯାଏ । କେତେକ ଔଷଧ ଖାଇବା ପରେ ମଧ୍ୟ ବେଳେବେଳେ ଏମିତି ଅଗିଆବାତ ବାହାରିଥାଏ । ପୁଣି ବେଳେବେଳେ ଧୂଳି, ଅଳନ୍ଧୁ ଆଦିର ସଂସ୍ପର୍ଶରେ ଆସିଲେ ଆମର ଖୁବ୍ ଛିଙ୍କ ହୁଏ ଏବଂ ଶ୍ଵାସରୋଗ ବାହାରି ପଡ଼େ । ଏମିତି ହେବାର କାରଣ ହେଲା, ଏହିସବୁ ଜିନିଷକୁ ଆମ ଦେହ ଆଦୌ ସହ୍ୟ କରି ପାରେ ନାହିଁ । ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ତା ବିରୋଧରେ ପ୍ରତିକ୍ରିୟା ସୃଷ୍ଟି କରି ଉପର ଲିଖିତ ଲକ୍ଷଣମାନ ପ୍ରକାଶ କରିଥାଏ । ଏହିପରି ପ୍ରତିକିୟା ଓ ଲକ୍ଷଣକୁ ‘ଆଲର୍ଜି’ ବୋଲି କୁହାଯାଏ । ଆଲର୍ଜି ହେଉଛି ଆମ ଶରୀରର ଏକ ରକ୍ଷାକାରୀ ବ୍ୟବସ୍ଥା । ଶରୀରର ଜୀବକୋଷ ଯାହାକୁ କ୍ଷତିକାରକ ବୋଲି ବିବେଚନା କରନ୍ତି, ତା' ବିରୋଧରେ ଏଇ ଭଳି ପ୍ରତିକ୍ରିୟାମାନ ପ୍ରକାଶ କରି ଆମକୁ ସାବଧାନ କରି ଦିଅନ୍ତି । ତେଣୁ ଭବିଷ୍ୟତରେ ଆମେ ସେହିଭଳି ଉପାଦାନ ପ୍ରତି ସତର୍କ ହୋଇଯାଉ ଓ ତାକୁ ଦେବାମାତ୍ରେ ତା' ଠାରୁ ଦୂରେଇ ରହୁ ।

 

(ଡ) ରୋଗ ପ୍ରତିରୋଧକ ପ୍ରଣାଳୀରେ ତ୍ରୁଟି

(Defect in Immune System):-

 

ଆମ ଶରୀର ଭିତରେ ଏକ ରୋଗ ପ୍ରତିରୋଧକ ପ୍ରଣାଳୀ (Immune System) ସଦାସର୍ବଦା କାର୍ଯ୍ୟ କରୁଥାଏ । କୌଣସି ବାହ୍ୟ ରୋଗ କାରକ ଶରୀର ଭିତରେ ପ୍ରବେଶ କରିବା ମାତ୍ରେ ଏହି ପ୍ରଣାଳୀ ତାହାକୁ ତୁରନ୍ତ ନଷ୍ଟ କରିଦିଏ । ଫଳରେ ଆମକୁ ଆଉ ରୋଗ ହୁଏ ନାହିଁ । କିନ୍ତୁ ଏହି ପ୍ରଣାଳୀ ଠିକ୍ ଭାବରେ କାର୍ଯ୍ୟ କରୁ ନଥିଲେ ଜୀବାଣୁ, ଭୂତାଣୁ  ଆଦିଙ୍କ କବଳରେ ପଡ଼ି ଆମେ ସହଜରେ ମୃତ୍ୟୁବରଣ କରୁଥାନ୍ତେ । ଏଡ଼ସ୍ (AIDS) ହେଉଛି ଏହିଭଳି ଏକ ରୋଗ । ଏହାକୁ 'ଆକ୍ୱାୟାର୍ଡ଼ ଇମ୍ୟୁନୋ ଡେଫିସିଏନ୍‌ସି ସିନ୍‌ଡ୍ରୋମ୍’(Acquired Immunodeficiency Syndrome) ବୋଲି କୁହାଯାଏ । ଏଥିରେ ରୋଗୀଠାରେ ରୋଗ ପ୍ରତିରୋଧକ ଶକ୍ତି ଲୋପ ପାଇଯାଏ । ତେଣୁ ‘ଏଡ୍‌ସ୍' ରୋଗୀ ଖୁବ୍ ସହଜରେ ଜୀବାଣୁ ଭୂତାଣୁଙ୍କ କବଳରେ ପଡ଼ି ମୃତ୍ୟୁବରଣ କରିଥାଏ । ଏହି ରୋଗର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ଆବିଷ୍କୃତ ହୋଇ ନାହିଁ ।

 

(ଚ) କର୍କଟ ରୋଗ– Malignancy or Cancer):-

 

ଏହା ଏପରି ଏକ ରୋଗ, ଯେଉଁଥିରେ ଶରୀରର ଜୀବକୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଥାଏ । ପ୍ରଥମରୁ ଚିକିତ୍ସା ନକଲେ ଏହା ଶରୀରର ଅନ୍ୟ ଅଞ୍ଚଳକୁ ସହଜରେ ବ୍ୟାପିଯାଏ ଓ ଶେଷରେ ରୋଗୀର ମୃତ୍ୟୁ ହୋଇଯାଏ । କାରଣ ଏହି ରୋଗର ଚିକିତ୍ସା ସମ୍ବନ୍ଧରେ ଆମର ଜ୍ଞାନ ଖୁବ୍ ସୀମିତ । ଶରୀରର ପ୍ରତ୍ୟେକ ଅଙ୍ଗରେ କର୍କଟ ରୋଗ ଦେଖା ଯାଇ ପାରେ । ତେବେ ବିଭିନ୍ନ ଅଙ୍ଗ ପାଇଁ ଏହାର କାରଣ ଭିନ୍ନ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ କଡ଼ା ପାନ ଖାଇଲେ କିମ୍ଵା ଧୂଆଁ ପତ୍ର, ଦୋକ୍‌ତା ଆଦି କଳରେ ଜାକିଲେ ମୁହଁ ଭିତରେ କର୍କଟ ରୋଗ ହୋଇଥାଏ । ସେହିପରି ଧୂମପାନ କଲେ ଫୁସ୍‌ଫୁସ୍‌ରେ କର୍କଟ ରୋଗ ଜାତ ହୋଇଥାଏ । ତେବେ କର୍କଟ ରୋଗର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ବି ଅଜଣା ।

 

୨. ବାହ୍ୟ କାରକ :-(Extrinsic Factors):-

 

ଉପର ଲିଖିତ ଅନ୍ତଃକାରକ ଗୁଡ଼ିକ ବ୍ୟତୀତ ଆହୁରି ବହୁ ବାହ୍ୟକାରକ ଯୋଗୁଁ ମଧ୍ୟ ରୋଗ ସୃଷ୍ଟି ହୋଇଥାଏ । ସେଗୁଡ଼ିକୁ ମୁଖ୍ୟତଃ ନିମ୍ନଲିଖିତ ବିଭାଗରେ ବିଭକ୍ତ କରାଯାଇଥାଏ।

 

(କ) ଜୈବ ଶକ୍ତି:-(Biological agents):-

 

ଏଗୁଡ଼ିକ ସାଧାରଣତଃ ଜୀବିତ ବସ୍ତୁ । ବିଭିନ୍ନ ପ୍ରକାରର ଜୀବାଣୁ  (Bacteria), ଭୂତାଣୁ (Virus), କବକ (Fungus), ପରାଙ୍ଗଭୋଜୀ (Parasites) ଏବଂ କୃମି (Helminths) ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ସାମାନ୍ୟତମ ସୁବିଧା ପାଇଲେ ଏମାନେ ଖାଦ୍ୟ, ଜଳ, ବାୟୁ ଓ ଚର୍ମ ମାଧ୍ୟମରେ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି । ଏମାନଙ୍କ ଯୋଗୁଁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ । ଏଗୁଡ଼ିକର କେତେକ ବିଶେଷ ଗୁଣ ରହିଥାଏ । ଏମାନେ ବେହ ଭିତରେ ପ୍ରବେଶ କରି ନିଜର ବଂଶବୃଦ୍ଧି କରନ୍ତି, କ୍ରମେ କ୍ରମେ ରୋଗର ଲକ୍ଷଣ, ଚିହ୍ନସବୁ ପ୍ରକଟ କରନ୍ତି ଏବଂ ଜଣକ ଠାରୁ ଆଉ ଜଣକ ପାଖକୁ ସଂକ୍ରମଣରେ ମଧ୍ୟ ସାହାଯ୍ୟ କରନ୍ତି । ବେଳେ ବେଳେ ସମାଜରେ ପ୍ରଳୟ ମଧ୍ୟ ସୃଷ୍ଟି କରିଥାନ୍ତି ।

 

(ଖ) ଖାଦ୍ୟ ପଦାର୍ଥ (Food):-

 

ଖାଦ୍ୟ ଓ ପାନୀୟ ଆକାରରେ ଆମେ ଯେଉଁ ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର ଓ ଜଳ ଆଦି ଗ୍ରହଣ କରୁ, ତାହା ମଧ୍ୟ ବେଳେବେଳେ ଦେହରେ କେତେକ ରୋଗ ସୃଷ୍ଟି କରିଥାଏ । ଜୀବାଣୁମାନଙ୍କ ଦ୍ଵାରା ସଂକ୍ରମିତ ହେଲେ କିମ୍ବା କୌଣସି କାରଣରୁ ଏହା ଦୂଷିତ ହୋଇଗଲେ ଦେହରେ ରୋଗ ହୋଇଥାଏ । ପୁଣି ଆବଶ୍ୟକତାଠାରୁ କମ କିମ୍ବା ଅଧିକ ଖାଦ୍ୟ ଗ୍ରହଣ କଲେ, ଭୋଜନରେ ଅନିୟମିତ ହେଲେ, ଖାଦ୍ୟ ଉପଯୁକ୍ତ ଭାବରେ ପ୍ରସ୍ତୁତ ନ ହୋଇଥିଲେ ଏବଂ ଦେହକୁ ସୁହାଉନଥିବା ଭଳି ଖାଦ୍ୟ ଖାଇଲେ ଆହୁରି କେତେ ପ୍ରକାରର ରୋଗ ଦେଖା ଦେଇଥାଏ । ସାଧାରଣତଃ ଡାଇରିଆ ବା ଅତିସାର, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ବାନ୍ତି, ପେଟରେ କଲିକ୍, କୋଷ୍ଠବଦ୍ଧତା, ପେଟର ବାୟୁ ପ୍ରଦୋଷ ଓ ଅମ୍ଳଦୋଷ ଏବଂ ଖାଦ୍ୟ ବିଷାକ୍ତତା ପ୍ରଭୃତି ଏହିପରି ଭାବରେ ହିଁ ହୋଇଥାଏ । ତା'ଛଡ଼ା ଅପପୃଷ୍ଟି, ଭିଟାମିନ୍ ଅଭାବଜନିତ ରୋଗ, ରକ୍ତହୀନତା, ମେଦ ବହୁଳତା ପ୍ରଭୃତି ରୋଗ ମଧ୍ୟ ଖାଦ୍ୟ ଦୋଷରୁ ହିଁ ହୋଇଥାଏ ।

 

(ଗ) ରାସାୟନିକ ପଦାର୍ଥ  (Chemical agents):-

 

ବିଭିନ୍ନ ରାସାୟନିକ ପଦାର୍ଥ ଦେହ ପାଇଁ ବିଷ ଭଳି କାର୍ଯ୍ୟ କରିଥାଏ । ଏହି ରାସାୟନିକ ପଦାର୍ଥ ସାଧାରଣତଃ ଦୁଇ ପ୍ରକାରର । ଗୋଟିଏ ପ୍ରକାର ପଦାର୍ଥ ବାହ୍ୟ ପରିବେଶରୁ ପ୍ରଶ୍ଵାସ ବାଟେ ହେଉ, ଖାଦ୍ୟ ବାଟେ ହେଉ କିମ୍ବା ଇଂଜେକ୍‌ସନ୍ ଛୁଞ୍ଚି ବାଟେ ହେଉ ଦେହ ଭିତରେ ପ୍ରବେଶ କରିଥାଏ । ବିଭିନ୍ନ ପ୍ରକାର ଧାତବ ଅଣୁ ବାଷ୍ପ, ଧୂଳି, ଧୂଆଁ ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।

 

ଗାଡ଼ି ମଟର ଆଦିର ଧୂଆଁରୁ ବାହାରୁଥିବା କାର୍ବନ ମୋନୋକ୍‌ସାଇଡ଼, କାର୍ବନ ଡାଇଅକ୍‌ସାଇଡ଼, ସଲଫର୍ ଡାଇଅକ୍‌ସାଇଡ଼ ଓ ସୀସା ଇତ୍ୟାଦି ପ୍ରଶ୍ଵାସ ବାଟେ ଦେହ ଭିତରକୁ ପ୍ରବେଶ କରିଥାଏ । ଏହାଦ୍ଵାରା ମୁଣ୍ଡବ୍ୟଥା, ଘୁମା, ଶ୍ଵାସ କଷ୍ଟ, ଆଖି ଓ ନାକ ପୋଡ଼ା, କାଶ, ଆଲର୍ଜି ଓ ଛାତି ଯନ୍ତ୍ରଣା ଇତ୍ୟାଦି ରୋଗ ହୋଇଥାଏ । କୋଇଲା ଓ ଲୁହା ଖଣି ଆଦିରେ କାମ କରୁଥିବା ଲୋକମାନେ ମଧ୍ୟ ବିଷାକ୍ତ ବାଷ୍ପ ଗୁଣ୍ଡର ସଂସ୍ପର୍ଶରେ ଆସି ଅନୁରୂପ ରୋଗସବୁ ଭୋଗ କରିଥାନ୍ତି । ବିଭିନ୍ନ କଳ କାରଖାନାରେ କାମ କରୁଥିବା ଲୋକେ ସେହି ସବୁ କଳରେ ବ୍ୟବହୃତ ହେଉଥ‌ିବା ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସି ବିଭିନ୍ନ ବୃତ୍ତିଗତ ରୋଗର ଶିକାର ହୋଇଥାନ୍ତି-। ସମୟେ ସମୟେ ବିଭିନ୍ନ ରାସାୟନିକ କାରଖାନାରୁ ନିର୍ଗତ ବାଷ୍ପ ମଧ୍ୟ ପରିବେଶକୁ ବହୁଳ ପରିମାଣରେ ପ୍ରଦୂଷିତ କରି ଲୋକମାନଙ୍କର ଅନେକ କ୍ଷୟକ୍ଷତି କରିଥାଏ ।

 

ଜମିରୁ ଅଧିକ ଫସଲ ଉତ୍ପାଦନ କରିବା ପାଇଁ ବ୍ୟବହୃତ ହେଉଥ‌ିବା ବିଭିନ୍ନ ରାସାୟନିକ ସାର, କୀଟନାଶକ ଔଷଧ ଏବଂ ଖାଦ୍ୟର ସ୍ଵାଦ ଓ ମହକ ବଢ଼ାଇବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ପଦାର୍ଥ ଖାଦ୍ୟବାଟେ ପେଟ ଭିତରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ପୁଣି ଶିଳ୍ପ କାରଖାନା ଗୁଡ଼ିକରୁ ନିର୍ଗତ ହେଉଥିବା ବିଭିନ୍ନ ରାସାୟନିକ ବିଷାକ୍ତ ପଦାର୍ଥକୁ ନଦୀ ନାଳ ପ୍ରଭୃତିକୁ ଛାଡ଼ି ଦିଆଯାଏ କିମ୍ବା ଖୋଲା ପଡ଼ିଆମାନଙ୍କରେ ପକାଇ ଦିଆଯାଏ । ପରବର୍ତ୍ତୀ ଅବସ୍ଥାରେ ଏଗୁଡ଼ିକ ପାଣିରେ ମିଶିଥାଏ । ଏହିପରି ଆମେ ରୋଗାକ୍ରାନ୍ତ ହୋଇପଡ଼ୁ ।

 

ଏହା ବ୍ୟତୀତ କେତେକ ରାସାୟନିକ ପଦାର୍ଥକୁ ନିଶା ଔଷଧ ଭାବରେ ଆମେ ଇଂଜେକ୍‌ସନ୍ ଆକାରରେ ଗ୍ରହଣ କରିଥାଉ । ଏହା ମଧ୍ୟ ଦେହରେ କେତେକ ରୋଗ ସୃଷ୍ଟି କରିଥାଏ ।

 

ଦ୍ଵିତୀୟ ପ୍ରକାରର ରାସାୟନିକ ପଦାର୍ଥ ଦେହ ଭିତରେ ହିଁ ପ୍ରସ୍ତୁତ ହୋଇଥାଏ । ଦେହର କେତେକ ପାଚକ ରସରେ କିଛି ଅଭାବ ଦେଖାଦେଲେ କିମ୍ବା ଏହା ଠିକ୍ ଭାବରେ କାମ ନ କଲେ ଏହିସବୁ ପଦାର୍ଥ ସୃଷ୍ଟି ହୋଇଥାଏ ଓ ଦେହ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏହିପରି ରାସାୟନିକ ପଦାର୍ଥ ଦ୍ଵାରା କିପରି ଅମ୍ଳଦୋଷ, ମଧୁମେହ, ଗଣ୍ଠିମୂଳ ବାତ ଓ କେତେକ ବୃକ୍‌କ ରୋଗ ସୃଷ୍ଟି ହୋଇଥାଏ, ତାହା ଆଗରୁ କୁହାଯାଇଛି ।

 

(ଘ) ଭୌତିକ ପଦାର୍ଥ (Physical agents):-

 

ଅତ୍ୟଧିକ ଗରମ, ଥଣ୍ଡା, ସୂର୍ଯ୍ୟତାପ, ବାୟୁମଣ୍ଡଳୀୟ ଚାପ, ଆର୍ଦ୍ରତା ପ୍ରଭୃତି ଯୋଗୁଁ ଅନେକ ସମୟରେ ଦେହରେ ରୋଗ ହୋଇଥାଏ । ଗ୍ରୀଷ୍ମାଘାତ, ସନ୍ନିପାତ, ଗାଡ଼ିରେ ବସି ଯିବା ବେଳେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଇତ୍ୟାଦି ଏହାର ଗୋଟିଏ ଗୋଟିଏ ଉଦାହରଣ ।

 

(ଙ) କୃତ୍ରିମ ପଦାର୍ଥ (Artificial Agents):-

 

ଟେକା, ପଥର, ଧାତୁ ନିର୍ମିତ କୌଣସି ଅସ୍ତ୍ର ଯଦି ଦେହରେ ବାଜେ, ଦେହ ଆଘାତପ୍ରାପ୍ତ ହୋଇଥାଏ । ଏହି ଆଘାତ ଫଳରେ ଖଣ୍ଡିଆ ହୋଇ ରକ୍ତସ୍ରାବ ହୋଇପାରେ, ଚର୍ମ ଉପର ଆଞ୍ଚୁଡ଼ି (Abrasion) ହୋଇଯାଇ ପାରେ, ମାଂସପେଶୀ ଛିଣ୍ଡିଯାଇ ପାରେ (Sprain and strain), ହାଡ଼ ଭାଙ୍ଗିଯାଇ ପାରେ (Fracture) କିମ୍ବା କୌଣସି ଗଣ୍ଠି ମଧ୍ୟ ଖସି ଯାଇ ପାରେ (Dislocation) । ଏହି ସବୁ ଅବସ୍ଥା ଖୁବ୍ ଯନ୍ତ୍ରଣା ଦାୟକ । ପୁଣି ବେଳେବେଳେ ଏହି ସବୁ ପଦାର୍ଥ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ଲଗାଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରି ପାରେ । ତା'ଛଡ଼ା ନୂଆ ଜୋତା ବା ଚପଲ ମାଡ଼ିଲେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଘଷି ହୋଇ ଦେହ ଛିଡ଼ିଗଲେ ସେଠାରେ କ୍ଷତ ସୃଷ୍ଟି ହୋଇ ଖୁବ୍‌ କଷ୍ଟ ଦେଇଥାଏ  !

 

(ଚ) ସାମାଜିକ କାରକ (Social agents):-

 

ରୋଗ ସୃଷ୍ଟି ପାଇଁ କେତେକ ସାମାଜିକ କାରକ ବେଳେବେଳେ ଦାୟୀ ହୋଇଥାଏ । ସେଗୁଡ଼ିକ ଭିତରେ ଦରିଦ୍ରତା, ଧୂମପାନ, ନିଶାସେବନ, ମଦ୍ୟପାନ, ଆତ୍ମୀୟ ସ୍ଵଜନଙ୍କ ବିଚ୍ଛେଦ ପ୍ରଭୃତି ପ୍ରଧାନ । ଏଗୁଡ଼ିକ ଆମର ସାଧାରଣ ସ୍ୱାସ୍ଥ୍ୟ ଉପରେ ଖୁବ୍ ପ୍ରଭାବ ପକାଇଥାଏ ଓ ରୋଗ ଯନ୍ତ୍ରଣାକୁ ବହୁଗୁଣିତ କରି ଦେଇଥାଏ ।

 

(ଛ) ଦୁର୍ଘଟଣା (Accidents):-

 

ବିଭିନ୍ନ ପ୍ରକାର ଦୁର୍ଘଟଣା ଦ୍ଵାରା କିପରି ଆମେ ଅସୁସ୍ଥ ହୋଇ ହୋଇପଡ଼ୁ, ତାହା ସମସ୍ତେ ଜାଣନ୍ତି । ଆଜିକାଲି ଏହାର ହାର ଯେପରି ଭାବରେ ବୃଦ୍ଧି ପାଉଛି, ତାହା ଖୁବ୍‌ ଉଦ୍‌ବେଗର କାରଣ ହୋଇ ପଡ଼ିଛି । କୌଣସି ଦୁର୍ଘଟଣାରେ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ତାହାର ପରିଣାମ ବେଳେବେଳେ ଖୁବ୍ ଭୟାବହ ହୋଇପାରେ ଓ ସେଥ‌ିଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇଯାଇପାରେ । ପଡ଼ିଯାଇ ହାତ ଗୋଡ଼ ହାଡ଼ ଭାଙ୍ଗିଯିବା, ଖଣ୍ଡିଆ ହୋଇ ଅତ୍ୟଧିକ ରକ୍ତସ୍ରାବ ହେବା, ନିଆଁରେ ପୋଡ଼ି ହୋଇଯିବା, ପାଣିରେ ବୁଡ଼ିଯିବା କିମ୍ବା କୌଣସି ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ଵାରା ବିଭିନ୍ନ ପ୍ରକାରର ଅସୁସ୍ଥତା ସୃଷ୍ଟି ହୋଇଥାଏ ।

 

(କ) ବିକିରଣ  (Radiation):-

 

ସୂର୍ଯ୍ୟ ସକଳ ଶକ୍ତିର ଆଧାର ହେଲେ ମଧ୍ୟ ଏଥିରୁ ନିର୍ଗତ କେତେକ ରଶ୍ମି ଆମ ସ୍ୱାସ୍ଥ୍ୟ ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଥାଏ । ସୂର୍ଯ୍ୟାଲୋକରୁ ବିଚ୍ଛୁରିତ ହେଉଥ‌ିବା ଆଲୋକ ସାଧାରଣତଃ ତିନିଟି ଶ୍ରେଣୀର ରଶ୍ମିରେ ବିକିରିତ ହୋଇଥାଏ । ସେଗୁଡ଼ିକ ହେଲା ପାର ଲୋହିତ ରଶ୍ମି (Infrared rays), ଦୃଶ୍ୟମାନ ରଶ୍ମି (Visible rays) ଓ ପାର ବାଇଗଣୀ ରଶ୍ମି (Ultraviolet rays) । ଏଗୁଡ଼ିକ ଭିତରୁ ପ୍ରଥମ ଦୁଇଟି ରଶ୍ମି ଜୀବଜଗତ ପ୍ରତି ବିଶେଷ ଭାବରେ କ୍ଷତିକାରକ ହୋଇ ନଥାନ୍ତି । କିନ୍ତୁ ପାର ବାଇଗଣୀ ରଶ୍ମି ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏହା ଜୀବକୋଷଗୁଡ଼ିକର ବୃଦ୍ଧି ଓ କାର୍ଯ୍ୟକଳାପରେ ପ୍ରତିରୋଧ ସୃଷ୍ଟି କରିଥାଏ । ତା'ଛଡ଼ା ଏହା କେତେକ ଅନୁବଂଶୀୟ  (genetic) ଗୁଣକୁ ମଧ୍ୟ ପ୍ରଭାବିତ କରିଥାଏ-। ଫଳରେ ଆମେ କେତେକ  ଅନୁବଂଶୀୟ ରୋଗ (Genetic disease)ର ଶିକାର ହୋଇଥାଉ ।

 

ସେହିପରି ନାଭିକୀୟ ବିଭାଜନ (Nuclear fission) ଦ୍ଵାରା ଅନେକ ପ୍ରକାର ନୂତନ ଅଣୁ କଣିକା  ଉଦ୍‌ଭବ ହୋଇଥାଏ । ଏକ୍ସରେ', ଆଲ୍‌ଫାରେ', ବିଟାରେ', ଓ ଗାମାରେ ପ୍ରଭୃତି ଅତି କ୍ଷୁଦ୍ର ହୋଇଥିଲେ ମଧ୍ୟ ନାଭିକୀୟ ବିଭାଜନ ପ୍ରକ୍ରିୟାରେ ପ୍ରଚୁର ଶକ୍ତି ଆହରଣ କରିଥାନ୍ତି । ଏହି ଶକ୍ତି ଦେହରେ ପ୍ରବେଶ କଲେ ଜୀବକୋଷ ଓ ତନ୍ତୁଗୁଡ଼ିକର କାର୍ଯ୍ୟକାରୀ ଶକ୍ତି ଏବଂ ଜୀବକୋଷ ଭିତରେ ଥିବା ଅନୁବଂଶୀୟ ଗୁଣବାହୀ ଗୁଣସୂତ୍ରଗୁଡ଼ିକ (Chromosomes) ନଷ୍ଟ ହୋଇଯାଏ-। ଏହା ଫଳରେ ଗର୍ଭବତୀ ମହିଳାମାନେ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି ଓ ବିକଳାଙ୍ଗ ଶିଶୁକୁ ଜନ୍ମ ଦିଅନ୍ତି । ଛୋଟ ପିଲାଙ୍କଠାରେ ମଧ୍ୟ ଏହା ପ୍ରଭୂତ କ୍ଷତି ଘଟାଇ ଥାଏ । ତା'ଛଡ଼ା ଏହାଦ୍ଵାରା ବିଭିନ୍ନ ପ୍ରକାରର ଚର୍ମରୋଗ ଓ କର୍କଟ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ସବୁଠାରୁ ପରିତାପର ବିଷୟ ଯେ, ଏହି କାରଣରୁ ସୃଷ୍ଟି ହେଉଥିବା ରୋଗସବୁ ବଂଶାନୁକ୍ରମେ ଗୁଣସୂତ୍ର ମାଧ୍ୟମରେ ପରବର୍ତ୍ତୀ ପିଢ଼ିଗୁଡ଼ିକୁ ମଧ୍ୟ ଅନୁକ୍ରମିତ ହୋଇଥାଏ ।

 

ଦେହ ବା ଚର୍ଚ୍ଚକ (Host):--

 

ମଞ୍ଜିଟିଏ କ୍ଷେତରେ ବୁଣିଲେ ତାହା ଗଛ ହେବା ପରି ବାହ୍ୟ ଶକ୍ତି ବା କାରକ ଦେହ ଭିତରେ ପ୍ରବେଶ କରିବା ପରେ ହିଁ ରୋଗ ସୃଷ୍ଟି କରିଥାଏ । ଦେହ ଏଠାରେ କ୍ଷେତ୍ର ଭଳି କାର୍ଯ୍ୟ କରିଥାଏ । ଅନୁପ୍ରବେଶକାରୀକୁ ଚର୍ଚ୍ଚା କରୁଥିବାରୁ ଦେହକୁ ଚର୍ଚ୍ଚକ (Host) ବୋଲି କୁହା ଯାଇଥାଏ । ଏହା ମଣିଷ ଦେହ ହୋଇପାରେ, ଅନ୍ୟ ଯେ କୌଣସି ପ୍ରାଣୀର ଦେହ ମଧ୍ୟ ହୋଇ ପାରେ । ଅର୍ଥାତ୍ ମଣିଷକୁ ଯେ କେବଳ ରୋଗ ହୁଏ, ତାହା ନୁହେଁ । ପୃଥବୀରେ ଦେହ ଧରିଥିବା ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏହିପରି ଭାବରେ ରୋଗ ହୋଇଥାଏ । ଅବଶ୍ୟ ଏଠାରେ କେବଳ ମଣିଷ ଦେହ କଥା ବିଚାର କରାଯାଉଛି ।

 

ଦେହରେ ପ୍ରବେଶ କରିବା ପରେ ଉପର ବର୍ଣ୍ଣିତ କାରକ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଅଂଶରେ ନିଜର ସ୍ଥିତିକୁ ସୁଦୃଢ଼ କରେ ଓ ପରେ ତା'ର କରାମତି ଦେଖାଏ । ଏଥିପାଇଁ ଅବଶ୍ୟ କିଛି ଦିନ ସମୟ ଲାଗିଥାଏ । ଏହି ସମୟ ଭିତରେ କାରକ ଜୀବିତ ହୋଇଥିଲେ ସେ ତା'ର ବଂଶ ର ବଂଶବୃଦ୍ଧି କରେ ଓ ଜଡ଼ ହୋଇଥିଲେ ଅନ୍ୟ ଆଖ ପାଖ ତନ୍ତୁଗୁଡ଼ିକୁ ଆସ୍ତେ ଆପେ ନଷ୍ଟ କରିଦିଏ । ତା'ପରେ ଯାଇ ରୋଗର ଲକ୍ଷଣ ପ୍ରକାଶ ପାଏ । କିନ୍ତୁ ଏଇଠି ଗୋଟିଏ କଥା ମନେ ରଖିବା ଉଚିତ ଯେ, ଯେ କୌଣସି କାରକ ଦେହ ଭିତରକୁ ପଶିଗଲେ ଯେ ରୋଗ ହୋଇଯିବ, ତାହା ନୁହେଁ । ମଣିଷ ଦେହର ପ୍ରତିରକ୍ଷା ଶକ୍ତି ଉପରେ ହିଁ ଏହା ନିର୍ଭର କରିଥାଏ । ଏ ବିଷୟରେ ‘ଜୀବାଣୁ ତତ୍ତ୍ଵ’ ଶିରୋନାମାରେ ଆଲୋଚନା କରାଯାଇଛି ।

 

କେବଳ ଯେ ଦେହର ପ୍ରତିରକ୍ଷା ବ୍ୟବସ୍ଥା ଉପରେ ରୋଗ ନିର୍ଭର କରିଥାଏ ତାହା ନୁହେଁ-। ଏଥିପାଇଁ ଆହୁରି ଅନେକ ଉପାଦାନ ଦାୟୀ ହୋଇଥାଏ । ପ୍ରଥମେ ବୟସ କଥା ବିଚାର କରାଯାଉ । ଏମିତି କେତେକ ରୋଗ ଅଛି, ଯାହା ପିଲାମାନଙ୍କୁ ହୁଏ, ଅଥଚ ବୟସ୍କମାନଙ୍କୁ ହୁଏ ନାହିଁ । ସେମିତି ଯେଉଁ ରୋଗ ବୃଦ୍ଧମାନଙ୍କୁ ହୁଏ, ତାହା ପିଲାମାନଙ୍କୁ ପ୍ରାୟ ହୁଏ ନାହିଁ । ତେଣୁ ଯେଉଁ କାରକ ପିଲାମାନଙ୍କଠାରେ ରୋଗ ସୃଷ୍ଟି କରିବା କଥା, ତାହା ଯଦି ବୁଢ଼ାମାନଙ୍କ ଦେହରେ ପଶିଯାଏ, ତା'ହେଲେ ତାହା ଆପେ ନିଷ୍କ୍ରିୟ ହୋଇଯାଏ ଓ ଦେହର କିଛି କ୍ଷତି କରିପାରେ ନାହିଁ । ଉଦାହରଣ ସ୍ଵରୂପ ଲିଉକିମିଆ ବା ରକ୍ତ କର୍କଟ ରୋଗ, ଡିପ୍‌ଥେରିଆ ରୋଗ, ହୁପିଂକାଶ ପ୍ରଭୃତି ପିଲାମାନଙ୍କ ଠାରେ ହିଁ ଦେଖା ଦେଇଥାଏ । କିନ୍ତୁ ବୁଢ଼ାମାନଙ୍କୁ ହୁଏ ନାହିଁ ।  ସେହିପରି ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ, ଚାଳିଶା, ଆଖିର ମୋତିଆ ବିନ୍ଦୁ ଇତ୍ୟାଦି ହେଉଛି ବୁଢ଼ାମାନଙ୍କର ରୋଗ । ପିଲାମାନଙ୍କଠାରେ ଏହା ପ୍ରାୟ ଦେଖାଯାଏ ନାହିଁ ।

 

ବୟସ ପରି ଲିଙ୍ଗ ଉପରେ ମଧ୍ୟ ରୋଗ ଯଥେଷ୍ଟ ପରିମାଣରେ ନିର୍ଭର କରିଥାଏ । କେତେକ ରୋଗ ନିର୍ଦ୍ଦିଷ୍ଟ ଭାବରେ ପୁରୁଷମାନଙ୍କୁ ହେଉଥିବା ବେଳେ ଆଉ କେତୋଟି ରୋଗ କେବଳ ସ୍ତ୍ରୀ ମାନଙ୍କୁ ହିଁ ହୋଇଥାଏ । ଏଥିରେ ଟିକିଏ ବି ଏପଟ ସେପଟ ହୁଏ ନାହିଁ । ଗର୍ଭାବସ୍ଥାରେ ଯେଉଁ କାରଣ ପାଇଁ ନାରୀର ଅଇ, ବାନ୍ତି ଆଦି ହୁଏ ଓ ବାତ ମାରିବାକୁ ଆରମ୍ଭ କରେ, ସେହି କାରକ ପୁରୁଷର କୌଣସି କ୍ଷତି କରିପାରେ ନାହିଁ । ସେମିତି ଯେଉଁ କାରଣ ଯୋଗୁଁ ପୁରୁଷର ପ୍ରୋଷ୍ଟେଟ୍ ଗ୍ରନ୍ଥି ବଢ଼ିଥାଏ, ତାହା ସ୍ତ୍ରୀ ଠାରେ କୌଣସି ପ୍ରଭାବ ପକାଇ ପାରେ ନାହିଁ ।

 

ବଂଶ ଓ ଜାତିର ପ୍ରଭାବ ମଧ୍ୟ ଦେହରେ ରୋଗ ସୃଷ୍ଟି ପାଇଁ ଅନେକ ପରିମାଣରେ ଦାୟୀ ହୋଇଥାଏ । ଆଗରୁ ଏ ବିଷୟରେ କୁହାଯାଇଛି ଯେ, କେତେକ ଜିନ୍ ଯୋଗୁଁ କେତୋଟି ନିର୍ଦ୍ଦିଷ୍ଟ ରୋଗ ପିତାମାତା ବା ପୂର୍ବଜମାନଙ୍କଠାରୁ ଅର୍ଜିତ ହୋଇଥାଏ । ଜାତି କଥା ବିଚାର କରିବା ବେଳେ ଦେଖାଯାଏ ଯେ, ମୁସଲମାନ ସଂପ୍ରଦାୟର ଲୋକେ ପିଲାଟି ଦିନରୁ ସୁନ୍‍ତି ହୋଇ ଯାଉଥିବାରୁ ସେମାନେ କେବେ ଲିଙ୍ଗ କର୍କଟ ରୋଗ ଭୋଗି ନଥାନ୍ତି । କିନ୍ତୁ ହିନ୍ଦୁମାନଙ୍କଠାରେ ଏହି ରୋଗ ଦେଖା ଯାଇଥାଏ ।

 

ବୃତ୍ତି ଓ ବ୍ୟକ୍ତିଗତ ଖାଦ୍ୟାଭ୍ୟାସ ମଧ୍ୟ ଅନେକ କାରକକୁ ଦେହରେ ପ୍ରବେଶ କରିବା ପାଇଁ ସୁଯୋଗ ଦେଇଥାଏ । ଖଣି ଓ ଧୂଳି, ଧୂଆଁରେ କାମ କରୁଥିବା ଲୋକ ବିଭିନ୍ନ ପ୍ରକାର ଛାତି ରୋଗରେ ପୀଡ଼ିତ ହୋଇଥାଏ । ଉଚ୍ଚ ପଦବୀରେ ରହି ସବୁବେଳେ ବିଭିନ୍ନ ମାନସିକ ଚାପର ବଶବର୍ତ୍ତୀ ହେଉଥିବା ଲୋକେ ଉଚ୍ଚ ରକ୍ତଚାପ ଓ ମଧୁମେହ ଆଦି ରୋଗ ଭୋଗିଥାନ୍ତି । ଠିକ୍ ସେମିତି ଅତି ଭୋଜନ ଶରୀରକୁ ପୃଥୁଳ କରି ମଧୁମେହ, ଉଚ୍ଚ ରକ୍ତଚାପ ଆଦି ସୃଷ୍ଟି କରୁଥିବା ବେଳେ ଅପପୁଷ୍ଟି ମଣିଷକୁ ପଙ୍ଗୁ କରିଦିଏ ଓ ଯକ୍ଷ୍ମା, କ୍ୟାନ୍‌ସର୍‍ ଭଳି ରୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଦିଏ । ମଦ, ସିଗାରେଟ, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଓ ନିଶା ଔଷଧ ବ୍ୟବହାର କରୁଥିବା ଲୋକଙ୍କର ଦେହ ସବୁବେଳ ପାଇଁ ବିପଦ ଶଙ୍କୁଳ ଅବସ୍ଥାରେ ରହିଥାଏ ।

 

୩. ପରିବେଶ (Environment):-

 

ଜୀବନ ଧାରଣ ପାଇଁ ଦେହ ନିର୍ଭର କରୁଥିବା ସମସ୍ତ ପ୍ରକାର ବାହ୍ୟ ପଦାର୍ଥ ଓ ପ୍ରଭାବ ହିଁ ପରିବେଶ ନାମରେ ପରିଚିତ । ରୋଗ ସହିତ ପରିବେଶର ସଂପର୍କ ବିଷୟରେ ବିଜ୍ଞାନୀମାନେ ଯାହା କହିଛନ୍ତି, ତାହା ଆଗରୁ କୁହାଯାଇଛି ।

ପରିବେଶ ସହିତ ଖାପ ଖୁଆଇ ନ ପାରିଲେ ଦେହର ଯେଉଁ ଅବସ୍ଥା ହୁଏ, ତାହାହିଁ ହେଉଛି ରୋଗ-। ପରିବେଶ ଅନୁକୂଳ ଥିଲେ ରୋଗ କାରକ ସହଜରେ ଦେହ ଭିତରେ ପ୍ରବେଶ କରିଥାଏ । ଜଣେ ସହରବାସୀ ଓ ଜଣେ  ଗ୍ରାମବାସୀର ଉଦାହରଣ ନିଆଯାଉ । ସହରବାସୀ ଜଣକ ସବୁବେଳେ ଗାଡ଼ି ମଟର ଓ କଳକାରଖାନାର ଧୂଆଁ, ଧୂଳି ଭିତରେ ଚଳପ୍ରଚଳ ହେଉଥାଏ । ତେଣୁ ତା'ଠାରେ ଛାତି ବା ଫୁସଫୁସ୍‌ର ରୋଗ ବେଶି ଦେଖାଯାଏ । ଅପର ପକ୍ଷରେ ଜଣେ ଗ୍ରାମବାସୀ ସର୍ବଦା ମୁକ୍ତ ବାୟୁ ପାଉଥିବାରୁ ତା'ଠାରେ ଏହା ପ୍ରାୟ ଦେଖା ଦେଖାଯାଏ ନାହିଁ । ଠିକ୍ ସେମିତି, ଧରାଯାଉ ଗୋଟିଏ ପରିବାର ନଳକୂପର ପାଣି ବ୍ୟବହାର କରୁଛନ୍ତି ଓ ଆଉ ଗୋଟିଏ ପରିବାର ଅଗଭୀର କୂପର ପାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି । ନଳକୂପର ପାଣି ସାଧାରଣତଃ ବିଶୁଦ୍ଧ ଓ ଜୀବାଣୁମୁକ୍ତ । ତେଣୁ ସେହି ପରିବାରର ଲୋକଙ୍କୁ ରୋଗ ଆକ୍ରମଣ କରିବା କ୍ୱଚିତ୍‌ ଦେଖା ଯାଇଥାଏ । କିନ୍ତୁ ଅଗଭୀର କୂପର ପାଣି ଦୂଷିତ ହୋଇଥିବାରୁ ସେଥିରେ ରୋଗ-କାରକ ସବୁ ଲୁଚି ରହିଥାନ୍ତି । ତେଣୁ ସେହି ପାଣି ବ୍ୟବହାର କଲେ ରୋଗରେ ପଡ଼ିବା ପ୍ରାୟ ନିଶ୍ଚିତ ହୋଇଥାଏ-। ଏହି ଦୁଇଟି ଉଦାହରଣରୁ ରୋଗ ପାଇଁ ପରିବେଶର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ତାହା ସହଜେ ଅନୁମେୟ । ଦେହର ଆଭ୍ୟନ୍ତରୀଣ ପରିବେଶ ଓ ଭୌତିକ, ଜୈବ ସାମାଜିକ ପରି ବାହ୍ୟ ପରିବେଶ ବିଷୟରେ ଆଗର ବର୍ଣ୍ଣନା କରାଯାଇଛି । ତା'ର ପୁନରାବୃତ୍ତି କରିବା ଅନାବଶ୍ୟକ ।

 

୪. ବହୁ ଉପାଦାନ ବିଶିଷ୍ଟ ମତବାଦ: (Multifactorial theory):-

 

ଏହା ମତବାଦ ଅନୁଯାୟୀ ଗୋଟିଏ ରୋଗ ପାଇଁ ଅନେକ କାରଣକୁ ମିଳିତ ଭାବରେ ଦାୟୀ କରାଯାଇଥାଏ । ଜନସ୍ୱାସ୍ଥ୍ୟର ବିକାଶ, ନୂତନ ପ୍ରକାର ଜୀବାଣୁନାଶକ ଔଷଧର ଉଦ୍‌ଭାବନ ଓ ରୋଗ ବାହକମାନ‌ଙ୍କର ବିନାଶ ଫଳରେ ଆଜିକାଲି ଅବଶ୍ୟ ସଂକ୍ରାମକ ରୋଗ ବହୁ ପରିମାଣରେ କମି ଯାଇଛି । କିନ୍ତୁ ଅପର ପକ୍ଷରେ ଆଉ କେତେକ ନୂତନ ପ୍ରକାର ରୋଗ ସୃଷ୍ଟି ହେବାରେ ଲାଗିଛି । ଏହାକୁ ସାଧାରଣତଃ ଆଧୁନିକ ରୋଗ ବା ସଭ୍ୟତାର ରୋଗ ବୋଲି କୁହାଯାଉଛି । ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଫୁସଫୁସ୍‌ର କର୍କଟରୋଗ, ବିଭିନ୍ନ ମାନସିକ ରୋଗ ଇତ୍ୟାଦି ଏହି ଶ୍ରେଣୀର ରୋଗ । ପରୀକ୍ଷା କରି ଦେଖାଯାଇଛି ଯେ, ଏହି ସବୁ ରୋଗ ସୃଷ୍ଟି ହେବା ପାଇଁ ନିର୍ଦ୍ଦିଷ୍ଟ ଭାବରେ କୌଣସି ଗୋଟିଏ କାରକ ଦାୟୀ ହେଉ ନାହିଁ; ବରଂ ଅନେକ କାରକ ମିଳିତ ଭାବରେ ଦାୟୀ ହେଉଛନ୍ତି । ଏହି କାରକଗୁଡ଼ିକୁ ସାଧାରଣତଃ ବିପଦସଂକୁଳ କାରକ (Risk factors) ବୋଲି କୁହାଯାଇଥାଏ ।

 

ଏଗୁଡ଼ିକୁ ବିପଦସଙ୍କୁଳ କହିବାର କାରଣ ହେଲା, ଏହାରି ପ୍ରଭାବରେ ହିଁ ସେହିସବୁ ରୋଗ ସୃଷ୍ଟି ହୋଇଥାଏ । ତେବେ ସମସ୍ତଙ୍କ ଠାରେ ଯେ ଏହି କାରକଗୁଡ଼ିକ ରୋଗ ସୃଷ୍ଟି କରିଥାନ୍ତି, ତାହା ନୁହେଁ । କେବଳ ବିପଦସଙ୍କୁଳ ଗୋଷ୍ଠୀ (Risk group) ର ଲୋକଙ୍କଠାରେ ହିଁ ଏହା ରୋଗ ସୃଷ୍ଟି କରିଥାନ୍ତି । ଏହିପରି କେତେକ ରୋଗ ଓ ତାହା କେଉଁ ବିପଦସଙ୍କୁଳ କାରକ ଦ୍ଵାରା ସୃଷ୍ଟି ହୋଇଥାଏ, ତାହା ନିମ୍ନରେ ପ୍ରଦତ୍ତ ହେଲା:-

 

ରୋଗର ନାମ

 

ବିପଦସଙ୍କୁଳ କାରକ, (Risk factors

୧. ହୃଦ୍ ରୋଗ (Heart Discase)

 

ଧୂମପାନ, ଉଚ୍ଚ ରକ୍ତଚାପ, ଚର୍ବିବହୁଳ ଖାଦ୍ୟ,

 

 

ମଧୁମେହ, ପୃଥୁଳତା, ବ୍ୟାୟାମର ଅଭାବ,

 

 

ଅତ୍ୟଧିକ ଚିନ୍ତା, ଅତ୍ୟଧିକ ମଦ୍ୟପାନ, ଅତ୍ୟଧିକ

 

 

କ୍ରୋଧ, ଉଦ୍‌ବେଗ ।

 

 

 

୨. ରକ୍ତଚାପ (High Blood Pressure)

 

ଧୂମପାନ, ମଦ୍ୟପାନ, ଚିନ୍ତା, ଚର୍ବି ବହୁଳ

 

 

ଖାଦ୍ୟ, ପୃଥୁଳତା, ମଧୁମେହ, ବ୍ୟାୟାମର ଅଭାବ।

 

 

 

୩. କର୍କଟ ରୋଗ (Cancer)

 

ଧୂମପାନ, ମଦ୍ୟପାନ, ବିକିରଣ, ପରିବେଶ ପ୍ରଦୂଷଣ,

 

 

ବିଭିନ୍ନ ଔଷଧ, ଅପପୁଷ୍ଟି, ସୁଷମ ଖାଦ୍ୟର ଅଭାବ,

 

 

ରାସାୟନିକ ବିଷ, ନାଭିକୀୟ ବିଭାଜନ ।

 

 

 

୪.ଷ୍ଟ୍ରୋକ୍ (Stroke)

 

ଉଚ୍ଚ ରକ୍ତଚାପ, ଚର୍ବିବହୁଳ ଖାଦ୍ୟ, ଧୂମପାନ।

 

 

 

୫. ଦୁର୍ଘଟଣା  (Accident)

 

ମଦ୍ୟପାନ, ସିଟ୍ ବେଲ୍‌ଟ୍ ବ୍ୟବହାର ନ କରିବା,

 

 

ଦ୍ରୁତ ଗାଡ଼ି ଚାଳନା, ଗାଡ଼ିର ଡିଜାଇନ୍, ରାସ୍ତାର

 

 

ଡିଜାଇନ୍, ଅନ୍ୟମନସ୍କତା ।

 

 

 

୬. ମଧୁମେହ (Diabetes)

 

ପୃଥୁଳତା, ଅତ୍ୟଧିକ ମିଠା ଓ ଶ୍ୱେତସାର ଜାତୀୟ ଖାଦ୍ୟ,

 

 

ବ୍ୟାୟାମର ଅଭାବ।

୭. ଯକୃତ୍‌ର ସିରୋସିସ୍ ରୋଗ

(Cirrhosis of liver)

 

ଅତ୍ୟଧିକ ମଦ୍ୟପାନ।

 

 

 

୮. ପେପ୍‌ଟିକ୍ ଅଲ୍‌ସର (Peptic Ulcer)

 

ଚିନ୍ତା, କ୍ରୋଧ, ରାଗ, ଉଦ୍‌ବେଗ, ମସଲା ଓ

 

 

ରାଗଯୁକ୍ତ ଖାଦ୍ୟ, ଖାଦ୍ୟ ପେୟରେ ଅନିୟମିତତା,

 

 

ଅନିଦ୍ରା ଇତ୍ୟାଦି ।

 

ରୋଗର ରୂପ ରୂପରେଖ ବା ରୋଗର ବର୍ଣ୍ଣାଳୀ

(Spectrum of Disease)

 

ଗୋଟିଏ ରୋଗକୁ ସାଧାରଣତଃ ଆଲୋକର ବର୍ଣ୍ଣାଳୀ ସହିତ ତୁଳନା କରାଯାଇଥାଏ । ଆଲୋକର ବର୍ଣ୍ଣାନୀରେ ସାଧାରଣତଃ ବିଭିନ୍ନ ପ୍ରକାରର ରଙ୍ଗ ସଜ୍ଜିତ ହୋଇଥାଏ । ଗୋଟିଏ ପଟର ରଙ୍ଗ ସହିତ ଆର ପଟର ରଙ୍ଗର କୌଣସି ସାମଞ୍ଜସ୍ୟ ନଥାଏ । ସେହିପରି ବର୍ଣ୍ଣାଳୀ ଭିତରେ ଗୋଟିଏ ରଙ୍ଗର ଆଲୋକ କେଉଁଠି ଶେଷ ହୋଇ ଆଉ ଗୋଟିଏ ରଙ୍ଗର ଆଲୋକ ଆରମ୍ଭ ହୋଇଥାଏ, ତାହା ଜାଣିବା ଖୁବ୍ କଷ୍ଟକର ହୋଇଥାଏ । ଗୋଟିଏ ରୋଗ ମଧ୍ୟ ଠିକ୍ ସେହିପରି ପରିପ୍ରକାଶ କରିଥାଏ ।

 

ଯେତେବେଳେ ରୋଗର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ, ସେତେବେଳେ ତାହାକୁ ଚିହ୍ନିବା ଖୁବ୍ କଷ୍ଟକର ହୋଇଥାଏ । ସେହିପରି ରୋଗର କରାଳତାରେ ରୋଗୀ କେତେବେଳେ ମୃତ୍ୟୁବରଣ କରିବ, ତାହା ମଧ୍ୟ ଠିକ୍ ଭାବରେ କହି ହୁଏ ନାହିଁ । କୌଣସି ଲକ୍ଷଣ ନଥିବା ଅବସ୍ଥାରୁ କେତେବେଳେ ରୋଗର ଲକ୍ଷଣ ପ୍ରକାଶ ପାଇବ, ସମସ୍ତ ଲକ୍ଷଣ ପ୍ରକାଶ ପାଇ ରୋଗ କେତେବେଳେ ସଂପୂର୍ଣ୍ଣ ଆତ୍ମପ୍ରକାଶ କରିବ, ରୋଗର ଲକ୍ଷଣ କେତେବେଳେ ଅପସରି ଯିବ, ରୋଗୀ କେତେବେଳେ ସଂପୂର୍ଣ୍ଣ ସୁସ୍ଥ ହେବ– ଏହିସବୁ ସମୟାନ୍ତରକୁ ଠିକ୍ ଭାବରେ ଚିହ୍ନଟ କରିବା ଖୁବ୍ କଷ୍ଟସାଧ୍ୟ ହୋଇଥାଏ । ସେଥ‌ିପାଇଁ ରୋଗକୁ ସାଧାରଣତଃ ପାଣିରେ ଭାସୁଥିବା ଏକ ଭାସମାନ ବରଫ ଖଣ୍ଡ (Ice-berg) ସହିତ ତୁଳନା କରାଯାଇଥାଏ । ବରଫର ଯେଉଁ ଅଂଶ ପାଣି ଉପରକୁ ରହିଥାଏ, କେବଳ ସେହି ଅଂଶକୁ ହିଁ ଆମେ ଦେଖି ପାରିଥାଉ । ସେହିପରି କେବଳ ଲକ୍ଷଣ ଓ ଚିହ୍ନ ପ୍ରକାଶ କରୁଥିବା ରୋଗକୁ ହିଁ ଚିକିତ୍ସକମାନେ ଚିହ୍ନି ପାରିଥାନ୍ତି । କିନ୍ତୁ ବରଫର ବିଶାଳ ଅଂଶ ପାଣିରେ ଅଦୃଶ୍ୟମାନ ହୋଇ ବୁଡ଼ି ରହିଥ‌ିବା ଭଳି ରୋଗର ଏକ ଗୁରୁତ୍ୱପୂର୍ଣ୍ଣ ସମୟକୁ ସାଧାରଣତଃ ଦେଖିହୁଏ ନାହିଁ କିମ୍ବା ଜାଣିହୁଏ ନାହିଁ । ଉଚ୍ଚ ରକ୍ତଚାପ, ମଧୁମେହ, ରକ୍ତହୀନତା, ଅପପୁଷ୍ଟି, ମାନସିକ ଅସୁସ୍ଥତା ଆଦି ରୋଗ, ଯାହାର ଗୁରୁତ୍ଵପୂର୍ଣ ସମୟଗୁଡ଼ିକ ପାଣିରେ ବୁଡ଼ିଥିବା ବରଫର ଅଂଶ ପରି ଅଦୃଶ୍ୟ ଓ ଲୁକ୍‌କାୟିତ ହୋଇ ରହିଥାଏ । କାରଣ ସେତେବେଳେ ରୋଗକୁ ଠିକ୍ ଭାବରେ ଚିହ୍ନି ହୁଏ ନାହିଁ କିମ୍ବା କୌଣସି ଚିକିତ୍ସା କରିହୁଏ ନାହିଁ I ରୋଗ ଅତି ଉତ୍କଟ ହୋଇଯିବା ପରେ ବରଫର ଦୃଶ୍ୟମାନ ଅଂଶ ପରି ତାହା ବାହାରକୁ ଜଣା ପଡ଼ିଥାଏ । ଭାସମାନ ବରଫର ଏହି ଉଦାହରଣକୁ ଆଧାର କରି ରୋଗକୁ କିପରି ପ୍ରାଥମିକ ଅବସ୍ଥାରୁ ଚିହ୍ନି ହେବ ଓ ତାର ଚିକିତ୍ସା କରିହେବ, ସେ ବିଷୟରେ ବିଭିନ୍ନ ପଦକ୍ଷେପ

ନିଆଯାଇଥାଏ ।

 

ରୋଗର ଗତି ଓ ପ୍ରକୃତି

(Natural History of Disease)

 

ରୋଗ କେମିତି ହୁଏ ଜାଣିବା ପରେ ରୋଗର ଗତି ଓ ପ୍ରକୃତି ବିଷୟରେ ଜାଣିବା ପାଇଁ ମନରେ ସ୍ୱତଃ କୌତୂହଳ ଜାତ ହୁଏ । ପ୍ରତ୍ୟେକ ରୋଗର ଏକନିର୍ଦ୍ଦିଷ୍ଟ ଗତି ରହିଥାଏ ଓ ବିଭିନ୍ନ ସ୍ତର ଦେଇ ଏହା ଗତି କରିଥାଏ । ଠିକ୍ ସେମିତି ପ୍ରତ୍ୟେକ ରୋଗର ପ୍ରକୃତିଗତ ଲକ୍ଷଣ ବା ଚିହ୍ନ ମଧ୍ୟ ନିର୍ଦ୍ଦିଷ୍ଟ । ରୋଗର ସେହି ନିର୍ଦ୍ଦିଷ୍ଟ ଗତି ଓ ପ୍ରକୃତିକୁ ବିଶ୍ଳେଷଣ କରି ଡାକ୍ତରମାନେ ରୋଗ ନିର୍ଣ୍ଣୟ ପ୍ରଣାଳୀ ଓ ଚିକିତ୍ସା ବ୍ୟବସ୍ଥା ଅନୁସରଣ କରିଥାନ୍ତି ।

 

ଗୋଟିଏ କାରକ ଦେହରେ ପ୍ରବେଶ କରିବା ମୁହୂର୍ତ୍ତରୁ ହିଁ ଆମେ ରୋଗ କବଳରେ ପଡ଼ିଥାଉ । କିନ୍ତୁ ମଜା କଥା ହେଉଛି, ସେହି ମୁହୂର୍ତ୍ତରୁ ଆମେ ରୋଗ ବିଷୟରେ କିଛି ଅନୁଭବ କରି ପାରୁନାହିଁ । ମଞ୍ଜିଟିଏ କ୍ଷେତରେ ପଡ଼ି ଗଛ ହେବା ପର୍ଯ୍ୟନ୍ତ କିଛି ଦିନ ସମୟ ଲାଗେ । ସେ ପର୍ଯ୍ୟନ୍ତ କ୍ଷେତକୁ ଦେଖିଲେ ସେଥିରେ ମଞ୍ଜି ପଡ଼ିଛି କି ନା, ସେ ବିଷୟରେ କିଛି ଧାରଣା କରି ହୁଏ ନାହିଁ। ଯେତେବେଳେ ମଞ୍ଜିଟି ଗଜା ଫୁଟି କ୍ଷେତ ଉପରକୁ ଟିକିଏ ବାହାରି ଯାଏ, ସେତିକି ବେଳେ ହିଁ ଆମେ ତାହା ଜାଣିପାରୁ । ରୋଗ କଥା ମଧ୍ୟ ଠିକ୍ ସେହିପରି । କାରକଟିଏ ଦେହ ଭିତରକୁ ପ୍ରବେଶ କରେ ସତ, କିନ୍ତୁ କେତେବେଳେ ପ୍ରବେଶ କରେ, ତା'ର ବିନ୍ଦୁ ବିସର୍ଗ ସୁଦ୍ଧା ଆମେ ଜାଣି ପାରୁ ନାହିଁ । ଦେହରେ ପଶି ତାହା ନିଜର ବଂଶ ବୃଦ୍ଧି କରେ ଓ ତନ୍ତୁମାନଙ୍କୁ କ୍ଷୟ କରିବା କାର୍ଯ୍ୟ ଆରମ୍ଭ କରେ । ଏହି କ୍ଷୟ କରିବା କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମସ୍ତ ପର୍ଯ୍ୟନ୍ତ ଚାଲେ । ଯେତେବେଳେ ଏହି କ୍ଷୟ ଅତ୍ୟଧିକ ହୋଇ ତନ୍ତୁ ଓ ଅଙ୍ଗର ସ୍ଵାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରେ, ସେତେବେଳେ ଦେହରେ କିଛି ହେବା ପରି ବୋଧ ହୁଏ । ଅର୍ଥାତ୍ ସେତିକିବେଳେ ଦେହରେ କିଛି ଲକ୍ଷଣ ବା ଚିହ୍ନ ପ୍ରକାଶ ପାଏ । ରୋଗ-କାରକ ଦେହରେ ପ୍ରବେଶ କରିବା ସମୟ ଠାରୁ କିଛି ଲକ୍ଷଣ ବା ଚିହ୍ନ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମୟକୁ ରୋଗର ସୁପ୍ତାବସ୍ଥା  (Incubation period) ବୋଲି କୁହାଯାଏ ।

 

ଏହି ସମୟ ଭିତରେ ଆମେ ରୋଗ ବିଷୟରେ କିଛି ଜାଣି ପାରୁ ନାହିଁ, ଅର୍ଥାତ୍ ଦେହକୁ କିଛି ଲାଗେ ନାହିଁ । ଆମକୁ ଯେ ଏକ ନିର୍ଦ୍ଦିଷ୍ଟ ରୋଗ ଗ୍ରାସ କରିବାକୁ ବସିଛି, ସେ ବିଷୟରେ ଆମେ କିଛି ଅନୁଭବ କରିପାରୁ ନାହିଁ । କିନ୍ତୁ ଏହି ସମୟ ଭିତରେ ରୋଗ ଦେହର ପ୍ରାଥମିକ ବିପର୍ଯ୍ୟୟ ଆରମ୍ଭ କରି ଦେଇଥାଏ । ତେବେ ବିଭିନ୍ନ ରୋଗ ପାଇଁ ଏହି ସୁପ୍ତାବସ୍ଥାର ସମୟ ସୀମା ଭିନ୍ନ ଭିନ୍ନ । ଏହି ସମୟ ସୀମା ସାମାନ୍ୟ କେତେ ଘଣ୍ଟା ଠାରୁ ଆରମ୍ଭ କରି କେତେଦିନ, ମାସ ବା ବର୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । ତେଣୁ ଏ ବିଷୟରେ ଜାଣିବାର ଅବକାଶ ମଧ୍ୟ ଆମର ନ ଥାଏ-। ଏହା ଧାରଣା କରିବା ପାଇଁ ନିମ୍ନରେ କେତେକ ସାଧାରଣ ରୋଗର ସୁପ୍ତାବସ୍ଥାର ସମୟ ସୀମା କେତେ, ତା'ର ସୂଚନା ଦିଆଯାଇଛି:-

 

ରୋଗର ନାମ

ସୁପ୍ତାବସ୍ଥାର ସମୟ ସୀମା

ହାଡ଼ଫୁଟି

୧୪-୧୬ଦିନ

ମିଳିମିଳା 

୧୦ଦିନ

ଗାଲୁଆ

୨-୩ ସପ୍ତାହ (ହାରାହାରି ୧୮ ଦିନ)

ଇନଫ୍ଲୁଏନଜା

୧୮-୭୨ ଘଣ୍ଟା

ଡିପଥେରିଆ

୨-୬ଦିନ

ଲହରା କାଶ

୭-୧୪ଦିନ ·

ଯକ୍ଷ୍ମା

୩-୬ ସପ୍ତାହ

ପୋଲିଓ

୭-୧୪ଦିନ

ହଇଜା

୧ ଘଣ୍ଟାରୁ-୧୪ଦିନ

ଟାଇଫଏଡ଼୍

୧୦-୧୪ଦିନ

ଆମାଶୟ

୨-୪ସପ୍ତାହ

ଚାକୁଣ୍ଡି

୨ ମାସ

ହୁକ୍ଓ୍ଵାର୍ମ

୫ ସପ୍ତାହରୁ ୯ ମାସ

ମ୍ୟାଲେରିଆ

୧୦ ଦିନରୁ ଅକ

ବାତଜ୍ଵର

୮-୧୬ ମାସ

ଜଳାତଙ୍କ

୩ ସପ୍ତାହରୁ କେତେବର୍ଷ

ପ୍ଲେଗ୍

୧-୭ ଦିନ

ଟିଟାନସ୍

୭-୧୦ଦିନ

କୁଷ୍ଠ

୩-୫ବର୍ଷ

ଏଡ଼ସ୍

କେତେ ମାସରୁ କେତେ ବର୍ଷ

 

ସୁପ୍ତାବସ୍ଥା ପରେ ଦେହରେ ସାମାନ୍ୟ କେତେକ ଲକ୍ଷଣ ପ୍ରକାଶ ପାଏ । ଏହି ସମୟକୁ ରୋଗର ପ୍ରାଥମିକ ଅବସ୍ଥା (Primary Stage) ବୋଲି କୁହାଯାଏ । ଏହି ଅବସ୍ଥାରେ ଦେହରେ ଯେଉଁସବୁ ଲକ୍ଷଣ ପ୍ରକାଶ ପାଏ, ରୋଗ ସହିତ ତା'ର କିଛି ନିର୍ଦ୍ଦିଷ୍ଟ ସମ୍ପର୍କ ନଥାଏ । ତେଣୁ ଏହି ସମୟରେ ରୋଗ ନିରୂପଣ କରିବା ଡାକ୍ତରଙ୍କ ପକ୍ଷେ ମୁସ୍କିଲ ହୋଇପଡ଼େ ଓ ଅନେକ ପରିସ୍ଥିତିରେ ସେମାନେ ରୋଗ ଚିହ୍ନିବାରେ ଭୁଲ ବି କରି ବସନ୍ତି । ଏହି ସମୟରେ ଦେହରେ ସାମାନ୍ୟ ଜର ରହେ। ମୁଣ୍ଡ, ଦେହ, ହାତ ଆଦି ଘୋଳା ବିନ୍ଧା କରେ । ଦେହ ଦୁର୍ବଳ ଲାଗେ । କୌଣସି କାମ କରିବା ପାଇଁ ସ୍ପୃହା ବା ଆଗ୍ରହ ରହେ ନାହିଁ । ବେଳେବେଳେ ଅଣନିଃଶ୍ଵାସୀ ଲାଗେ-। ଏହି ସବୁ ଲକ୍ଷଣ ଅଧିକାଂଶ ରୋଗର ପ୍ରଥମ ଅବସ୍ଥାରେ ହିଁ ଦେଖାଯାଏ । ତେଣୁ ରୋଗ ଚିହ୍ନିବାରେ ଅସୁବିଧା ହେବାଟା ସ୍ଵାଭାବିକ । ଏହି ଅବସ୍ଥା ସାଧାରଣତଃ ତିନିଚାରି ଦିନ ପର୍ଯ୍ୟନ୍ତ ଲାଗି ରହେ ।

 

ପ୍ରାଥମିକ ଅବସ୍ଥା ପରେ ଦେହରେ ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ଓ ଚିହ୍ନ ସବୁ ପ୍ରକାଶ ପାଏ I ଏହାକୁ ରୋଗର ପ୍ରକୃତ ଅବସ୍ଥା (Specific Stage or True phase) ବୋଲି କୁହାଯାଏ । ଯେଉଁ ରୋଗରେ ଯେଉଁସବୁ ଲକ୍ଷଣ  ବା ଚିହ୍ନ ଦେଖାଯିବା କଥା, ତାହା ଏହି ସମୟରେ ହିଁ ଦେଖାଯାଏ । ସେଥିପାଇଁ ଏତିକିବେଳେ ରୋଗ ଚିହ୍ନିବା ପାଇଁ ଡାକ୍ତରମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ । ତା'ଛଡ଼ା ସାଧାରଣତଃ ଏହି ଅବସ୍ଥାରେ ହିଁ ରୋଗୀମାନେ ଶଯ୍ୟାଶାୟୀ ହୋଇ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରିଥାନ୍ତି । ଏତିକିବେଳେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ ନ କଲେ ରୋଗର ନାନା ପ୍ରକାର ଜଟିଳତା ବା ଉପସର୍ଗସବୁ ସବୁ ଦେଖାଯାଏ । ଏହି ଅବସ୍ଥା କାହାର କେତେଦିନ ପର୍ଯ୍ୟନ୍ତ ରହେ, ତାହା ନିର୍ଦ୍ଦିଷ୍ଟ ଭାବରେ କହି ହୁଏ ନାହିଁ । ଏହା ଦେହର ପ୍ରତିରକ୍ଷା ଶକ୍ତି, ପ୍ରତିଷେଧକ ବ୍ୟବସ୍ଥା, ଚିକିତ୍ସା, ସେବା ଶୁଶ୍ରୂଷା, ଖାଦ୍ୟ ବିଶ୍ରାମ ଇତ୍ୟାଦି ଉପରେ ନିର୍ଭର କରିଥାଏ ।

 

ଏହା ପରେ ଯେଉଁ ଅବସ୍ଥା ଆସେ, ତାହା ଦୁଇଟି ଭିନ୍ନ ରୂପ ନିଏ । ଦେହର ପ୍ରତିରକ୍ଷା ଶକ୍ତି ନଷ୍ଟ ହୋଇ ଯାଇଥିଲେ କିମ୍ବା ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ ନ କଲେ ରୋଗୀର ମୃତ୍ୟୁ ହୋଇଯାଏ । ତେଣୁ ରୋଗର କରାଳତା ପରେ ଯେଉଁ ଅବସ୍ଥା ଆସେ, ତା'ର ପ୍ରଥମ ରୂପ ହେଲା ମୃତ୍ୟୁ । ଅବଶ୍ୟ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଓ ଶୁଶ୍ରୂଷା ପଦ୍ଧତି ଆଦି ମୃତ୍ୟୁକୁ ଜୟ କରିବାକୁ ସମର୍ଥ ହୋଇ ପାରିଛି । ଅଭିଜ୍ଞ ଚିକିତ୍ସକମାନେ ମୃତ୍ୟୁକୁ ରୋଗଠାରୁ ବହୁତ ଦୂରକୁ ନେଇ ଯାଇଛନ୍ତି । ତେଣୁ ଏ ବିଷୟରେ ବିଶେଷ ବର୍ଣ୍ଣନା ଅନାବଶ୍ୟକ ।

 

ତା'ଛଡ଼ା ଏହାର ଦ୍ଵିତୀୟ ରୂପ ହେଲା ଉପଶମ ଅବସ୍ଥା (Recovery Stage) । ଉପଯୁକ୍ତ ଚିକିତ୍ସା, ସେବା ଓ ପ୍ରତିରକ୍ଷା ଶକ୍ତିର ପ୍ରଭାବ ବଳରେ ରୋଗର କରାଳତା ଆସ୍ତେ ଆସ୍ତେ କମିଯାଏ । ଦେହରୁ ରୋଗର ଲକ୍ଷଣ ଓ ଚିହ୍ନସବୁ କ୍ରମେ କ୍ରମେ ଅପସରି ଯାଏ । ରୋଗୀକୁ ଆରାମ ଲାଗେ । ସେ ବିଛଣାରୁ ଉଠି ଚଲାବୁଲା କରେ । ଖାଦ୍ୟପେୟ ଓ ବିଶ୍ରାମରେ ସ୍ଵାଭାବିକତା ଫେରି ଆସେ । ଯଦିଓ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନ ଥାଏ, ତଥାପି ନିଜକୁ ସୁସ୍ଥ ବୋଲି ମନେ କରେ । ତେଣୁ ଏହି ସମୟରେ ଚିକିତ୍ସା ଓ ପରିଚର୍ଯ୍ୟା ଉପରେ ସତର୍କତା ଅବଲମ୍ବନ ନ କଲେ ରୋଗ ପୁଣି ଲେଉଟିବାର ସମ୍ଭାବନା ଥାଏ । ଏହି ଅବସ୍ଥାର ସମୟସୀମା ବିଭିନ୍ନ ଲୋକ ପାଇଁ ଭିନ୍ନ ଭିନ୍ନ ହୋଇଥାଏ ।

 

ଯଦି ଚିକିତ୍ସା ଠିକ୍ ଭାବରେ କରା ନ ଯାଇଥାଏ ବା ଚିକିତ୍ସାରେ କିଛି ବିଳମ୍ବ ଘଟିଥାଏ, ତାହେଲେ ରୋଗର କେତେକ ଉପସର୍ଗ ବା ଜଟିଳତା (Complications) ଦେଖା ଦେଇଥାଏ । ଏହା ଶରୀରକୁ ବିକଳାଙ୍ଗ (Disable) କରି ଦେଇପାରେ କିମ୍ବା ରୋଗ ଦୀର୍ଘ ମିଆଦୀ (Chronic) ମଧ୍ୟ ହୋଇପାରେ ।

 

ଏହା ପରେ ଆସେ ରୋଗ ଉପଶମର ପରବର୍ତ୍ତୀ ଅବସ୍ଥା (Convalescent period) । ଏହି ସମୟରେ ରୋଗର  ଲକ୍ଷଣ ଓ ଚିହ୍ନସବୁ ପୂରାପୂରି ଅପସରି ଯାଇଥିଲେ ମଧ୍ୟ ଦେହରୁ ରୋଗ-କାରକ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ନଥାନ୍ତି । ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାର ଯଥେଷ୍ଟ ଆବଶ୍ୟକ‌ତା ରହିଥାଏ । ନଚେତ୍ ସେହି କାରକ ଦେହକୁ ପୁଣି ଥରେ ଆକ୍ରମଣ କରିବାର ଏବଂ ଅନ୍ୟକୁ ସଂକ୍ରମଣ କରିବାର ସମ୍ଭାବନା ରହିଥାଏ । ଏହାକୁ ବାହକ ଅବସ୍ଥା (Carrier Stage) ବୋଲି କୁହାଯାଏ । ଏହି ଅବସ୍ଥା କେତେ ଦିନ ଠାରୁ ଆରମ୍ଭ କରି କେବେ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ ।

 

ତା'ପରେ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥାଏ । ଦେହରେ ରୋଗର ଆଉ କୌଣସି ଲକ୍ଷଣ ବା ଚିହ୍ନ ରହେ ନାହଁ । ରୋଗକାରକ ମଧ୍ୟ ଦେହରୁ ସଂପୂର୍ଣ୍ଣ ନଷ୍ଟ ବା ନିଷ୍କ୍ରିୟ ହୋଇଯାଏ । ଏଣିକି ରୋଗୀ ତା'ର ସ୍ଵାଭାବିକ କାର୍ଯ୍ୟ କରିବାକୁ ସମର୍ଥ ହୁଏ ଉପରେ ରୋଗର ଗତି ଓ ପ୍ରକୃତି ବିଷୟରେ ଯାହାସବୁ କୁହାଗଲା, ତାହାର ସଂପୂର୍ଣ୍ଣ ସମୟ ସୀମା ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ହଇଜା ରୋଗ ପାଇଁ ଏହା ମାତ୍ର କେତେଦିନ ହୋଇଥିବା ବେଳେ ଆନ୍ତ୍ରିକ ଜ୍ଵର (Typhoid)ପାଇଁ ଏହା କେତେମାସ ପର୍ଯ୍ୟନ୍ତ ହୋଇଥାଏ । ସେ ବିଷୟରେ କେବଳ ଚିକିତ୍ସକ ମାନେ ହିଁ ପରାମର୍ଶ ଦେଇଥାନ୍ତି ।ମୃତ୍ୟୁ ବିକଳାଙ୍ଗତା             ଦୀର୍ଘମିଆଦୀ          ଉପଶମ ପରବର୍ତ୍ତୀ ଅବସ୍ଥା ବାହକ ଅବସ୍ଥା ସଂପୂର୍ଣ୍ଣ ଆରୋଗ୍ୟ

 

ରୋଗ କେମିତି ଜଣା ପଡ଼େ ?

(How disease appears)

 

ଦେହରେ କୌଣସି ଲକ୍ଷଣ ବା ଚିହ୍ନ ପ୍ରକାଶ ପାଇବା ପରେ ହିଁ ଆମକୁ କିଛି ରୋଗ ହୋଇଛି ବୋଲି ଜଣାପଡ଼େ । ଏ ବିଷୟରେ କିଛି କହିବା ପୂର୍ବରୁ ଲକ୍ଷଣ ଓ ଚିହ୍ନ ଭିତରେ ଥ‌ିବା ପ୍ରଭେଦକୁ ଠିକ୍ ଭାବରେ ବୁଝିବା ଆବଶ୍ୟକ । ଗୋଟିଏ ରୋଗର ଲକ୍ଷଣ ଓ ଚିହ୍ନ ଏକା କଥା ନୁହେଁ । ରୋଗୀ ନିଜେ ଯାହା ଅନୁଭବ କରେ, ନିଜେ ଯେଉଁ ଅସୁବିଧା ଭୋଗକରେ ବା ନିଜର ଯାହାସବୁ ହେଉଛି ବୋଲି ଡାକ୍ତରଙ୍କ ଆଗରେ ପ୍ରକାଶ କରେ, ତାହା ହିଁ ହେଉଛି ଲକ୍ଷଣ (Symptoms) । ଜ୍ଵର, ମୁଣ୍ଡବ୍ୟଥା, ଦେହହାତ ପୀଡ଼ା, ତରଳ ଝାଡ଼ା, ପେଟ ବ୍ୟଥା, ଅଇ, ବାନ୍ତି, କାଶ, କଫ, ଛାତିରେ ଯନ୍ତ୍ରଣା, ଦୁର୍ବଳତା, ଦୃଷ୍ଟିହୀନତା, ବାଯୁବୋଷ, ନିଦ୍ରାହୀନତା, ଅଜୀର୍ଣ୍ଣ ପ୍ରଭୃତି ଗୋଟିଏ ଗୋଟିଏ ଲକ୍ଷଣ । ଏଥି ଭିତରୁ ଯାହା ହେଉଥାଏ, ରୋଗୀ ତାହା ନିଜେ ଡାକ୍ତରଙ୍କ ଆଗରେ ପ୍ରକାଶ କରିଥାଏ । ଏସବୁକୁ ରୋଗୀର ଅଭିଯୋଗ (Complaints) ବୋଲି କୁହାଯାଏ । ରୋଗୀର ଅଭିଯୋଗ ଶୁଣିବା ପରେ ଡାକ୍ତର ରୋଗୀକୁ ପରୀକ୍ଷା କରି ଯାହାସବୁ ଦେଖନ୍ତି ବା ପାଆନ୍ତି, ତାହା ହେଲା ରୋଗର ଚିହ୍ନ (Signs) । ଡାକ୍ତର ରୋଗୀକୁ ଚାହିଁ କିଛି ଦେଖନ୍ତି, ହାତମାରି କିଛି ଜାଣନ୍ତି, ପୁଣି ଷ୍ଟେଥୋସ୍କୋପ୍, ଥର୍ମୋମିଟର, ରକ୍ତଚାପ ପରିମାପକ ଯନ୍ତ୍ର ପରି ବିଭିନ୍ନ ଯନ୍ତ୍ର ସାହାଯ୍ୟରେ କିଛି ନିର୍ଣ୍ଣୟ କରନ୍ତି । ଦେହର କୌଣସି ଅଂଶ ଫୁଲିଛି କି ନା, ଯକୃତ୍, ପ୍ଳୀହା ଆଦି ବଢ଼ିଛି କି ନା, ଛାତିରେ କଫ ହୋଇଛି କି ନା, ହୃତ୍‌ପିଣ୍ଡ ଓ ନାଡ଼ିର ଗତି ଠିକ୍ ଅଛି କି ନା, ଦେହର ତାପମାତ୍ରା ଠିକ୍ ଅଛି କି ନା ପ୍ରଭୃତି ଡାକ୍ତରମାନେ ହିଁ ପରୀକ୍ଷା କରି ଜାଣି ପାରନ୍ତି । ପୁଣି କେତେକ ପ୍ରକାର ଚର୍ମରୋଗ ଅଛି, ଯାହାକୁ ଆଖିରେ ଦେଖି ଡାକ୍ତରମାନେ ଚିହ୍ନି ପାରିଥାନ୍ତି । ତା’ଛଡ଼ା ଆବଶ୍ୟକ ପଡ଼ିଲେ ଏକ୍ସରେ', ତନ୍ତୁ ପରୀକ୍ଷା, ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷା, କମ୍ପ୍ୟୁଟର ପରୀକ୍ଷା ଇତ୍ୟାଦି କରି ମଧ୍ୟ କେତେକ ତଥ୍ୟ ଜାଣି ପାରିଥାନ୍ତି । ଏହି ସବୁ ହେଲା ରୋଗର ଚିହ୍ନ । ତେଣୁ ରୋଗର ଲକ୍ଷଣ ଓ ଚିହ୍ନ କଥା କହିବା ବେଳେ କୌଣସି ଦ୍ଵନ୍ଦ୍ଵରେ ପଡ଼ିବା ଉଚିତ ନୁହେଁ ।

 

ଆଗରୁ କୁହା ଯାଇଛି ଯେ, ଦେହରେ କୌଣସି ଲକ୍ଷଣ ବା ଚିହ୍ନ ପ୍ରକାଶ ପାଇଲେ ରୋଗ ହୋଇଛି ବୋଲି ଜଣା ପଡ଼େ । ଏହା  ସାଧାରଣତଃ ଦୁଇ ପ୍ରକାରର ।  ସାଧାରଣ ଲକ୍ଷଣ ଓ ଚିହ୍ନ (General symptoms and signs) ଏବଂ  ନିର୍ଦ୍ଦିଷ୍ଟ ଲକ୍ଷଣ ଓ ଚିହ୍ନ (Specific symptoms and signs) । ସାଧାରଣ ଲକ୍ଷଣ ଓ ଚିହ୍ନଗୁଡ଼ିକ ରୋଗର ପ୍ରାଥମିକ ଅବସ୍ଥାରେ ଦେଖାଯାଏ । ପ୍ରତ୍ୟେକ ରୋଗ ପାଇଁ ଏହା ପ୍ରାୟତଃ ସମାନ ହୋଇଥାଏ । ସାମାନ୍ୟ ଜ୍ଵର, ଦେହହାତ ପୀଡ଼ା, ମୁଣ୍ଡବ୍ୟଥା, ଅସ୍ଵସ୍ତି, ଦୁର୍ବଳତା ଆଦି ଏହି ଲକ୍ଷଣ ଗୁଡ଼ିକର ଅନ୍ତର୍ଭୁକ୍ତ । ସାଧାରଣ ଲକ୍ଷଣ ଛଡ଼ା ବିଭିନ୍ନ ରୋଗ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷଣ ଓ ଚିହ୍ନସବୁ ପ୍ରକାଶ ପାଇଥାଏ । ଶରୀରର ଯେଉଁ ବିଭାଗ ରୋଗାକ୍ରାନ୍ତ ହୋଇଥାଏ, ନିର୍ଦ୍ଦିଷ୍ଟ ଲକ୍ଷଣ ଓ ଚିହ୍ନଗୁଡ଼ିକ ସେହି ବିଭାଗ ସହିତ ସଂପର୍କିତ ହୋଇଥାଏ । ଉଦାହରଣ ସ୍ୱରୂପ ଶ୍ଵାସକ୍ରିୟା ବିଭାଗଟି ରୋଗାକ୍ରାନ୍ତ ହେଲେ କାଶ, କଫ, ଜ୍ଵର, ଧଇଁ, ଶ୍ଵାସ ଆଦି ଲକ୍ଷଣ ପ୍ରକାଶ ପାଏ ଓ ପରୀକ୍ଷା କଲେ ଫୁସ୍‌ଫୁସ୍, ଶ୍ଵାସନଳୀ ଆଦିରେ ଅସ୍ଵାଭାବିକତା ଦେଖାଯାଏ । ସେହିପରି ପରିପାକ ବିଭାଗରେ କୌଣସି ରୋଗ ହେଲେ ଅଇ, ବାନ୍ତି, ହାକୁଟି, ବଦହଜମି, ଝାଡ଼ା, କୋଷ୍ଠକାଠିନ୍ୟ, ପେଟ ବ୍ୟଥା, ଛାତି ଜଳାପୋଡ଼ା ଆଦି ଲକ୍ଷଣ ଦେଖାଦିଏ । ସ୍ନାୟୁ ମଣ୍ଡଳ ରୋଗାକ୍ରାନ୍ତ ହେଲେ ସ୍ନାୟବିକ ଯନ୍ତ୍ରଣା ଓ ପାରାଲିସିସ୍ ଆଦି ହୋଇଥାଏ । ଏହିପରି ଭାବରେ ବିଭିନ୍ନ ବିଭାଗ ପାଇଁ ଭିନ୍ନ ଭିନ୍ନ ଲକ୍ଷଣ ସବୁ ପ୍ରକାଶ ପାଇଥାଏ । ଏହିସବୁ ଲକ୍ଷଣକୁ ଭିତ୍ତି କରି ଡାକ୍ତରମାନେ ରୋଗ ପରୀକ୍ଷା କରନ୍ତି ଏବଂ ଲକ୍ଷଣ ସହିତ ବିଭିନ୍ନ ଚିହ୍ନ ତଥା ଆନୁସଙ୍ଗିକ ପରୀକ୍ଷାର ସଂପର୍କ ସ୍ଥାପନ କରି ରୋଗ ନିର୍ଣ୍ଣୟ କରନ୍ତି । ଲକ୍ଷଣ ଓ ଚିହ୍ନ ନିର୍ଦ୍ଦିଷ୍ଟ ହୋଇଥିଲେ ରୋଗ ଜାଣିବାକୁ ବିଶେଷ କିଛି ଅସୁବିଧା ହୁଏ ନାହିଁ । ଥରେ ରୋଗ ଚିହ୍ନିତ ହୋଇଗରେ ଚିକିତ୍ସା କରିବାକୁ ଖୁବ୍ ସହଜ ହୋଇଯାଏ ।

 

ରୋଗ କେତେ ପ୍ରକାରର

 

ରୋଗ କେତେ ପ୍ରକାରର ବୋଲି ପ୍ରଶ୍ନ କଲେ ହୁଏତ ଅନେକେ କଥାଟାକୁ ହସରେ ଉଡ଼େଇ ଦେବେ । ପୃଥ‌ିବୀରେ ଅଶେଷ ପ୍ରକାରର ରୋଗ ଥିବା ବେଳେ ଏଭଳି ପ୍ରଶ୍ନକୁ ସେମାନେ ଅବାନ୍ତର ବୋଲି ମନେ କରିବେ । ଅବଶ୍ୟ ସେମାନଙ୍କ ଧାରଣା ସଂପୂର୍ଣ୍ଣ ରୂପେ ଭୁଲ ନୁହେଁ । ପୃଥ‌ିବୀର ପ୍ରତ୍ୟେକ ରୋଗ ଯେ ଅନ୍ୟଠାରୁ ଭିନ୍ନ, ଏଥିରେ ସନ୍ଦେହ ନାହିଁ । ତେଣୁ ପ୍ରତ୍ୟେକ ରୋଗକୁ ଗୋଟିଏ ଶ୍ରେଣୀର କହିବାରେ ସେମାନେ କିଛି ଭୁଲ କରନ୍ତି ନାହିଁ । କିନ୍ତୁ ପ୍ରକୃତ କଥା ହେଉଛି, ଚିକିତ୍ସା ସୁବିଧା, ସମାଜ ସହିତ ରୋଗର ସଂପର୍କ ତଥା କାରକ ଅନୁଯାୟୀ ରୋଗକୁ ବିଭିନ୍ନ ଶ୍ରେଣୀରେ ଭିଭକ୍ତ କରାଯାଇଥାଏ । ସେଗୁଡ଼ିକ ବିଷୟରେ ସମ୍ୟକ ଧାରଣା ଏକାନ୍ତ ଆବଶ୍ୟକ ।

 

(କ) ଚିକିତ୍ସା ସୁବିଧା ଅନୁଯାୟୀ ରୋଗର ଶ୍ରେଣୀ ବିଭାଗ :-

 

ସୁବିଧା ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ପାଇଁ ଡାକ୍ତରମାନେ ରୋଗକୁ ସାଧାରଣତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥାନ୍ତି । ଗୋଟିଏ ହେଲା ଉତ୍କଟ (Acute)ଓ ଅନ୍ୟଟି ହେଲା ଦୀର୍ଘମିଆଦୀ (Chronic) ଯେଉଁ ରୋଗ ଖୁବ୍ ସାଘାତିକ ଅବସ୍ଥାରେ ପରିପ୍ରକାଶ କରିଥାଏ, ତାହାକୁ ଉତ୍କଟ ରୋଗ (Acute disease) ବୋଲି କୁହାଯାଏ । କିନ୍ତୁ ଯେଉଁ ରୋଗ ସାମାନ୍ୟ ଭାବରେ ଦେହରେ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଥାଏ, ତାହାକୁ ଦୀର୍ଘମିଆଦୀ ରୋଗ (Chronic disease) ବୋଲି କୁହାଯାଏ । ଜ୍ଵର, ଝାଡ଼ା, କାଶ ପ୍ରଭୃତି ଉତ୍କଟ ଶ୍ରେଣୀଭୁକ୍ତ ହୋଇଥିବା ବେଳେ କ୍ୟାନ୍‌ସର, ଏଡ୍‌ସ୍, କୁଷ୍ଠ ପ୍ରଭୃତି ଦୀର୍ଘମିଆଦୀ ଶ୍ରେଣୀଭୁକ୍ତ ହୋଇଥାଏ ।

 

(ଖ) ସମାଳ ସହିତ ସଂପର୍କ ଅନୁଯାୟୀ ରୋଗର ଶ୍ରେଣୀ ବିଭାଗ :-

 

ଏହି ଶ୍ରେଣୀରେ ରୋଗକୁ ସ୍ଥୂଳତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ । ପ୍ରଥମଟି ହେଲା ସାଧାରଣ ବା ଅସଂକ୍ରାମକ ରୋଗ (Non-Contagious or Non-Communicable disease) ଓ ଦ୍ଵିତୀୟଟି ହେଲା ଡିଆଁରୋଗ ବା ସଂକ୍ରାମକ ରୋଗ (Contagious or Communicable disease) । ଯେଉଁ ରୋଗ ଜଣକୁ ହୁଏ ଓ କେବଳ ତାରିଠାରେ ସୀମିତ ରହେ, ତାହାକୁ ସାଧାରଣ ବା ଅସଂକ୍ରାମକ ରୋଗ ବୋଲି କୁହାଯାଏ-। ତାହା ଜଣକ ଠାରୁ ଆଉ ଜଣକ ପାଖକୁ ଡିଏଁ ନାହିଁ ବା ସଂକ୍ରମିତ ହୁଏ ନାହିଁ । କ୍ୟାନ୍‌ସର, ମଧୁମେହ, ରକ୍ତଚାପ, ହୃଦ୍‌ରୋଗ, ଶ୍ଵାସ ପ୍ରଭୃତି ଏହି ଜାତୀୟ ରୋଗ । ଏହି ରୋଗ ଯେଉଁ ଲୋକ ଭୋଗୁଥାଏ କେବଳ ତା'ରି କ୍ଷତି କରିଥାଏ । ଅନ୍ୟ ଲୋକ କିମ୍ବା ସମାଜର ଏହା କୌଣସି କ୍ଷତି କରେ ନାହିଁ । ତେଣୁ ସାମାଜିକ ସ୍ଵାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏହି ରୋଗ ଭୋଗୁଥିବା ବ୍ୟକ୍ତି ସମାଜ ପାଇ ସଂପୂର୍ଣ୍ଣ ନିରାପଦ ଅଟନ୍ତି ।

 

ଅପର ପକ୍ଷରେ ଯେଉଁ ରୋଗ ଜଣକ ଠାରୁ ଆଉ ଜଣକ ପାଖକୁ ଡିଏଁ ବା ସଂକ୍ରମିତ ହୁଏ, ତାହାକୁ ସଂକ୍ରାମକ ରୋଗ ବୋଲି କୁହାଯାଏ । ଏହି ରୋଗ ଭୋଗୁଥିବା ଲୋକଠାରୁ ରୋଗ କାରକ ବିଭିନ୍ନ ମାଧ୍ୟମ ଦେଇ ଅନ୍ୟ ଲୋକ ଦେହରେ ପ୍ରବେଶ କରେ ଓ ତା'ଠାରେ ରୋଗ ସୃଷ୍ଟି କରେ । ତେଣୁ ଏହି ରୋଗ ଭୋଗୁଥିବା ଲୋକ ଅନ୍ୟ ପାଇଁ ତଥା ସମାଜ ପାଇଁ ଖୁବ୍ ବିପଜ୍ଜନକ । କାରଣ ଜଣେ ଲୋକ ତାରି ପରି ହଜାର ହଜାର ଲୋକଙ୍କୁ ମଧ୍ୟ ରୋଗ ସଂକ୍ରମଣ କରାଇବାରେ ସମର୍ଥ ହୋଇଥାଏ । ହଇଜା, ହାଡ଼ଫୁଟି, ଇନ୍‌ଫ୍ଲୁଏନ୍‌ଜା, ଲହରା କାଶ, ମିଳିମିଳା, ଯକ୍ଷ୍ମା, ଗାଲୁଆ ଆଦି ଏହି ଶ୍ରେଣୀର ରୋଗ ।

 

(ଗ) କାରକ ଅନୁଯାୟୀ ରୋଗର ଶ୍ରେଣୀ ବିଭାଗ :-

 

ରୋଗ କାରକର ପ୍ରକାର ଭେଦରେ ସଂକ୍ରାମକ ରୋଗର ପୁଣି ବିଭିନ୍ନ ଶ୍ରେଣୀ ବିଭାଗ କରାଯାଇଥାଏ । ଯେଉଁ ରୋଗ ଜୀବାଣୁ (Bacteria) ଦ୍ଵାରା ସଂକ୍ରମିତ ହୋଇଥାଏ, ତାହାକୁ ଜୀବାଣୁଜନିତ ରୋଗ (Bacterial disease) ବୋଲି କୁହାଯାଏ । ହଇଜା, ଟାଇଫଏଡ୍‌, ଡିପ୍‌ଥେରିଆ, ଟିଟାନସ୍, ଲହରା କାଶ, ଯକ୍ଷ୍ମା, କୁଷ୍ଠ, ନିମୋନିଆ, ସିଫିଲିସ୍, ଗନୋରିଆ ପ୍ରଭୃତି ଏହି ଜାତୀୟ ରୋଗ । ସେହିପରି ଭୂତାଣୁ (Virus) ଦ୍ଵାରା ସଂକ୍ରମିତ ହେଉଥିବା ରୋଗକୁ ଭୂତାଣୁଜନିତ ରୋଗ (Viral disease) ବୋଲି କୁହାଯାଏ । ହାଡ଼ଫୁଟି, ମିଳିମିଳା, ଗାଲୁଆ, ପୋଲିଓ, ସର୍ଦ୍ଦି, ଥଣ୍ଡା, ଇନ୍‌ଫ୍ଲୁନ୍‌ଜା, ଏଡ଼୍‍ସ୍‌ ପ୍ରଭୃତି ଏହି ଜାତୀୟ ରୋଗ । ଆଉ କେତେକ ରୋଗ ଅଛି, ଯାହା ଛତ୍ରକ ବା କବକ (Fungus) ଦ୍ଵାରା ସଂକ୍ରମିତ ହୋଇଥାଏ । ଏହାକୁ କବକଜନିତ ରୋଗ (Fungal disease) ବୋଲି କୁହାଯାଏ । ଯାଦୁ, ବିଇଞ୍ଚି, ମଚଳା, ଚମଦଳା, ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଯେଉଁ ରୋଗ ପରାଙ୍ଗ ଭୋଜୀ (Parasite) ଦ୍ଵାରା ସଂକ୍ରମିତ ହୋଇଥାଏ, ତାହାକୁ ପରାଙ୍ଗ ଭୋଗୀଜନିତ ରୋଗ (Parasitic disease) ବୋଲି କୁହାଯାଏ । କାଛୁ, କୁଣ୍ଡିଆ, ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁଜ୍ଵର ପ୍ରଭୃତି ଏହି ଶ୍ରେଣୀର ରୋଗ । ସେହିପରି କେତେକ କୃମିଜନିତ (Helminthcic) ରୋଗ ମଧ୍ୟ ଅଛି । ପେଟର ରାଉଣ୍ଡ ୱାର୍ମ, ହୁକ୍ ୱାର୍ମ, ଟେପ୍‌ ୱାର୍ମ, ଥ୍ରେଡ଼୍ ୱାର୍ମ ଇତ୍ୟାଦି ଏହି ଜାତୀୟ ରୋଗ ।

 

ଏହିପରି ଭାବରେ ଗଣି ବସିଲେ ସଂକ୍ରାମକ ରୋଗ ଅନେକ ଶ୍ରେଣୀର ହୋଇ ପାରିବ । କାରଣ ଉନ୍ନ‌ତ ଗବେଷଣା ଫଳରେ ଦିନକୁ ଦିନ ରୋଗ କାରକର ସଂଖ୍ୟା ବଢ଼ିବାରେ ଲାଗିଛି ଓ ପ୍ରତ୍ୟେକ ନୂତନ କାରକକୁ ଗୋଟିଏ ଲେଖାଁ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଉଛି । ଏହି ଦୃଷ୍ଟିରୁ ସମସ୍ତ ପ୍ରକାର ସଂକ୍ରାମକ ରୋଗକୁ ଏକ ଜାତୀୟ ବୋଲି ଧରିନେଇ ଆଲୋଚନା କରିବା ଅଧିକ ସମୀଚିନ   ହେବ ।

ରୋଗ

ଉତ୍କଟ                        ଦୀର୍ଘମିଆଦୀ           ଅସଂକ୍ରାମକ                    ସଂକ୍ରାମକ

 

 

ଜୀବାଣୁ        ଭୂତାଣୁ            କବକ        ପରାଙ୍ଗଜୀବୀ       କୃମି

ଜନିତ           ଜନିତ              ଜନିତ             ଜନିତ       ଜନିତ

 

ସଂକ୍ରାମକ ରୋଗର ବିଭିନ୍ନ ରୂପ

 

ସଂକ୍ରାମକ ରୋଗ ସମାଜରେ ବିଭିନ୍ନ ରୂପରେ ଦେଖା ଦେଇଥାଏ । ସ୍ଥାନ ଏବଂ ରୋଗର କରାଳତାକୁ ଆଖି ଆଗରେ ରଖି ଏହାକୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଥାଏ ।

 

(୧) ମଡ଼କ (Epidemic) :-

 

ଗୋଟିଏ ପ୍ରକାର ସଂକ୍ରାମକ ରୋଗ ଦ୍ଵାରା ଯେଉଁଠି ଶହ ଶହ ବା ହଜାର ହଜାର ବ୍ୟକ୍ତି ଏକ ସମୟରେ ଆକ୍ରାନ୍ତ ହୋଇଥାନ୍ତି, ତାହାକୁ ମଡ଼କ ବା ଏପିଡ଼େମିକ୍ ବୋଲି କୁହାଯାଏ । ଏଥିରେ ରୋଗର ଲକ୍ଷଣ ଓ ଉପସର୍ଗମାନ ଉତ୍କଟ ଭାବରେ ପ୍ରକାଶ ପାଏ । ଉପଯୁକ୍ତ ଚିକିତ୍ସା ପାଇଁ ସମୟ ନ ଥାଏ । ଫଳରେ ବହୁଲୋକ ଅକାରଣରେ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଆଗେ ଭାରତରେ ହଇଜା ଓ ବସନ୍ତ ରୋଗର ମଡ଼କରେ ଶହ ଶହ ଲୋକଙ୍କର କିପରି ଜୀବନହାନି ଘଟୁଥିଲା, ତାହା ସମସ୍ତେ ଜାଣନ୍ତି । ଅବଶ୍ୟ ଆଧୁନିକ ଚିକିତ୍ସା ବିଜ୍ଞାନର ସାଫଲ୍ୟ ଓ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଅନୁସୃତ ହେବା ଫଳରେ ଆଜିକାଲି ଏପରି ମଡ଼କ କ୍ଵଚିତ୍ ଦେଖାଯାଉଛି ।

 

(୨) ସ୍ଥାନିକ (Endemic):-

 

ଯେଉଁ ସଂକ୍ରାମକ ରୋଗ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନରେ ସୀମିତ ରହି ବହୁ ଲୋକଙ୍କୁ ଆକ୍ରମଣ କରେ, ତାହାକୁ ସ୍ଥାନିକ ବା ଏଣ୍ଡେମିକ୍ ବୋଲି କୁହାଯାଏ । ସେହି ସ୍ଥାନରୁ ଅନ୍ୟ ସ୍ଥାନକୁ ଏହା କ୍ଵଚିତ୍‌ ସଂକ୍ରମିତ ହୋଇଥାଏ । ଏହାର କରାଳତା ମଡ଼କ ଠାରୁ ସାମାନ୍ୟ କମ୍‍ । ଏହି ରୋଗରେ ଲୋକଙ୍କର ମୃତ୍ୟୁ ହେଉଥିଲେ ମଧ୍ୟ ଚିକିତ୍ସା ପାଇଁ ସମୟ ମିଳୁଥିବାରୁ ଏଥିରେ ମୃତ୍ୟୁର ହାର ମଡ଼କ ଠାରୁ କମ୍‍ ହୋଇଥାଏ । ଏବେ ଭାରତରେ ଏହି ଜାତୀୟ ଯେଉଁସବୁ ରୋଗ ଦେଖାଯାଏ, ସେଗୁଡ଼ିକ ଭିତରେ ଆନ୍ତ୍ରିକ ଜ୍ଵର ବା ଟାଇଫଏଡ଼୍ ହଳଦିଆ କାମଳ ବା ଜଣ୍ଡିସ୍, ଆମାଶୟ, ବିଭିନ୍ନ କୃମିରୋଗ, ବାତଜ୍ଵର, ମିଳିମିଳା, ଟ୍ରାକୋମା ଆଦି ପ୍ରଧାନ । ଉପଯୁକ୍ତ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନ କଲେ ଏହି ସ୍ଥାନିକ ରୋଗ ମଧ୍ୟ ବେଳେ ବେଳେ ମଡ଼କରେ ରୂପାନ୍ତରିତ ହୋଇ ବହୁ ଜୀବନ ନଷ୍ଟ କରିଥାଏ ।

 

(୩) ସର୍ବବ୍ୟାପୀ  (Pandemic) :-

 

ଯେଉଁ ସଂକ୍ରାମକ ରୋଗ ପୃଥ‌ିବୀର ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶ ପର୍ଯ୍ୟନ୍ତ ବ୍ୟାପିଯାଇ ପାରେ, ତାହାକୁ ସର୍ବବ୍ୟାପୀ ବା ପ୍ୟାଣ୍ଡେମିକ୍ ବୋଲି ବୋଲି କୁହାଯାଏ । ରୋଗୀ ଯାନବାହ‌ନ ମାଧ୍ୟମରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଅବକାଶ ଏହି ରୋଗ ବ୍ୟାପିଥାଏ-। ଇନଫ୍ଲୁଏନ୍‌ଜା, କାମଳ, ହଇଜା, ଯକ୍ଷ୍ମା ପ୍ରଭୃତି ଏହି ଜାତୀୟ ରୋଗ । ଏହି ଜାତୀୟ ରୋଗ ପୃଥ‌ିବୀ ସାରା ନ ବ୍ୟାପିବା ପାଇଁ ପ୍ରାୟ ପ୍ରତ୍ୟେକ ଦେଶର ସରକାରଙ୍କ ପକ୍ଷରୁ ଏଥିପାଇଁ କଡ଼ା କଟକଣା ଜାରି କରାଯାଇଥାଏ । ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯିବା ପାଇଁ ପାସ୍ ପୋର୍ଟ, ଭିସା ଆଦି ସଂଗ୍ରହ କରିବା ବେଳେ ଲୋକମାନଙ୍କୁ ସାଧାରଣତଃ ଏହି ରୋଗ ବିରୋଧରେ ପ୍ରତିଷେଧକ ଟିକା ଦିଆଯାଇଥାଏ । ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏହିପରି ଟିକାଦାନର ପ୍ରମାଣ ପତ୍ର ନ ପାଇଲେ ପାସ୍ ପୋର୍ଟ, ଭିସା ଆଦି ମଞ୍ଜୁର କରାଯାଏ ନାହିଁ । ଅବଶ୍ୟ ଏହା ଏକ ଉତ୍ତମ ବ୍ୟବସ୍ଥା ।

 

(୪) କଦାଚନିକ  (Sporadic) :-

 

ଯେଉଁ ସଂକ୍ରାମକ ରୋଗ କେଉଁଠି କେମିତି କାଁ ଭାଁ କେତେ ଜଣଙ୍କୁ ହୋଇଥାଏ, ତାହାକୁ କଦାଚନିକ ବା ସ୍ପୋରାଡ଼ିକ୍ ବୋଲି କୁହାଯାଏ । ଏଥିରେ ରୋଗୀମାନଙ୍କ ସଂଖ୍ୟା ଖୁବ୍ ସୀମିତ ରହିଥାଏ ଏବଂ ଉପଯୁକ୍ତ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ଏହା ସମୂଳ ବିନଷ୍ଟ ହୁଏ-। ପୋଲିଓ ରୋଗ ଏହାର ଏକ ଉତ୍କୃଷ୍ଟ ଉଦାହରଣ । ଅବଶ୍ୟ ଏହା ମଧ୍ୟ ବେଳେ ବେଳେ ମଡ଼କରେ ରୂପାନ୍ତରିତ ହୋଇ ଯାଇପାରେ । ପୋଲିଓ ପରି ଟିଟାନସ୍, ହର୍ପିସ୍ ଜୋଷ୍ଟର୍ ଓ ମେନିଞ୍ଜାଇଟିସ୍ ରୋଗ ଏହାର ଅନ୍ୟ କେତେକ ଉଦାହରଣ ।

 

(୫) ଆଗନ୍ତୁକ  (Exotic):-

 

ଯେଉଁ ସଂକ୍ରାମକ ରୋଗ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ନୂଆ ହୋଇ ଆସିଥାଏ, ତାହାକୁ ଆଗନ୍ତୁକ ବା ଏକ୍‌ସୋଟିକ୍ ରୋଗ ବୋଲି କୁହାଯାଏ । ଅବଶ୍ୟ ଆଜିକାଲି ଏ ବିଷୟରେ ଆଲୋଚନା କରିବା ନିଷ୍ପ୍ରୟୋଜନ । କାରଣ ଏବେ ପୃଥିବୀର ସବୁ ଦେଶକୁ ପ୍ରାୟ ସବୁ ପ୍ରକାର ରୋଗ ଆବୋରି ବସିଲାଣି । କିନ୍ତୁ ଦିନ ଥିଲା, ଯେତେବେଳେ ଭାରତରୁ ଇଂଲଣ୍ଡକୁ ବସନ୍ତ ରୋଗ ବ୍ୟାପି ଯାଇଥିଲା ଏବଂ ବିଦେଶରୁ ଭାରତକୁ ଡେଙ୍ଗୁ ଜ୍ୱର ଓ ପୀତଜ୍ଵର ଆଦି ଆସିଥିଲା । ଆଫ୍ରିକା ଓ ଆମେରିକାରୁ ଏଡ଼୍‍ସ୍ ରୋଗ ଏବେ କିପରି ଭାରତକୁ ଆସି ଗ୍ରାସ କରି ବସିଛି, ତାହା ସମସ୍ତେ ଜାଣନ୍ତି ।

 

(୬) ପ୍ରାଣୀ ବାହିତ (Zoonotic) :-

 

ଯେଉଁ ରୋଗ କୌଣସି ମେରୁଦଣ୍ଡୀ ପ୍ରାଣୀଙ୍କ ଠାରୁ ମଣିଷ ପାଖକୁ ସଂକ୍ରମିତ ହୋଇଥାଏ, ତାହାକୁ ପ୍ରାଣୀବାହିତ ବା ଜୁନୋଟିକ୍ ରୋଗ ବୋଲି କୁହାଯାଏ । ଏହା ପୁଣି ଦୁଇ ପ୍ରକାରର । ଗୋଟିଏ ପ୍ରକାର ରୋଗ ପ୍ରାଣୀମାନଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଏଗୁଡ଼ିକ ଭିତରେ ଜଳାତଙ୍କ, ପ୍ଲେଗ୍, ଗୋ ଯକ୍ଷ୍ମା, ଆନ୍‌ଥ୍ରାକ୍‌ସ୍, ଟାଇଫସ୍, ବ୍ରୁସେଲୋସିସ୍, ସାଲ୍‌ମୋନେଲୋସିସ୍, କ୍ୟାସାନୁର ଫରେଷ୍ଟ୍ ଡିଜିଜ୍, ମଙ୍କି ପକ୍‌ସ୍, ଲାସା ଫିଭର ପ୍ରଭୃତି ପ୍ରଧାନ । ଦ୍ଵିତୀୟ ପ୍ରକାର ରୋଗ ମଣିଷଠାରୁ ପ୍ରାଣୀମାନଙ୍କ ନିକଟକୁ ବାହିତ ହୋଇଥାଏ । ଏଗୁଡ଼ିକ ଭିତରେ ଗୋରୁ ଗାଈଙ୍କୁ ହେଉଥିବା ରାଜଯକ୍ଷ୍ମା ଏକ ମୁଖ୍ୟ ଉଦାହରଣ ।

 

(୭) ପଶୁ ମଡ଼କ (Epizootic):-

 

ବେଳେ ବେଳେ କେତେକ ରୋଗ ପଶୁମାନଙ୍କ ଠାରେ ମଡ଼କ ରୂପ ଧାରଣ କରିଥାଏ ଓ ଅନୁକୂଳ ପରିବେଶ ପାଇଲେ ମଣିଷକୁ ସଂକ୍ରମିତ ହୋଇ ମଣିଷ ସମାଜରେ ମଡ଼କର ରୂପ ନେଇଥାଏ । ଆନ୍ଥ୍ରାକ, ବ୍ରୁସେଲୋସିସ୍, ଜଳାତଙ୍କ, ଇନ୍‌ଫ୍ଲୁଏନ୍‌ଜା, ରିଫ୍‌ଟ୍ ଭ୍ୟାଲି ଫିଭର୍, କ୍ୟୁ ଫିଭର୍, ଜାପାନିଜ୍‌ ଏନ୍‌କେଫାଲାଇଟିସ୍ ଆଦି ଏହାର ଉଦାହରଣ ।

 

(୮) ହସ୍‌ପିଟାଲ ସଂକ୍ରମିତ (Nosocomial) :-

 

ବେଳେବେଳେ କେତେକ ରୋଗ ଡାକ୍ତରଖାନାରୁ ମଧ୍ୟ ନୂତନ ଭାବେ ମଣିଷ ଦେହକୁ ସଂକ୍ରମିତ ହୋଇଥାଏ । ରୋଗୀ ଯେତେବେଳେ ଗୋଟିଏ ରୋଗ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥାଏ, ସେତେବେଳେ ଏହି ରୋଗ ତା'ଠାରେ ନ ଥାଏ । କିନ୍ତୁ ମୂଳ ରୋଗଟି ଭଲ ହେବା ପରେ ଡାକ୍ତରଖାନାରୁ ବିଦାୟ ନେଇ ଆସିବା ବେଳେ ଏହି ନୂତନ ରୋଗଟି ସଂକ୍ରମିତ ହୋଇ ଆସିଥାଏ ଓ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିଥାଏ । ଅସ୍ତ୍ରୋପଚାର ଘା' ସଂକ୍ରମଣ, ମୂତ୍ରନଳୀ ସଂକ୍ରମଣ, ହେପାଟାଇଟିସ୍ ‘ବି', ଏଡ଼୍‍ସ୍‌ ରୋଗ ପ୍ରଭୃତି ଏହାର ଉଦାହରଣ ।

 

(୯) ସୁବିଧା ବାଦୀ (Opportunistic infection) :-

 

ଏଭଳି କେତେକ କାରକ ଅଛନ୍ତି, ଯେଉଁମାନେ କି ମଣିଷ ଦେହର ସାମାନ୍ୟ କେତେକ ବିଶୃଙ୍ଖଳା ବା ଦୁର୍ବଳତାକୁ ଅପେକ୍ଷା କରି ରହିଥାନ୍ତି ଓ ଏହି ସୁବିଧା ପାଇବା ମାତ୍ରେ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି । ଏହାକୁ ସୁବିଧାବାଦୀ ସଂକ୍ରମଣ ବୋଲି କୁହାଯାଏ । ଏଡ଼୍‍ସ୍‌ର ଭୂତାଣୁ ଏଚ୍.ଆଇ.ଭି., ହର୍ପିସ୍‌ର ଭୂତାଣୁ, ଯକ୍ଷ୍ମା ଜୀବାଣୁ

ଇତ୍ୟାଦି ଏହି ଶ୍ରେଣୀର କାରକ ।

 

(୧୦) ଚିକିତ୍ସିତ ପ୍ରବର୍ତ୍ତିତ (Iatrogenic or Physician induced):-

 

ବେଳେ ବେଳେ ଚିକିତ୍ସକଙ୍କ ଭୁଲ ଯୋଗୁଁ ମଧ୍ୟ ଆମେ କେତେକ ରୋଗର ଶିକାର ହୋଇଥାଉ । ଏହି ଭୁଲ ଚିକିତ୍ସା ପାଇଁ ହୋଇପାରେ, ରୋଗ ନିର୍ଣ୍ଣୟ ପାଇଁ ହୋଇପାରେ, ବିଭିନ୍ନ ପରୀକ୍ଷା ପାଇଁ ହୋଇପାରେ କିମ୍ବା ଔଷଧ ପାଇଁ ମଧ୍ୟ ହୋଇପାରେ । ସଂକ୍ରମିତ ରକ୍ତ ସଂଚାରଣ ପାଇଁ ଏଡ଼୍‍ସ୍‍ ବା ହେପାଟାଇଟିସ୍ 'ବି' ରୋଗ, ଏକ୍ସ ରେ’ପାଇଁ ବିକଳାଙ୍ଗ ଶିଶୁ ଜନ୍ମ, ପେନିସିଲିନ୍ ରିଆକ୍‍ସନ୍‍ରୁ ମୃତ୍ୟୁ, କ୍ଲୋରୋମାଇସେଟିନ୍ ଔଷଧ ଯୋଗୁ ରକ୍ତ କର୍କଟ ରୋଗ ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।

 

ରୋଗ କେମିତି ବ୍ୟାପେ

(How a disease spreads)

 

ରୋଗ କେମିତି ବ୍ୟାପେ ବୋଲି ପ୍ରଶ୍ନ କଲେ ଅନେକେ କହିବେ, ଏଇଟା ଗୋଟାଏ କି ପ୍ରଶ୍ନ ? ଜଣକଠାରୁ ତ ରୋଗ ଅନ୍ୟମାନଙ୍କ ପାଖକୁ ଡେଇଁଥାଏ, କେମିତିର ପ୍ରଶ୍ନ ଉଠୁଛି କେଉଁଠି ? କିନ୍ତୁ ପ୍ରକୃତରେ କଥାଟା ଏତେ ସହଜ ନୁହେଁ  । ଜଣକ ପାଖରୁ ଆଉ ଜଣକ ପାଖକୁ ରୋଗ ଡେଇଁବା ପାଇଁ କେତେକ ପ୍ରଣାଳୀ ରହିଛି । ରୋଗ ଡେଇଁବା ଯେତିକି ସହଜ, ସାମାନ୍ୟ ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କଲେ ତାହା ସେତିକି କଷ୍ଟକର  ହୋଇଥାଏ । ତେଣୁ ଏ ବିଷୟରେ ସବିଶେଷ ଆଲୋଚନା ଏକାନ୍ତ ଆବଶ୍ୟକ ।

 

ରୋଗ କେମିତି ବ୍ୟାପେ, ଏ ବିଷୟରେ କିଛି କହିବା ପୂର୍ବରୁ କେତେକ ସାଧାରଣ କଥା ଉପରେ ସମ୍ୟକ ଧାରଣା ହେବା ଦରକାର । ରୋଗ ବ୍ୟାପିବା ପାଇଁ ତିନୋଟି ଜିନିଷ ଉପରେ ମୁଖ୍ୟତଃ ନିର୍ଭର କରିଥାଏ । ତାହା ହେଲା :-

 

(୧) ରୋଗର ଉତ୍ସ ବା ମୂଳ (Source) ବା ଆଧାର (Reservoir), (୨) ସଂକ୍ରମଣ ପ୍ରଣାଳୀ (Mode of transmission) ଏବଂ (୩) ପୋଷକ ବା ପ୍ରାପକ (Host) । ଏହି ତିନୋଟି ଭିତରେ ସମନ୍ଵୟ ନ ରହିଲେ ରୋଗ ସହଜରେ ବ୍ୟାପି ପାରେ ନାହିଁ । ଏ ସବୁକୁ ମିଶାଇ ଏକ ରୋଗ ଶୃଙ୍ଖଳ ସୃଷ୍ଟି ହୋଇଥାଏ ।

 

(୧) ରୋଗର ଉତ୍ସ ବା ମୂଳ (Source) ବା ଆଧାର (Reservoir),

 

କୌଣସି ରୋଗ ବ୍ୟାପିବା ପାଇଁ ଏକ ଉତ୍ସ ବା ମୂଳ ବା ଆଧାର ରହିବା ଆବଶ୍ୟକ । କାରଣ ଏହିଠାରୁ ହିଁ ରୋଗର କାରକ ଯାଇ ରୋଗ ସୃଷ୍ଟି କରିଥାଏ । ତେବେ ଆକ୍ଷରିକ ଅର୍ଥରେ ଉତ୍ସ ବା ମୂଳ ଓ ଆଧାର ଏକା କଥା ନୁହେଁ । ଉତ୍ସ ବା ମୂଳ (Source) ହେଉଛି ଏକ ବ୍ୟକ୍ତି, ପ୍ରାଣୀ ବା ପଦାର୍ଥ, ଯେଉଁଠାରୁ ରୋଗର କାରକ ବା ଅଣୁଜୀବ ସୁସ୍ଥ ପୋଷକ ଦେହକୁ ପ୍ରବେଶ କରି ରୋଗ ସୃଷ୍ଟି କରିଥାଏ । ଅପର ପକ୍ଷେ ଆଧାର (Reservoir) ହେଉଛି ଏକ ବ୍ୟକ୍ତି, ପ୍ରାଣୀ, ଉଦ୍ଭିଦ , ମୃତ୍ତିକା ବା ଯେ କୌଣସି ପଦାର୍ଥ, ଯେଉଁଥିରେ ରୋଗର ଅଣୁଜୀବ ଜୀବନ ଧାରଣ କରେ, ଜୀବିକା ନିର୍ବାହ କରେ, ବଂଶବୃଦ୍ଧି କରେ ଏବଂ ସୁବିଧା ଦେଖି ସୁସ୍ଥ ପୋଷକ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାଏ । ଏହି ଉତ୍ସ ବା ଆଧାର ଠାରୁ ହିଁ ରୋଗର କାରକ ବିଭିନ୍ନ ସଂକ୍ରମଣ ପ୍ରଣାଳୀ ମାଧ୍ୟମରେ ସୁସ୍ଥ ପୋଷକ ଦେହରେ ପ୍ରବେଶ କରିଥାଏ ।

 

ରୋଗର ଉତ୍ସ ଓ ଆଧାର ଭିତରେ ପ୍ରଭେଦ ଜାଣିବା ପାଇଁ ଗୋଟିଏ ଛୋଟିଆ ଉଦାହରଣ ଦିଆଯାଇପାରେ । ହୁକ୍ ୱାର୍ମ ବା ଅଂକୁଶ କୃମି କଥା ବିଚାର କରାଯାଉ । ଏଥିରେ ମଣିଷ ଦେହ ହେଉଛି ରୋଗର ଆଧାର, କିନ୍ତୁ ଉତ୍ସ ହେଉଛି ମାଟି । କାରଣ ହୁକ୍ ୱାର୍ମର ଲାର୍ଭା ମାଟିରେ ହିଁ ରହିଥାନ୍ତି । ମାଟିରୁ ସୁସ୍ଥ ଲୋକ ଦେହରେ ପଶି ରୋଗ ସୃଷ୍ଟି କରନ୍ତି । ମଣିଷ ଏହି ରୋଗକୁ ଦୀର୍ଘଦିନ ପର୍ଯ୍ୟନ୍ତ ଧରି ରଖେ ଓ ପୁଣି ଏହାର ଅଣ୍ଡାକୁ ମଳ ବାଟେ ମାଟିକୁ ଛାଡ଼ି ଦେଇ ପୁନଃ ସଂକ୍ରମଣରେ ସାହାଯ୍ୟ କରିଥାଏ । ତେଣୁ ରୋଗର ଉତ୍ସ ଓ ଆଧାର ଯେ ଆକ୍ଷରିକ ଅର୍ଥରେ ଏକା କଥା ନୁହେଁ, ତାହା ଏଥିରୁ ସ୍ପଷ୍ଟ ବୁଝି ହୋଇଯାଏ ।

 

ତେବେ ସେ ଯାହାହେଉ, ରୋଗର ଉତ୍ସ ବା ଆଧାର ମୁଖ୍ୟତଃ ତିନି ପ୍ରକାର ହୋଇଥାନ୍ତି-। ତାହା ହେଲା:- (କ) ମଣିଷ ଉତ୍ସ ବା ଆଧାର, (ଖ) ପ୍ରାଣୀ ଉତ୍ସ ବା ଆଧାର ଓ (ଗ) ଜଡ଼ ଉତ୍ସ ବା ଆଧାର ।

 

(କ) ମଣିଷ ଉତ୍ସ ବା ଆଧାର (Human source or reservoir) :-

 

ଏହି ଦୁନିଆଁରେ ଯେତେ ପ୍ରକାର ସଂକ୍ରାମକ ରୋଗ ଅଛି, ସେଥି ମଧ୍ୟରୁ ଅଧିକାଂଶ ଜଣେ ମଣିଷ ଠାରୁ ହିଁ ଅନ୍ୟମାନଙ୍କ ପାଖକୁ ବ୍ୟାପିଥାଏ । ତେଣୁ ଜଣେ ମଣିଷ ଯେ ଏକ ସଂକ୍ରାମକ ରୋଗର ମୂଳ ଉତ୍ସ, ଏଥିରେ ସନ୍ଦେହର ଅବକାଶ ନାହିଁ । ତେଣୁ ଡାକ୍ତରମାନେ ମଣିଷକୁ ନିଜେ ନିଜର ଶତ୍ରୁ ବୋଲି ଅଭିହିତ କରିଥାନ୍ତି ।

 

ଦୁଇଟି ଅବସ୍ଥାର ମଣିଷ ରୋଗର ଉତ୍ସ ବା ଆଧାର ହୋଇଥାଏ – ରୋଗୀ ଅବସ୍ଥାରେ ଓ ବାହକ ଅବସ୍ଥାରେ । ଯେତେବେଳେ ମଣିଷ ଦେହରେ ରୋଗର ଉତ୍କଟତା ବା କରାଳତା ଦେଖାଯାଏ, ସେତେବେଳେ ତାକୁ ରୋଗୀ ବୋଲି କୁହାଯାଏ । ଏହି ଉତ୍କଟତା ସାଧାରଣ ହେଉ ବା ସାଂଘାତିକ ହେଉ, ଏତିକି ବେଳେ ଦେହ ଭିତରେ ରୋଗର କାରକ ବା ଅଣୁଜୀବ ଖୁବ୍ ସକ୍ରିୟ ଥାନ୍ତି । ଏହି ସମୟରେ ଦେହରେ ଏମାନଙ୍କ ସଂଖ୍ୟା ଏତେ ବେଶୀ ଥାଏ ଯେ, ରୋଗୀର ଯେ କୌଣସି ତ୍ୟକ୍ତ ବସ୍ତୁରେ ଏମାନେ ଦେହ ବାହାରକୁ ଚାଲି ଆସି ପାରନ୍ତି । ଏହି ବସ୍ତୁ ଅନ୍ୟ ଲୋକର ସଂସ୍ପର୍ଶରେ ଆସିଲେ ଜୀବାଣୁମାନେ ତା' ଦେହରେ ପ୍ରବେଶ କରି ନୂତନ ଭାବେ ରୋଗ ସୃଷ୍ଟି କରନ୍ତି ଓ ଏହା ଦ୍ଵାରା ସୁସ୍ଥ ଲୋକଟି ସଂକ୍ରମିତ ହୁଏ । ବର୍ତ୍ତମାନ ମନରେ ପ୍ରଶ୍ନ ଉଠେ, କେଉଁ କେଉଁ ତ୍ୟକ୍ତ ବସ୍ତୁ ଜରିଆରେ ଏମାନେ ଗୋଟିଏ ଦେହରୁ ଆସି ଆଉ ଗୋଟିଏ ଦେହରେ ପ୍ରବେଶ କରନ୍ତି । ଚିକିତ୍ସକମାନଙ୍କ ମତରେ ରୋଗୀର ମଳ, ମୂତ୍ର, କଫ, ବାନ୍ତି, ସିଂଘାଣି, ଛେପ, ଖଙ୍କାର, ଲାଳ ଏବଂ ରୋଗୀ ବ୍ୟବହାର କରୁଥିବା ବିଭିନ୍ନ ପୋଷାକ ପତ୍ର ଓ ଆସବାବ ପତ୍ର ସାହାଯ୍ୟରେ ଜୀବାଣୁମାନେ ଦେହ ବାହାରକୁ ଆସିଥାନ୍ତି ।  ଏଠାରେ ଗୋଟିଏ କଥା ମନେ ରଖିବା ଉଚିତ ଯେ, ବିଛଣାରୁ ଉଠି ପାରୁ ନ ଥିବା ଗୋଟିଏ ସାଂଘାତିକ ରୋଗୀଠାରୁ ଚଲାବୁଲା କରି ବିଭିନ୍ନ ଲୋକଙ୍କ ସହିତ ମିଶୁଥିବା ଏକ ରୋଗୀ ସଂକ୍ରମଣ ଦୃଷ୍ଟିରୁ ବେଶି ବିପଜ୍ଜନକ । କାରଣ, ବିଛଣାରେ ପଡ଼ିଥ‌ିବା ରୋଗୀଦ୍ଵାରା ତା'କୁ ସେବା ଶୁଶ୍ରୂଷା, କରୁଥିବା ଜଣେ ଦୁଇଜଣ ହୁଏତ ସଂକ୍ରମିତ ହୋଇପାରନ୍ତି; କିନ୍ତୁ ଅନ୍ୟମାନଙ୍କ ସହିତ ମିଳାମିଶା କରୁଥିବା ରୋଗୀ ଦ୍ଵାରା ଏକ ସମୟରେ ଶହ ଶହ ଲୋକ ସଂକ୍ରମିତ ହୋଇଯାନ୍ତି ।

 

ରୋଗୀ ବ୍ୟତୀତ ଜଣେ ବାହକ ମଧ୍ୟ ବହୁ ସମୟରେ ରୋଗ ସଂକ୍ରମଣରେ ସାହାଯ୍ୟ କରିଥାଏ । ରୋଗ ଉପଶମର ପରବର୍ତ୍ତୀ ଅବସ୍ଥାରେ (Convalescent Period) ରୋଗର ଲକ୍ଷଣ ଓ ଚିହ୍ନ ପୂରାପୂରି ଅପସରି ଯାଇଥିଲେ ମଧ୍ୟ ଦେହରୁ ଜୀବାଣୁମାନେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ନଥାନ୍ତି । ଏହିପରି ଲୋକଙ୍କୁ ରୋଗର ବାହକ (carrier) ବୋଲି କୁହାଯାଏ । ଅର୍ଥାତ୍ ଏମାନେ ରୋଗୀ ନୁହନ୍ତି, କିନ୍ତୁ ରୋଗ ଜୀବାଣୁଙ୍କୁ ଦେହରେ ଧରି ରଖିଥାନ୍ତି ଓ ସୁବିଧା ପାଇଲେ ଅନ୍ୟମାନଙ୍କୁ ସଂକ୍ରମଣ କରନ୍ତି । ଟାଇଫଏଡ଼, ଡିପ୍‌ଥେରିଆ, ଲହରା କାଶ, ଗାଲୁଆ, ଆମାଶୟ, ପୋଲିଓ ଆଦି ରୋଗ ଅନେକ ସମୟରେ ବାହକମାନ‌ଙ୍କ ଦ୍ଵାରା ବ୍ୟାପିଥାଏ । ଏହି ଦୃଷ୍ଟିରୁ ବାହକମାନଙ୍କୁ ରୋଗୀ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଏ । କାରଣ ଉପରକୁ ସୁସ୍ଥ ଭଳି ଜଣା ପଡ଼ୁଥିଲେ ମଧ୍ୟ ଏମାନେ ସମସ୍ତଙ୍କ ଅଜାଣତରେ ଅନେକ ଲୋକଙ୍କୁ ରୋଗ ସଂକ୍ରମଣ କରିଥାନ୍ତି । ତେଣୁ ରୋଗ ଉପଶମ ପରେ ଅନ୍ତତଃ କେତେ ଦିନ ପର୍ଯ୍ୟନ୍ତ, ସତର୍କତା ଅବଲମ୍ବନ କରିବା ଉଚିତ, ସେ ବିଷୟରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ । କାରଣ ଜଣେ ନିର୍ଦ୍ଦିଷ୍ଟ ରୋଗୀ ରୋଗ ଉପଶମ ପରେ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ହିଁ ବାହକ ଭଳି କାର୍ଯ୍ୟ  କରିଥାଏ । ତା'ପରେ ଯାଇ ସେ ସଂପୂର୍ଣ୍ଣ ସୁସ୍ଥ ହୁଏ । ଅବଶ୍ୟ ଟାଇଫଏଡ଼୍ ରୋଗୀ ଏହି ଦୃଷ୍ଟିରୁ ବ୍ୟତିକ୍ରମ । କାରଣ ଏମାନେ ବେଳେ ବେଳେ ବର୍ଷ ବର୍ଷ ଧରି ବାହକ ଭଳି କାର୍ଯ୍ୟ କରିଥାନ୍ତି ।

 

ବାହକମାନେ ପୁଣି ବିଭିନ୍ନ ପ୍ରକାରର ହୋଇଥାନ୍ତି । ରୋଗର ସୁପ୍ତାବସ୍ଥାରେ ଯେଉଁମାନେ ରୋଗ ସଂକ୍ରମଣରେ ସାହାଯ୍ୟ କରିଥାନ୍ତି, ସେମାନଙ୍କୁ ସୁପ୍ତାବସ୍ଥା ବାହକ (Incubatory carrier) ବୋଲି କୁହାଯାଏ । ଏଠାରେ ବାହକ ବୋଲି, କହିବାର କାରଣ ହେଲା ରୋଗର ପ୍ରକୃତ ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ହିଁ ସେମାନେ ରୋଗ ସଂକ୍ରମଣ କରିଥାନ୍ତି । ମିଳିମିଳା, ଗାଲୁଆ, ପୋଲିଓ, ଲହରା କାଶ, ଇନ୍‌ଫ୍ଲୁଏନ୍‌ଜା, ଡିପ୍‌ଥେରିଆ ପ୍ରଭୃତି ରୋଗ ଅନେକ ସମୟରେ ସୁପ୍ତାବସ୍ଥା ବାହକ ଦ୍ଵାରା ହିଁ ସଂକ୍ରମିତ ହୋଇଥାଏ । ରୋଗ ଉପଶମର ପରବର୍ତ୍ତୀ ଅବସ୍ଥାରେ ଯେଉଁମାନେ ରୋଗ ସଂକ୍ରମଣ କରିଥାନ୍ତି, ସେମାନଙ୍କୁ ଉପଶମକାଳୀନ ବାହକ  (Canvalescent Carrier) ବୋଲି କୁହାଯାଏ । ଟାଇଫଏଡ଼, ନାଳରକ୍ତ ଝାଡ଼ା, ହଇଜା, ଡିପ୍‌ଥେରିଆ ଓ ଲହରା କାଶ ପରି ରୋଗର ସଂକ୍ରମଣ ଏହି ଜାତୀୟ ବାହକମାନ‌ଙ୍କ ଦ୍ଵାରା ହୋଇଥାଏ । ସେହିପରି ଆଉ କେତେକ ସୁସ୍ଥ ବାହକ (Healthy Carrier) ମଧ୍ୟ ରହିଥାନ୍ତି । ସେମାନଙ୍କ ଦେହରେ ରୋଗ ଜୀବାଣୁ ରହିଥାନ୍ତି; କିନ୍ତୁ ସେମାନଙ୍କ ବଳିଷ୍ଠ ପ୍ରତିରକ୍ଷା ଶକ୍ତି ଯୋଗୁଁ ସେମାନେ ନିଜେ ରୋଗ ଭୋଗନ୍ତି ନାହିଁ, ଅଥଚ ଅନ୍ୟକୁ ସଂକ୍ରମଣରେ ସାହାଯ୍ୟ କରିଥାନ୍ତି । ପୋଲିଓ, ହଇଜା, ଡିପ୍‌ଥେରିଆ ପରି ରୋଗ ଏହାର ଉଦାହରଣ । ଯେଉଁ ପ୍ରକାର ବାହକ ହୁଅନ୍ତୁ ନା କାହିଁକି, ରୋଗୀ ଯେଉଁ ପ୍ରଣାଳୀରେ ରୋଗ ସଂକ୍ରମଣ କରିଥାଏ, ସେମାନେ ସେହି ସବୁ ପ୍ରଣାଳୀରେ ହିଁ ସଂକ୍ରମଣ କରିଥାନ୍ତି ।

 

(ଖ) ପ୍ରାଣୀ ଉତ୍ସ ବା ଆଧାର (Animal Source or Reservoir):-

 

ମଣିଷ ପରି କେତେକ ପଶୁ ପକ୍ଷୀ ମଧ୍ୟ ରୋଗର ଉତ୍ସ ବା ଆଧାର ଓ ବାହକ ଅବସ୍ଥାରେ ମଣିଷ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି । ପାଗଳା କୁକୁର, ବିଲୁଆ ଆଦି କାମୁଡ଼ିବା ଦ୍ଵାରା ବ୍ୟାପୁଥ‌ିବା ଜଳାତଙ୍କ ରୋଗ, ଗାଈ, ଛେଳି, ପ୍ରଭୃତିଙ୍କ କ୍ଷୀରରୁ ବ୍ୟାପୁଥିବା ଏକ ପ୍ରକାରର ଯକ୍ଷ୍ମା ରୋଗ ଏବଂ କେତେକ ପ୍ରକାର ଟାଇଫଏଡ଼୍ ରୋଗ ପ୍ରାଣୀମାନଙ୍କ ଠାରୁ ହିଁ ମଣିଷକୁ ସଂକ୍ରମିତ ହୋଇଥାଏ ।

 

(ଗ) ଜଡ଼ ଉତ୍ସ ବା ଜଡ଼ ଆଧାର (Non living source or reservoir):-

 

ମଣିଷ ଓ ପ୍ରାଣୀ ପରି ମାଟି ତଥା ଅନ୍ୟ କେତେକ ଜଡ଼ ପଦାର୍ଥ ମଧ୍ୟ ରୋଗର ଉତ୍ସ ବା ଆଧାର ଭଳି କାର୍ଯ୍ୟ କରିଥାନ୍ତି । ଏହିପରି ବ୍ୟାପୁଥିବା ହୁକ୍ ୱାର୍ମ ରୋଗର ଉଦାହରଣ ତ ଆଗରୁ ଦିଆଯାଇଛି । ସେହିପରି ଟିଟାନସ୍ ଓ ଆନ୍‍ଥ୍ରାକ୍‍ସ୍‍ ପରି ରୋଗ ମଧ୍ୟ ଜଡ଼ ଉତ୍ସ ବା ଆଧାର ଠାରୁ ସଂକ୍ରମିତ ହୋଇଥାଏ ।

 

(୨) ସଂକ୍ରମଣ ପ୍ରଣାଳୀ (Mode of Transmission) :-

 

ରୋଗର କାରକ ବା ଅଣୁଜୀବଗୁଡ଼ିକ ନିଜର ଉତ୍ସ ବା ଆଧାର ଠାରୁ ବିଭିନ୍ନ ଉପାୟରେ ସୁସ୍ଥ ଶରୀରକୁ ସଂକ୍ରମିତ ହୋଇଥାନ୍ତି । ଏହି ସଂକ୍ରମଣ ମୁଖ୍ୟତଃ ଦୁଇଟି ପ୍ରଣାଳୀରେ ସଂଘଟିତ ହୋଇଥାଏ । ତାହା ହେଲା:-

 

(I) ପ୍ରତ୍ୟକ୍ଷ ସଂକ୍ରମଣ  (Direct Transmission)

(II) ପରୋକ୍ଷ ସଂକ୍ରମଣ  (Indirect Transmission)

(III) ପ୍ରତ୍ୟକ୍ଷ ସଂକ୍ରମଣ (Direct Transmission):-

 

ଜଣେ ସୁସ୍ଥଲୋକ ଯଦି ଏକ ସଂକ୍ରାମକ ରୋଗୀ ସଂସ୍ପର୍ଶରେ ଆସେ, ତା'ହେଲେ ରୋଗୀ ଦେହରୁ ଜୀବାଣୁ, ଭୂତାଣୁ ଆଦି ସିଧା ସଳଖ ସୁସ୍ଥ ଲୋକ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି । ଏହି ପ୍ରକାର ସଂକ୍ରମଣକୁ ପ୍ରତ୍ୟକ୍ଷ ସଂକ୍ରମଣ ବୋଲି କୁହାଯାଏ । ଏହି ପ୍ରତ୍ୟକ୍ଷ ସଂକ୍ରମଣ ମଧ୍ୟ ବିଭିନ୍ନ ଉପାୟରେ ସଂଘଟିତ ହୋଇଥାଏ । ସେଗୁଡ଼ିକ ହେଲା :-

 

(କ) ସଂସର୍ଗ ବା ସ୍ପର୍ଶ  (Direct contact or Touch):-

 

ଜଣେ ସୁସ୍ଥ ଲୋକର ଦେହ ରୋଗୀ ଦେହର ସିଧାସଳଖ ସଂସ୍ପର୍ଶରେ ଆସିଲେ ଅନେକ ରୋଗ ସଂକ୍ରମିତ ହୋଇଥାଏ । ଏହି ସଂକ୍ରମଣ ସାଧାରଣତଃ ସ୍ପର୍ଶ ଦ୍ଵାରା, ଚୁମ୍ଵନ ଦ୍ଵାରା କିମ୍ବା ଯୌନ ସମ୍ଭୋଗ ଦ୍ଵାରା ହିଁ ଏହି ସଂଘଟିତ ହୋଇଥାଏ । କାଛୁ, କୁଣ୍ଡିଆ, ମଚଳା, ଚମଦଳା, ବିଇଞ୍ଚି, କୁଷ୍ଠ ଆଦି ଚର୍ମରୋଗ; ମୁଣ୍ଡର ଉକୁଣି, ରୁପି, ଚମ ଉକୁଣି ପ୍ରଭୃତି ରୋଗ; ବିଭିନ୍ନ ପ୍ରକାର ଭୂତାଣୁ ଓ ଜୀବାଣୁ ଜନିତ ଆଖିଧରା ରୋଗ; ସିଫିଲିସ୍, ଗନୋରିଆ, ଏଡ଼୍‍ସ୍‍ ପ୍ରଭୃତି ଯୌନରୋଗ ସାଧାରଣତଃ ଏହି ଉପାୟରେ ସଂକ୍ରମିତ ହୋଇଥାଏ । ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତାରେ ଅବହେଳା କଲେ ଏ ସବୁର ସଂକ୍ରମଣ ତ୍ୱରାନ୍ଵିତ ହୋଇଥାଏ ।

 

ଏହା ବ୍ୟତୀତ ରୋଗୀ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ପତ୍ର ସୁସ୍ଥ ଲୋକର ସଂସ୍ପର୍ଶରେ ଆସିଲେ ମଧ୍ୟ ସେହି ରୋଗ ସହଜରେ ସଂକ୍ରମିତ ହୋଇଥାଏ । ହିସାବ କଲେ ଏହି ଜିନିଷ ପତ୍ରର ସଂଖ୍ୟା ହୁଏତ ଏକ ଲମ୍ବା ତାଲିକାଭୁକ୍ତ ହୋଇପାରେ । ତଥାପି ରୋଗୀ ବ୍ୟବହାର କରୁଥିବା ବିଛଣା, ଲୁଗାପଟା, ଚଦର, ଗାମୁଛା, ବାସନକୁସନ, କପ୍, ଚାମଚ, କଲମ, ବହି, ପେନ୍‌ସିଲ, ଖେଳଣା, ଚୌକି, ଟେବୁଲ ପ୍ରଭୃତି ଏଗୁଡ଼ିକ ଭିତରେ ମୁଖ୍ୟସ୍ଥାନ ଅଧିକାର କରିଥାଏ । ରୋଗ ଜୀବାଣୁ ଏହି ସବୁ ଜିନିଷରେ ଲାଗି ରହି ସିଧାସଳଖ ହେଉ କିମ୍ବା ଏକ ତୃତୀୟ ବ୍ୟକ୍ତି ମାଧ୍ୟମରେ ହେଉ ସୁସ୍ଥ ଲୋକ ପାଖକୁ ଯାଏ ଓ ତା'ଠାରେ ରୋଗ ସୃଷ୍ଟି କରେ । ତେଣୁ ଜଣେ ସଂକ୍ରାମକ ରୋଗୀକୁ ସେବା କରୁଥିବା ଅନ୍ୟ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ ନ କଲେ ସହଜରେ ସେହି ରୋଗରେ ପୀଡ଼ିତ ହୋଇ ପଡ଼ନ୍ତି । ଯକ୍ଷ୍ମା, ଡିପ୍‌ଥେରିଆ, ହାଡ଼ଫୁଟି, ମିଳିମିଳା, ଗାଲୁଆ, ହଇଜା, ଆମାଶୟ, ଆନ୍ତ୍ରିକଜ୍ୱର, କାନପଚା ପ୍ରଭୃତି ରୋଗଗୁଡ଼ିକର ସଂକ୍ରମଣ ଏହିପରି ଭାବରେ ହୋଇଥାଏ ।

 

(ଖ) ବାୟୁ ଦ୍ଵାରା ବିନ୍ଦୁ ସଂକ୍ରମଣ  (Droplet infection):-

 

ରୋଗୀ କଥା କହିବା ବେଳେ, ଛେପ ପକାଇବା ବେଳେ, ଛିଙ୍କିବା ବେଳେ, କାଶିବା ବେଳେ ତା'ର ଛେପ, ଖଙ୍କାର, ସିଙ୍ଘାଣି ବା ସେହି ଜାତୀୟ ତରଳ ପଦାର୍ଥ ବାୟୁମଣ୍ଡଳକୁ ନିକ୍ଷିପ୍ତ ହୋଇଯାଏ ।  ଏଗୁଡ଼ିକ ଏତେ ଜୋରରେ ନିକ୍ଷିପ୍ତ ହୁଏ ଯେ, ତାହା ବିନ୍ଦୁ ବିନ୍ଦୁ ହୋଇ ବାୟୁ ମଣ୍ଡଳରେ ଭାସି ବୁଲେ । ଏଥିରେ ନିୟୁତ ନିୟୁତ ସଂଖ୍ୟାରେ ରୋଗ ଜୀବାଣୁ, ଭୂତାଣୁ ଆଦି ମିଶି ରହିଥାନ୍ତି । ଏହି ବିନ୍ଦୁଗୁଡ଼ିକ ଯେତେବେଳେ ସୁସ୍ଥ ଲୋକର ଚର୍ମ, ଆଖି, କାନ କିମ୍ବା ନାକର ସଂସ୍ପର୍ଶରେ ଆସନ୍ତି, ତା' ଦେହରେ ପ୍ରବେଶ କରନ୍ତି ଓ ସେଥିରେ ଥିବା ରୋଗ ଜୀବାଣୁ ତା'ଠାରେ ରୋଗ ସୃଷ୍ଟି କରନ୍ତି । ଏହାକୁ ବିନ୍ଦୁ ସଂକ୍ରମଣ (Droplet infection) ବୋଲି କୁହାଯାଏ । ସର୍ଦ୍ଦି, ଥଣ୍ଡା, ଇନ୍‌ଫ୍ଲୁଏନ୍‌ଜା, ଡିପ୍‌ଥେରିଆ, ହୁପିଂକାଶ, ଯକ୍ଷ୍ମା, ଟ୍ରାକୋମା, ଆଖିଧରା ପ୍ରଭୃତି ରୋଗ ସାଧାରଣତଃ ଏହି ଉପାୟରେ ସଂକ୍ରମିତ ହୋଇଥାଏ ।

 

(ଗ) ମୃତ୍ତିକା ଦ୍ଵାରା ସଂକ୍ରମଣ : (Contact with soil):-

 

କେତେକ ରୋଗର ଜୀବାଣୁ ମାଟି ଭିତରେ ରହିଥାନ୍ତି । ସୁସ୍ଥ ମଣିଷର ପାଦ ତାହା ସଂସ୍ପର୍ଶରେ ଆସିଲେ ସେମାନେ ପାଦର ଚର୍ମକୁ ଫୁଟାଇ ସୁସ୍ଥ ଲୋକ ଦେହରେ ପ୍ରବେଶ କରନ୍ତି ଓ ରୋଗ ସୃଷ୍ଟି କରନ୍ତି । ଖାଲି ପାଦରେ ପଡ଼ିଆ ବାଡ଼ିକୁ ଝାଡ଼ା ଗଲେ ମଣିଷ ଏହିପରି ଭାବରେ ହୁକ୍‌ୱାର୍ମ ବା ଅଂକୁଶ କୃମି ରୋଗର ଶିକାର ହୋଇଥାଏ । ତା'ଛଡ଼ା ଟିଟାନସ୍ ରୋଗର ଜୀବାଣୁ ମଧ୍ୟ ବେଳେ ବେଳେ ମାଟିରୁ ସୁସ୍ଥ ଲୋକ ଦେହରେ ପ୍ରବେଶ କରି ରୋଗସୃଷ୍ଟି କରିଥାଏ ।

 

(ଘ) ଦଂଶନ (Bite):-

 

ପାଗଳା କୁକୁର ବା ବିଲୁଆମାନଙ୍କର ଲାଳରେ ଜଳାତଙ୍କ ରୋଗର ଭୂତାଣୁ ମିଶିକରି ରହିଥାଏ । ଏମାନେ ଯେତେବେଳେ ସୁସ୍ଥ ଲୋକକୁ କାମୁଡ଼ନ୍ତି, ଏହି ରୋଗର ଭୂତାଣୁ ଲାଳଦ୍ଵାରା ଚର୍ମର କ୍ଷତ ସ୍ଥାନଦେଇ ଦେହରେ ପ୍ରବେଶ କରେ ଓ ଜଳାତଙ୍କ ରୋଗ ସୃଷ୍ଟି କରେ । ସେହିପରି ସାପ ଓ କେତେକ ବିଷାକ୍ତ ପୋକ କାମୁଡ଼ିଲେ ମଧ୍ୟ ସେମାନଙ୍କଠାରୁ ଝରୁଥିବା ବିଷାକ୍ତ ରସ ଦେହରେ ପ୍ରବେଶ କରି ରୋଗର କାରଣ ହୋଇଥାଏ ।

 

(ଙ) ଇଂଜେକ୍ସନ ଛୁଞ୍ଚି (Inoculation):-

 

କେତେକ ରୋଗ ଅବିଶୋଧିତ ବା ସଂକ୍ରମିତ ଇଂଜେକ୍‌ସନ୍ ସିରିଞ୍ଜ୍‍ ବା ଛୁଞ୍ଚି ସାହାଯ୍ୟରେ ମଧ୍ୟ ସଂକ୍ରମିତ ହୋଇଥାଏ । ଇଂଜେକ୍‌ସନ୍‌ ଦେଉଥିବା ଲୋକର ଅସାବଧାନତାରୁ ହିଁ ଏପରି ହୁଏ । ଯେଉଁମାନେ ଅଭ୍ୟାସ କରି ସାଙ୍ଗମେଳରେ ନିଜେ ନିଜେ ନିଶା ଇଂଜେକ୍‍ସନ୍ ନେଉଥାନ୍ତି, ସାଧାରଣତଃ ସେହିମାନେ ଏହିପରି ରୋଗରେ ପୀଡ଼ିତ ହୋଇଥାନ୍ତି ।

 

ହେପାଟାଇଟିସ୍ 'ବି' ନାମକ ଏକ ବିଶେଷ ଧରଣର କାମଳ ରୋଗ ଓ ଏ ଶତାବ୍ଦୀର ମହାମାରୀ ନାମରେ ନାମିତ ଏଡ଼୍‍ସ୍ ରୋଗ ଇଂଜେକ୍‌ସନ୍ ଛୁଞ୍ଚି ଦ୍ଵାରା ହିଁ ସଂକ୍ରମିତ ହୋଇଥାଏ । ତା'ଛଡ଼ା ଏହି ଦୁଇ ରୋଗର ଭୂତାଣୁ ଦ୍ଵାରା ସଂକ୍ରମିତ ରକ୍ତକୁ କୌଣସି ରୋଗୀ ଦେହରେ ସଞ୍ଚାରଣ କରାଇବା ଦ୍ଵାରା ମଧ୍ୟ ଏହି ରୋଗ ସଂକ୍ରମିତ ହୋଇଥାଏ ।

 

(ଚ) ମା' ଠାରୁ ଛୁଆକୁ ସଂକ୍ରମଣ (Transplacental):-

 

ଏମିତି କେତେକ ରୋଗ ଅଛି, ଯାହା କି ମା'ଠାରୁ ସିଧାସଳଖ ଛୁଆ ଦେହକୁ ସଂକ୍ରମିତ ହୋଇଥାଏ । ମା'ର ଗର୍ଭାଶୟରେ ଥିବା ଗର୍ଭଫୁଲ (Placenta) ଓ ଗର୍ଭନାଡ଼ୀ (Umbilical cord) ମଧ୍ୟ ଦେଇ ଏହି ସଂକ୍ରମଣ ଛୁଆ ଦେହରେ ପ୍ରବେଶ କରିଥାଏ । ଜର୍ମାନ୍ ମିଳିମିଳା, ହର୍ପିସ୍ ରୋଗ, ଏଡ଼ସ୍, ସିଫିଲିସ୍, ଗନୋରିଆ, ହେପାଟାଇଟିସ୍ ବି ଭଳି ରୋଗ ଏହି ଉପାୟରେ ଛୁଆ ଦେହକୁ ସଂକ୍ରମିତ ହୋଇଥାଏ । ତା'ଛଡ଼ା କେତେକ ଔଷଧ ଓ ଆଉ କେତେକ ରାସାୟନିକ ବା ଜଡ଼ ପଦାର୍ଥ ମଧ୍ୟ ଏହି ଉପାୟରେ ମା’ଠାରୁ  ଛୁଆ ଦେହକୁ ଆସି ବେଳେ ବେଳେ ଛୁଆ ଦେହରେ ରୋଗ ସୃଷ୍ଟି କରିଥାଏ କିମ୍ବା ଛୁଆକୁ ବିକଳାଙ୍ଗ କରି ଦେଇଥାଏ ।

 

(II) ପରୋକ୍ଷ ସଂକ୍ରମଣ (Indirect Transmission):-

 

ପ୍ରତ୍ୟକ୍ଷ ସଂକ୍ରମଣ ବ୍ୟତୀତ ଗୋଟିଏ ସଂକ୍ରାମକ ରୋଗ ତାର ଉତ୍ସ ବା ଆଧାରଠାରୁ ଆଉ ଜଣକ ନିକଟକୁ କେତୋଟି ମାଧ୍ୟମ ଦେଇ ସଂକ୍ରମିତ ହୋଇଥାଏ । ଏହାକୁ ପରୋକ୍ଷ ସଂକ୍ରମଣ ବୋଲି କୁହାଯାଏ । ମାଧ୍ୟମ କଥାଟା କହିବା ବେଳେ ବୁଝିବାକୁ ହୁଏତ ଟିକିଏ ଅସୁବିଧା ହେଉଥିବ । ଏଠାରେ ଗୋଟିଏ ପଣ୍ୟ ଦ୍ରବ୍ୟ କଥା ବିଚାର କରାଯାଉ । ଚାଷୀ କ୍ଷେତରେ ଖାଦ୍ୟ ଶସ୍ୟ ଉତ୍ପନ୍ନ କରେ । ତାହା ସହରକୁ ଯାଇ ଗୋଦାମରେ ବିକ୍ରି ହୁଏ ଓ ସେଠାରୁ ଖାଉଟିମାନେ କିଣି ନେଇ ବ୍ୟବହାର କରନ୍ତି । ଚାଷୀର କ୍ଷେତରୁ ସହରର ଗୋଦାମକୁ କିମ୍ବା ଖାଉଟି ପାଖକୁ ଏହା ସିଧା ସଳଖ କୌଣସି ଭୋଜବିଦ୍ୟା ଦ୍ଵାରା ଚାଲିଯାଏ ନାହିଁ । ବସ୍, ଟ୍ରକ୍, ଟ୍ରେନ୍, ନୌକା, ରିକ୍‌ସା ଆଦି ସାହାଯ୍ୟରେ ଏହା ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ସ୍ଥାନାନ୍ତରିତ ହୋଇଥାଏ । ବିଭିନ୍ନ ଖାଦ୍ୟଶସ୍ୟ ତଥା ଅନ୍ୟାନ୍ୟ ଦ୍ରବ୍ୟର ବ୍ୟବସାୟ ପାଇଁ ଏହାହିଁ ହେଉଛି ଗୋଟିଏ ଗୋଟିଏ ମାଧ୍ୟମ । ଠିକ୍ ସେମିତି ଟେଲିଫୋନର ତାର ମାଧ୍ୟମରେ ଜଣେ ଲୋକ ଦୂରରେ ଥିବା ଆଉ ଜଣେ ଲୋକ ସହିତ କଥାବାର୍ତ୍ତା କରି ଭାବ ବିନିମୟ କରିପାରେ । ବେତାର  ଓ ଦୂରଦର୍ଶନ ସେହିପରି ଶିକ୍ଷା ଆଉ ମନୋରଂଜନର ଗୋଟିଏ ଗୋଟିଏ ମାଧ୍ୟମ । ରୋଗ ଜୀବାଣୁ ମଧ୍ୟ ଠିକ୍ ସେମିତି ଗୋଟିଏ ଗୋଟିଏ ମାଧ୍ୟମ ଦ୍ଵାରା ଜଣକ ଠାରୁ ଆଉ ଜଣକ ପାଖକୁ ଚାଲି ଯାଇଥାଏ । ଏକ ନିର୍ଦ୍ଦିଷ୍ଟ ରୋଗ ଜୀବାଣୁ ଗୋଟିଏ ମାଧ୍ୟମ ଦ୍ଵାରା କିମ୍ଵା ଏକାଧିକ ମାଧ୍ୟମ ଦ୍ଵାରା ସଂକ୍ରମିତ ହୋଇଥାଇ ପାରେ । ଏହି ମାଧ୍ୟମ ଗୁଡ଼ିକୁ ସଂବାହକ ବୋଲି କୁହାଯାଏ । ଠିକ୍ ଭାବରେ ବୁଝିବା ପାଇଁ ଏଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଥାଏ ।

 

(କ) ଜଡ଼ ସଂବାହକ ବା ଯାନ (Vehicle borne Transmission):-

 

ପଣ୍ୟଦ୍ରବ୍ୟ ସବୁ ବିଭିନ୍ନ ଯାନ ସାହାଯ୍ୟରେ ଯେପରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୁଏ, ରୋଗ ଜୀବାଣୁ ମଧ୍ୟ ସେହିପରି କେତୋଟି ଯାନ ମାଧ୍ୟମରେ ଜଣକଠାରୁ ଆଉ ଜଣକ ପାଖକୁ ଚାଲି ଯାଇଥାଏ । ଏହି ଯାନ ଗୁଡ଼ିକ ଆଉ କିଛି ନୁହେଁ, ଆମେ ନିତି ବ୍ୟବହାର କରୁଥିବା ଖାଦ୍ୟ, ଜଳ, କ୍ଷୀର, ବରଫ ପ୍ରଭୃତି ଖାଦ୍ୟପେୟ । ଏଗୁଡ଼ିକ ଭିତରେ ଜଳର ସ୍ଥାନ ପ୍ରଥମ । କାରଣ ଏହା ଦ୍ଵାରା ଏକ ସମୟରେ ଗୋଟିଏ ରୋଗ ଦ୍ଵାରା ହଜାର ହଜାର ଲୋକ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ପରିବେଶ ବିଜ୍ଞାନୀମାନେ ଜଳର ସୁରକ୍ଷା ଓ ବିଶୋଧନ ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରିଥାନ୍ତି । ରୋଗର ଜୀବାଣୁ ଓ ଭୂତାଣୁ ଆଦି ରୋଗୀର ଝାଡ଼ା, ପରିସ୍ରା, ବାନ୍ତି, ଛେପ, ଖଙ୍କାର ପ୍ରଭୃତି ଦ୍ଵାରା ବାହାରକୁ ଆସିଥାନ୍ତି । ଖାଦ୍ୟଦ୍ରବ୍ୟ ଏହି ମଇଳା ପଦାର୍ଥର ସଂସ୍ପର୍ଶରେ ଆସି ଦୂଷିତ ହୋଇଯାଏ । ଯେଉଁମାନେ ଏହି ଦୂଷିତ ଖାଦ୍ୟକୁ ଖାଆନ୍ତି, ସେମାନେ ସହଜରେ ସେହି ରୋଗ ଦ୍ଵାରା ସଂକ୍ରମିତ ହୋଇଥାନ୍ତି । ଯେଉଁସବୁ ରୋଗ ଜଳ, ଖାଦ୍ୟ, କ୍ଷୀର, ବରଫ ଆଦି ଦ୍ଵାରା ସଂକ୍ରମିତ ହୋଇଥାଏ, ସେଗୁଡ଼ିକ ଭିତରେ ହଇଜା, ଟାଇଫଏଡ୍, କାମଳ, ପେଟର ଚାକୁଣ୍ଡି ଓ ଦଶିପୋକ ପରି କୃମିରୋଗ, ଆମାଶୟ, ପୋଲିଓ, ଖାଦ୍ୟ ବିଷାକ୍ତତା ପ୍ରଧାନ । ବେଳେ ବେଳେ ଏହି ରୋଗ ମଡ଼କର ରୂପ ନେଇ ବହୁ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇଥାଏ ।

 

ଖାଦ୍ୟ ଓ ଜଳ ଦ୍ଵାରା ବ୍ୟାପୁଥ‌ିବା ରୋଗ ଗୁଡ଼ିକର ଏକ ବିଶେଷ ଗୁଣ ହେଉଛି, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ଦୂଷିତ ଜଳ ଓ ଖାଦ୍ୟ ଯେଉଁମାନେ ବ୍ୟବହାର କରୁଥାନ୍ତି, ସେମାନେ ସମସ୍ତେ ସେହି ରୋଗରେ ପୀଡ଼ିତ ହୋଉଥାନ୍ତି । ଫଳରେ ରୋଗ ଗୋଟିଏ ପରିବାର ଭିତରେ ସୀମିତ ରହିପାରେ କିମ୍ବା କେତୋଟି ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରେ । ତେଣୁ କୌଣସି ରୋଗର ମଡ଼କ ସମୟରେ ପ୍ରତିଷେଧକ ବିଜ୍ଞାନୀମାନେ ଲୋକେ ବ୍ୟବହାର କରୁଥିବା ଖାଦ୍ୟ ଓ ଜଳର ଉତ୍ସକୁ ଖୋଜି ବାହାର କରନ୍ତି । ସେହି ଜଳ ଓ ଖାଦ୍ୟ ଆଦିକୁ ବିଶୋଧନ କରି ରୋଗୀମାନଙ୍କୁ ଚିକିତ୍ସା କରିଦେଲେ ରୋଗ ଆୟତ୍ତ ହୋଇଯାଏ ।

 

ରକ୍ତ ମଧ୍ୟ ସେହିପରି ଏକ ଜଡ଼ ସଂବାହକ, ଯେ'କି ରୋଗ ସଂକ୍ରମଣରେ ସାହାଯ୍ୟ କରିଥାଏ । କାରଣ ଜଣକର ସଂକ୍ରମିତ ରକ୍ତ ଆଉ କାହା ଠାରେ ସଂଚାରଣ କରାଇଲେ ସେ ମଧ୍ୟ ସେହି ରୋଗରେ ସଂକ୍ରମିତ ହୋଇଯାଏ । ମ୍ୟାଲେରିଆ, ସିଫିଲିସ୍,, ହେପାଟାଇଟିସ୍ 'ବି' ଓ ଏଡ଼୍‍ସ୍‍ ପ୍ରଭୃତି ରୋଗ ଏହା ଉପାୟରେ ସଂକ୍ରମିତ ହୋଇଥାଏ ।

 

(ଖ) ଜୀବନ୍ତ ସଂବାହକ ବା ବାହନ (Vector borne transmission):

 

ପୁରାଣରେ ଅଛି, ଦେବ ଦେବୀମାନେ ସିଂହ, ମଇଁଷି, ଷଣ୍ଢ, ପକ୍ଷୀ ଆଦି ବିଭିନ୍ନ ବାହନମାନଙ୍କ ଦ୍ଵାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା କରନ୍ତି । ଖାଲି ଦେବ ଦେବୀ  ନୁହନ୍ତି, କେତେକ ଲୋକ ମଧ୍ୟ ଘୋଡ଼ା, ଓଟ ପ୍ରଭୃତିଙ୍କୁ ଯାତାୟାତର ମାଧ୍ୟମ ରୂପେ ବ୍ୟବହାର କରନ୍ତି । ଠିକ୍ ସେମିତି କେତେକ ରୋଗ ଜୀବାଣୁ ରୋଗୀ ଦେହରୁ ଜଣେ ସୁସ୍ଥ ଲୋକ ଦେହରେ ପ୍ରବେଶ କରିବା ପାଇଁ ବିଭିନ୍ନ ବାହନ ଦ୍ଵାରା ଗତି କରିଥାନ୍ତି । କେତେକ ପତଙ୍ଗ ଓ ଅମେରୁଦଣ୍ଡୀ ପ୍ରାଣୀ ସେଗୁଡ଼ିକର ବାହନ ଭଳି କାର୍ଯ୍ୟ କରିଥାନ୍ତି ।

 

ବାହନମାନେ ସାଧାରଣତଃ ଦୁଇଟି ଉପାୟରେ ରୋଗ ସଂକ୍ରମଣ କରିଥାନ୍ତି । ଅର୍ଥାତ୍ ଦୁଇ ଜାତୀୟ ବାହନ ଦେଖା ଯାଇଥାନ୍ତି । ପ୍ରଥମ ଜାତୀୟ ବାହନ ସେମାନଙ୍କ ଗୋଡ଼ କିମ୍ବା ଦେହର ଅନ୍ୟାନ୍ୟ ଅଂଶରେ ରୋଗ ଜୀବାଣୁଙ୍କୁ ଧରି ନେଇ ମଣିଷର ଖାଦ୍ୟ ଓ ପାନୀୟ ଆଦିରେ ଛାଡ଼ି ଦିଅନ୍ତି । ସୁସ୍ଥ ଲୋକ ସେହି ଖାଦ୍ୟପେୟକୁ ଗ୍ରହଣ କଲେ ରୋଗରେ ପୀଡ଼ିତ ହୋଇଥାନ୍ତି । ଏହାକୁ ‘ଯାନ୍ତ୍ରିକ ସଂକ୍ରମଣ’ (Mechanical transmission) ବୋଲି କୁହାଯାଏ । ମାଛି ଏହି ଜାତୀୟ ବାହନର ଏକ ଉଦାହରଣ ହଇଜା, ଟାଇଫଏଡ଼, ଆମାଶୟ ପ୍ରଭୃତି ରୋଗ ଏହି ଉପାୟରେ ସଂକ୍ରମିତ ହୋଇଥାଏ । କଥାରେ କହନ୍ତି, ମାଛି ବାଘଠାରୁ ଭୟଙ୍କର । କାରଣ ବାଘ ଏକ ସମୟରେ ଗୋଟିଏ ଲୋକ‌କୁ ମାରି ଦେଉଥିବା ବେଳେ ମାଛି ହଜାର ହଜାର ଲୋକଙ୍କୁ ମାରି ଦେବା ପାଇଁ ସମର୍ଥ ହୋଇଥାଏ ।

 

ଏହା ବ୍ୟତୀତ ଯେଉଁ ଦ୍ଵିତୀୟ ପ୍ରକାରର ବାହନ ଦେଖାଯାନ୍ତି, ସେମାନେ ପ୍ରଥମେ ରୋଗୀକୁ କାମୁଡ଼ନ୍ତି । ଏହି କାମୁଡ଼ିବା ଫଳରେ ରୋଗ ଜୀବାଣୁ ରୋଗୀ ଦେହରୁ ସେମାନଙ୍କ ଦେହ ଭିତରକୁ ଚାଲିଯାନ୍ତି । ବାହନର ଦେହଭିତରେ ରୋଗ ଜୀବାଣୁ ନିଜର ଯୌନ ଜୀବନ ଅତିବାହିତ କରି ବଂଶବୃଦ୍ଧି କରନ୍ତି ଓ ଆଉ ଗୋଟିଏ ସୁସ୍ଥ ଲୋକ ଦେହରେ ରୋଗ ସୃଷ୍ଟି କରିବାର ଶକ୍ତି ହାସଲ କରନ୍ତି । ତାପରେ ବାହନଟି ଯେତେବେଳେ ଜଣେ ସୁସ୍ଥ ଲୋକ‌କୁ କାମୁଡ଼େ, ଜୀବାଣୁମାନେ ତା' ଦେହରେ ପ୍ରବେଶ କରନ୍ତି ଓ ରୋଗ ସଂକ୍ରମଣରେ ସାହାଯ୍ୟ କରନ୍ତି । ଏହି ପ୍ରକାର ସଂକ୍ରମଣକୁ ଜୈବ ସଂକ୍ରମଣ (Biological transmission) ବୋଲି କୁହାଯାଏ । ବିଭିନ୍ନ ଜାତୀୟ ମଶା, ଟିଙ୍କ, ଉକୁଣି, ଫ୍ଲି, ମାଇଟ୍‌ସ୍‌ ପ୍ରଭୃତିଙ୍କ ଦ୍ଵାରା ବ୍ୟାପୁଥିବା ମ୍ୟାଲେରିଆ, ବାତଜ୍ଵର, ପ୍ଲେଗ୍, ଡେଙ୍ଗୁଜ୍ୱର, କଳାଜ୍ଵର, ଟାଇଫସ୍ ଆଦି ରୋଗ ଏହି ଉପାୟରେ ସଂକ୍ରମିତ ହୋଇଥାଏ । ମ୍ୟାଲେରିଆ ଓ ପ୍ଲେଗ୍ ରୋଗ ବେଳେବେଳେ ମଡ଼କ ସୃଷ୍ଟି କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।

 

(ଗ) ବାୟୁ (Transmission by air):-

 

ଅନେକ ରୋଗ ବାୟୁ ଦ୍ଵାରା ସଂକ୍ରମିତ ହୋଇଥାଏ । ରୋଗୀ ଯେତେ ବେଳେ କଥା କୁହେ, କାଶେ କିମ୍ବା ଛିଙ୍କେ, ତାର ନାକ ଓ ପାଟିରୁ ଯେଉଁ ପବନ, ଜଳୀୟ ବାଷ୍ପ ଆଦି ବାହାରେ ସେଥିରେ ନିୟୁତ ନିୟୁତ ସଂଖ୍ୟାରେ ରୋଗ ଜୀବାଣୁ, ଭୂତାଣୁ ଆଦି ବାହାରି ବାୟୁ ମଣ୍ଡଳରେ ଘୂରି ବୁଲନ୍ତି । ବିନ୍ଦୁ ସଂକ୍ରମଣ (Droplet infection) ପ୍ରକ୍ରିୟାରେ ଏହା ଦ୍ଵାରା କିପରି ରୋଗ ସଂକ୍ରମିତ ହୋଇଥାଏ, ତାହା ପୂର୍ବରୁ ବର୍ଣ୍ଣନା କରାଯାଇଛି । ବିନ୍ଦୁ ସଂକ୍ରମଣ ପ୍ରକ୍ରିୟାରେ ରୋଗ ଜୀବାଣୁ ସିଧାସଳଖ ରୋଗୀ ଦେହରୁ ବାହାରି ସୁସ୍ଥ ଲୋକଠାରେ ପ୍ରବେଶ କରିଥାନ୍ତି । କିନ୍ତୁ ବାୟୁ ଦ୍ଵାରା ସଂକ୍ରମଣ ବିଷୟରେ କହିବା ବେଳେ କ‌ଥାଟା ଟିକେ ଅଲଗା ହୋଇଥାଏ । ଏଥିରେ ରୋଗ ଜୀବାଣୁ ରୋଗୀ ଦେହରୁ ବାହାରି ବାୟୁରେ ଥିବା ଧୂଳିକଣା କିମ୍ବା ଅନ୍ୟ କୌଣସି ସେହି ଜାତୀୟ ଅଣୁରେ ଲାଗି ଯାଆନ୍ତି ଓ ସେହି ଅବସ୍ଥାରେ ଅନେକ ଦିନ ପର୍ଯ୍ୟନ୍ତ ସକ୍ରିୟ ରହି ବାୟୁ ମଣ୍ଡଳରେ ଘୂରି ବୁଲନ୍ତି । ସୁସ୍ଥ ଲୋକ ଯେତେବେଳେ ସେହି ବାୟୁକୁ ପ୍ରଶ୍ଵାସ ବାଟେ ଗ୍ରହଣ କରେ, ରୋଗ ଜୀବାଣୁ ତା'ଠାରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି । ଏହା ବ୍ୟତୀତ ରୋଗୀର ଛେପ, ଖଙ୍କାର, ସିଙ୍ଘାଣି, ବାନ୍ତି, ମଳ, ମୂତ୍ର ଆଦି ଭୂଇଁରେ ପଡ଼ି ଶୁଖିଯିବା ପରେ ସେଥିରେ ଥିବା ରୋଗ ଜୀବାଣୁଗୁଡ଼ିକ ବାୟୁ ମଣ୍ଡଳରେ ଘୂରି ବୁଲନ୍ତି ଓ ସୁବିଧା ଦେଖି ସୁସ୍ଥ ଲୋକ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି । ସେଇଥିପାଇଁ ରୋଗୀର ମଳ, ମୂତ୍ର, କଫ ଆଦିକୁ ତୁରନ୍ତ ପୋଡ଼ିଦେବା ପାଇଁ ପରାମର୍ଶ ଦିଆଯାଇଥାଏ । ବାୟୁ ଦ୍ଵାରା ଯେଉଁସବୁ ରୋଗ ସଂକ୍ରମିତ ହୋଇଥାଏ, ସେଗୁଡ଼ିକ ଭିତରେ ଯକ୍ଷ୍ମା, ଡିପ୍‌ଥେରିଆ, ହାଡ଼ଫୁଟି, ମିଳିମିଳା, ହୁପିଂକାଶ, ଗାଲୁଆ, ସର୍ଦ୍ଦି, ଥଣ୍ଡା, ଇନ୍‌ଫ୍ଲୁଏନ୍‌ଜା, ବ୍ରୋଙ୍କାଇଟିସ୍, ଟନ୍‌ସିଲାଇଟିସ୍, ପାଇରିଆ ପ୍ରଭୃତି ରୋଗ ପ୍ରଧାନ I

 

(ଘ) ଆସବାବ ପତ୍ର  (Fomite-borne):-

 

ରୋଗୀ ବ୍ୟବହାର କରୁଥିବା ବିଭିନ୍ନ ଆସବାବ ପତ୍ର ଓ ଉପକରଣ ମାଧ୍ୟମରେ ମଧ୍ୟ ପରୋକ୍ଷରେ ରୋଗ ସଂକ୍ରମିତ ହୋଇଥାଏ । ଏ ବିଷୟରେ ଅବଶ୍ୟ ଆଗରୁ ବର୍ଣ୍ଣନା କରାଯାଇ ଅଛି । ଯେଉଁସବୁ ରୋଗ ଏହି ମାଧ୍ୟମରେ ସଂକ୍ରମିତ ହୋଇଥାଏ, ସେଗୁଡ଼ିକ ଭିତରେ ଡିପ୍‌ଥେରିଆ, ଟାଇଫଏଡ୍, ଆମାଶୟ, କାମଳ ରୋଗ ଏବଂ ଆଖି ଓ କାନର ସଂକ୍ରମଣ ଆଦି ପ୍ରଧାନ ।

 

(ଙ) ଅପରିଷ୍କୃତ ହାତ ଓ ନଖ (Uncleaned hands and  fingers):-

 

ହାତ, ଆଙ୍ଗୁଠି ସନ୍ଧି ଓ ନଖ ସନ୍ଧି ଅନେକ ରୋଗ ଜୀବାଣୁଙ୍କୁ ଧରି ରଖିଥାଏ । ଏଗୁଡ଼ିକ ଅପରିଷ୍କାର ରହିଲେ ଖାଦ୍ୟ ବାଟେ ହେଉ ବା ଚର୍ମ ବାଟେ ହେଉ, ଏହି ଜୀବାଣୁମାନେ ଦେହରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି । ଏହି ସବୁ ରୋଗ ଭିତରେ ବିଭିନ୍ନ ଚର୍ମ ରୋଗ, କୃମିରୋଗ, ଟାଇଫଏଡ଼, ଆମାଶୟ, କାମଳ ରୋଗ ପ୍ରଭୃତି ପ୍ରଧାନ I

ଏହି ସବୁକୁ ଦୃଷ୍ଟିରେ ରଖି ରୋଗ ସଂକ୍ରମଣର ମାଧ୍ୟମକୁ ସହଜରେ ମନେ ରଖିବା ପାଇଁ "5F" ସୂତ୍ରକୁ ବ୍ୟବହାର କରାଯାଇଥାଏ । ଏହି ‘5F' ହେଲା- Flies, Fingers, Fomites, Food and Fluid.

 

(୩) ପୋଷକ ବା ପ୍ରାପକ (Host):-

 

ରୋଗ ଜୀବାଣୁ ରୋଗୀ ଦେହରୁ ବିଭିନ୍ନ ମାଧ୍ୟମ ଦେଇ ଆସି ସୁସ୍ଥ ଲୋକ ଦେହରେ ପ୍ରବେଶ କରେ, ତା'କୁ ପୋଷକ, ପ୍ରାପକ ବା ସମ୍ଭାବ୍ୟ ରୋଗୀ ବୋଲି କୁହାଯାଏ । ଦେହରେ ପ୍ରବେଶ କରିଗଲେ ଯେ ସମସ୍ତଙ୍କୁ ହୋଇ ରୋଗ ହୋଇଯିବ, ତାହା ନୁହେଁ । ରୋଗ ଜୀବାଣୁ ଦେହରେ ପ୍ରବେଶ କରିବା ପରେ ଜଣେ ଲୋକ‌କୁ ରୋଗ ହେବ କି ନା, ତାହା ତା ଦେହର ପ୍ରତିରକ୍ଷା ବ୍ୟବସ୍ଥା ବ୍ୟକ୍ତିଗତ ରୁଚି ତଥା ପରିଷ୍କାର ପରିଚ୍ଛନ୍ନତା ଉପରେ ନିର୍ଭର କରିଥାଏ । ଜଣେ ଲୋକ ଯଦି ସ୍ୱାସ୍ଥ୍ୟକର ପରିବେଶରେ ରହି ନିଜର ବ୍ୟକ୍ତିଗତ ତଥା ପାରିବାରିକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଇଥିବ ଏବଂ ବିଭିନ୍ନ ପ୍ରତିଷେଧକ ଟିକା ନେଇ ନିଜ ଦେହ ପ୍ରତିରକ୍ଷା ଶକ୍ତିକୁ ସକ୍ରିୟ କରିଥିବ, ତା'ହେଲେ ସେ ସହଜରେ ସେହି ରୋଗ ଦ୍ଵାରା ପୀଡ଼ିତ ହୋଇ ପାରିବ ନାହିଁ । ଗୋଟିଏ ପରିବାରର ଦୁଇ ତିନି ଜଣ ଲୋକ ହାଡ଼ଫୁଟି ରୋଗରେ ସଂକ୍ରମିତ ହେଉଥିବା ବେଳେ ଅନ୍ୟମାନେ ସେମାନଙ୍କ ସଂସ୍ପର୍ଶରେ ଆସି ସୁଦ୍ଧା ଏହି କାରଣରୁ ରୋଗରେ ପଡ଼ନ୍ତି ନାହିଁ । ତେଣୁ ଜଣେ ଚେଷ୍ଟା କଲେ ସଂକ୍ରାମକ ରୋଗ ଠାରୁ ଦୂରରେ ରହି ପାରିବ ବୋଲି କହିଲେ କୌଣସି ଭୁଲ ହେବ ନାହିଁ ।

 

ରୋଗ ଜୀବାଣୁ ବିଭିନ୍ନ ବାଟ ଦେଇ ସମ୍ଭାବ୍ୟ ରୋଗୀ ଦେହରେ ପ୍ରବେଶ କରିଥାଏ । ନାକ, ଶ୍ଵାସନଳୀ, ପାଟି, ଖାଦ୍ୟନଳୀ, ଚର୍ମ ଓ ଯୌନାଙ୍ଗ ପ୍ରଭୃତି ହେଲା ଏଇସବୁ ବାଟ । କେତେକ ରୋଗ ଜୀବାଣୁ ଗୋଟିଏ ଗୋଟିଏ ବାଟ ଦେଇ ପ୍ରବେଶ କରୁଥିବା ବେଳେ ଆଉ କେତେକ ଏକାଧିକ ବାଟ ଦେଇ ପ୍ରବେଶ କରିଥାନ୍ତି । ଦେହରେ ପ୍ରବେଶ କରିବା ପରେ ଏମାନେ ଶରୀର ଭିତରେ ନିଜର ସ୍ଥାନ ନିରୂପଣ କରନ୍ତି ଓ ବଂଶବୃଦ୍ଧି କରନ୍ତି । ଆଶାଜନକ ଭାବରେ ସଂଖ୍ୟା ବୃଦ୍ଧି ହେବା ପରେ ରୋଗର ଉତ୍କଟତା ପ୍ରକାଶ ପାଏ । ଉପଯୁକ୍ତ ଚିକିତ୍ସା ପଦ୍ଧତି ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ରୋଗ ଜୀବାଣୁଗୁଡ଼ିକ ନଷ୍ଟ ହୋଇଯାନ୍ତି କିମ୍ବା ଶରୀର ବାହାରକୁ ବାହାରି ଉପର ବର୍ଣ୍ଣିତ ମାଧ୍ୟମଗୁଡ଼ିକ ଦ୍ଵାରା ପୁଣି ଅନ୍ୟ ମାନଙ୍କୁ ସଂକ୍ରମିତ କରନ୍ତି ।

 

ରୋଗ କ'ଣ କ୍ଷତି କରେ ?

(Harmful effects of disease)

 

ରୋଗ କ'ଣ କ୍ଷତି କରେ ବୋଲି ପଚାରିଲେ ଡାକ୍ତରମାନେ ଓଲଟା ପ୍ରଶ୍ନ କରିଥାନ୍ତି, ରୋଗ ଦ୍ଵାରା କ'ଣ ବା କ୍ଷତି ନ ହୁଏ ? ପ୍ରକୃତରେ ରୋଗ ଏକ ଏପରି ଅବସ୍ଥା, ଯାହା ଶରୀରର ତନ୍ତୁ କ୍ଷୟ କରି ସମସ୍ତ ବିଭାଗର କାର୍ଯ୍ୟକୁ ଓଲଟ ପାଲଟ କରିଦିଏ । ବିଭିନ୍ନ ରୋଗର ସାଧାରଣ ଲକ୍ଷଣ ଓ ଚିହ୍ନ ବିଷୟରେ ଆଗରୁ କୁହାଯାଇଛି । ତା'ଛଡ଼ା ପ୍ରତ୍ୟେକ ରୋଗ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ପ୍ରକାଶ କରିଥାଏ । ହଇଜାରେ ଚାଉଳ ଧୁଆ ପାଣି ପରି ଝାଡ଼ା ସହିତ ବାନ୍ତି ହୋଇ ଗୋଡ଼ରୁ ବାକୁଲା ଉଠେ। ହାଡ଼ଫୁଟିରେ ଜ୍ୱର  ହୋଇ ଦେହରେ ବିସ୍ଫୋଟକ ବାହାରେ । ମ୍ୟାଲେରିଆରେ ଏକ ନିର୍ଦ୍ଦିଷ୍ଟ ସମୟରେ କମ୍ପ ହୋଇ ଜ୍ଵର ଆସେ କିଛି ସମୟ ପରେ ଝାଳ ବହି ଜ୍ଵର ଓହ୍ଲାଇ ଯାଏ । ଯକ୍ଷ୍ମା ରୋଗରେ ଜ୍ଵର ଓ କାଶ ସହିତ କଫରେ ରକ୍ତ ପଡ଼େ । କାଛୁ କୁଣ୍ଡିଆରେ ଦେହ ହାତ କୁଣ୍ଡାଇ ହେବା ସହିତ ଘା' ହୋଇ ସେଥିରେ ପୂଯ ହୋଇଯାଏ । ଏହିପରି ବିଭିନ୍ନ ନିର୍ଦ୍ଦିଷ୍ଟ ଲକ୍ଷଣ ଡାକ୍ତରଙ୍କୁ ରୋଗ ଚିହ୍ନିବାରେ ସାହାଯ୍ୟ କରିଥାଏ । ଏପରି ହେବାର କାରଣ ମଧ୍ୟ ଅଛି । ଆଗରୁ କୁହାଯାଇଛି, ପ୍ରତ୍ୟେକ ରୋଗର ଜୀବାଣୁ ଦେହର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠୁଳ ହୁଅନ୍ତି ଓ ସେହିଠାରେ ତନ୍ତୁ କ୍ଷୟ କରି ସେଠାକାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରନ୍ତି । ଫଳରେ ସେହି ଅଞ୍ଚଳ ବା ସେହି  ବିଭାଗ ଯେଉଁ କାର୍ଯ୍ୟ ସହ ସଂପୃକ୍ତ, ସେହିପରି ଲକ୍ଷଣ ପ୍ରକାଶ ପାଏ । ଉଦାହରଣ ସ୍ୱରୂପ ଯକ୍ଷ୍ମାରୋଗ କଥା ବିଚାର କରାଯାଉ । ଏଥିରେ ରୋଗ ଜୀବାଣୁ ଫୁସ୍‌ଫୁସ୍ ଭିତରେ ଆସ୍ଥାନ ଜମାନ୍ତି ଓ ଫୁସ୍‌ଫୁସ୍‌ରେ କ୍ଷତ ସୃଷ୍ଟି କରନ୍ତି । ଫଳରେ ଜ୍ଵର ସହିତ କାଶ ହୁଏ ଓ କଫରେ ରକ୍ତ ପଡ଼େ ।

 

ରୋଗ ଯେଉଁ ବିଭାଗଟି ସହିତ ସଂପୃକ୍ତ, କେବଳ ଯେ ତା'ରି କ୍ଷତି କରେ, ତାହା ନୁହେଁ । ବ୍ୟକ୍ତିଗତ ଅବହେଳା ଓ ଉପଯୁକ୍ତ ଚିକିତ୍ସାର ଅଭାବରେ ଜୀବାଣୁମାନେ ବେଳେ ବେଳେ ଅନ୍ୟ ବିଭାଗକୁ ମଧ୍ୟ ଆକ୍ରମଣ କରିଥାନ୍ତି । ଏଥିପାଇଁ ସେହି ବିଭାଗ ସହିତ ସଂପୃକ୍ତ ଲକ୍ଷଣ ଓ ଚିହ୍ନ ମଧ୍ୟ ପ୍ରକାଶ ପାଇଥାଏ । ଏଗୁଡ଼ିକୁ ରୋଗର ଉପସର୍ଗ ବା ଜଟିଳତା (complications) ବୋଲି କୁହାଯାଏ । ରୋଗର ଉତ୍କଟତା ଯେତେ ପ୍ରଖର ହୁଏ, ତାର ଜଟିଳତା ସେତେ ସାଂଘାତିକ ହୁଏ । ଛାତି ବା ପୁସ୍‌ଫୁସ୍‌ର ଯକ୍ଷ୍ମା ରୋଗ ଅବହେଳିତ ହେଲେ ଯକ୍ଷ୍ମାର ଜୀବାଣୁ ଶରୀରର ଅନ୍ୟ ଅଂଶକୁ ଆକ୍ରମଣ କରନ୍ତି । ଫଳରେ ଅନ୍ତନାଳୀ, ହାଡ଼, ଗର୍ଭାଶୟ ଏପରିକି ମସ୍ତିଷ୍କରେ ମଧ୍ୟ ଯକ୍ଷ୍ମାରୋଗ ଦେଖା ଦେଇଥାଏ । ସେହିପରି କାଛୁ କୁଣ୍ଡିଆ ବାରମ୍ବାର ହେଲେ ତାହା ତଣ୍ଟିରେ ଟନ୍‌ସିଲ୍ ରୋଗ କରାଏ ଏବଂ ରିଭମାଟିଜ୍‌ମ୍ ପରି ହୃଦ୍‌ରୋଗ ଓ ନେଫ୍ରାଇଟିସ୍ ପରି ବୃକ୍‌କୀୟ ରୋଗର କାରଣ ହୁଏ । ମିଳିମିଳା, ଗାଲୁଆ ଆଦି ରୋଗ ଅଣଆୟତ୍ତ ହେଲେ ବ୍ରଙ୍କାଇଟିସ୍, ନିମୋନିଆ ଆଦି ରୋଗ ହୁଏ ଓ ଅଣ୍ଡକୋଷରେ ପ୍ରଦାହ ସୃଷ୍ଟି ହୁଏ । ଆନ୍ତ୍ରିକଜ୍ୱରରେ ଅନ୍ତ୍ର ନାଳୀରେ ଘା' ହୋଇ ତାହା ଫୁଟି ଯିବାର ସମ୍ଭାବନା ରହିଥାଏ । ଦେହର ଗୋଟିଏ ଅଂଶରେ କ୍ୟାନ୍‌ସର ହେଲେ ତାହା କିପରି ସାରା ଶରୀରକୁ ବ୍ୟାପି ଯାଇଥାଏ, ସେ କଥା ସମସ୍ତେ ଜାଣନ୍ତି । ଏହିପରି ଭାବରେ ରୋଗର ଜଟିଳତା ବିଷୟରେ ବଖାଣି ବସିଲେ ତାହା ମଧ୍ୟ ଗୋଟିଏ ପୁସ୍ତକ ହୋଇଯିବ । ତେଣୁ ରୋଗ କ'ଣ କ୍ଷତି କରେ ବୋଲି ପ୍ରଶ୍ନ କରିବା ଏକ ଅବାନ୍ତର କ‌ଥା ବ୍ୟତୀତ ଆଉ କିଛି ନୁହେଁ । ତେଣୁ ଯେ କୌଣସି ରୋଗ ହେଲେ ତାର ଜଟିଳତା କଥା ଚିନ୍ତା କରି ତୁରନ୍ତ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ନଚେତ୍‌ ନେଡ଼ି ଗୁଡ଼ କହୁଣିକୁ ବହିଯିବା ଅସମ୍ଭବ ନୁହେଁ ।

 

ସଂକ୍ରାମକ ରୋଗ କେମିତି ନହେବ ?

 

ରୋଗ ହେଲେ ତାକୁ ଚିକିତ୍ସା କରି ଭଲ କରିଦେବା ବଡ଼ କଥା ନୁହେଁ । ରୋଗ କେମିତି ମୂଳରୁ ନ ହେବ, ସେ ବିଷୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ହେଲା ବଡ଼ କଥା । ଇଂରାଜୀରେ ଗୋଟିଏ ପ୍ରବଚନ ଅଛି, "Prevention is better than cure." ଅର୍ଥାତ୍ ଚିକିତ୍ସା ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ହେଉଛି ଉତ୍କୃଷ୍ଟ । ଚିକିତ୍ସା କଲେ ଏକ ସମୟରେ ହୁଏତ ଜଣେ ରୋଗୀ ଆରୋଗ୍ୟ ହୋଇପାରେ, କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ସେହି ସମୟରେ ଏକାବେଳକେ ଶହଶହ ଲୋକ ରୋଗ କବଳରୁ ମୁକ୍ତି ପାଇଥାନ୍ତି । ଏହି କାରଣରୁ ଡାକ୍ତରୀ ଶାସ୍ତ୍ରରେ ପ୍ରତିଷେଧକ ଚିକିତ୍ସା ବିଜ୍ଞାନ (Preventive medicine) ନାମକ ଏକ ସ୍ଵତନ୍ତ୍ର ବିଭାଗ ରହିଛି ଏବଂ ବିଭିନ୍ନ ସଂକ୍ରାମକ ରୋଗ କବଳରୁ କିଭଳି ମଣିଷକୁ ରକ୍ଷା କରାଯାଇ ପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଦିଆ ଯାଇଛି ।

 

ଆଗରୁ ଏ କଥା ସ୍ପଷ୍ଟ ହୋଇ ଯାଇଛି ଯେ, ରୋଗଟି ବ୍ୟାପିବା ପାଇଁ ଆଧାର, ସଂକ୍ରମଣ ପ୍ରଣାଳୀ ଏବଂ ଜଣେ ପୋଷକ ଆବଶ୍ୟକ ହୋଇଥାଏ । ପ୍ରତିଷେଧକ କଥା ଚିନ୍ତା କରିବା ବେଳେ ଏହି ତିନିଟି ଯାକ କଥାକୁ ସାଧାରଣତଃ ବିଚାରକୁ ନିଆଯାଇଥାଏ ।  ଅର୍ଥାତ୍ ଏହି ତିନୋଟି ଯାକ ସ୍ତର ପ୍ରତିଷେଧକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଥାଏ । ଧରାଯାଉ ଜଣେ ଲୋକ ତା'ର ଅମାପ ଧନକୁ ଗୋଟିଏ ଲୁହା ସିନ୍ଧୁକରେ ପୂରାଇ ରଖିଛି । ସିନ୍ଦୁକଟି ଯେଉଁ ଘରେ ରହିଛି, ସେ ଘରଟି ସବୁବେଳେ ତାଲା ପଡ଼ି ବନ୍ଦ ହୋଇ ରହିଥାଏ  । ଅନ୍ୟ ଘରେ ସେ ଚଳ ପ୍ରଚଳ ହେଉଥାଏ । ସିନ୍ଦୁକ ଭିତରୁ ସେହି ଧନକୁ ପାଇବା ପାଇଁ ଗୋଟିଏ ଚୋରକୁ ପ୍ରଥମେ ଘରର ମୁଖ୍ୟ କବାଟ ଖୋଲିବାକୁ ପଡ଼ିବ । ତା'ପରେ ରୁଦ୍ଧ ଦ୍ଵାରର କବାଟ ଖୋଲି ସିନ୍ଦୁକ ପାଖରେ ପହଞ୍ଚିବାକୁ ପଡ଼ିବ ଓ ତା'ପରେ ସିନ୍ଦୁକ ଖୋଲି ଧନ ଆଣି ପାରିବ । ଧନକୁ ସୁରକ୍ଷିତ ରଖିବା ପାଇଁ ଘରର ମୁଖ୍ୟ ଦ୍ଵାର, ସିନ୍ଦୁକ ଥିବା ଘର ଓ ସିନ୍ଦୁକକୁ ଯତ୍ନର ସହିତ ରୁଦ୍ଧ କରି ରଖିବାକୁ ପଡ଼ିଥାଏ । ରୋଗ ପ୍ରତିଷେଧକ ବ୍ୟବସ୍ଥା ଠିକ୍ ସେହିପରି । ଜଣେ ସୁସ୍ଥ ଲୋକର ଦେହ ହେଉଛି ତା’ର ଧନ ଓ ରୋଗର ଆଧାର ହେଉଛି ଚୋର । ସଂକ୍ରମଣର ପ୍ରଣାଳୀ ବା ମାଧ୍ୟମ ଗୁଡ଼ିକ ହେଲା ଘରର ସବୁ ଦ୍ଵାର  ନିଜର ସୁରକ୍ଷା ପାଇଁ ରୋଗର ଆଧାର, ସଂକ୍ରମଣ ପ୍ରଣାଳୀ ଓ ନିଜ ଦେହ ପ୍ରତ୍ୟେକ ପ୍ରତି ସତର୍କ ରହିବାକୁ ପଡ଼ିଥାଏ । ଏହି କଥାକୁ ବିଚାରକୁ ନେଇ ଚିକିତ୍ସା ବିଜ୍ଞାନୀମାନେ ରୋଗ ନିୟନ୍ତ୍ରଣ ପାଇଁ ଏକ ତିନି ସ୍ତରୀୟ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିଥାନ୍ତି । ସେଗୁଡ଼ିକ ହେଲା:-

 

(୧) ରୋଗର ଆଧାରକୁ ନିୟନ୍ତ୍ରଣ କରିବା ।

(୨) ସଂକ୍ରମଣର ପ୍ରଣାଳୀକୁ ପ୍ରତିହତ କରିବା ।

(୩) ପୋଷକ ବା ସଂଭାବ୍ୟ ରୋଗୀର ସୁରକ୍ଷା କରିବା ।

 

(୧) ରୋଗର ଆଧାରର ନିୟନ୍ତ୍ରଣ  (Controlling the reservoir):-

 

କଥାରେ କହିନ୍ତି, ''ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ।’’  ରୋଗ ସଂକ୍ରମଣ ପାଇଁ ଏହାର ଆଧାର ହିଁ ସର୍ବ ପ୍ରଥମେ ଦାୟୀ ହୋଇଥାଏ । ଚାଉଳ ନ ଥିଲେ ଭାତ ହୁଏ ନାହିଁ କି ଜହ୍ନ ନ ଥିଲେ ଜ୍ୟୋସ୍ନା ଆସେ ନାହିଁ ।  ଠିକ୍ ସେମିତି ରୋଗର ଗୋଟିଏ ଆଧାର ନ ଥିଲେ ତାହା ବ୍ୟାପିବାର ପ୍ରଶ୍ନ ବି ଉଠେ ନାହିଁ । ତେଣୁ ରୋଗର ଆଧାରକୁ ନିୟନ୍ତ୍ରଣ କରି ପାରିଲେ ରୋଗ ବ୍ୟାପିବା ଆଉ ସମ୍ଭବ ହୁଏ ନାହିଁ । ଏଥିପାଇଁ ଅନେକ ପରାମର୍ଶ ଦିଆ ଯାଇଅଛି । ଆଗରୁ କୁହା ଯାଇଛି, ଜଣେ ରୋଗୀ ଓ ବାହକ ହେଉଛନ୍ତି ରୋଗର ଆଧାର । ତେଣୁ ଯେଉଁଠି ରୋଗୀ ବା ବାହକ ଥିବାର ଜଣା ପଡ଼ିବ, ତୁରନ୍ତ ତାହାର ଚିକିତ୍ସା କରିଦେବା ଉଚିତ । ଚିକିତ୍ସିତ ହୋଇ ଆରୋଗ୍ୟ ହୋଇଗଲେ ରୋଗୀ ବା ବାହକ ଆଉ ରୋଗର ଆଧାର ହୋଇ ପାରେ ନାହିଁ । ତେଣୁ ଯେତେ ଶୀଘ୍ର ଚିହ୍ନଟ କରି ଚିକିତ୍ସା କରାଯିବ, ସେତେ ଭଲ । ତା'ଛଡ଼ା ଯେଉଁ ସ୍ଥାନରେ ସଂକ୍ରାମକ ରୋଗ ଆରମ୍ଭ ହେବ, ସଙ୍ଗେ ସଙ୍ଗେ ସେ କଥା ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର କର୍ମୀ ବା କର୍ମକର୍ତ୍ତାଙ୍କୁ ଜଣାଇ ଦେବା ଆବଶ୍ୟକ । ମୌଖିକ ଆକାରରେ ହେଉ ବା ଲିଖିତ ଆକାରରେ ହେଉ, ଏକଥା ଜଣାଇ ଦେଲେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେଠାକୁ ଆସି ପୀଡ଼ିତ ଲୋକଙ୍କର ଚିକିତ୍ସା କରନ୍ତି ଆଉ ରୋଗ ନ ବ୍ୟାପିବା ପାଇଁ ଯାହା ସବୁ ବ୍ୟବସ୍ଥା କରିବା କଥା, ତାହା କରନ୍ତି I ଖାଦ୍ୟ ଆଦିର ବିଶୋଧନ ଓ ପ୍ରତିଷେଧକ ଟିକାଦାନ ଆଦି ଏହି ସବୁ ବ୍ୟବସ୍ଥାର ଅନ୍ତର୍ଭୁକ୍ତ । ଏଥରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ମଧ୍ୟ ଏକାନ୍ତ ଆବଶ୍ୟକ । ଏହି ବ୍ୟବସ୍ଥା ଗ୍ରହଣ କରିବା ଭିତରେ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀମାନେ ଯଦି କୌଣସି ରୋଗୀକୁ ସେମାନଙ୍କ ଜ୍ଞାତି ପରିଜନମାନଙ୍କଠାରୁ ଅଲଗା ରଖିବାକୁ ପରାମର୍ଶ ଦିଅନ୍ତି ତା'ହେଲେ ବିନା ଦ୍ଵିଧାରେ ସେହି ପରାମର୍ଶକୁ ମାନିନେବା ଉଚିତ । ଏହାଦ୍ଵାରା ରୋଗ ବ୍ୟାପିବା ଆଉ ସହଜ ହୁଏ ନାହିଁ । ହଇଜା, ହାଡ଼ଫୁଟି, ମିଳିମିଳା, ଗାଲୁଆ, ଡିପ୍‌ଥେରିଆ, ଟିଟାନସ୍, ପ୍ଲେଗ୍ ପରି ମାରାତ୍ମକ ସଂକ୍ରାମକ ରୋଗୀମାନଙ୍କୁ ସାଧାରଣତଃ ଅଲଗା ରହିବା ପାଇଁ ପରାମର୍ଶ ଦିଆ ଯାଇଥାଏ । ଏହା ବ୍ୟତୀତ ରୋଗର ମଳ, ମୂତ୍ର, କଫ, ଛେପ, ଖଙ୍କାର, ପୂଯ, ରକ୍ତ, ଲସା ଆଦିକୁ ତୁରନ୍ତ ପୋଡ଼ି ନଷ୍ଟ କରିଦେବା ଦରକାର ଏବଂ ରୋଗୀ ରହୁଥିବା କୋଠରି ସହିତ ସେ ବ୍ୟବହାର କରୁଥିବା ସମସ୍ତ ଲୁଗାପଟା, ଆସବାବ ପତ୍ର, ବାସନ କୁସନ ପ୍ରଭୃତିକୁ ଉପଯୁକ୍ତ ଭାବରେ ବିଶୋଧନ କରିବା ଉଚିତ । ଏପରି କରିବା ଦ୍ଵାରା ରୋଗ ସଂକ୍ରମଣରେ ବାଧା ସୃଷ୍ଟି ହୋଇଥାଏ । ରୋଗର ଆଧାରକୁ ଏହିପରି ଭାବେ ନିୟନ୍ତ୍ରଣ କରି ପାରିଲେ ରୋଗ ସଂକ୍ରମଣର ଆଶଙ୍କା ଅନେକ ପରିମାଣରେ କମି ଯାଇଥାଏ ।

 

ସଂକ୍ଷେପରେ କହିଲେ ରୋଗର ଉତ୍ସ ବା ଆଧାରର ନିୟନ୍ତ୍ରଣ ପାଇଁ ନିମ୍ନ ଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରିବା ଅପରିହାର୍ଯ୍ୟ:-

 

(କ) ତୁରନ୍ତ ଚିହ୍ନଟ (Early detection or diagnosis)

(ଖ) ଉପଯୁକ୍ତ କର୍ମକର୍ତ୍ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ ସମ୍ବାଦ ପ୍ରେରଣ (Notification)

(ଗ) ରୋଗର କାରଣ, ଉତ୍ପତ୍ତି ସ୍ଥଳ ତଥା ଅନ୍ୟାନ୍ୟ ବିଷୟର ଅନୁସଂଧାନ (Epidemiological investigation)

(ଘ) ଘର ଭିତରେ ରେଗୀକୁ ପୃଥକୀ କରଣ (Isolation)

(ଡ) ରୋଗୀର ଚିକିତ୍ସା (Treatment)

(ଚ) ରୋଗୀକୁ ବାହାରକୁ ଯିବା ପାଇଁ ବାରଣ (Quarantine)

 

(୨) ସଂକ୍ରମଣ ପ୍ରଣାଳୀରେ ଉଚ୍ଛେଦ (Interruption of transmission):-

 

ଗୋଟିଏ ସ୍ଥାନକୁ ଯିବା ପାଇଁ ଇଚ୍ଛା କରି ଆମେ ରାସ୍ତାରେ ଗଲାବେଳେ ଯଦି ବାଟରେ ନଈଟିଏ ପଡ଼େ ଓ ନ‌ଈର ପୋଲଟି ଭାଙ୍ଗି ଯାଇଥାଏ, ତା'ହେଲେ ଆମର ଯାତ୍ରା ସେଇଠି ବନ୍ଦ ହୋଇଯାଏ । ଆମେ ଆମର ଉଦ୍ଦିଷ୍ଟ ଜାଗାରେ ଆଉ ପହଞ୍ଚି ପାରୁ ନାହିଁ । ରୋଗ ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଏହି କଥାଟି ଯୁକ୍ତିଯୁକ୍ତ । ଯେଉଁସବୁ ବାଟଦେଇ ରୋଗ ଜୀବାଣୁ ରୋଗୀ ଦେହରୁ ସୁସ୍ଥ ଲୋକ ଦେହକୁ ଗତି କରେ, ସେହି ବାଟକୁ କୌଣସି ପ୍ରକାର ବନ୍ଦ କରି ଦେଲେ ରୋଗ ଜୀବାଣୁ ଆଉ ସୁସ୍ଥ ଲୋକ ଦେହରେ ପହଞ୍ଚି ପାରେ ନାହିଁ କି ରୋଗ ଆଉ ବ୍ୟାପି ପାରେ ନାହିଁ । ତେଣୁ ଏହି ପ୍ରଣାଳୀ ଗୁଡ଼ିକୁ କିଭଳି  ଭାବରେ ଉଚ୍ଛେଦ କରାଯାଇ ପାରିବ, ତାହା ବିଚାର କରିବାର କଥା ।

 

ଆଗରୁ କୁହାଯାଇଛି, ରୋଗ ଜୀବାଣୁ ମାତ୍ର କେତୋଟି ମାଧ୍ୟମ ଦେଇ ଜଣକ ଦେହରୁ ଆଉ ଜଣକ ଦେହକୁ ଯାଇଥାଏ । ସେଗୁଡ଼ିକ ଭିତରୁ ଜଳ, କ୍ଷୀର ଓ ଖାଦ୍ୟ ଆଦି ଯାନ ମୁଖ୍ୟ ସ୍ଥାନ ଅଧିକାର କରିଥାଏ । କାରଣ ଅଧିକାଂଶ ରୋଗ ଜୀବାଣୁ ଏହି ଗୁଡ଼ିକ ଜରିଆରେ ଜଣକ ପାଖରୁ ଆଉ ଜଣକ ପାଖକୁ ଯାଇଥାନ୍ତି । ଏହି ବାଟକୁ ବନ୍ଦ କରିଦେଳେ ଦେଲେ, ରୋଗ ସଂକ୍ରମଣରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଜଳକୁ ଫୁଟାଇ କିମ୍ବା ବିଶୋଧାନ କରି ବ୍ୟବହାର କରିବା ଉଚିତ । ସହରାଞ୍ଚଳ ମାନଙ୍କରେ କିପରି ବିଶୁଦ୍ଧ ଜଳ ଯୋଗାଇ ଦିଆ ଯାଇ ପାରିବ, କର୍ତ୍ତୃପକ୍ଷମାନେ ଦୃଷ୍ଟି ଦେବା ଆବଶ୍ୟକ । ଯେଉଁଠି ହଇଜା, ଆମାଶୟ ପରି ଜଳଜାତ ରୋଗର ମଡ଼କ ଦେଖାଯିବ, ସେହି ଅଞ୍ଚଳରେ ଥିବା ସମସ୍ତ ଜଳାଧାରର ଜଳକୁ ଏକ କାଳୀନ ବିଶୋଧନ କରିବା ଦରକାର । ତା'ହେଲେ ରୋଗ ସଂକ୍ରମଣ ସେଇଠି ବନ୍ଦ ହୋଇଯିବ । କ୍ଷୀରକୁ ମଧ୍ୟ ସେହିପରି ଭଲ ଭାବରେ ଫୁଟାଇ ବ୍ୟବ‌ହାର କରିବା ଆବଶ୍ୟକ । ଅନେକ ଲୋକ ଗାଈ ଦୁହାଁ ହେବା ସମୟରେ ଫେଣୁଆ ଫେଣୁଆ କଞ୍ଚା କ୍ଷୀର ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେପରି କରିବା ଅନୁଚିତ । ଖାଦ୍ୟ ଖାଇବା ବେଳେ ସଜ, ତଟକା ଓ ଉଷୁମ ଖାଦ୍ୟ ଖାଇବା ଦରକାର । ବାସି, ପଚା, ସଢ଼ା ଖାଦ୍ୟ, ଫଳ, ପନିପରିବା ଆଦି ଗ୍ରହଣ କରିବା ଉଚିତ ନୁହେଁ । ଖାଇବା ବେଳେ ଖାଦ୍ୟରେ ଯେପରି ମାଛି ନ ବସନ୍ତି, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । କୌଣସି ସଂକ୍ରାମକ ରୋଗୀ ରୋଷେଇ କରିବା କିମ୍ଵା ରୋଷେଇ ଘରେ ପ୍ରବେଶ କରିବା ଅନୁଚିତ । ରୋଷେଇ କରିବା ବେଳେ ଓ ଖାଦ୍ୟ ପରଷିବା ବେଳେ ହାତ, ଗୋଡ଼, ମୁହଁ ଆଦି ଭଲ ଭାବରେ ପରିଷ୍କାର କରିବା ଦରକାର ।

 

ଖାଦ୍ୟ, ଜଳ ଓ କ୍ଷୀର ପରି ମଣିଷ ମଳ ଦ୍ଵାରା ମଧ୍ୟ ବହୁ ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଘରେ ପିଲାମାନଙ୍କର ମଳକୁ ସଙ୍ଗେ ସଙ୍ଗେ ପୋଡ଼ିଦେବା ଦରକାର । ବୟସ୍କମାନେ ମଳତ୍ୟାଗ କରିବା ପାଇଁ ଉପଯୁକ୍ତ ପାଇଖାନା ବ୍ୟବହାର କରିବା ଆବଶ୍ୟକ । ପଡ଼ିଆ ବାଡ଼ିକୁ ଝାଡ଼ା ଗଲେ ପାଦରେ ଚପଲ ବ୍ୟବହାର କରିବା ଉଚିତ । ତା'ଛଡ଼ା ମଳ ତ୍ୟାଗ କରି ଶୌଚ ହେବା ପରେ ମାଟି ହାତ ନ କରି ସାବୁନରେ ଭଲ ଭାବରେ ହାତ ଧୋଇବା ଉଚିତ ।

 

ଖାଦ୍ୟ, ଜଳ ଆଦି ପରି ବାୟୁ ଦ୍ଵାରା ସଂକ୍ରମିତ ହେଇଥିବା ରୋଗ ପ୍ରତି ସାମାନ୍ୟତମ ସାବଧାନ‌ତା ଅବଲମ୍ବନ କଲେ ଏହା ସହଜରେ ବ୍ୟାପି ପାରେ ନାହିଁ । ରୋଗୀକୁ ଚିକିତ୍ସା ଓ ଶୁଶ୍ରୂଷା କରିବା ସମୟରେ ମୁହଁରେ ମୁଖା (mask) ପିନ୍ଧିଲେ ରୋଗୀର କାଶ, ଛିଙ୍କ, ନିଃଶ୍ଵାସରୁ ବାହାରୁଥିବା ରୋଗ ଜୀବାଣୁ ସହଜରେ ଶ୍ଵାସନଳୀ ଭିତରେ ପଶି ପାରନ୍ତି ନାହିଁ । ଏହି ରୋଗୀମାନଙ୍କ ସହିତ ଘନ ଘନ ମିଶିବା ମଧ୍ୟ ଉଚିତ ନୁହେଁ । ଏହି ରୋଗୀମାନଙ୍କ ଠାରୁ ଅନ୍ୟୁନ ଦେଢ଼ ମିଟରରୁ ଦୁଇ ମିଟର ଦୂରତ୍ଵ ରଖି ଶୋଇବା ଆବଶ୍ୟକ । ଅଧ‌ିକ ଜନ ସମାଗମରେ ବାୟୁ ବାହିତ ରୋଗ ସହଜରେ ବ୍ୟାପିଥାଏ । ତେଣୁ ସବୁବେଳେ ଜନ ଗହଳିଠାରୁ ଦୂରରେ ରହିବା ରୋଗୀର ଛେପ, ଖଙ୍କାର, କଫ, ସିଙ୍ଘାଣି ପ୍ରଭୃତିକୁ ତୁରନ୍ତ ପୋଡ଼ି ନଷ୍ଟ କରି ଦେବା ଉଚିତ । ଘର ଭିତରକୁ ଯେପରି ଭଲ ଭାବରେ ସୂର୍ଯ୍ୟାଲୋକ ପଡ଼ି ପାରୁଥିବ ଓ ମୁକ୍ତ ବାୟୁ ଚଳାଚଳ କରି ପାରୁଥିବ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ସର୍ବସାଧାରଣ ସ୍ଥାନ ମାନଙ୍କରେ ଛେପ, ଖଙ୍କାର, କଫ, ସିଙ୍ଘାଣି ଆଦି  ପକାଇବା ଅନୁଚିତ । ରୋଗୀ ରହୁଥ‌ିବା ଘରର ବାୟୁ ମଣ୍ଡଳକୁ ବିଭିନ୍ନ ରାସାୟନିକ ବିଶୋଧକ ସାହାଯ୍ୟରେ ବିଶୋଧନ କରି ଦେବା ଦରକାର ।

 

ମ୍ୟାଲେରିଆ, ବାତଜ୍ୱର, ପ୍ଲେଗ୍, ଟାଇଫସ୍ ଜ୍ଵର ପରି ଯେଉଁ ରୋଗଗୁଡ଼ିକ ମଶା, ଟିଙ୍କ ଆଦି ଅମେରୁଦଣ୍ଡୀ ପ୍ରାଣୀମାନଙ୍କ ଦ୍ଵାରା ବ୍ୟାପିଥାଏ, ତା'ର ନିରାକରଣ କରିବା ଖୁବ୍ ସହଜ । ଏହି ବ୍ୟବସ୍ଥା ଗୁଡ଼ିକ ଭିତରେ ଘରେ ମଶାରି ଟାଙ୍ଗି ଶୋଇବା ଏବଂ ଘର ଚାରିପାଖର ପରିବେଶକୁ ନିର୍ମଳ ରଖିବା ଅନ୍ତର୍ଭୁକ୍ତ । ଘର ବାହାରେ ଥିବା ନାଳ, ନର୍ଦ୍ଦମା, ଖାଲ, ଖମା, ଅଳିଆ, ଆବର୍ଜନା, ଅନାବନା ବୁଦାଗଛ ଆଦିକୁ ନଷ୍ଟ କରିଦେବା ଆବଶ୍ୟକ । ଘର ଭିତରେ ବାହାରେ ବିଭିନ୍ନ ନିରାପଦ କୀଟନାଶକ ଔଷଧ ସିଞ୍ଚନ କରି ଏହି କୀଟମାନଙ୍କର ବଂଶ ନିପାତ କରିଦେଲେ ଏହିସବୁ ରୋଗ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇଯାଏ । ଏଥିପାଇଁ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କର ପରାମର୍ଶ ଗ୍ରହଣ କରିବା ଏକାନ୍ତ ବାଞ୍ଛନୀୟ । କାଛୁ, କୁଣ୍ଡିଆ, ଯାଦୁ, ମଚଳା ପ୍ରଭୃତି ଛୁଆଁ ରୋଗର ନିୟନ୍ତ୍ରଣ ପାଇଁ ବ୍ୟକ୍ତିଗତ ରୁଚି, ଶିକ୍ଷା, ବୃତ୍ତି ଓ ପରିଷ୍କାର ପରିଚ୍ଛନ୍ନତା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ରୋଗୀ ସହିତ କୌଣସି ଶାରୀରିକ ସଂପର୍କ ବା ସଂସ୍ପର୍ଶ ନ ରଖିବା ପାଇଁ ଚେଷ୍ଟା କଲେ ଏହି ସବୁ ରୋଗ ସହଜରେ ସଂକ୍ରମିତ ହୋଇ ପାରେନାହିଁ I ଇଂଜେକ୍‌ସନ୍ ଦେବା ବେଳେ ସିରିଞ୍ଜ୍ ଓ ଛୁଞ୍ଚିକୁ ଉପଯୁକ୍ତ ଭାବରେ ବିଶୋଧନ କରିଦେଲେ କିମ୍ଵା ଡିସ୍ପୋଜେବଲ୍ ସିରିଞ୍ଜ୍ ବ୍ୟବହାର କଲେ ଏହା ଦ୍ଵାରା ବ୍ୟାପୁଥିବା ରୋଗ କବଳରୁ ମୁକ୍ତି ମିଳିଥାଏ । ସେହିପରି ଏକ ବିଶ୍ୱସ୍ତ ସାଥୀ ସହ ସୁରକ୍ଷିତ ଯୌନ ସଂପର୍କ ସ୍ଥାପନ କଲେ ବିଭିନ୍ନ ଯୌନ ରୋଗ ଓ ଏଡ଼ସ୍‍ରୁ ରକ୍ଷା ମିଳିଥାଏ । ଏଥିପାଇଁ  ନିରୋଧର ବ୍ୟବହାର ମଧ୍ୟ ଅପରିହାର୍ଯ୍ୟ।

 

(୩) ସଂଭାବ୍ୟ ରୋଗୀର ସୁରକ୍ଷା

(Protection of the susceptible host):-

 

ଗୋଟିଏ ଅଞ୍ଚଳର ଜଣେ ଲୋକକୁ କୌଣସି ସଂକ୍ରାମକ ରୋଗ ହେଲେ ସେହି ଅଞ୍ଚଳର ଆଉ ସମସ୍ତ ଲୋକଙ୍କୁ ସମ୍ଭାବ୍ୟ ରୋଗୀ ବୋଲି କୁହାଯାଇଥାଏ । କାରଣ ଜଣକ ଠାରୁ ସମସ୍ତଙ୍କ ପାଖକୁ ରୋଗ ସଂକ୍ରମିତ ହୋଇପାରେ । ତେଣୁ ରୋଗ ଜୀବାଣୁ ସେମାନଙ୍କ ଦେହରେ ପ୍ରବେଶ କରିବା ପୂର୍ବରୁ ଯଦି ସେମାନଙ୍କର ଦେହର ସୁରକ୍ଷା କରି ଦିଆଯାଏ ଯାଏ, ସେମାନେ ରୋଗ କବଳରୁ ମୁକ୍ତି ପାଇଯାନ୍ତି । ଯେଉଁମାନେ ଭୂତ, ପ୍ରେତ, ଡାଆଣୀ ଆଦିରେ ବିଶ୍ଵାସ କରନ୍ତି, ତାଙ୍କ କବଳରୁ ରକ୍ଷା ପାଇବା ପାଇଁ ସେମାନେ ଗୁଣିଆ ଡକାଇ ନିଜ ଘରକୁ କିଳି ଦିଅନ୍ତି । ସେମାନଙ୍କ ବିଶ୍ଵାସ, ଏପରି କଲେ ଭୂତ, ପ୍ରେତ ଆଦି ଥାଉ ଘରେ ପଶି ପାରନ୍ତି ନାହିଁ । ସଂକ୍ରାମକ ରୋଗ କବଳରୁ ରକ୍ଷା ପାଇବାକୁ ମଧ୍ୟ ଦେହକୁ ସେମିତି କିଳି ଦିଆଯାଏ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିକାଦାନର ବ୍ୟବସ୍ଥା କରାଯାଇଥାଏ । ଏହାକୁ ପ୍ରତିଷେଧକ ବ୍ୟବସ୍ଥା କୁହାଯାଏ । ଏହାଦ୍ଵାରା କୌଣସି ସଂକ୍ରାମକ ରୋଗର ବିରୋଧରେ ଦେହକୁ କିଳି ଦିଆଯାଏ । ଯେଉଁ ରୋଗ ପାଇଁ ଟିକା ଦିଆଯାଏ, ଦେହ ଭିତରେ ସେହି ରୋଗ ବିରୋଧରେ ଏକ ପ୍ରକାର ପ୍ରତିରକ୍ଷା ଶକ୍ତି ଉତ୍ପନ୍ନ ହୋଇଯାଏ ଫଳରେ ଦେହରେ ରୋଗ ଜୀବାଣୁ ପ୍ରବେଶ କଲେ ମଧ୍ୟ ଏହି ପ୍ରତିରକ୍ଷା ଶକ୍ତି ପ୍ରଭାବରେ ତାହା ନିଷ୍କ୍ରିୟ ହୋଇଯାଏ ଓ ଆଉ ରୋଗ ସୃଷ୍ଟି କରିବାକୁ ସମର୍ଥ ହୋଇପାରେ ନାହିଁ I ସାଧାରଣତଃ ଯକ୍ଷ୍ମା, ଡିପଥେରିଆ, ପୋଲିଓ, ଟିଟାନସ୍, ହୁପିଂକାଶ, ମିଳିମିଳା, ଗାଲୁଆ, ଟାଇଫଏଡ଼, ହେପାଟାଇଟିସ ‘ବି’ପ୍ରଭୃତି ରୋଗ ପାଇଁ ଏହିପରି ଟିକା ଦିଆ ଯାଇଥାଏ । ସ୍ଵାସ୍ଥ୍ୟ ବିଭାଗ ସହିତ ସହଯୋଗ କରି ସମସ୍ତେ ଏହି ବ୍ୟବସ୍ଥା ଗ୍ରହଣ କରି ନେଲେ ରୋଗ ଭୋଗିବାର ସମ୍ଭାବନା ଆଉ ରହିବ ନାହିଁ ।

 

ଆଜିକାଲି ଏଥିପାଇଁ ସାର୍ବଜନୀନ ପ୍ରତିଷେଧକ ଟିକାଦାନ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କୁ ବାଧ୍ୟତାମୂଳକ ଭାବରେ ଟିକାଦାନ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ଟିକାଦାନର ସମୟ ଓ ମାତ୍ରା ଅନୁଯାୟୀ ଏକ ଖସଡ଼ା ବା ଅନୁସୂଚୀ ପ୍ରସ୍ତୁତ କରାଯାଇଅଛି । ଏହି ଅନୁସୂଚୀ ମୁତାବକ ଟିକା ନେଇଗଲେ ପ୍ରତ୍ୟେକ ଗର୍ଭବତୀ ମା ଓ ଶିଶୁ ସେହିସବୁ ରୋଗ କବଳରୁ ରକ୍ଷା ପାଇ ଯାଇଥାନ୍ତି ।

 

ଜାତୀୟ ସାର୍ବଜନୀନ ଟିକାଦାନ ଅନୁସୂଚୀ

 

କିଏ ନେବେ

କେଉଁ ବୟସରେ ନେବେ

କେଉଁ ଟିକା ନେବେ

କେତେ ମାତ୍ରା ନେବେ

କେମିତି ନେବେ

 

ଶିଶୁ

୬ ସପ୍ତାହରୁ ୯ ମାସ ଭିତରେ

ଡି.ପି.ଟି

ପୋଲିଓ

ବି.ସି.ଜି.

୧*

ଇଞ୍ଜେକସନ୍

ପାଟିବାଟେ

ଇଂଞ୍ଜେକସନ୍

 

 

 

 

ପିଲା

୯ମାସରୁ ୧୨ ମାସ

ମିଳିମିଳା

ଇଞ୍ଜେକସନ୍

୧୬ ମାସରୁ ୨୪ ମାସ

ଡି.ପି.ଟି

ପୋଲିଓ

୧**

୧**

ଇଞ୍ଜେକସନ୍

ପାଟି ବାଟେ

୫ ବର୍ଷରୁ ୬ ବର୍ଷ

ଡି.ଟି.

ଟାଇଫଏଡ଼

୧(+)

ଇଞ୍ଜେକସନ୍ ଇଂଞ୍ଜେକସନ୍

୧୦ ବର୍ଷ

ଟି.ଟି.

ଟାଇଫଏଡ଼୍

୧(+)

୧(+)

ଇଞ୍ଜେକସନ୍

ଇଞ୍ଜେକସନ୍

୧୬ ବର୍ଷ

ଟି.ଟି.

ଟାଇଫଏଡ଼୍

୧(+)

୧(+)

ଇଞ୍ଜେକସନ୍

ଇଞ୍ଜେକସନ୍

ଗର୍ଭବତୀ ମହିଳା

ଗର୍ଭର ୧୬ ସପ୍ତାହରୁ ୩୬ ସପ୍ତାହ ମଧ୍ୟରେ

ଟି.ଟି.

ଇଞ୍ଜେକସନ୍

 

 

 

 

 

ଯଦି ଶିଶୁ ଡାକ୍ତରଖାନାରେ ଜନ୍ମ ହୋଇଥିବ, ଜନ୍ମ ହେବା ସଙ୍ଗେ ସଙ୍ଗେ ବି.ସି.ଜି. ଟିକା ନେଇଯିବା ଉଚିତ । ତା' ସହିତ ଏକ ମାତ୍ରା ପୋଲିଓ ଟିକା ମଧ୍ୟ ନେଇଯିବା ଉଚିତ । ଏହାକୁ ‘ଶୂନ୍ୟ ମାତ୍ରା’ପୋଲିଓ ଟିକା ବୋଲି କୁହାଯାଏ । ସ୍ଵାଭାବିକ ୩ ମାତ୍ରା ଓ ବୁଷ୍ଟର୍‌ ୧ ମାତ୍ରା ପୋଲିଓ ଟିକା ସହିତ ଏହାର କୌଣସି ସଂପର୍କ ନାହିଁ । ଅର୍ଥାତ୍ ଶୂନ୍ୟ ମାତ୍ରା ପୋଲିଓ ଟିକାକୁ ମିଶାଇ ପୋଲିଓର ସମୁଦାୟ ପାଞ୍ଚ ମାତ୍ରା ଟିକା ନେବାକୁ ହୋଇଥାଏ।

 

ବୁଷ୍ଟର ମାତ୍ରା

(+) ଯଦି ଆଗରୁ ଟିକା ନେଇ ନ ଥିବେ, ତା ହେଲେ ଦୁଇଟି ମାତ୍ରା ନେବେ ।

ଡି.ପି.ଟି. - ଡିପ୍‌ଥେରିଆ ପର୍ଟୁସିସ୍ ଟିଟାନସ୍ ଟିକା – ଏହାର ଅନ୍ୟନାମ ଟ୍ରିପ୍‌ଲ ଆଣ୍ଟିଜେନ୍ । ଡିପ୍‌ଥେରିଆ, ହୁପିଂକାଶ ଓ ଟିଟାନସ୍ ରୋଗ ବିରୋଧରେ ଏହାକୁ ନିଆଯାଏ ।

ବି.ସି.ଜି - ବାସିଲସ୍ କ୍ୟାଲ୍‌ମେଟ୍ ଗୁଏରିନ୍‌ ଟିକା । ଯକ୍ଷ୍ମା ରୋଗ ବିରୋଧରେ ଏହାକୁ ନିଆଯାଏ ।

ଡି.ଟି - ଡିପ୍‌ଥେରିଆ ଟିଟାନସ୍ ଟିକା ।

ଟି.ଟି - ଟିଟାନସ୍ ଟକ୍ସଏଡ଼୍ ।

 

ଅନେକଙ୍କର ଧାରଣା ଯେ, ଟି.ଟି. ଓ ଏ.ଟି.ଏସ୍. ଏକା କଥା । କିନ୍ତୁ ଏହା ଏକ ଭୁଲ ଧାରଣା । ଟି.ଟି. ହେଲା ଟିଟାନସ୍ ଟକ୍ସଏଡ଼୍ ଓ ଏ.ଟି.ଏସ୍ ହେଲା ଆଣ୍ଟି ଟିଟାନସ୍ ସିରମ୍ । ଟି.ଟି. ଏକ ସକ୍ରିୟ ପ୍ରତିଷେଧକ ଟିକା ହୋଇଥିବା ବେଳେ ଏ.ଟି.ଏସ୍ ଏକ ନିଷ୍କ୍ରିୟ ପ୍ରତିଷେଧକ ଟିକା । ଏ.ଟି.ଏସ୍‌ର ବ୍ୟବହାର ଖୁବ୍ ସୀମିତ । ତେବେ ଏ ବିଷୟରେ ଅଧ‌ିକ ବିବରଣୀ ବର୍ତ୍ତମାନର ଆଲୋଚନାର ପରିସରଭୁକ୍ତ ନୁହେଁ ।

 

ଏହି ସବୁ ପ୍ରତିଷେଧକ ଟିକା ବ୍ୟତୀତ ଆଜିକାଲି ଆହୁରି ବହୁ ନୂତନ ପ୍ରକାରର ଟିକା ମଧ୍ୟ ଉଦ୍‌ଭାବିତ ହୋଇ ସାରିଲାଣି । ସେଥି ମଧ୍ୟରୁ ହେପାଟାଇଟିସ୍ ‘ବି' ଟିକା ମୁଖ୍ୟସ୍ଥାନ ଅଧିକାର କରିଛି  । ତା'ଛଡ଼ା ମ୍ୟାଲେରିଆ ଓ କୁଷ୍ଠରୋଗ ବିରୋଧରେ ମଧ୍ୟ ଟିକା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଖୁବ୍ କମ ଦିନ ଭିତରେ ଏହା ବ୍ୟବହାର ଉପଯୋଗୀ ହୋଇଯିବ ଓ ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମର ମଧ୍ୟ ଅନ୍ତର୍ଭୁକ୍ତ ହୋଇଯିବ । ପୁଣି ଟାଇଫଏଡ଼୍ ରୋଗ ପାଇଁ ଏବେ ଯେଉଁ ଟିକା ଇଂଜେକ୍‌ସନ୍ ଆକାରରେ ଦିଆଯାଉଛି, ତାହା ବଦଳରେ ପାଟି ବାଟେ ଖାଇବା ଭଳି ଟିକା ଆବିଷ୍କୃତ ହୋଇ ସାରିଲାଣି । ଏହା ବି ଖୁବ୍ ଶୀଘ୍ର ବ୍ୟବହାର ଉପଯୋଗୀ ହୋଇଯିବ ।

 

ଟିକାଦାନ ବିଷୟରେ କହିବା ବେଳେ ଗୋଟିଏ କଥା ଉପରେ ଗୁରୁତ୍ୱ ଦେବା ଉଚିତ ଯେ, ଟିକାର ପ୍ରଥମ ମାତ୍ରା ଓ ୨ୟ ମାତ୍ରା ନେବା ଭିତରେ ଅନ୍ୟୁନ ୪ରୁ ୬ ସପ୍ତାହ ମଧ୍ୟରେ ବ୍ୟବଧାନ ରହିବା ଆବଶ୍ୟକ । ସାମାନ୍ୟ ଥଣ୍ଡା, ସର୍ଦ୍ଦି, କାଶ କିମ୍ବା ଜର ହେଲେ ମଧ୍ୟ ଟିକା ନେବାରେ କୌଣସି ବାଧା ନାହିଁ । ତେବେ ସାଘାଂତିକ ଶାରୀରିକ ଅସୁସ୍ଥତା କିମ୍ବା କୌଣସି ରୋଗର ଉତ୍କଟ ଅବସ୍ଥାରେ ଟିକା ନେବା ଉଚିତ ନୁହେଁ ।

 

ଟିକାଦାନ ବିଷୟରେ ଆଲୋଚନା କରିବା ବେଳେ ଆଉ ଗୋଟିଏ ଟିକା ବିଷୟରେ ନ କହିଲେ ଆଲୋଚନା ହୁଏତ ସଂପୂର୍ଣ୍ଣ ହେବ ନାହିଁ । ତାହା ହେଉଛି ଜଳାତଙ୍କ (Rabies) ରୋଗ ବିରୋଧରେ ପ୍ରତିଷେଧକ ଟିକା । ଏହାକୁ ଆଣ୍ଟି ରାବିକ୍ ଭାକ୍‌ସିନ୍ (A.R.V.) ବୋଲି କୁହାଯାଏ । ପାଗଳା କୁକୁର, ବିଲୁଆ ଆଦି କାମୁଡ଼ିବା ଦ୍ଵାରା ଯେଉଁ ଜଳାତଙ୍କ ରୋଗ ହୁଏ, ତାହା ନହେବା ଧାରଣତଃ ଏହି ଟିକା ଦିଆଯାଏ । ତେବେ ଏହି ଟିକା ବିଭିନ୍ନ ପ୍ରକାରର ମିଳିଥାଏ ଓ ପ୍ରକାର ଅନୁଯାୟୀ ତା'ର ମାତ୍ରା ନିର୍ଦ୍ଧାରଣ କରାଯାଏ ।  ମାତ୍ରା ଯେପରି ହୋଇଥାଉ ନା କାହିଁକି, ପାଗଳା କୁକୁର ବା ବିଲୁଆ କାମୁଡ଼ିବା ପରେ ପରେ ପ୍ରଥମ ଦିନରୁ ହିଁ ଏହି ଟିକା ନେବା ଆବଶ୍ୟକ ।

 

ଯେଉଁ ଅଞ୍ଚଳ ଯେଉଁ ସଂକ୍ରାମକ ରୋଗ ବ୍ୟାପିଥାଏ, ସେଠାକାର ଅନ୍ୟମାନଙ୍କୁ ରୋଗ ଆକ୍ରମଣ କରିବା ପୂର୍ବରୁ ସେହି ରୋଗ ଜୀବାଣୁକୁ ମାରିବା ପାଇଁ ଉଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ସ ଔଷଧ ଖାଇବାକୁ ଦିଆଯାଏ । ଏହାଦ୍ଵାରା ଦେହରେ ସେହି ରୋଗ ବିରୋଧରେ ଏକ ପ୍ରକାର ମୃଦୁ ପ୍ରତିରକ୍ଷା ଶକ୍ତି ଜାତ ହୋଇଯାଏ । ତେଣୁ ରୋଗ ଜୀବାଣୁ ପ୍ରବେଶ କରିବା ମାତ୍ରେ ନିଷ୍କ୍ରିୟ ହୋଇଯାନ୍ତି ଓ ରୋଗ ସୃଷ୍ଟି କରି ପାରନ୍ତି ନାହିଁ । ମ୍ୟାଲେରିଆ ପାଇଁ କ୍ଲୋରୋକୁଇନ୍; ହଇଜା, ଆମାଶୟ ଆଦି ପାଇଁ ସଲ୍‌ଫା ଓ ଟେଟ୍ରାସାଇକ୍ଲିନ୍, ଆଣ୍ଠୁଗଣ୍ଠି ବାତ ଓ ଯୌନରୋଗ ପାଇଁ ପେନିସିଲିନ୍; କୁଷ୍ଠ ପାଇଁ ଡାପ୍‌ସୋନ୍ ଏବଂ ପ୍ଲେଗ୍ ପାଇଁ ଟେଟ୍ରାସାଇକ୍ଲିନ୍ ପ୍ରଭୃତି ଔଷଧ ଫଳପ୍ରଦ ହୋଇଥାଏ । ତେଣୁ ସଂକ୍ରାମକ ରୋଗ ବ୍ୟାପିଥିବା ସମୟରେ ଅନ୍ୟାନ୍ୟ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଅନୁସରଣ କରିବା ସହିତ ସମ୍ଭାବ୍ୟ ରୋଗୀମାନଙ୍କୁ ଏହି ପରି ଔଷଧ ମୂଳକ ଖାଇବାକୁ ଦେଇ ସୁରକ୍ଷା ପ୍ରଦାନ କରିବା ଏକାନ୍ତ ଆବଶ୍ୟକ ।

 

ସ୍ଵାସ୍ଥ୍ୟ ଶିକ୍ଷା

( Health Education)

 

ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଓ ଏକ ସୁସ୍ଥ ସାମାଜିକ ଜୀବନ ଯାପନ ପାଇଁ ସବୁ ପ୍ରତିଷେଧକ ବ୍ୟବସ୍ଥା ଗୋଟିଏ ପାଖରେ ରହିଥ‌ିବା ବେଳେ ଅନ୍ୟ ପାଖରେ ରହିଥାଏ ବ୍ୟକ୍ତିଗତ ସ୍ୱାସ୍ଥ୍ୟଶିକ୍ଷା ଓ ସଚେତନ‌ତା । ଦେହ, ସ୍ଵାସ୍ଥ୍ୟ ଓ ରୋଗ ବିଷୟରେ ସାମାନ୍ୟ ଜ୍ଞାନ ନ ରହିଲେ ଏବଂ ନିଜ ଭିତରେ ସଚେତନତା ସୃଷ୍ଟି ନ ହେଲେ ସମାଜରେ ଏକ ସୁସ୍ଥ ମଣିଷ ହୋଇ ଚଳିବା ଅସମ୍ଭବ ହୋଇ

ପଡ଼େ ।

 

ଏଇଠି ମନରେ ପ୍ରଶ୍ନ ଉଠେ, ସ୍ଵାସ୍ଥ୍ୟ ଶିକ୍ଷା ଦେବ କିଏ ଓ ତାକୁ ଗ୍ରହଣ କରିବ କିଏ । ଅନେକଙ୍କର ଧାରଣା ଯେ କେବଳ ଡାକ୍ତରମାନେ ହିଁ ସ୍ଵାସ୍ଥ୍ୟ ଶିକ୍ଷା ଦେବାକୁ ସମର୍ଥ ହୋଇଥାନ୍ତି । କିନ୍ତୁ ଏହା ଏକ ଭୁଲ୍‍ ଧାରଣା । ସ୍ଵାସ୍ଥ୍ୟ ଶିକ୍ଷା ପାଇଁ ଜଣେ ଡାକ୍ତର ଅବଶ୍ୟ ଏକ ଶ୍ରେଷ୍ଠ ବ୍ୟକ୍ତି । ତେବେ ଡାକ୍ତରଙ୍କ ବ୍ୟତୀତ ଯେ କୌଣସି ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ନିଜେ ସ୍ୱାସ୍ଥ୍ୟ ଶିକ୍ଷା ଗ୍ରହଣ କରି ଅନ୍ୟକୁ ପ୍ରଦାନ କରିବାକୁ ସମର୍ଥ ହୋଇଥାଏ ।

 

ଛାତ୍ର, ଶିକ୍ଷକ, ମା', ଭଉଣୀ, ବାପା, ଅଭିଭାବକ ଏପରିକି ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱାସ୍ଥ୍ୟଶିକ୍ଷା ଲାଭ କରି ପରସ୍ପର ଭିତରେ ଆଦାନ ପ୍ରଦାନ କରି ପାରିବେ ଓ ସମାଜ ଭିତରେ ସଚେତନତା ସୃଷ୍ଟି କରିପାରିବେ । ସ୍ଵାସ୍ଥ୍ୟ କର୍ମଚାରୀମାନେ ଅବଶ୍ୟ ଏଥିପାଇଁ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ସଭା, ସମିତି, ଆଲୋଚନା ଚକ୍ରମାନ ଆୟୋଜନ କରି ଚିତ୍ର, ପୋଷ୍ଟର, ଆଲୋଚନା, ଗୀତ, ନାଚ, ପାଲା, ଦାସକାଠିଆ, ଚଳଚ୍ଚିତ୍ର ଆଦି ମାଧ୍ୟମରେ ଏହି ଶିକ୍ଷା ପ୍ରଦାନ କରିଥାନ୍ତି । ତା'ଛଡ଼ା ରେଡ଼ିଓ, ଟି.ଭି, ସମ୍ବାଦପତ୍ର ପରି ଗଣମାଧ୍ୟମ ମଧ୍ୟ ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।

 

ସ୍ଵାସ୍ଥ୍ୟ ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ତିନିଟି । ପ୍ରଥମଟି ହେଲା ରୋଗ ଓ ସଂକ୍ରମଣ ବିଷୟରେ ଲୋକମାନଙ୍କୁ ଠିକ୍ କଥାସବୁ  ଜଣାଇ ସଚେତନ କରିବା; ଦ୍ଵିତୀୟଟି ହେଲା ନିଜ ଦେହକୁ ନୀରୋଗ ତଥା ସମାଜକୁ ସୁସ୍ଥ ରଖିବା ପାଇଁ କ'ଣ ସବୁ କରିବା ଆବଶ୍ୟକ, ସେ ବିଷୟରେ ଲୋକକୁ ପ୍ରବର୍ତ୍ତାଇବା ଏବଂ ତୃତୀୟଟି ହେଲା ସେହିସବୁ ଶିକ୍ଷା ବା କାର୍ଯ୍ୟକୁ ଲୋକମାନେ କିଭଳି ପ୍ରତିପାଳନ କରୁଛନ୍ତି, ସେଥ‌ିପ୍ରତି ଦୃଷ୍ଟିଦେବା ଓ ଆବଶ୍ୟକ ହେଲେ ଭୁଲ ଜିନିଷକୁ ସଂଶୋଧନ କରିବା । ତେଣୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ହେଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ନିଜ ମସ୍ତିଷ୍କକୁ ଉନ୍ନ‌ତ କରିବା ଏକାନ୍ତ ଆବଶ୍ୟକ । ଗୋଟିଏ କଥା ମନେ ରଖିବା ଉଚିତ ଯେ, ସାଧାରଣ ଶିକ୍ଷା ମଣିଷକୁ ଜ୍ଞାନୀ କରୁଥିବା ବେଳେ ସ୍ୱାସ୍ଥ୍ୟଶିକ୍ଷା ତାକୁ ସ୍ୱାସ୍ଥ୍ୟବାନ ଓ ନୀରୋଗ ରଖିବାରେ ସାହାଯ୍ୟ କରିଥାଏ । ସ୍ଵାସ୍ଥ୍ୟ ଶିକ୍ଷା ବିନା କୌଣସି ଶିକ୍ଷା ସଂପୂର୍ଣ୍ଣ  ହୁଏ ନାହିଁ ।

 

ଶେଷକଥା

 

ଆମ ଦେହର ରୋଗ ବିଷୟରେ ଯେତେ କହିଲେ ମଧ୍ୟ ତାହା ଶେଷ ହେବ ନାହିଁ  । ରୋଗ ଆମର ଶତ୍ରୁ । କିନ୍ତୁ ଶତ୍ରୁର ଚରିତ୍ର ଠାରୁ ରୋଗର ଚରିତ୍ର ଭିନ୍ନ । ଶତ୍ରୁ ଥରକେ ଜଣକୁ ଆକ୍ରମଣ କରେ, କିନ୍ତୁ ସଂକ୍ରାମକ ରୋଗ ଥରକେ ଏକାଧିକ ଲୋକଙ୍କୁ ଆକ୍ରମଣ କରିଥାଏ ଓ ସମସ୍ତଙ୍କ ସ୍ଵାସ୍ଥ୍ୟକୁ ନଷ୍ଟ କରିଦିଏ । ସ୍ଵାସ୍ଥ୍ୟ ଆମର ଅମୂଲ୍ୟ ସଂପଦ ଓ ତାହାର ସୁରକ୍ଷା କରିବା ଆମର ନୈତିକ କର୍ତ୍ତବ୍ୟ । କେବଳ ଆମେ ନିଜେ ନୁହେଁ, ଗୋଟିଏ ଜନ ମଙ୍ଗଳ ରାଷ୍ଟ୍ରରେ ଉତ୍ତମ ସ୍ଵାସ୍ଥ୍ୟରକ୍ଷା ପାଇଁ ଆମର ଦାୟିତ୍ଵ ଯେତିକି, ସରକାରଙ୍କ ଦାୟିତ୍ୱ ମଧ୍ୟ ସେତିକି । ତେଣୁ ନିଜ ଭିତରେ ସଚେତନତା ସୃଷ୍ଟି କରି ସରକାରଙ୍କ ସହିତ ସହଯୋଗ କରି ସ୍ଵାସ୍ଥ୍ୟ ସଂପର୍କୀୟ ଉତ୍ତମ କାର୍ଯ୍ୟକ୍ରମକୁ ବିନା ଦ୍ଵିଧାରେ ଗ୍ରହଣ କରିନେଲେ ଆମେ ନୀରୋଗ ରହିବା ସଙ୍ଗେ ସଙ୍ଗେ ଆମ ସ୍ଵାସ୍ଥ୍ୟ ଯେ ନିଶ୍ଚୟ ଅତୁଟ ରହିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

***